Trending Photos
Goldy Brar:
ଭାରତ ସରକାର ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସହଯୋଗୀ ଗୋଲ୍ଡି ବ୍ରାର କାନାଡାରେ ରହି ନିଜର ଗ୍ୟାଙ୍ଗ ଚଳାଉଛି। ସେ ପ୍ରଖ୍ୟାତ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି। ସରକାର ତା ବିରୋଧରେ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ ଅର୍ଥାତ୍ ୟୁଏପିଏ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୨୦୨୧ରେ ସେ ଭାରତରୁ କାନାଡା ପଳାୟନ କରିବା ପରେ କେତେବେଳେ ଆମେରିକାରେ ତ କେତେବେଳେ କାନାଡାରେ ରହି ଅପରାଧିକ ଓ ଆତଙ୍କବାଦୀ କାର୍ଯ୍ୟକଳାପରେ ଗୋଲ୍ଡି ଲିପ୍ତ ରହିଛି। ସେ ମଧ୍ୟ ସତବିନ୍ଦର ସିଂ ନାମରେ ପରିଚିତ ।
ଏବେ ପ୍ରଶ୍ନ ଉଠୁଛି ଏହି ଆଇନ କ'ଣ ଏବଂ ପୂରା ପ୍ରକ୍ରିୟା କ'ଣ, ଯାହା ଅଧୀନରେ ସରକାର କାହାକୁ ଆତଙ୍କବାଦୀ ଘୋଷଣା କରିପାରିବେ? ଆସନ୍ତୁ ଜାଣିବା।
ଆଇନରେ ସଂଶୋଧନ କରାଯାଇଛି
ଏହା କାହାକୁ ଅଛପା ନୁହେଁ ଯେ, ଭାରତ ଆତଙ୍କବାଦ ଦ୍ୱାରା ପ୍ରଭାବିତ ଦେଶଙ୍କ ମଧ୍ୟରୁ ଗୋଟିଏ। ଏହାକୁ ଦୃଷ୍ଟିରେ ରଖି ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ, ୧୯୬୭ ପ୍ରଣୟନ କରାଯାଇଥିଲା। ଏଥିରେ ଆତଙ୍କବାଦ ବିରୋଧରେ ଅନେକ ଆଇନଗତ ବ୍ୟବସ୍ଥା କରାଯାଇଥିଲା, ଯାହା ମାଧ୍ୟମରେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଚିହ୍ନଟ କରାଯାଇ ସେମାନଙ୍କ କାର୍ଯ୍ୟକଳାପକୁ ବ୍ୟାପକ ଭାବେ ବନ୍ଦ କରାଯାଇ ପାରିବ। ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୁରକ୍ଷା ଏଜେନ୍ସିଙ୍କୁ ଅଧିକ ଅଧିକାର ପ୍ରଦାନ। ତଥାପି ପରବର୍ତ୍ତୀ କାଳରେ ଏହି ଆଇନକୁ ଅଧିକ କଠୋର କରିବାର ଆବଶ୍ୟକତା ଅନୁଭବ କରାଯାଇଥିଲା। କାରଣ କିଛି ଅପରାଧୀ ଆତଙ୍କବାଦୀଙ୍କ ସହିତ ସଂପର୍କ ରଖୁଥିଲେ ମଧ୍ୟ ସେମାନଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇ ହେଉନଥିଲା। ଏଥିପାଇଁ ୨୦୧୯ ମସିହାରେ ଏହି ଆଇନରେ ଅନେକ ସଂଶୋଧନ କରାଯାଇଥିଲା। ଏହି ସଂଶୋଧନ ଜରିଆରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଯେ କୌଣସି ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇ ତୁରନ୍ତ ତଦନ୍ତ କରାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।
ଅପରାଧୀଙ୍କୁ ଆତଙ୍କବାଦୀ ଘୋଷଣାର ପ୍ରକ୍ରିୟା
ପୂର୍ବରୁ ୟୁଏପିଏରେ କୌଣସି ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା କରିବାର ବ୍ୟବସ୍ଥା ନଥିଲା। ଏଭଳି ସ୍ଥିତିରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଷ୍ଟକର ହୋଇପଡ଼ିଥିଲା। ସେମାନଙ୍କୁ ରୋକିବା ପାଇଁ ଅନ୍ୟ କୌଣସି ଆଇନ ନଥିଲା। ଆଇନରେ ଏକ ସଂଗଠନକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବାର ବ୍ୟବସ୍ଥା ଥିଲା। କିନ୍ତୁ ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା କରିବାର କୌଣସି ବ୍ୟବସ୍ଥା ନଥିଲା। ଫଳରେ ଯେତେବେଳେ ୟୁଏପିଏ ଅଧୀନରେ କୌଣସି ଆତଙ୍କବାଦୀ ସଂଗଠନକୁ ନିଷିଦ୍ଧ କରାଗଲା, ସେତେବେଳେ ଏହାର ସଦସ୍ୟମାନେ ଏକ ନୂତନ ନାମରେ ଅନ୍ୟ ଏକ ସଂଗଠନ ଆରମ୍ଭ କରି ନିଜ କାର୍ଯ୍ୟକଳାପ ଜାରି ରଖୁଥିଲେ।
ଯଦି କୌଣସି ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା କରାଯାଏ ତେବେ ତାଙ୍କ ବିରୋଧରେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ। ତେଣୁ ଏହି ଆଇନରେ ସଂଶୋଧନ ପରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଦେଶର ଅଖଣ୍ଡତା, ଏକତା, ନିରାପତ୍ତା କିମ୍ବା ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା ଭଳି କାର୍ଯ୍ୟକଳାରେ ଜଡିତା ବ୍ୟକ୍ତିଙ୍କୁ ଆତଙ୍କବାଦୀ ଭାବେ ଘୋଷଣା କରାଯାଇପାରିବ।
କେନ୍ଦ୍ର ସରକାରଙ୍କ ଅଧିକାର ରହିଛି
ୟୁଏପିଏରେ ସଂଶୋଧନ ପରେ କେନ୍ଦ୍ର ସରକାର ଯିଏ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଥିବା କୌଣସି ବ୍ୟକ୍ତି କିମ୍ବା ସଂଗଠନକୁ ଆତଙ୍କବାଦୀ ଘୋଷଣା କରିବାର ଅଧିକାର ପାଇଥିଲେ। ଏଥିପାଇଁ ସରକାର ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ସମସ୍ତ ପ୍ରମାଣ ସଂଗ୍ରହ କରିଥାନ୍ତି। ଉକ୍ତ ବ୍ୟକ୍ତି ଆତଙ୍କବାଦରେ ସମ୍ପୃକ୍ତ ଥିବା ନିଶ୍ଚିତ ହେବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୟୁଏପିଏ ଅଧୀନରେ ଦିଆଯାଇଥିବା କ୍ଷମତା ମାଧ୍ୟମରେ ଗେଜେଟ୍ ବିଜ୍ଞପ୍ତି ଜାରି କରିଥାଏ। ଏହାପରେ କୌଣସି ବ୍ୟକ୍ତି ବା ସଂଗଠନକୁ ଆତଙ୍କବାଦୀ ଘୋଷଣା କରାଯାଏ।
ଏହି ଗେଜେଟ୍ ବିଜ୍ଞପ୍ତିରେ ସେହି ସବୁ ଅଭିଯୋଗ ରହିଥାଏ, ଯାହା ଆଧାରରେ ସରକାର ଜଣେ ବ୍ୟକ୍ତିକୁ ଆତଙ୍କବାଦୀ ବୋଲି ନିଷ୍ପତ୍ତି ନେଇଥାନ୍ତି। ଏହି ଆଇନ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ଶେଷ କରିବା ପରେ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରକୁ ଆତଙ୍କବାଦୀ ଘୋଷଣା କରାଯାଇଛି। ପୂର୍ବରୁ କେନ୍ଦ୍ର ସରକାର ଏହି ଆଇନ ଅନୁଯାୟୀ ଜମ୍ମୁ-କଶ୍ମୀରର ବିଚ୍ଛିନ୍ନତାବାଦୀ ସଂଗଠନ ତେହରିକ-ଏ-ହୁରିୟତକୁ ନିଷିଦ୍ଧ କରିବା ସହ ଏହାକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିଥିଲେ।
ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ, ୧୯୬୭ ଅନୁଯାୟୀ ଗୃହ ମନ୍ତ୍ରଣାଳୟ ଗ୍ୟାଙ୍ଗଷ୍ଟର ସତବିନ୍ଦର ସିଂହ ଓରଫ ସତିନ୍ଦରଜିତ୍ ସିଂହ ଓରଫ ଗୋଲ୍ଡି ବ୍ରାରକୁ ଆତଙ୍କବାଦୀ ଘୋଷଣା କରିଛି।
ଗୋଲ୍ଡି ବ୍ରାର ବିଷୟରେ ସରକାର କ'ଣ କହିଲେ?
ୟୁଏପିଏର ଚତୁର୍ଥ ଅନୁସୂଚୀର ଆତଙ୍କବାଦୀ ତାଲିକାରେ ସରକାର ଗୋଲ୍ଡି ବ୍ରାରକୁ ସାମିଲ କରିଛନ୍ତି। ଏକ ଗେଜେଟ୍ ବିଜ୍ଞପ୍ତିରେ ସରକାର କହିଛନ୍ତି ଯେ ଗୋଲ୍ଡିକୁ ସୀମାପାର ଗୋଇନ୍ଦା ଏଜେନ୍ସି ସମର୍ଥନ କରୁଛି ଏବଂ ସେ ଅନେକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛି। ଗୋଲ୍ଡି ଭାରତର ଅନେକ ରାଜନେତାଙ୍କୁ ଧମକପୂର୍ଣ୍ଣ ଫୋନ୍ କରିବା କଥା ମଧ୍ୟ ଏଥିରେ ଉଲ୍ଲେଖ ଅଛି। ଧମକ ଦେଇ ଟଙ୍କା ମାଗିବା ସହିତ ସେ ସୀମାପାରରୁ ଡ୍ରୋନ୍ ଜରିଆରେ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଓ ବିସ୍ଫୋରକ ଚୋରା ଚାଲାଣ ରେ ସମ୍ପୃକ୍ତ ଥିଲା। ହତ୍ୟା କାଣ୍ଡ ପାଇଁ ସେ ଶାର୍ପ ସୁଟର ମଧ୍ୟ ଯୋଗାଉଛି। । ପଞ୍ଜାବରେ ଆତଙ୍କର ବାତାବରଣ ସୃଷ୍ଟି କରିବାକୁ ଗୋଲ୍ଡି ଓ ତାଙ୍କ ସହଯୋଗୀମାନେ ଲୋକଙ୍କୁ ଟାର୍ଗେଟ କରି ହତ୍ୟା କରୁଛନ୍ତି।
ଘୋଷିତ ଆତଙ୍କବାଦୀର ମଧ୍ୟ ଅଧିକାର ରହିଛି
ଯଦି କୌଣସି ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା କରାଯାଏ ତେବେ ସେ ଏହା ବିରୋଧରେ ଆବେଦନ କରିପାରିବେ। ଏଭଳି ବ୍ୟକ୍ତିଙ୍କୁ ଗୃହ ସଚିବଙ୍କ ନିକଟରେ ଆବେଦନ କରିବାକୁ ପଡ଼ିବ। ଗୃହ ସଚିବଙ୍କୁ ୪୫ ଦିନ ମଧ୍ୟରେ ଏହି ଆବେଦନ ଉପରେ ନିଷ୍ପତ୍ତି ନେବାକୁ ପଡ଼ିବ। ଖାଲି ସେତିକି ନୁହେଁ ୟୁଏପିଏ ଅଧୀନରେ ପୁନର୍ବିଚାର ପାଇଁ ସରକାର ଏକ କମିଟି ମଧ୍ୟ ଗଠନ କରିବେ। ଏହାର ନେତୃତ୍ୱ ନେବେ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତି କିମ୍ବା ଅବସରପ୍ରାପ୍ତ ବିଚାରପତି। ଏହି ରାୟ ବିରୋଧରେ କୌଣସି ଆତଙ୍କବାଦୀ କିମ୍ବା ସଂଗଠନ କମିଟି ନିକଟରେ ଆବେଦନ କରିପାରିବେ।