Nagaland Election Result 2023: ପୁନର୍ବାର ସରକାର ଗଢିବ ବିଜେପି-ଏନଡିପିପି ମେଣ୍ଟ, ଆସିଲା ଚମକାଇବା ଭଳି ଫଳାଫଳ
Advertisement
Article Detail0/zeeodisha/odisha1593931

Nagaland Election Result 2023: ପୁନର୍ବାର ସରକାର ଗଢିବ ବିଜେପି-ଏନଡିପିପି ମେଣ୍ଟ, ଆସିଲା ଚମକାଇବା ଭଳି ଫଳାଫଳ

Nagaland Assembly Election 2023: ଘୋଷଣା ହୋଇଛି ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ୨୦୨୩। ଏଥର ରାଜ୍ୟରେ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ବିଜେପି-ଏନଡିପିପି ମେଣ୍ଟ ସରକାର ଗଠନ କରିବାକୁ ଯାଉଛନ୍ତି।

Nagaland Election Result 2023: ପୁନର୍ବାର ସରକାର ଗଢିବ ବିଜେପି-ଏନଡିପିପି ମେଣ୍ଟ, ଆସିଲା ଚମକାଇବା ଭଳି ଫଳାଫଳ

Nagaland Assembly Election Result 2023: ପ୍ରକାଶ ପାଇଛି ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ୨୦୨୩। ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟରେ ବିଜେପି-ଏନଡିପିପି ମେଣ୍ଟ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରୁଥିବା ଜଣାପଡ଼ିଛି। ଅନ୍ୟପଟେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନରେ ଚମକାଇବା ଭଳି ଫଳାଫଳ ଆସିଛି। ଏହି ନିର୍ବାଚନରେ ବିଜେପି ୧୨ ଏବଂ ଏହାର ମେଣ୍ଟ ସହଯୋଗୀ ଏନଡିପିପି ୨୫ ଆସନ ଦଖଲ କରିଛନ୍ତି। 

ମୋଟ ୬୦ ବିଧାନସଭା ଆସନ ବିଶିଷ୍ଟ ନାଗାଲ୍ୟାଣ୍ଡରେ ୫୯ ଆସନ ପାଇଁ ଅନୁଷ୍ଠିତ ହୋଇଥିଲା ଭୋଟଗଣତି। କାରଣ ରାଜ୍ୟର ଅକୁଲୁଟୋ ଆସନରୁ ବିଜେପି ପ୍ରାର୍ଥୀ କାଜେଟୋ କିନିମି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ଜଣେ ମହିଳା ବିଧାୟକ ନାଗାଲ୍ୟାଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୨୩ ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନରେ ଦିମାପୁର-୩ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ବିଜେପି ମେଣ୍ଟ ସହଯୋଗୀ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ହେକାନି ଜଖାଲୁ। ଏହି ନିର୍ବାଚନରେ ଏନଡପିପି ପ୍ରାର୍ଥୀ ହେକାନି ଜଖାଲୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ପ୍ରାର୍ଥୀ ଅଜେତୋ ଜିମୋମିଙ୍କୁ ୧୫୩୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।

୨୦୨୩ ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନରେ ବିଜେପି-ଏନଡିପିପି ମଧ୍ୟରେ ମେଣ୍ଟ ହୋଇଥିଲା। ବିଜେପି ୨୦ ଏବଂ ଏନଡିପିପି ୪୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ନିର୍ବାଚନରେ ଉଭୟ ଦଳ ଯଥାକ୍ରମେ ୧୨ ଏବଂ ୨୫ ଆସନ ପାଇଛନ୍ତି। ମୋଟ ୬୦ ବିଧାନସଭା ଆସନ ବିଶିଷ୍ଟ ନାଗାଲ୍ୟାଣ୍ଡରେ ସରକାର ଗଠନ କରିବା ଲାଗି କୌଣସି ଦଳକୁ ୩୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ହେଲେ ସରକାର ଗଢିବା ଲାଗି ବିଜେପି-ଏନଡିପିପି ମେଣ୍ଟ ଆବଶ୍ୟକୀୟ ସଂଖ୍ୟା ଗରିଷ୍ଠତା ହାସଲ କରିନେଇଛନ୍ତି। 

ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନ ୨୦୨୩: କେଉଁ ଦଳକୁ ମିଳିଲା କେତେ ଆସନ?

  • ବିଜେପି: ୧୨ 
  • ଜେଡିୟୁ: ୧ 
  • ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ): ୨ 
  • ନାଗା ପିପୁଲ୍ସ ଫ୍ରଣ୍ଟ: ୨ 
  • ନେସନାଲ ପିପୁଲ୍ସ ପାର୍ଟି: ୫ 
  • ଏନସିପି: ୭ ଆସନ
  • ନେସନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି: ୨୫
  • ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ (ଅଠାୱଲେ): ୨ 
  • ସ୍ୱାଧୀନ: ୪

ଏହି ନିର୍ବାଚନରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ନାଗାଲ୍ୟାଣ୍ଡ ରାଜନୀତିରେ ସେତେ ମାତ୍ରାରେ ସକ୍ରିୟ ରହିନଥିବା ଦଳ ମଧ୍ୟ ବିଜୟୀ ହୋଇଛନ୍ତି। ୨୦୨୩ ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନରେ ବିହାର ଏବଂ ମହରାଷ୍ଟ୍ର  ଆଦି ରାଜ୍ୟରେ ସକ୍ରିୟ ରହିଥିବା ରାଜନୈତିକ ଦଳ ସେମାନଙ୍କ ଖାତା ଖୋଲିଛନ୍ତି। ହେଲେ କଂଗ୍ରେସ ଲାଗି ଏଥରର ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନ ଝଟକା ସଦୃଶ୍ୟ ହୋଇଛି। ଦଳ ଖାତା ଖୋଲିବାରେ ସକ୍ଷମ ହୋଇନାହିଁ।

ନାଗାଲ୍ୟାଣ୍ଡର ୨୩ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା କଂଗ୍ରେସ ଏଥର ଖାତା ଖୋଲି ପାରିନାହିଁ।  ସେହିପରି ୨୨ ଆସନରେ ନିର୍ବାଚନ ଲଢିଥିବା ନାଗା ପିପୁଲ୍ସ ଫ୍ରଣ୍ଟ ୨ ସିଟ୍ ପାଇଛି। ଏହି ଦଳ ପୂର୍ବରୁ ରାଜ୍ୟରେ ସରକାର ଗଠନ କରିସାରିଛି। ସେହିପରି ୧୨ ଆସନରେ ନିର୍ବାଚନ ଲଢିଥିବା ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ ନ୍ୟାସନାଲ ପିପୁଲ୍ସ ପାର୍ଟି ୫ ସିଟ୍ ପାଇଛି। ୨୦୨୩ ମେଘାଳୟ ବିଧାନସଭା ନିର୍ବାଚନରେ ନ୍ୟାସନାଲ ପିପୁଲ୍ସ ପାର୍ଟି, ବିଜେପି ସହ ମେଣ୍ଟ ସରକାର ଗଠନ କରିବାକୁ ଯାଉଛି।

୧୫ ଆସନରେ ନିର୍ବାଚନ ଲଢିଥିବା ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ୨ ଆସନ ପାଇଛି। ସେହିପରି ୭ ଆସନରେ ନିର୍ବାଚନ ଲଢିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁ ଗୋଟିଏ ଆସନ ପାଇଛି। ଅନ୍ୟପଟେ ୩ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ଖାତା ଖୋଲିପାରିନାହିଁ। ଏହି ୩ ଦଳ ମୂଳତଃ ବିହାର ରାଜନୀତିରେ ସକ୍ରିୟ ଅଛନ୍ତି।

ସେହିପରି ୧୨ ଆସନରେ ନିର୍ବାଚନ ଲଢିଥିବା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶରଦ ପାୱାରଙ୍କ ଏନସିପି ୭ ଆସନ ପାଇଛି। କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେଙ୍କ ନେତୃତ୍ୱାଧୀନ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ ୯ ଆସନରେ ନିର୍ବାଚନ ଲଢି ୨ ସିଟ୍ ପାଇଛି। ଏହି ୨ ଦଳ ମୂଳତଃ ମହାରାଷ୍ଟ୍ର ରାଜନୀତିରେ ସକ୍ରିୟ ଅଛନ୍ତି।