Trending Photos
ଭୁବନେଶ୍ୱର: ବିଏମସି କଲା ଅମ୍ପାନ୍ ପ୍ରସ୍ତୁତି ବୈଠକ । ଆଜି ଅପରାହ୍ନରେ ଭୁବନେଶ୍ୱର ମହାନଗର ନିଗମରେ ଏକ ଜରୁରୀକାଳୀନ ବୈଠକ ହୋଇଛି । ଏହି ବୈଠକରେ ସମ୍ଭାବ୍ୟ ବାତ୍ୟା ନେଇ ଆଲୋଚନା ହୋଇଛି । ଭୁବନେଶ୍ୱରେ ସମୁଦାୟ ୩୭ଟି ସମ୍ବେଦନଶୀଳ ଜଳମଗ୍ନ ଅଂଚଳ ହୋଇଥିବା ବେଳେ ଏଥିପାଇଁ ବିଏମସି ଟିମ୍ ପ୍ରସ୍ତୁତ ରହିଛି ।
ବିଏମସି ତରଫରୁ ୨୦ଟି ପମ୍ପ୍ ମହଜୁଦ ରହିଥିବା ବେଳେ ଆଉ ୨୭ଟି ଉଚ୍ଚଶକ୍ତି ସମ୍ପନ୍ନ ପମ୍ପ୍ ଅଗ୍ନିଶମ ବିଭାଗ ପାଖରେ ମହଜୁଦ ଅଛି ବୋଲି ସୂଚନା ଦିଆଯାଇଅଛି । ପ୍ରସ୍ତୁତି ପର୍ଯ୍ୟାୟରେ ୬ଟି ଟିମ୍ ଦେଖାଶୁଣା କରିବା ଦାୟିତ୍ୱରେ ରହିଥିବା ବେଳେ ପ୍ରତି ଜୋନରେ ଜେସିପି, ଟିପ୍ପର୍, ଟ୍ରାକ୍ଟର୍ ଇତ୍ୟାଦି ମହଜୁଦ ରହିଛି । ପାନୀୟ ଜଳଯୋଗାଣ ଏବଂ ବିଦ୍ୟୁତ୍ ଜନିତ ଅସୁବିଧାରୁ ଲୋକେ ହଇରାଣ ନହେବା ପାଇଁ ଆବଶ୍ୟକ ସ୍ଥଳେ ଜେନେରେଟର୍ ଓ କର୍ମଚାରୀଙ୍କ ଉପସ୍ଥିତିକୁ ଗୁରୁତ୍ବ ଦିଆଯାଇଛି ।
ବସ୍ତି ଅଂଚଳକୁ ବିଶେଷ ଧ୍ୟାନ ଦିଆଯିବ । ଯେଉଁ ଅଂଚଳ ଅଧିକ ସମ୍ବେଦନଶୀଳ, ଆବଶ୍ୟକ ହେଲେ ସେଠାରୁ ଲୋକଙ୍କୁ ଆଣି ନିରାପଦ ସ୍ଥାନକୁ ନେବା ଏବଂ ଡ଼୍ରେନ୍ ପାଶ୍ୱବର୍ତ୍ତୀ ଅଂଚଳଗୁଡ଼ିକୁ ଧ୍ୟାନ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ଭୁବନେଶ୍ୱରର ତିନି ବିଧାୟକଙ୍କ ସହ ବିଏସମସି କମିଶନର ଓ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ ।