ଅର୍ଶଦୀପ ସିଂହଙ୍କ ଶାଣିତ ବୋଲିଂ ଓ ସଞ୍ଜୁ ସାମସନଙ୍କ ବିସ୍ଫୋରକ ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚକୁ ଜିତି ନେଇଛି ଭାରତ। ଏହି ମ୍ୟାଚ ସହିତ ସିରିଜ ଉପରେ ମଧ୍ୟ କବଜା କରିଛି ଭାରତ।
Trending Photos
India Won ODI Series: ନୂଆଦିଲ୍ଲୀ: ଅର୍ଶଦୀପ ସିଂହଙ୍କ ଶାଣିତ ବୋଲିଂ ଓ ସଞ୍ଜୁ ସାମସନଙ୍କ ବିସ୍ଫୋରକ ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚକୁ ଜିତି ନେଇଛି ଭାରତ। ଏହି ମ୍ୟାଚ ସହିତ ସିରିଜ ଉପରେ ମଧ୍ୟ କବଜା କରିଛି ଭାରତ। ଡିସେମ୍ବର ୩୧ ତାରିଖ ଗୁରୁବାର ଖେଳାଯାଇଥିବା ତୃତୀୟ ଦିନିକିଆରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା। ଆମନ୍ତ୍ରଣ ପାଇଁ ଭାରତ ପାଳି ଆରମ୍ଭ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଧାର୍ଯ୍ୟ ଓଭରରେ ୮ ୱିକେଟ ହରାଇ ୨୯୬ର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ଦଳ ପକ୍ଷରୁ ସଞ୍ଜୁ ସାମସନ ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୪୫.୫ ଓଭରରେ ୨୧୮ ରନ କରି ଅଲଆଉଟ ହୋଇଯାଇଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୪ଟି ୱିକେଟ ହାତେଇଥିଲେ।
ଆମନ୍ତ୍ରଣ ପାଇ ଭାରତ ପକ୍ଷରୁ ରଜତ ପଟିଦାର ଓ ସାଇ ସୁଦର୍ଶନ ପାଳି ଆରମ୍ଭ କରିଥିଲେ। କିନ୍ତୁ ଦଳୀୟ ସ୍କୋର ମାତ୍ର ୫୦ ବେଳେ ଉଭୟ ଓପନର ପାଭିଲିୟନ ଫେରିଥିଲେ। ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲା ରଜତ ୨୨ ଓ ସାଇ ସୁଦର୍ଶନ ୧୦ ରନରେ ଆଉଟ ହୋଇ ଦଳ ପାଇଁ ସଂକଟ ସୃଷ୍ଟି କରିଥିଲେ। ପରେ ସଞ୍ଜୁ ସାମସନ ଦଳର ମଙ୍ଗକୁ ସମ୍ଭାଳିଥିଲେ। ଗୋଟିଏ ପଟେ ଦଳ ୱିକେଟ ହରାଉଥିବା ବେଳେ ରକ୍ଷଣଶୀଳ ବ୍ୟାଟିଂ କରି ଦଳକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ ସଞ୍ଜୁ। ସଞ୍ଜୁ ଓ ତିଲକ ବର୍ମାଙ୍କ ଭାଗିଦାରୀରେ ଭାରତ ଏକ ମଜବୁତ ସ୍ଥିତିରେ ପହଞ୍ଚିଥିଲା। ସଞ୍ଜୁ ପ୍ରଥମ ଦୁଇଟି ଦିନିକିଆରେ ବିଫଳ ହୋଇଥିବା ବେଳେ ତୃତୀୟ ଦିନିକିଆରେ ଶତକୀୟ ଇନିଂସ ଖେଳି ନିଜକୁ ପ୍ରମାଣିତ କରିପାରିଥିଲେ। ୧୦୮ ରନର ଲଢୁଆ ଇନିଂସ ଖେଳି ଦଳକୁ ସଂକଟରୁ ବାହାର କରିଥିଲେ। ସେହିପରି ତିଲକ ବର୍ମା ୫୨ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। କେଏଲ ରାହୁଲ ୨୧, ରିଙ୍କୁ ୩୮ ଓ ୱାସିଂଟନ ସୁନ୍ଦର ୧୪ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସେଭଳି କେହି ଆଖିଦୃଶିଆ ଇନିଂସ ଖେଳିପାରିନଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ବେରୁନ ହେଣ୍ଡ୍ରିକ୍ସ ସର୍ବାଧି ୩ଟି ୱିକେଟ ନେଇଥିବା ବେଳେ ନାଣ୍ଡ୍ରି ବର୍ଗର ୨ଟି, ଲିଜାଡ଼ ୱିଲିୟମସ, ୱିୟନ ମୁଲଦାର ଓ କେଶବ ମହାରାଜ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଜବାବରେ ଧାର୍ଯ୍ୟ ବିଜୟ ଲକ୍ଷକୁ ପିଛା କରି ଦକ୍ଷିଣ ଆଫ୍ରିକା ପକ୍ଷରୁ ରିଜା ହେଣ୍ଡ୍ରିକ୍ସ ଓ ଟୋନି ଡେ ଜୋରଜି ପାଳି ଆରମ୍ଭ କରିଥିଲେ। ଆରମ୍ଭରୁ ବେଶ ମଜବୁତ ଆରମ୍ଭ କରିଥିଲେ ମଧ୍ୟ ଭାରତର ଅର୍ଶଦୀପ ସିଂହଙ୍କ ଶାଣିତ ବୋଲିଂ ଆଗରେ ଆଣ୍ଠୁ ମାଡ଼ିଥିଲା। ଓପନିଂ ଯୋଡ଼ି ଭାଙ୍ଗିବାରେ ସଫଳ ହୋଇଥିଲେ ଅର୍ଶଦୀପ ସିଂହ। ଫଳରେ ଟୋନିଙ୍କ ଲଢୁଆ ଅର୍ଦ୍ଧଶତକ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ପରାଜୟର ସମ୍ମୁଖିନ ହୋଇଥିଲା। ଦଳ ପକ୍ଷରୁ ଟୋନି ସର୍ବାଧିକ ୮୧ ରନ କରିଥିବା ବେଳେ ରିଜା ହେଣ୍ଡ୍ରିକ୍ସ ୧୯, ଏଡେନ ମାକ୍ରମ ୩୬, ହେନରିଚ କାଲସେନ ୨୧, ଡାଭିଡ଼ ମିଲର ୧୦, କେଶବ ମହାରାଜ ୧୪, ବେରୁନ ହେଣ୍ଡ୍ରିକ୍ସ ୧୮ ରନ କରିଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୪ଟି ୱିକେଟ, ଅଭେଶ ଖାନ ଓ ୱାସିଂଟନ ସୁନ୍ଦର ୨ଟି ଲେଖାଏଁ ଏବଂ ମୁକେଶ କୁମାର ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।