କୁଣ୍ଡା ପଥରରେ ଭରା ଏବଂ ଔଷଧିୟ ଗୁଳ୍ମ ଲତାରେ ପରିପୂର୍ଣ୍ଣ ୩୦୪.୮ମିଟର ଉଚ୍ଚତା, ଦୈର୍ଘ୍ୟ ୭କି.ମି.ଏବଂ ପ୍ରସ୍ଥ ୮୦୦ ମିଟର ପରିଦ୍ଧିର ପାହାଡ ଉପରେ ଦେବୀ ମା’ ବରୁଣେଇ କରୁଣେଇ ମନ୍ଦିର ବିଦ୍ୟମାନ। ବରୁଣେଇର ପୂର୍ବ ଦିଗରେ ଐତିହ୍ୟ ପ୍ରସିଦ୍ଧ ଦିଗ ବାରେଣୀ ପାହାଡ, ମଧ୍ୟଭାଗରେ ପାଣ୍ଡବ ଗୁମ୍ପା ଓ ସୀତାକୁଣ୍ଡ ରହିଛି।
ଉତ୍ତର ପଶ୍ଚିମ ଦିଗରେ ଖୋର୍ଦ୍ଧା ଦୁର୍ଗ ବିଦ୍ୟମାନ। ଦିଗବାରେଣୀ ପାହାଡରେ ଠିଆହେଲେ ଶ୍ରୀମନ୍ଦିର ନୀଳଚକ୍ର ଦେଖାଯାଏ ବୋଲି ଜନଶୃତି ରହିଛି। ସୀତାକୁଣ୍ଡରେ ବର୍ଷସାରା ପାଣି ଜମି ରହେ। ତେବେ ପର୍ବତର ଉତ୍ତର ଦିଗରେ ଉପରକୁ ୧୫୦ ଫୁଟ ଉଚ୍ଚରେ ୮୮ଟି ପାହାଚ ଅତିକ୍ରମ କରିବା ପରେ ଖୋର୍ଦ୍ଧା ରାଜାଙ୍କର ଯୁଦ୍ଧ ଦେବୀ ମା ବରୁଣେଇ ଓ ମା କରୁଣେଇଙ୍କର ମନ୍ଦିର ପଡିଥାଏ। ଏହି ସ୍ଥାନକୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକଙ୍କ ଉପରେ ମା'ଙ୍କ ମହିମା ଏବଂ ଆଶୀର୍ବାଦର କୃପା ବର୍ଷା ହୋଇଥାଏ। ମାଙ୍କ ଅପୂର୍ବ କରୁଣାରୁ ଦର୍ଶନର ଫଳ ସ୍ୱରୂପ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି ।
ପର୍ବତର ଆଭ୍ୟନ୍ତରଣରୁ ଚିରସ୍ରୋତା ଝରଣା ଦେବୀଙ୍କ ନାଭିସ୍ଥଳ ଦେଇ ପାଦ ତଳକୁ ବୋହିଯାଉଛି। ଏହି ଝରଣାକୁ ସ୍ୱର୍ଣ୍ଣ ଗଙ୍ଗା କୁହାଯାଏ। ଏହା ବ୍ୟତୀତ ଇତିହାସ ପ୍ରସିଦ୍ଧ ପାଣ୍ଡବ ଗୁମ୍ଫା, ଶ୍ରୀରାମ ପଥର, ସୀତାକୁଣ୍ଡ, ଦିଗ ବାରେଣୀ ଆଦି ପାହାଡରେ ଥିବା ସ୍ଥାନ ଆସୁଥିବା ପର୍ଯ୍ୟଟକ ମାନଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥାଏ।
ଏହି ପୀଠରେ ଦେବୀଙ୍କୁ ନୈବେଦ୍ୟ ଅର୍ପଣର ଏକ ବିଶେଷତା ରହିଛି। ପଣସ ପତ୍ର ଠୋଲାରେ ଧୋବ ଫରଫର ଅରୁଆ ଚାଉଳରେ ପ୍ରସ୍ତୁତ ଖିରି, ନଡିଆ-ଗୁଡରେ ତିଆରି ପୁର ଦିଆ ଏଣ୍ଡୁରି ପିଠା ଭୋଗ ହୋଇଥାଏ। ଏହି ଭୋଗ ଲାଗି ଭକ୍ତ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ଆଗ୍ରହ ଓ ଉତ୍ସାହ ରହିଥାଏ। ଏଠାକୁ ଆସୁଥିବା ଭକ୍ତ ମାଙ୍କ ଖିରି ଏବଂ ଏଣ୍ଡୁରି ପୀଠ ଖାଇବାକୁ ଭୁଲି ନଥାନ୍ତି।
ସେହିପରି ପର୍ଯ୍ୟଟନ ଋତୁ ଆସିଲେ, ନାହିଁ ନଥିବା ଭିଡ଼ ଏଠାରେ ଦେଖିବାକୁ ମିଳିଥାଏ। ଏଥିସହ ପାଇକମାନେ ଯେତେବେଳେ ସମରାଭ୍ୟାସ ହେଉ କିମ୍ବା ଯୁଦ୍ଧକ୍ଷେତ୍ରକୁ ଯିବା ସମୟରେ ହେଉ, ମା’ ଆର୍ଶୀବାଦ ନେବା ପରେ ବାହାରୁଥିଲେ। ତେବେ ମା’ଙ୍କର କିମ୍ବନ୍ଦନ୍ତୀ ଅନେକ ରହିଛି। ଏହି ପୀଠରେ ବର୍ଷର ବିଭିନ୍ନ ସମୟରେ ବହୁ ପର୍ବପର୍ବାଣୀ ପାଳନ ହେଉଥିଲେ ମଧ୍ୟ ରଜ ପର୍ବ ଏଠାରେ ନିଆରା ଢଙ୍ଗରେ ପାଳିତ ହୁଏ। ଏହି ମା’ ରଜବତୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦିଅନ୍ତ। ଠାକୁରାଣୀଙ୍କ ଏହି ଅପୂର୍ବ ବେଶ ଦର୍ଶନ ଲାଗି ମା’ଙ୍କ ପୀଠରେ ପ୍ରବଳ ଭିଡ ଜମିଥାଏ।
ट्रेन्डिंग फोटोज़