Republic Day 2025: ଆଜି ସାରା ଦେଶ ଉତ୍ସାହର ସହ ପାଳନ କରୁଛି ୭୬ ତମ ସାଧାରଣତନ୍ତ୍ର ଦିବସ। ସେଥିପାଇଁ ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ ଦେଖିବାକୁ ମିଳୁଛି। ଏନେଇ ଅଧିକାଂଶ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ହୋଇଛି। ବିଶେଷକରି, ଦେଶର ରାଜଧାନୀ ନୂଆଦିଲ୍ଲୀରେ ଯବାନଙ୍କ ଚମତ୍କାର ପରେଡରେ କମ୍ପିବ। ଏହାସହ ଭୁବନେଶ୍ଵରରେ ମଧ୍ୟ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ଆୟୋଜିତ ହେବ।
ଜାନୁଆରୀ ୨୬ର ଦିନଟି କାହିଁକି ଗୁରୁତ୍ୱପୂର୍ଣ୍ଣ?
୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନରୁ ଭାରତ ମୁକ୍ତ ହୋଇଥିଲା। ସ୍ୱାଧୀନତା ପାଇବାର ପ୍ରାୟ ଅଢେଇ ବର୍ଷ ପରେ ଭାରତ ନିଜ ସମ୍ବିଧାନ ପ୍ରଣୟନ କରିବାରେ ସକ୍ଷମ ହୋଇଥିଲା। ଏହାର ୨ ବର୍ଷ ୧୧ ମାସ ଏବଂ ୧୮ ଦିନ ପରେ ୧୯୫୦ ମସିହା ଜାନୁଆରୀ ୨୬ରେ ସଂସଦରେ ଭାରତୀୟ ସମ୍ବିଧାନ ପ୍ରଣୟନ ହୋଇଥିଲା। ଏହାପରେ ଭାରତ ନିଜକୁ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଘୋଷଣା କରିଥିଲା। ଏହି ଦିନକୁ ସମ୍ମାନ ଜଣାଇ ସାଧାରଣତନ୍ତ୍ର ଦିବସ ପାଳନ ହୋଇଆସୁଛି।
ସାଧାରଣତନ୍ତ୍ର ଦିବସରେ ଦେଶର ସମସ୍ତ ସ୍କୁଲ୍, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଏ। ଏହି ରାଷ୍ଟ୍ରୀୟ ପର୍ବ ଦିନ ଦିଲ୍ଲୀରେ ଆୟୋଜିତ ହୁଏ ସ୍ବତନ୍ତ୍ର ପ୍ୟାରେଡ୍ । ଏଥିରେ ସ୍ଥଳ,ବାୟୁ ଓ ନୌସେନାର ଯବାନମାନେ ଅଂଶଗ୍ରହଣ କରି ସେମାନଙ୍କ ଅଦମ୍ୟ ସାହସ ପ୍ରଦର୍ଶନ କରିଥାଆନ୍ତି । ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା କ୍ୟାଡେଟମାନଙ୍କଠାରୁ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରନ୍ତି । ବିଭିନ୍ନ ରାଜ୍ୟର କଳା ଓ ସଂସ୍କୃତିର ଝଲକ ଏହି ପ୍ୟାରେଡ୍ରେ ପ୍ରଦର୍ଶନ କରାଯାଏ ।