Hottest Year:(ଭୁବନେଶ୍ୱର) : ଚଳିତ ବର୍ଷ ବିଶ୍ୱରେ ସବୁଠାରୁ ଉତ୍ତପ୍ତ ବର୍ଷ ଭାବେ ପରିଗଣିତ ହେବ। ଏପରିକି ପ୍ରାକ୍ ଶିଳ୍ପ ବିପଳ୍ବ ସମୟ ଠାରୁ ଆଜି ଯାଏ ଏହା ସବୁଠାରୁ ଉତ୍ତପ୍ତ ରହିବ ବୋଲି ପୂର୍ବ ଆକଳନ କରିଛନ୍ତି ୟୁରୋପର ଏକ ଜଳବାୟୁ ଅନୁଧ୍ୟାନ ସଂସ୍ଥା ‘କୋପରନିକସ’। ଆସନ୍ତା ୧୧ରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ ଜଳ ବାୟୁ ସମ୍ମିଳନୀ ପାଇଁ ଏହା ସଦସ୍ୟ ସେଶମାନଙ୍କ ପାଇଁ ଏକ ଆହ୍ୱାନ ହେବ ବୋଲି ଆଲୋଚନା ହେଉଛି।
‘କୋପରନିକସ୍’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଏବର୍ଷ ତାପମାତ୍ରା ୧.୫ ଡିଗ୍ରୀ ଉପରକୁ ଚଢ଼ିବ। ଏହା ଉକ ଉଦ୍ବେଗଜନକ ବିଷୟ ବୋଲି କହିଛନ୍ତି କୋପରନିକସ ନିର୍ଦ୍ଦେଶକ କାର୍ଲୋ ବୋଟେମ୍ପୋ। ଖାଲି ସେତିକି ନୁହେଁ ଏ ବର୍ଦ୍ଧିତ ତାପମାତ୍ରା ଆସନ୍ତା ଦଶନ୍ଧି ଧରି ଜାରି ରହିବ। ବିନା ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନରେ ଏପରି ନିରନ୍ତର ବୃଦ୍ଧି ପରିଲକ୍ଷିତ ହୋଇ ନଥାଆନ୍ତା ବୋଲି କହିଛନ୍ତି ଶ୍ରୀ ବୋଟେମ୍ପୋ।
ଗ୍ରୀନ୍ ହାଉସ୍ ଗ୍ୟାସ ନିର୍ଗମନ ସହ ଲାନିନୋର ପ୍ରଭାବ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରେ ଭୂଚଳନ ଏହାର କାରଣ ବୋଲି ଚିହ୍ନଟ କରାଯାଇଛି। ଲାନିନୋ ପ୍ରଭାବରେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଜଳବାୟୁର ପରିବର୍ତ୍ତନ ହୋଇଛି। ଏହାର ପ୍ରଭାବ ବିଶ୍ୱ ଉପରେ ପଡ଼ିଥିବା ସେ କହିଛନ୍ତି। ଦୀର୍ଘ ସମୟ ଧରି ଏପରି ପରିବର୍ତ୍ତନ ଲାଗି ରହିବାକୁ ଏକ ଖରାପ ସଙ୍କେତ ବୋଲି ଗ୍ରହଣ କରିଛନ୍ତି ପାଣିପାଗ ବିଜ୍ଞାନୀ।
ଆସନ୍ତା ୧୧ରୁ ୨୨ ତାରିଖ ଯାଏ ଆଜାରବାଇଜାନ୍ଠାରେ ବିଶ୍ୱର ୨୯ଟି ଦେଶ ‘କପ୍-୨୯’ ସମ୍ମିଳନୀରେ ଯୋଗ ଦେବେ। ଗତଥର ଏହି ପରି ଜଳବାୟୁ ପରିବର୍ତ୍ତନ ସମାବେଶରେ ବିଶ୍ବର ତାପମାତ୍ରା ବୃଦ୍ଧିକୁ ଆସନ୍ତା ଦଶନ୍ଧିରେ ୧.୫ ଡିଗ୍ରୀରେ ସୀମିତ ରଖିବାକୁ ଶପଥ ନେଇଥିଲେ। ଏହାକୁ କେନ୍ଦ୍ର କରି ବିଭିନ୍ନ ଦେଶ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମକୁ ଆପଣାଇଥିଲା। ଆଙ୍ଗାରକ ନିର୍ଗମନକୁ ହ୍ରାସ କରିବା ପାଇଁ ଭାରତ ମଧ୍ୟ ଅନେକ ପଦକ୍ଷେପ ନେଇଥିଲା। ଅଣ ଜୀବାସ୍ମ ଇନ୍ଧନକୁ ଗୁରୁତ୍ୱ ଦେବା ଲାଗି ଲିଥିୟମ ଆୟନ ବ୍ୟାଟେରୀ ବ୍ୟବହାର, ସୌର ଶକ୍ତର ବ୍ୟାପକ ବ୍ୟବହାରକୁ ଭାରତ ପ୍ରୋତ୍ସାହନ ଦେଇଛି। ୨୦୩୦ ମସିହା ଭିତରେ ଥିବା ନିର୍ଦ୍ଧାରିତ ଲକ୍ଷ୍ୟକୁ ମଧ୍ୟ ଭାରତ ହାସଲ କରି ସାରିଛି।
ହେଲେ ଆମେରିକା ଭଳି ରାଷ୍ଟ୍ର ଜଳବାୟୁ ପରିବର୍ତ୍ତନକୁ ଏକ ଆହ୍ୱାନ ଭଗାବେ ଗ୍ରହଣ କରିନାହାନ୍ତି। ତତ୍କାଳୀନ ରାଷ୍ଟ୍ରପତି ତଥା ଏବେ ରାଷ୍ଟ୍ରପତି ଭାବେ ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହାକୁ ଗ୍ରହଣ କରି ନାହାନ୍ତି। ଏପରିକି ନିର୍ବାଚନ ସମୟରେ ଆମେରିକାରେ ତୈଳ ଉତ୍ତଳନ ପାଇଁ ପୁଣିଥରେ ପ୍ରତିଶୃତି ଦେଇଛନ୍ତି ଟ୍ରମ୍ପ। ଏଣୁ ଏଭଳି ଏକ ପରିସ୍ଥିତିରେ ବିଶ୍ୱର ତାପମାତ୍ରା ବୃଦ୍ଧି ନେଇ ଏହି ଉଦ୍ବେଗଜନକ ତଥ୍ୟ କୋପ-୨୯ ବୈଠକରେ କି ପ୍ରଭାବ ପକାଇବ ତାହାକୁ ଅପେକ୍ଷା।