ମାତୃ ଦିବସରେ ମା'ର ମୃତଦେହକୁ ଗ୍ରାମବାସୀଙ୍କ ଅପମାନ, ଝିଅ ଅନ୍ୟ ଜାତିରେ ବିବାହ କଲା ବୋଲି..
Advertisement
Article Detail0/zeeodisha/odisha1177558

ମାତୃ ଦିବସରେ ମା'ର ମୃତଦେହକୁ ଗ୍ରାମବାସୀଙ୍କ ଅପମାନ, ଝିଅ ଅନ୍ୟ ଜାତିରେ ବିବାହ କଲା ବୋଲି..

ମୃତ ବୃଦ୍ଧାଙ୍କ ଝିଅ ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ଶନିବାର ରାତିରୁ ରବିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଘର ଭିତରେ ମାଆର ମୃତଦେହ ପଡିରହିଥିଲା। ଗ୍ରାମବାସୀମାନେ ବୃଦ୍ଧାଙ୍କ ଶବକୁ ନିଜେ ଛୁଇଁଲେ ନାହିଁ କି ଝିଅକୁ ଛୁଇଁବାକୁ ଦେଲେନାହିଁ। 

ଶନିବାର ରାତିରୁ ରବିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଘର ଭିତରେ ମାଆର ମୃତଦେହ ପଡିରହିଥିଲା

ବୌଦ୍ଧ: ମାତୃ ଦିବସରେ ମାଆର ମୃତଦେହକୁ ବି ମିଳିଲା ନାହିଁ। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରେ ମୃତଦେହ ପଡି ରହିଲା, କେହି ଛୁଇଁଲେନାହିଁ। ମୃତ ବୃଦ୍ଧାଙ୍କ ଝିଅ ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ଶନିବାର ରାତିରୁ ରବିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଘର ଭିତରେ ମାଆର ମୃତଦେହ ପଡିରହିଥିଲା। ଗ୍ରାମବାସୀମାନେ ବୃଦ୍ଧାଙ୍କ ଶବକୁ ନିଜେ ଛୁଇଁଲେ ନାହିଁ କି ଝିଅକୁ ଛୁଇଁବାକୁ ଦେଲେନାହିଁ। ମାତୃ ଦିବସରେ ଏପରି ଏକ ଅଭାବନୀୟ ଘଟଣା ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ବଲାସୀଙ୍ଗା ଗ୍ରାମରେ ଘଟିଛି। 

ସୂଚନା ଅନୁଯାୟୀ, ଗ୍ରାମର ସୁଲଭ ପ୍ରଧାନଙ୍କ ଝିଅ ଜମ୍ବୁ ପ୍ରଧାନ ଅନ୍ୟ ଏକ ଜାତି ପଳାଇ ଯାଇ ବିବାହ କରିଥିଲେ। ସେବେଠୁ ଗ୍ରାମବାସୀ ବାସନ୍ଦ ଯୋଗୁଁ ସେ ତାଙ୍କ ମାଆଙ୍କ ପାଖକୁ ଆସିପାରୁନଥିଲେ। ଶନିବାର ବିଳମ୍ବିତ ରାତିରେ ସୁଲଭଙ୍କ ମୃତ୍ୟୁ ହୋଇଥିଲା। କୌଣସି ସୂତ୍ରରୁ ଖବର ପାଇ ଝିଅ ଜମ୍ବୁ ପ୍ରଧାନ ମାଆର ଶବସତ୍କାର ପାଇଁ ଧାଇଁ ଆସିଥିଲେ। କିନ୍ତୁ ଗ୍ରାମବାସୀ ତାଙ୍କ ମାଆଙ୍କ ଶବକୁ ଛୁଇଁବା ପାଇଁ ବାରଣ କରିଥିଲେ। ଫଳରେ ଜମ୍ବୁ ଘଣ୍ଟା ଘଣ୍ଟା ଧରି ଘର ଏରୁଣ୍ଡିରେ ଜଗି ବସିରହିଥିଲେ।

Also Read: Mother's Day 2022: କାହିଁକି ମେ' ମାସର ଦ୍ୱିତୀୟ ରବିବାର ପାଳନ ହୁଏ ମାତୃ ଦିବସ?

ଗାଁ ଲୋକଙ୍କ କଟକଣା ଯୋଗୁଁ ଜନ୍ମ କଲା ମାଆର ଶବ ସତ୍କାର ପାଇଁ ଝିଅ ଜମ୍ବୁ ଅକ୍ଷମ ହୋଇପଡିଛନ୍ତି। ମାଆର ମମତା ଠାରୁ ଯେପରି ଜାତିଭେଦ ବହୁ ଗୁଣରେ ଅଧିକ ମୂଲ୍ୟବାନ। କଥାରେ ଅଛି 'ମାଆ ନାହିଁ ଯାହାର ରାହା ନାହିଁ ତାହାର'। ଝିଅର କେହି ନଥିବାରୁ ଏବଂ ଜାତିଭେଦ ପାଇଁ ଗ୍ରାମବାସୀ ମଧ୍ୟ ପାଖକୁ ଆସୁନଥିବାରୁ ଏବେ ଝିଅ ଅସହାୟ ହୋଇ ପଡ଼ିଛି। କୌଣସି ସେବା ସଂଗଠନ ତାଙ୍କୁ ସାହାଯ୍ୟ କଲେ ମାଆର ଶବ ସତ୍କାର ହୋଇପାରିବ ବୋଲି ଝିଅ ନିବେଦନ କରିଛନ୍ତି।

ସେପଟେ ଜମ୍ବୁ ପ୍ରଧାନଙ୍କ କଷ୍ଟ ଦେଖିନପାରି ବୁଟୁପାଲିସ୍ଥିତ ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ଶବସତ୍କାର ପାଇଁ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଯୋଗାଡ କରି ସୁଲଭ ପ୍ରଧାନଙ୍କ କୋକେଇକୁ କାନ୍ଧ ଦେବେ ବୋଲି ଅନୁଷ୍ଠାନର ସଦସ୍ୟମାନେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏବେ ବି ଜାତିଭାଇମାନେ ଜମ୍ବୁଙ୍କ ଉପରେ ନାରାଜ ଅଛନ୍ତି। କୌଣସି ଗ୍ରାମବାସୀ ମଶାଣୀକୁ ଯିବେନାହିଁ ବୋଲି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।