ଓ୍ୱାକଫ୍‍ ସଂଶୋଧନ ବିଧେୟକରେ ଜେପିସି ଆଣିଲା ୧୪ ସ୍ଥାନରେ ୨୫ ସଂଶୋଧନ
Advertisement
Article Detail0/zeeodisha/odisha2620767

ଓ୍ୱାକଫ୍‍ ସଂଶୋଧନ ବିଧେୟକରେ ଜେପିସି ଆଣିଲା ୧୪ ସ୍ଥାନରେ ୨୫ ସଂଶୋଧନ

ଗତ ୬ ମାସ ହେଲା ଏହି କମିଟି ପର୍ଯ୍ୟାୟ ଭିତ୍ତିରେ ସମସ୍ତ ଅନୁଚ୍ଛେଦକୁ ତନ୍ନତନ୍ନ କରି ବିଚାର କରିଥିଲେ। ଏହାପରେ ୧୪ଟି ଅନୁଚ୍ଛେଦର ୨୫ଟି ସ୍ଥାନରେ ସଂଶୋଧନ ପାଇଁ ବାଚସ୍ପତିଙ୍କୁ ନିଜର ପ୍ରସ୍ତାବ ପ୍ରଦାନ କରିବେ। ଭୋଟିଂ ମାଧ୍ୟମରେ ଏହି ସଂଶୋଧନ ଲାଗି କମିଟି ବହୁମତରେ ରାଜି ହୋଇଛି। 

ଓ୍ୱାକଫ୍‍ ସଂଶୋଧନ ବିଧେୟକରେ ଜେପିସି ଆଣିଲା ୧୪ ସ୍ଥାନରେ ୨୫ ସଂଶୋଧନ

ନୂଆଦିଲ୍ଲୀ: ଲୋକସଭାରୁ ଯୁଗ୍ମ ସଂସଦୀୟ କମିଟି ( ଜେପିସି)କୁ ପଠାଯାଇଥିବା ଓ୍ୱାକଫ୍‍ ସଂଶୋଧନ ବିଧେୟକକୁ ଅନେକ ଆଲୋଚନା, ପର୍ଯ୍ୟାଲୋଚନା ଓ ସମାଲୋଚନା ପରେ ୨୫ ସଂଶୋଧନ ପ୍ରସ୍ତୁତ ହୋଇଛି। ଗତ ୬ ମାସ ହେଲା ଏହି କମିଟି ପର୍ଯ୍ୟାୟ ଭିତ୍ତିରେ ସମସ୍ତ ଅନୁଚ୍ଛେଦକୁ ତନ୍ନତନ୍ନ କରି ବିଚାର କରିଥିଲେ। ଏହାପରେ ୧୪ଟି ଅନୁଚ୍ଛେଦର ୨୫ଟି ସ୍ଥାନରେ ସଂଶୋଧନ ପାଇଁ ବାଚସ୍ପତିଙ୍କୁ ନିଜର ପ୍ରସ୍ତାବ ପ୍ରଦାନ କରିବେ। ଭୋଟିଂ ମାଧ୍ୟମରେ ଏହି ସଂଶୋଧନ ଲାଗି କମିଟି ବହୁମତରେ ରାଜି ହୋଇଛି। ଆସନ୍ତା କାଲି ଏ ବାବଦରେ ଏକ ସଂକଳ୍ପ ପାରିତ କରାଯାଇ ତାହାକୁ ବାଚଦ୍ପତିଙ୍କୁ ପ୍ରଦାନ କରାଯିବ ବୋଲି ଓ୍ୱାକଫ୍‍ ସଂଶୋଧନ ପାଇଁ ଗଠିତ ଜେପିସିର ଅଧ୍ୟକ୍ଷ ଜଗଦମ୍ବିକା ପାଲ୍‍ କହିଛନ୍ତି। 

ଗତ ମୌସୁମୀ ଅଧିବେଶନ ସମୟରେ ଲୋକସଭାରେ ଓ୍ୱାକଫ୍‍ ଆଇନ୍‍ ୧୯୯୫ରେ ସଂଶୋଧନ ପାଇଁ ସରକାରଙ୍କ ପକ୍ଷରୁ ବିଧେୟକ ଉପସ୍ଥାପନ କରାଯାଇଥିଲ। ଲୋକସଭାରେ ଏ ବିଷୟରେ ଆଲୋଚନା ହେବା ପୂର୍ବରୁ ଏହାକୁ ଅଧିକ ଆଲୋଚନା ଲାଗି ଯୁଗ୍ମ ସଂସଦୀୟ କମିଟିକୁ ପଠାଇଥିଲେ ବାଚସ୍ପତି। ବରିଷ୍ଠ ସଦସ୍ୟ ଜଗଦମ୍ବିକା ପାଲ୍‍ଙ୍କ ନେତୃତ୍ୱରେ ଏହି କମିଟି ଦେଶର ବିଭିନ୍ନ ସ୍ଥାନରେ ଓ୍ୱାକଫ୍‍ ସମ୍ପତ୍ତି ପରିଦର୍ଶନ ସହ ଲୋକଙ୍କ ମତାମତ ସଂଗ୍ରହ କରିଥିଲେ। ଏହାପରେ ୧୪ଟି ସ୍ଥାନରେ ୨୫ଟି ସଂଶୋଧନ ପାଇଁ ରାଜି ହୋଇଥିଲେ। 

ଶ୍ରୀ ପାଲ୍‍ କହିଛନ୍ତି, ଆମେ ଗଣତାନ୍ତ୍ରିକ ଉପାୟରେ ବୈଠକରେ ଯୋଗ ଦେଇଥିଲୁ। ଏହା ପୂର୍ବରୁ ମହାରାଷ୍ଟ୍ର, ,ଗୁଜରାଟ, ତେଲେଙ୍ଗାନା, ତାମିଲନାଡ଼ୁ, ଓଡ଼ିଶା, ଆସାମ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ବିହାର, ଉତ୍ତର ପ୍ରଦେଶ ଗସ୍ତରେ ଯାଇଥିଲେ। ଏହା ସହ ଦିଲ୍ଲୀରେ ଗତ ଛଅ ମାସ ଭିତରେ କମିଟି ୩୬ଟି ବୈଠକ ଡକାଇଥିଲେ। ଏହି ସମୟରେ ସରକାରୀ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ପ୍ରଭାବିତ  ନେତୃତ୍‍ୱ, ସିଆ ଓ ସୁନି ଓ୍ୱାକଫ୍‍ ବୋର୍ଡର ନେତୃବୃନ୍ଦ, ସଂଖ୍ୟାଲଘୁ କମିଶନ, ଇସ୍‍ଲାମିକ ବୁଦ୍ଧିଜୀବୀ, ପ୍ରଫେସର, ଅବସରପ୍ରାପ୍ତ ଜଜ୍‍ ଏବଂ ଆଇନଜୀବୀଙ୍କ ସହ ଆଲୋଚନା କରିଥିଲେ ବୋଲି ଶ୍ରୀ ପାଲ୍‍ ଗଣମାଧ୍ୟମକୁ ସୂଚନା ଦେଇଥିଲେ। 

ସମସ୍ତ ୪୪ଟି  ସଂଶୋଧନ ପ୍ରସ୍ତାବକୁ ଆମେ ସମସ୍ତ ସଦସ୍ୟଙ୍କ ସାମ୍ନାରେ ରଖିଥିଲୁ। ଏହାପରେ ଭୋଟିଂ କରାଯାଇଥିଲା। ଗଣିତାନ୍ତ୍ରିକ ପଦ୍ଧତିରେ ଯେଉଁଠାରେ ମତାନ୍ତର ହୁଏ ସେଠାରେ ଭୋଟିଂ ମାଧ୍ୟମରେ ସଂଖ୍ୟା ଗରିଷ୍ଠଙ୍କ ମତକୁ ଗ୍ରହଣ କରାଯାଇଥାଏ। ସେହି ଧାରାକୁ ଆପଣା ଯାଇଛି। ଏବେ ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ ହୋଇ ସମସ୍ତ ସଦସ୍ୟଙ୍କ ପାଖରେ ଉପସ୍ଥାପନ କରାଯିବ। ୫୦୦ ପୃଷ୍ଠାର ଏହି ରିପୋର୍ଟକୁ ଜେପିସି ଗ୍ରହଣ କରିବା ପରେ ତାହାକୁ ବାଚସ୍ପତିଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ଜଗଦମ୍ବିକା ପାଲ୍‍ ସୂଚନା ଦେଇଛନ୍ତି।

ଆସନ୍ତା ଶୁକ୍ରବାର ତଥା ଜାନୁୟାରୀ ୩୧ ତାରିଖରୁ ଲୋକସଭାର ବଜେଟ ଅଧିବେଶନ ଆରମ୍ଭ ହେଉଛନ୍ତି। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ହେବ। ବଜେଟ୍‍ ଆଲୋଚନା ସହ ଏହି  ଜେପିସି ରିପୋର୍ଟକୁ ମଧ୍ୟ ଉପସ୍ଥାପନ କରାଯାଇ ବିଧେୟକରେ ଆବଶ୍ୟକ ସଂଶୋଧନ ପାଇଁ ସରକାର ପ୍ରସ୍ତାବ ଆଣିପାରନ୍ତି।

Also Read- Mauni Amavasya 2025: ଚାକିରି ଏବଂ ବ୍ୟବସାୟରେ ୩ ରାଶିର ବ୍ୟକ୍ତିଙ୍କୁ ସଫଳତା