Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ପ୍ରୟାଗରାଜରୁ ବୁଡ଼ ପକାଇ ବସ୍ ଯୋଗେ ଆନ୍ଧ୍ର ପ୍ରଦେଶ ଫେରୁଥିବା ସମୟରେ ଜଗଦଲପୁର ଜିଲ୍ଲା ସିହୋରା NH ୩୦ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ୍ ପରେ ଟ୍ରେଲରକୁ ବସ୍ ଧକ୍କା ଦେବା କାରଣରୁ ୭ଜଣଙ୍କ ମୃତ୍ୟୁ ହୋଇଛି । କିଛି ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଦିନକ ପରେ ମାଘ ପୂର୍ଣ୍ଣିମା କାରଣରୁ ତ୍ରିବେଣୀ ସଙ୍ଗମରେ ସ୍ନାନ ପାଇଁ ଛୁଟିବାରେ ଲାଗିଛି ଶ୍ରଦ୍ଧାଳୁଙ୍କ ସୁଅ। ରାସ୍ତା ଉପରେ ଅସମ୍ଭାଳ ଭିଡ଼ କାରଣରୁ ଗାଡିର ଲମ୍ବା ଲାଇନ୍ ଦେଖିବାକୁ ମିଳିଛି ।
Headlines 02- ଭାରତ ଶକ୍ତି ସପ୍ତାହ ୨୦୨୫ ଉଦଘାଟନୀ ଦିବସ ସମାରୋହ ଅବସରରେ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ସମ୍ବୋଧନ ଦେଇ ମୋଦୀ କହିଥିଲେ ଯେ, ଭାରତ କେବଳ ଅଭିବୃଦ୍ଧି ନୁହେଁ ବିକାଶକୁ ମଧ୍ୟ ଆଗେଇ ନେଇଛି ଏବଂ ଏଥିପାଇଁ ଆମ ଶକ୍ତି କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବିଭିନ୍ନ କ୍ଷେତ୍ରରେ ଭାରତର ସ୍ଥିତି ଉପରେ ସୁଧାର ଆସିଛି, ବିକଶିତ ଭାରତ ପାଇଁ ଆଗାମୀ ୨ ଦଶନ୍ଧି ଆମ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ, ଆଗାମୀ ୫ବର୍ଷ ଭିତରେ ବହୁ ମାଇଲଖୁଣ୍ଟ ହାତେଇବାକୁ ଯାଉଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
Headlines 03- ପୁରୀରେ ପଞ୍ଜିକା ସମନ୍ବୟ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିର ସମ୍ବନ୍ଧୀୟ ଯାନିଯାତ୍ରା ନେଇ ସହମତି ହୋଇଛି । ବିଶେଷକରି ୫ଟି ପଞ୍ଜିକାର ପାଣ୍ଡୁଲିପିକୁ ନେଇ ଆଲୋଚନା କରାଯାଇଛି । ମହାପ୍ରଭୁଙ୍କ ନୀତିକାନ୍ତି ତିଥି ନେଇ ସମସ୍ତେ ସହମତ ହୋଇଛନ୍ତି । ନେଇ ଚିଠା ଅନୁମୋଦିତ ହୋଇଛି, କେହି ଭୁଲ ତଥ୍ୟ ଦେବେନି । ରାଧାରମଣ, କୋହିନୂର, ଅରୁଣଦୋୟ ପଞ୍ଜିକା ଭାଗ୍ୟଦୀପ, ଜିଏନ୍ ତ୍ରିପାଠୀ ପଞ୍ଜିକା ପାଣ୍ଡୁଲିପି ମିଳିଛି । ସହମତି ପରେ ଯଦି ବିଭ୍ରାନ୍ତିକର ତଥ୍ୟ ଦିଅନ୍ତି ତାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Headlines 04- ଖୁବ୍ଶୀଘ୍ର ଆରମ୍ଭ ହେବ ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟ । ଫ୍ଲାଏଓଭର ବ୍ରିଜ ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଜୟଦେବ ବିହାରକୁ ସଂଯୋଗ କରି ନନ୍ଦନକାନନ ପର୍ଯ୍ୟନ୍ତ ଓଭରବ୍ରିଜ ନିର୍ମାଣ କରାଯିବ । ମଝିରେ ମଝିରେ ବଡ଼ ଛକରେ ଏସକେପ୍ ୱେ ରହିବ ବୋଲି ପୃଥ୍ବୀରାଜ କହିଛନ୍ତି । ଓଭରବ୍ରିଜରେ ଯାଉଥିବା ଲୋକଙ୍କୁ ତଳକୁ ଓହ୍ଲାଇବାକୁ ସମସ୍ୟା ହେବନାହିଁ । ଯେଉଁ ରାସ୍ତା ତଳେ ଚାଲିଛି ଚାଲିବ, ଉପରେ ୪ ଲେନ୍ ରାସ୍ତା ନିର୍ମାଣ କରାଯିବ ।
Headlines 05- ସୁଭଦ୍ରା ପାଇନଥିବା ହିତାଧିକାରୀଙ୍କୁ ଅପିଲ୍ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବ୍ୟାଙ୍କ ଯାଇ ଡିବିଟି ଆକ୍ଟିଭ୍ କରିବାକୁ ପରାମର୍ଶ ଦେଇଛନ୍ତି । ଡିବିଟି ଆକ୍ଟିଭ୍ ହୋଇନଥିଲେ ସୁଭଦ୍ରା କିସ୍ତି ଆକାଉଣ୍ଟକୁ ଯିବନାହିଁ । ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକରେ ରିଜେକ୍ଟ ମହିଳାଙ୍କ ତାଲିକା ଅଛି । ସୁଭଦ୍ରା କମିଟି ସଦସ୍ୟଙ୍କୁ ଭେଟନ୍ତୁ ସେ ଚାହିଁଲେ ଲିଷ୍ଟରେ ନାଁ ଯୋଡ଼ି ହେବ ବୋଲି କହିଛନ୍ତି ପ୍ରଭାତୀ । ମାର୍ଚ୍ଚ ୮ ପୂର୍ବରୁ ସୁଭଦ୍ରା ହିତାଧିକାରୀ ସଂଖ୍ୟା କୋଟିଏ ଛୁଇଁବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
Headlines 06- ବାରବାଟୀ ଲାଇଟ୍ ବିଭ୍ରାଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ସେ କହିଛନ୍ତି ଯେ, ଏଥିରେ ଟାଟା ପାୱାର ଭୂମିକା ନାହିଁ, ଜେନେରେଟରରେ ଚାଲିଥିଲା । ଯେଉଁ ରାଜନୈତିକ ଦଳ ପ୍ରଶ୍ନ କରୁଛି ସେ ଟିକେ ମନେ ପକାନ୍ତୁ ଯେ, ରାଷ୍ଟ୍ରପତିଙ୍କ ବାରିପଦା ଗସ୍ତ କାର୍ଯ୍ୟକ୍ରମ ସମୟରେ କିପରି ଲାଇଟ୍ କଟିଥିଲା । ସେତେବେଳେ ଜେନେରେଟର ନୁହେଁ, ସରକାରୀ ସପ୍ଲାଇ ଥିଲା । ସେତେବେଳେ କଣ ହେଲା ଆଜିଯାଏଁ ସ୍ପଷ୍ଟୀକରଣ ମିଳିନି । ତେଣୁ ଅନ୍ୟକୁ ପଚାରିବା ପୂର୍ବରୁ ନିଜକୁ ଦେଖନ୍ତୁ ବୋଲି କେଭି ସିଂଦେଓ କହିଛନ୍ତି ।
Headlines 07- ମହିଳା କମିଶନ କ୍ଷମତାହୀନ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ । ୩୨ ବର୍ଷ ହେଲାଣି ମହିଳା କମିଶନ କେବଳ ସୁପାରିସ୍ କରୁଛନ୍ତି । କମିଶନଙ୍କର ପୋଲିସ ପାୱାର ବିନା କିଛି ମାନେ ନାହିଁ । କମିଶନ ନିଜେ ଆକ୍ସନ ନେବା ଦରକାର, ନହେଲେ ମାନେ କିଛି ନାହିଁ । ମହିଳା କମିଶନଙ୍କୁ କ୍ଷମତା ଦେବା ପାଇଁ ଏବେ ସମୟ ଆସିଛି । ସେ ଅଧିକାର ସରକାର ଦେବେ, ମହିଳା କମିଶନ କ୍ଷମତା ସମ୍ପନ୍ନ ହେବ କହିଛନ୍ତି ।
Headlines 08- ଗୁରୁବାରଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ। ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୭ରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ହେବ। ଫେବ୍ରୁଆରି ୧୭ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ହେବ। ଏହି ଅଧିବେଶନ ଲମ୍ବା ସମୟ ଧରି ଚାଲିବାକୁ ଥିବାରୁ ଗୃହ ବେଶ୍ ସରଗରମ ହେବ। ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ ବହୁ ପ୍ରସଙ୍ଗକୁ ଏକାଠି କରିଛନ୍ତି। ୧୨ ତାରିଖ ତିନି ଦଳର ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ କରିବେ। ହେଲେ ତାହା ପୂର୍ବରୁ ତିନି ଦଳରେ ମାନସ ମନ୍ଥନ ସରିଲାଣି। ନୂଆ ସରକାରକୁ ଏହା ମଧ୍ୟରେ ୮ ମାସ ପୂରିଲାଣି। ବିଜେପି ସରକାର ପୂର୍ବରୁ ଦୁଇଟି ବିଧାନସଭା ଅଧିବେଶନ ସାମ୍ନା କରି ସାରିଛନ୍ତି।
Headlines 09- ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଭୁବନେଶ୍ବର ଓ ବାରିପଦାର ୨ଟି ପୃଥକ ସ୍ଥାନରେ ଘଟିଛି ଏହି ସଡ଼କ ଦୁର୍ଘଟଣା। ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ମୃତ୍ୟୁ ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି। ଭୁବନେଶ୍ୱର ଟଙ୍କପାଣି ସାଇମନ୍ଦିର ନିକଟରେ ଘଟିଥିହା ଦୁର୍ଘଟଣାରେ ବାଇକ୍ କୁ କାର୍ ଧକ୍କା ଦେବା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିନାହିଁ । ବାରିପଦାରେ ଅଟୋ ଓ ସ୍କର୍ପିଓ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି।
Headlines 10- ଦିନକୁ ଦିନ ରାଜ୍ୟରେ ବଢୁଛି ଥଣ୍ଡା, କମୁଛି ପାରଦ । ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୩୪.୪ଡିଗ୍ରି ରେକର୍ଡ କରାଯାଇଛି । ମାଲକାନଗିରିରେ ୩୪ଡିଗ୍ରି ରେକର୍ଡ ହୋଇଥିବା ବେଳେ ୩୨ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଛି। ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୮.୮ ଡିଗ୍ରି ରହିଥିବା ବେଳେ ପୂର୍ବରୁ ସବୁଠାରୁ କମ୍ ତାପମାତ୍ରା ରହୁଥିବା ଦାରିଙ୍ଗିବାଡ଼ିର ସର୍ବନିମ୍ନ ତାପମାତ୍ରା ୧୫.୫ ଡିଗ୍ରି ରେକର୍ଡ କରାଯାଇଛି। ଫୁଲବାଣୀରେ ୧୩ ଡିଗ୍ରି ରହିଛି। ସେପଟେ ଘନକୁହୁଡ଼ି ବି କଲବଲ କରୁଛି । ଆସନ୍ତା କାଲି ପର୍ଯ୍ୟନ୍ତ ୧୧ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।
Also Read- Trigrahi Yoga: ଫେବୃଆରୀ ୧୨ରୁ ୫ ରାଶି ପାଇଁ ସୁବର୍ଣ୍ଣ ସମୟ, ମିଳିବ ଧନ ଏବଂ ସଫଳତା