Debasnana Purnima 2023: ଜାଣନ୍ତୁ ସ୍ନାନ ବେଦୀରେ ୧୦୮ ଗରାରୁ କାହା ଉପରେ ଢଳା ଯାଇଥାଏ କେତେ ଗରା ସୁବାସିତ ଜଳ?
Advertisement
Article Detail0/zeeodisha/odisha1723833

Debasnana Purnima 2023: ଜାଣନ୍ତୁ ସ୍ନାନ ବେଦୀରେ ୧୦୮ ଗରାରୁ କାହା ଉପରେ ଢଳା ଯାଇଥାଏ କେତେ ଗରା ସୁବାସିତ ଜଳ?

Debasnana Purnima: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନ ଯାତ୍ରା । ଏହି ଦିନ ଶ୍ରୀମନ୍ଦିର ସ୍ନାନ ମଣ୍ତପରେ ଭାଇ ଭଉଣୀଙ୍କ ସହ ପାରମ୍ପରିକ ରୀତିନୀତିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିନ୍ତି ମହାବାହୁ । ପ୍ରଥମେ ସୁଦର୍ଶନ ତାପରେ ବଳଭ୍ରଦ ଓ ଦେବୀ ସୁଭଦ୍ରାଙ୍କ ପରେ ଶେଷରେ ସ୍ନାନ ମଣ୍ତପକୁ ବିଜେ କରିଥାଆନ୍ତି କାଳିଆ ଠାକୁର । 

ସୌ(ସୋସିଆଲ ମିଡିଆ)

Debasnana Purnima 2023: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନ ଯାତ୍ରା । ଏହି ଦିନ ଶ୍ରୀମନ୍ଦିର ସ୍ନାନ ମଣ୍ତପରେ ଭାଇ ଭଉଣୀଙ୍କ ସହ ପାରମ୍ପରିକ ରୀତିନୀତିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିନ୍ତି ମହାବାହୁ । ପ୍ରଥମେ ସୁଦର୍ଶନ ତାପରେ ବଳଭ୍ରଦ ଓ ଦେବୀ ସୁଭଦ୍ରାଙ୍କ ପରେ ଶେଷରେ ସ୍ନାନ ମଣ୍ତପକୁ ବିଜେ କରିଥାଆନ୍ତି କାଳିଆ ଠାକୁର । ଗୋଟିଏ ବର୍ଷରେ ଥରୁଟିଏ ଭାଇ ଭଉଣୀଙ୍କ ସହ ଜଳ ସ୍ନାନ କରିଥାଆନ୍ତି ଜଗତର ନାଥ ଜଗନ୍ନାଥ । ଅନ୍ୟ ଦିନରେ ମହାବାହୁଙ୍କୁ ମନ୍ତ୍ର ସ୍ନାନ କରାଯାଇଥାଏ । ସ୍ନାନ ପୂର୍ଣ୍ଣିମା ପୂର୍ବ ଦିନ ସାଧାରଣ ପୂର୍ବ ଦିନ ଶ୍ରୀମନ୍ଦିରରେ କବାଟ ଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ, ସକାଳ ଧୂପ ଓ ଦ୍ବିପ୍ରହର ଧୂପ ଆଦି ସମସ୍ତ ନୀତି ହୋଇଥାଏ । ଏହାପରେ ସମୟ ପାଇଁ ପହୁଡ଼ ଓ ପରେ ଦେବସ୍ନାନ ପୂର୍ଣ୍ଣିମା ବିଧି ବିଧାନ ଆରମ୍ଭ ହୋଇଥାଏ । ଏହି ଦିନ କୋଠ ସିଆଁସିଆ ମନ୍ଦିରରେ ପ୍ରବେଶ କରନ୍ତି ଓ ପହଣ୍ତି ପାଇଁ ଚାରମାଳ ବାନ୍ଧନ୍ତି । ପରେ ଶ୍ରୀଜିଉଙ୍କ ସେନାପଟା ଓ ବାହୁଟିନାଗି କରାଯାଏ । ଏହାପରେ ରତ୍ନ ସିଂହାସନ ଉପରେ ମଙ୍ଗଳର୍ପଣ କରାଯାଏ ।

କେମିତି ହୋଇଥାଏ ସ୍ନାନ ଯାତ୍ରାର ରୀତିନୀତି

ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତା ମାନେ ପହଣ୍ତି କରାଉଥିବା ବେଳେ ମଦନ ମୋହନଙ୍କୁ ମହାଜନ ସେବକ ମାନେ ବିଜେ କରାଇଥାଆନ୍ତି । ପହଣ୍ତି ବିଜେ ସମୟରେ ସାତ ପାହଚ ଉପରେ ପ୍ରଭୁଙ୍କ ଚୂଳ ଓ ଟାହିଆ ଲାଗି କରାଯାଏ । ଏହାପରେ ଦ୍ବିତୀୟ ମଙ୍ଗଳାର୍ପଣ ପରେ ବନ୍ଦାପନା ଶେଷରେ ରାଘବଦାସ ମଠରୁ ଆସିଥିବା ଘଷି ନାଗି କରାଯାଏ । ପନ୍ତି ଖାଇ ଠାକୁରମାନେ ସ୍ନାନ ବେଦୀକୁ ଯାଇ ଅବସ୍ଥାନ କରନ୍ତି । ଗରାବଡୁ ସୁବର୍ଣ୍ଣ କଳସ ଧରି ଶିତଳଦେବୀଙ୍କ ସମ୍ମୁଖସ୍ଥ ଓ ବର୍ଷ ତମାମ୍ ଅପବ୍ୟବହୃତ ହୋଇ ରହିଥିବା ସୂର୍ଣ୍ଣ କୂପରୁ ଜଳ ଆଣନ୍ତି । ଦେବସ୍ନାନ ପୂର୍ଣ୍ଣିମାର ଦିନକ ପୂର୍ବରୁ ମହାବାହୁଙ୍କ ଲାଗି ଶ୍ରୀମନ୍ଦିର ଦେବଯାମ ମାର୍ଗରୁ ଅବା ସୁନା କୂଅରୁ ୧୦୮ ଜଳ ସଂଗ୍ରହ କରାଯାଏ । କୂଅର ବ୍ୟବହାର ବର୍ଷସାରା ହୋଇନଥିବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ । ସ୍ନାନ ଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଉଥିବା ବେଳେ ସ୍ଥାନ କାଳରେ ତାନ୍ତ୍ରକ ବିଧିରେ ତେରଟି ପଦାର୍ଥ ମିଶ୍ରଣ କରାଯାଏ । ଯଜ୍ଞ ପରମ୍ପରାରେ ଏହି କୂଅକୁ “ପ୍ରଣୀତୀ କୂପ” କୁହାଯାଏ । ଏହି ଅଭିମନ୍ତ୍ରିତ ଜଳରେ ଅଷ୍ଟବନ୍ଧ, କୃଷ୍ଣ- ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରିତ କରାଯାଏ । ଏହି ମହୌଷଧି ମିଶ୍ରଣ ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବହ୍ମଙ୍କୁ ସ୍ନାନ କରାଯାଏ ।ଏହି ଜଳରୁ ୩୫ ଗରାରେ ଜଗନ୍ନାଥଙ୍କୁ, ୩୩ ଗରାରେ ବଳଭଦ୍ରଙ୍କୁ ଓ ୨୨ ଗରାରେ ଦେବୀ ସୁଭଦ୍ରାଙ୍କୁ ଓ ୧୮ ଗରାରେ ସୁଦର୍ଶନଙ୍କୁ ସୁବାସିତ ଜଳରେ ସ୍ନାନ କରାଯାଏ । ଏହାକୁ “ପ୍ରତ୍ୟେକ୍ଷ ଅବକାଶ” ବୋଲି କୁହନ୍ତି । ଏହି ଦିନ ପ୍ରଭୁଙ୍କ ଗଜାନନ ବେଶ କରାଯାଏ ।

ସେପଟେ ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରାଙ୍କୁ ଫୁଲଚୂଳ, ଚନ୍ଦ୍ରିକା ଓ ଛତ୍ରି ନାଗି କରାଯାଇ ବେଶ କରାଯାଏ । ଗୋପଳ ତୀର୍ଥ ମଠ ଦ୍ବାରା ପ୍ରଦତ୍ତ ଶ୍ରୀ ବଳଭଦ୍ରଙ୍କୁ ଗଜାନନ ବେଶ ଓ ସୁଦର୍ଶନଙ୍କୁ ଚକ୍ର ଲାଗି କରାଯାଏ । ଏହି ଦିନ ତିନି ଧୂପ ବଦଳରେ ଗୋଟିଏ ଧୂପ ଦିଆଯାଏ । ସମସ୍ତ ସ୍ନାନ ଉପଚାର ପରେ ସମସ୍ତ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟିଏ ପହଣ୍ତିରେ ଫେରିଥାଆନ୍ତି । ଭିତର କାଠ ପାଖ ଅଣସର ପିଣ୍ତିରେ ଠାକୁରମାନେ ବିଜେ କରିବା ପେର ତାଟି ବନ୍ଧାଯାଏ ଓ ପଟିମୂର୍ତ୍ତି ସ୍ଥାପନା କରାଯାଏ । ଏହାପରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ଯାତ୍ରାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଜ୍ବରରେ ପଡ଼ନ୍ତି । ଏହାକୁ “ଅଣସର” ବୋଲି କୁହାଯାଏ । ଏହି ସମୟରେ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରନ୍ତି ନାହିଁ । ଏହି ଅବଧିରେ ଶ୍ରଦ୍ଧାଳୁମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜା ପାଉଥିବା ଅଲାରନାଥଙ୍କୁ ଦର୍ଶନ  କରିଥାଆନ୍ତି ।