Top 10 News Today: ପଦଯାତ୍ରାରେ BJPକୁ BJDର ନିଶାନା, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2456198

Top 10 News Today: ପଦଯାତ୍ରାରେ BJPକୁ BJDର ନିଶାନା, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Today: ଦିନଟିରେ ରାଜ୍ୟ  ଏବଂ ଦେଶ ବିଦେଶରେ ଘଟିଯାଇଛି ଅନେକ ଘଟଣା । ସେହିସବୁ ଗୁରୁତ୍ୱପୂର୍ଣ୍ଣ ଖବର ଜାଣନ୍ତୁ ଅଳ୍ପରେ

Top 10 News Today: ପଦଯାତ୍ରାରେ BJPକୁ BJDର ନିଶାନା, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Today

Headlines 01- ଇରାନ ଇସ୍ରାଏଲ ଯୁଦ୍ଧର ଘନଘଟା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ତାଙ୍କର ସ୍ପଷ୍ଟ ମତ ରଖିଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଗତ ବର୍ଷ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହାମାସ ଦ୍ୱାରା କରାଯାଇଥିବା ଡ୍ରୋନ୍ ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ ବୋଲି ଭାରତ ବିବେଚନା କରେ। ଏଥିସହ ପ୍ରତିଶୋଧ ନେବାକୁ ଇସ୍ରାଏଲର ଅଧିକାର ଅଛି ବୋଲି ସେ କହିଛନ୍ତି। ତେବେ ଆନ୍ତର୍ଜାତୀୟ ମାନବିକ ନିୟମକୁ ମନେ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ଯୁଦ୍ଧରେ ଦୁଇ ଦେଶର ନାଗରିକଙ୍କ ପାଇଁ କୌଣସି କ୍ଷତି ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

Headlines 02- ପୁଣେର ବାବଧାନ ବୁଦକ ଅଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ସକାଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବିପର୍ଯ୍ୟୟ ପ୍ରଶମନ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଥିଲେ । ତେବେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାର ପ୍ରକୃତ କାରଣ କେବଳ ଅନୁସନ୍ଧାନ ପରେ ଜଣାପଡିବ।

Headlines 03- ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମଦିନ । ରାଜଘାଟରେ ବାପୁଙ୍କୁ ଏବଂ ବିଜୟଘାଟରେ ଶାସ୍ତ୍ରୀଜୀ ସମାଧିରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି । ଗାନ୍ଧି ଜୟନ୍ତୀରେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଛୋଟ ପିଲାଙ୍କ ସହ ମିଶି ଝାଡୁ କରିବା ସହ ସ୍ୱଚ୍ଛତା ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Headlines 04- ବିଜେଡି ପଦ ଯାତ୍ରାରେ ବିଜେପି ସରକାରକୁ ନିଶାନା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଛ କହି ବିଜେପି ରାଜ୍ୟରେ କ୍ଷମତାକୁ ଆସିଛି ବୋଲି କହିଛନ୍ତି ନବୀନ । ସେମାନେ ବିଏସ୍ କେୱାଇ ସମେତ ଅନେକ ଯୋଜନାର ନାଁ ବଦଳାଇଛନ୍ତି । ଲୋକ ସବୁ ଜାଣନ୍ତି ବୋଲି ନବୀନ କହିଛନ୍ତି । ଅନ୍ୟପଟେ, ନବୀନଙ୍କ ଆଟାକ୍‌ର କାଉଣ୍ଟର କଲେ ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ । ନବୀନ ଗୋଟିଏ କଥା ସତ କହିଛନ୍ତି ଯେ, ଲୋକ ସବୁ ଜାଣିଛନ୍ତି, ହଁ ଲୋକ ସବୁ କଥା ଜାଣିଲେ ବୋଲି ଆପଣଙ୍କୁ ପ୍ରତ୍ୟାଖ୍ୟାନ କଲେ ବୋଲି ବିରଞ୍ଚି କହିଛନ୍ତି । ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ସେସବୁ ଗୋଟି ଗୋଟି ପୂରଣ କରୁଛି ବୋଲି କହିଥିଲେ ବିଜେପି ମୁଖପାତ୍ର ।

Headlines 05- ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ବିନୋଦ ପାଟିଲଙ୍କୁ ମାଲକାନଗିରି ଏସ୍‌ପି ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ରାହୁଲ ଗୋଏଲଙ୍କୁ କଟକ ରେଲୱେ ଏସ୍‌ପି ଭାବେ ଦାୟିତ୍ୱ ମିଳିଛି । ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନିକଟରେ ଓପିଏସ୍‌ ମିହିର ପଣ୍ଡାଙ୍କୁ ନବରଙ୍ଗପୁର ଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଥିଲା ତାଙ୍କୁ ମଧ୍ୟ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Headlines 06- ରାଜ୍ୟ ଗଣଶିକ୍ଷା ବିଭାଗ ନବମ ଓ ଦଶମ ଶ୍ରେଣୀ ପୋଷାକ ରଙ୍ଗରେ ପରିବର୍ତ୍ତନ କରିଛି । ପୂର୍ବପରି ପୋଷାକର ଡିଜାଇନ୍ ସମାନ ରହିଥିବାବେଳେ କେବଳ ରଙ୍ଗ ବଦଳିଛି । ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଇଷତ୍ ଖଇରିଆ ରଙ୍ଗର ପ୍ୟାଣ୍ଟ କରାଯାଇଥିବାବେଳେ ଘିଅ ରଙ୍ଗର ଚେକ୍ ସାର୍ଟ କରାଯାଇଛି । ଛାତ୍ରୀମାନଙ୍କ ପାଇଁ ଇଷତ୍ ଖଇରିଆ ରଙ୍ଗର ଜ୍ୟାକେଟ୍ ମଧ୍ୟ ରହିଛି । ଯେଉଁ ବିଦ୍ୟାଳୟରେ ପୁରୁଣା ଡିଜାଇନ୍‌ରେ ପୋଷାକ ବିତରଣ ସରି ନଥିବ କିମ୍ବା ସିଲାଇ କରିବାକୁ ଦିଆଯାଇ ନଥିବ ସେହି ବିଦ୍ୟାଳୟରେ ଏହି ନୂଆ ଡିଜାଇନ୍ ପୋଷାକ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ଅଧୀନରେ ଏହା ବଣ୍ଟନ କରାଯିବ।

Headlines 07- ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ କଲେ ନିଆଯିବ କଠୋର ପଦକ୍ଷେପ। କେହି ବି ହୁଅନ୍ତୁ ତାଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। ଆଜି ଏଭଳି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଶ୍ରୀମନ୍ଦିର ଲୁହା କଡ଼େଇ ଅବଢା ପ୍ରସଙ୍ଗରେ ମଧ୍ୟ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସେପ୍ଟେମ୍ବର ୧୨ ତାରିଖରେ ଶ୍ରୀମନ୍ଦିର ରୋଷ ଘରେ ଅନ୍ନ ରନ୍ଧନରେ ଲୁହା କଡ଼େଇ ବ୍ୟବହାର ନେଇ ଅଭିଯୋଗ ଆସିବା ପରେ ତଦନ୍ତ ସହ କଡ଼େଇ ଜବତ ନିର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Headlines 08- ଶାରଦୀୟ ଦୂର୍ଗା ଉତ୍ସବ ଅବସରରେ ଶ୍ରୀକ୍ଷେତ୍ରରେ ଆଜିଠୁ ମହାପ୍ରଭୁଙ୍କ ଆରମ୍ଭ ହୋଇଛି ଗୁପ୍ତଗୁଣ୍ଡିଚା। ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ୱରୂପ ଶ୍ରୀଜଗନ୍ନାଥ ଗୁପ୍ତଗୁଣ୍ଡିଚାରେ ମାଆ ମହାଲକ୍ଷ୍ମୀ ସ୍ଵରୁପା ମାଆ ଦୁର୍ଗାଙ୍କୁ ନେଇ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିଛନ୍ତି। ମାଆ ଲକ୍ଷ୍ମୀଙ୍କୁ ପବିତ୍ର ରଥଯାତ୍ରା ସମୟରେ ଶ୍ରୀଜୀଉମାନେ ଗୁଣ୍ଡିଚା ଘରକୁ ନେଇନଥିବା ବେଳେ ନୀଳାଦ୍ରିବିଜେ ସମୟରେ ଅଭିମାନିନୀ ମାଆ ଲକ୍ଷ୍ମୀଙ୍କୁ ଗୁପ୍ତଗୁଣ୍ଡିଚାରେ ଯିବା ପାଇଁ ପ୍ରତିଶୃତି ଦେଇଥିଲେ ପ୍ରଭୁ ଶ୍ରୀଜଗନ୍ନାଥ।

Headlines 09- ଆଜି ମହାଳୟା ଶ୍ରାଦ୍ଧ। ଏହି ପବିତ୍ର ଦିନରେ ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତ ପବିତ୍ର ମହାଳୟା ଅମାଵାସ୍ୟା ଅବସରରେ ପିଣ୍ଡଦାନ କରିଛନ୍ତି। ଆଜି ପିତୃପକ୍ଷରେ ପୂର୍ବପୁରୁଷମାନଙ୍କ ଆତ୍ମାର ସଦଗତି କାମନା କରି ଶ୍ରୀମନ୍ଦିର ଚତୁର୍ପାଶ୍ୱ ସମେତ ପଞ୍ଚତୀର୍ଥ ପୁଷ୍କରିଣୀ ତଥା ମହୋଦଧିରେ ଶ୍ରଦ୍ଧାଳୁମାନେ ଶ୍ରାଦ୍ଧ ଦେଇଛନ୍ତି। ଆଶ୍ୱିନମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷର ଆଜି ଶେଷ ଦିବସ ହୋଇଥିବାରୁ ଶ୍ରାଦ୍ଧ ଦେବା ଓ ପିଣ୍ଡଦାନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଆଜି ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।

Headlines 10- ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୪ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଲଘୁଚାପ ପ୍ରଭାବରେ ୪ ତାରିଖ ବେଳକୁ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି