ନବୀନ ସରକାରଙ୍କୁ ‘ଜୁମ୍‍ଲାବାଜୀ’ ସରକାର କହିଲେ ମୋହନ; କ’ଣ ଥିଲା ନବୀନଙ୍କ ଜୁମ୍‍ଲା!
Advertisement
Article Detail0/zeeodisha/odisha2360793

ନବୀନ ସରକାରଙ୍କୁ ‘ଜୁମ୍‍ଲାବାଜୀ’ ସରକାର କହିଲେ ମୋହନ; କ’ଣ ଥିଲା ନବୀନଙ୍କ ଜୁମ୍‍ଲା!

Odisha Politics: ବିଧାନସଭାରେ ବଜେଟ୍‍ ଆଲୋଚନାର ଉତ୍ତର ରଖିବା ବେଳେ ପୂର୍ବ ସରକାରଙ୍କ କାର୍ଯ୍ୟ କିପରି ପ୍ରହେଳିକା ସୃଷ୍ଟି କରିଥିଲା ତାହାର ଗୋଟିଏ ଗୋଟିଏ ଉଦାହରଣ ରଖିଥିଲେ ମୋହନ।

ନବୀନ ସରକାରଙ୍କୁ ‘ଜୁମ୍‍ଲାବାଜୀ’ ସରକାର କହିଲେ ମୋହନ; କ’ଣ ଥିଲା ନବୀନଙ୍କ ଜୁମ୍‍ଲା!

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ  ପ୍ରଥମ ବଜେଟ୍‍କୁ ‘ନେମ ଚେଞ୍ଜିଂ’ ବଜେଟ ବୋଲି କହି ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିବା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ପାଲଟା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ବିଧାନସଭାରେ ବଜେଟ୍‍ ଆଲୋଚନାର ଉତ୍ତର ରଖିବା ବେଳେ ପୂର୍ବ ସରକାରଙ୍କ କାର୍ଯ୍ୟ କିପରି ପ୍ରହେଳିକା ସୃଷ୍ଟି କରିଥିଲା ତାହାର ଗୋଟିଏ ଗୋଟିଏ ଉଦାହରଣ ରଖିଥିଲେ ମୋହନ। ସେ କହିଛନ୍ତି ଭୋଟ୍‍କୁ ଆଖିରେ ରଖି ଜନସାଧାରଣଙ୍କୁ ମିଛ ପ୍ରହେଳିକା ଦେଖାଉଥିଲେ। ଇଂରେଜୀ ନାଁ ଦେଇ ଓଡ଼ିଆଙ୍କ ଅସ୍ମିତାକୁ ମାରୁଥିଲେ। ଏହା ସହ ନବୀନ ସରକାରଙ୍କ ପ୍ରମୁଖ ପ୍ରହେଳିକା ବା ‘ଜୁମଲା’କୁ ମଧ୍ୟ ସାମ୍ନାକୁ ଆଣିଥିଲେ। ନଜର ପକାନ୍ତୁ ଏହି ୮ ବିନ୍ଦୁ ଉପରେ:  

1. ମୋହନ କହିଛନ୍ତି ବିଗତ ସରକାର ଅନେକ ଯୋଜନା ଓ ପ୍ରକଳ୍ପ ପାଇଁ କୌଣସି ଅର୍ଥ ବରାଦ ନ କରି ଯୋଜନାକୁ କେବଳ ଘୋଷଣାରେ ସୀମିତ ରଖିଥିଲେ। ସବୁ ପ୍ରକଳ୍ପକୁ ବିଶ୍ବସ୍ତରୀୟ କରିବେ ବୋଲି କହି ଓଡ଼ିଶାବାସୀଙ୍କୁ ‘ଜୁମଲା’ ଦେଖାଇ ଚାଲିଥିଲେ। ବିଶ୍ବସ୍ତରୀୟ ନୂଆ ବାରବାଟୀ ଷ୍ଟାଡିଅମ ନିର୍ମାଣ ପାଇଁ ଘୋଷଣା କରିଥିଲେ। ଏହା ଜୁମଲାର ଏକ ବିରାଟ ନିଦର୍ଶନ । 

2. ମୋଦୀଜୀଙ୍କ ସରକାର ଗରିବ କଲ୍ୟାଣ ଯୋଜନାରେ ଲୋକଙ୍କୁ ମାଗଣା ଚାଉଳ ଯୋଗାଇ ଦେଉଥିଲେ। ମାତ୍ର ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଶଙ୍ଖ ଚିହ୍ନ ଲଗାଇ ଲୋକଙ୍କୁ ବ୍ୟାଗ ଯୋଗାଇ ଦେବା କଣ ଥିଲା ? ତା ଥିଲା ଏକ ବଡ ଜୁମଲା । 

3. ୫-ଟି ସ୍କୁଲ ରୂପାନ୍ତର ନାଁରେ କୋଟି କୋଟି ଟଙ୍କା ବରବାଦ କରି ରାଜ୍ୟଯାକର ସ୍କୁଲକୁ ସବୁଜ ରଙ୍ଗରେ ରଙ୍ଗେଇବାର ଅର୍ଥ କଣ ? ଏଥିରୁ ଓଡ଼ିଶାର ଛାତ୍ରଛାତ୍ରୀ ପାଇଲେ କଣ ? ଏବେ ଓଡିଶାର ଡ୍ରପ ଆଉଟ ହାର ସବୁଠାରୁ ଅଧିକ। ଏହା ବି ଥିଲା ଏକ ବିରାଟ ଜୁମଲା । 

4. ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆ ଜାତିର ଆରାଧ୍ୟ ଦେବତା। କିନ୍ତୁ ମନ୍ଦିରର ମାତ୍ର ଗୋଟିଏ ଦ୍ବାର ଖୋଲା ରଖି ବାରି ତିନି ଦ୍ବାର ବନ୍ଦ ରଖି ଭକ୍ତ ଓ ଭଗବାନଙ୍କ ଭିତରେ ପ୍ରାଚୀର ସୃଷ୍ଟି କରିବା କଣ ଥିଲା ? ଯଦି ଭକ୍ତ ଓ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ସୁରୁଖୁରୁରେ ଦର୍ଶନ ନ କରିପାରିବେ, ତାହା କଣ ଏକ ଜୁମଲା ନୁହେଁ ?

5. ପି.ଏମ୍‌ ଆବାସ ଯୋଜନାରେ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣରେ ଘର ଦେଇଥିଲେ । ୨୦୨୩-୨୪ ଆର୍ଥିକ ବର୍ଷରେ ୯.୫୭ ଲକ୍ଷ ଘର ଯୋଗାଇ ଦେଇଥିଲେ। ଅନ୍ୟ ରାଜ୍ୟ ତୁଳନାରେ ଓଡିଶାକୁ ଅଧିକ ଘର ଦେଇଥିଲେ। କିନ୍ତୁ ସେମାନେ ପି.ଏମ୍‌ ଆବାସରେ ଚଞ୍ଚକତା କରି ଦଳୀୟ ଷ୍ଟିକର ମାରିବା କଣ ଜୁମଲା ନୁହେଁ କି ? 

6. କାଳିଆ ଯୋଜନାରେ ମଧ୍ୟ ୧୦ ହଜାର ଟଙ୍କା ଦେବେ ବୋଲି କହିଥିଲେ। କିନ୍ତୁ ତାଙ୍କ ସରକାର ଆଉଥରେ ଆସିଯିବା ପରେ କେବଳ ଅକ୍ଷୟ ତୃତୀୟା, ନୂଆଖାଇ ଆଦି ପର୍ବରେ ମଝିରେ ମଝିରେ ସହାୟତା ଦେବା ଆରମ୍ଭ କଲେ। ଏହା କମ ଜୁମଲା ନୁହେଁ କି ? 

7. ଜାଗା ମିଶନକୁ କହୁଥିଲେ ବିଶ୍ବର ସବୁଠାରୁ ବୃହତ ସଫଳ ଯୋଜନା। କିନ୍ତୁ କାହିଁ ସେ ଯୋଜନା ? ଏହା ହେଉଛି ବିଶ୍ବର ସବୁଠାରୁ ବିଫଳ ଯୋଜନା ।

8. ପଦ୍ମପୁରକୁ ନୂତନ ଜିଲ୍ଲା କରିବା କୁଆଡେ ଗଲା ? ଏହା କଣ ଏକ ମସ୍ତବଡ ଜୁମଲା ନୁହେଁ କି ? କୁଲଟା, ଭୁଲିଆ, ଅଗ୍ରିଆ ଆଦି ସମାଜକୁ ଜାଗା ଦେବେ ବୋଲି କହିଥିଲେ। କୁଆଡେ ଗଲା ସେ ଜାଗା ?

Also Read- Top 10 News Today: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମର କମାଲ, ପଢ଼ନ୍ତୁ ୧୦ ପ୍ରମୁଖ ଖବର