Chandaneswar Chadak Mela: ଉଦଯାପିତ ହେଲା ବାବା ଚନ୍ଦନେଶ୍ୱର ମହାଦେବଙ୍କ ଚଡ଼କ ପର୍ବ
Advertisement
Article Detail0/zeeodisha/odisha2202214

Chandaneswar Chadak Mela: ଉଦଯାପିତ ହେଲା ବାବା ଚନ୍ଦନେଶ୍ୱର ମହାଦେବଙ୍କ ଚଡ଼କ ପର୍ବ

Chandaneswar Chadak Mela: ପୂର୍ବଭାରତର ପ୍ରସିଦ୍ଧ ବାବା ଚନ୍ଦନେଶ୍ୱର ମହାଦେବଙ୍କ ସମ୍ବତ୍ସରିକ ଉତ୍ସବ ଚଡ଼କ ପର୍ବ ୧୩ ଦିନପରେ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଚୈତ୍ର ମାସ ୧୭ଦିନ ବା ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ବୈଚିତ୍ରମୟ ଉତ୍ସବରେ ତିନି ମୁଖ୍ୟ ପର୍ବ ଶିବ କାମିନା ବିବାହ, ମହା ନୀଳ ଓ ପାଟ ପର୍ବରେ ଦେଶ ଓ ଦେଶ ବାହାରୁ ୫ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ବୁଧବାର ତୃତୀୟ ଅର୍ଘ୍ୟରେ ପୀଠରେ ଶିବ କାମିନା ବିବାହ,ଗୁରୁବାର ଦ୍ବିତୀୟ ଅର୍ଘ୍ୟରେ ନୀଳପର୍ବ ଏବଂ ଶୁକ୍ରବାର ଉଦଯାପନି ବା ପାଟ ପର୍ବ ମହା ଆଡମ୍ବରରେ ସମାପନ ହୋଇଯାଇଛି।

Chandaneswar Chadak Mela: ଉଦଯାପିତ ହେଲା ବାବା ଚନ୍ଦନେଶ୍ୱର ମହାଦେବଙ୍କ ଚଡ଼କ ପର୍ବ

Chandaneswar Chadak Mela: ପୂର୍ବଭାରତର ପ୍ରସିଦ୍ଧ ବାବା ଚନ୍ଦନେଶ୍ୱର ମହାଦେବଙ୍କ ସମ୍ବତ୍ସରିକ ଉତ୍ସବ ଚଡ଼କ ପର୍ବ ୧୩ ଦିନପରେ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଚୈତ୍ର ମାସ ୧୭ଦିନ ବା ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ବୈଚିତ୍ରମୟ ଉତ୍ସବରେ ତିନି ମୁଖ୍ୟ ପର୍ବ ଶିବ କାମିନା ବିବାହ, ମହା ନୀଳ ଓ ପାଟ ପର୍ବରେ ଦେଶ ଓ ଦେଶ ବାହାରୁ ୫ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ବୁଧବାର ତୃତୀୟ ଅର୍ଘ୍ୟରେ ପୀଠରେ ଶିବ କାମିନା ବିବାହ,ଗୁରୁବାର ଦ୍ବିତୀୟ ଅର୍ଘ୍ୟରେ ନୀଳପର୍ବ ଏବଂ ଶୁକ୍ରବାର ଉଦଯାପନି ବା ପାଟ ପର୍ବ ମହା ଆଡମ୍ବରରେ ସମାପନ ହୋଇଯାଇଛି।ଏହି ତିନି ଦିନ ଶୈବପୀଠ ଜନ ସମୁଦ୍ର ପାଲଟିଯାଏ। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଏକ ଲକ୍ଷରୁ ଅଧିକ ଭକ୍ତ ଉପବିତ ଧାରଣ କରିଥିଲେ। ଦିନ ତମାମ ନିର୍ଜଳା ଉପବାସ ରହି ମଧ୍ୟରାତ୍ରିରେ ଅର୍ଘ୍ୟ ଦେଇସାରିବା ପରେ ହବିଷ୍ୟ କରନ୍ତି। ପ୍ରତ୍ୟେକ ଦିନ ଶ୍ରୀ ଜିଉଙ୍କ ନୀତିକାନ୍ତି ପରେ ପାଟଭକ୍ତ ହରିଶ୍ଚନ୍ଦ୍ର ସାହୁ, ଶ୍ରୀବେକିଡ଼ି ନିରଞ୍ଜନ ଲେଙ୍କା, ଦେଉଳିଆ ଅଜିତ କୁମାର ପାତ୍ର ସମେତ ୧୩ ଜଣ ମୁଖ୍ୟ ଉପବିତ ଧାରୀ ଭକ୍ତ ଏବଂ ମୌରସୀ ତପନ କୁମାର ପଣ୍ଡା, ଉପ ମୌରସୀ ବୁଦ୍ଧଦେବ ପଣ୍ଡା ପର୍ବ ପାଳନ ପାଇଁ ନିର୍ଦେଶ ଦିଅନ୍ତି।

 କାମିନା ବିବାହରେ ଶିବ ଓ କାମିନା ଙ୍କ ବିବାହ ହିନ୍ଦୁ ଶାସ୍ତ୍ରରରେ ବର୍ଣ୍ଣିତ ବିବାହ ଲଗ୍ନ ନଥିବା ପୋଡ଼ା ଚୈତ୍ରରେ ହୋଇଥାଏ, ଯାହା ଏକ ବ୍ୟତିକ୍ରମ ସେହିପରି ଦ୍ଵିତୀୟ ଅର୍ଘ୍ୟରେ ନୀଳ ପୋଖରୀର ମାର୍ଜ୍ଜନା ପୂଜା ସମାପନ କରିସାରିବା ପରେ ହଜାର ହଜାର ଉପବିତ ଧାରୀ ଭକ୍ତ ମାନଙ୍କୁ ହରପର୍ବତୀଙ୍କ ଚଳନ୍ତି ପ୍ରତିଭୁ ସ୍ତମ୍ଭି କାଷ୍ଠକୁ ନୀଳ ପୋଖରୀରୁ ଖୋଜିଆଣିବାକୁ ନିର୍ଦେଶ ହୁଏ। ପାରମ୍ପରିକ ବାଦ୍ୟ, ଶଙ୍ଖ, ମୃଦଙ୍ଗ, ଢୋଲ, ସାହାନାଇର ତାଳେ ତାଳେ ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ କରି ଭକ୍ତମାନେ ନୀଳ ପୋଖରୀରୁ ସ୍ତମ୍ଭି କାଷ୍ଠ ଆଣି କାନ୍ଧରେ ନେଇ ମନ୍ଦିର ପରିକ୍ରମା କରିବା ପରେ ବିଧିମୁତାବକ ପୂଜା କରାଯାଇଥାଏ। ନୀଳ ପର୍ବ ହେଉଛି ଚନ୍ଦନେଶ୍ୱର ଚଡ଼କ ମେଳାର ଏକ ପ୍ରମୁଖ ଉତ୍ସବ l ଭକ୍ତ ଓ ଶ୍ରଦ୍ଧାଳୁ ମାନେ ସମଗ୍ର ଦିବସ ନିର୍ଜଳା ଉପବାସ ରହି ଚନ୍ଦନେଶ୍ୱରଙ୍କ ଠାରେ ଜଳାଭିଷେକ କରି ତାଙ୍କର କୃପାଭିକ୍ଷା କରିଥାନ୍ତି l ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ସମୁଦ୍ର ମନ୍ଥନ ସମୟରେ ହୋଳାହଳ ବିଷକୁ ପାନ କରି ଶିବ ନୀଳକଣ୍ଠ ସାଜିଥିଲେ l

ତେଣୁ ଭକ୍ତମାନେ ଚନ୍ଦନେଶ୍ୱରଙ୍କର ବିଷର ଜ୍ୱାଳାକୁ ଉପସମ କରିବା ପାଇଁ ଜଳାଭିଷେକ କରିଥାନ୍ତି l ଏହାକୁ ନୀଳ ପର୍ବ କୁହାଯାଏ l ଐତିହାସିକ ମାନଙ୍କ ମତରେ ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ ପଶ୍ଚିମବଙ୍ଗର ମେଦିନୀପୁର ସମେତ ବିଭିନ୍ନ ଅଂଚଳରେ ହେଉଥିବା ନୀଳ ଚାଷକୁ ଇଂରେଜ ମାନେ ବେଆଇନ ଘୋଷଣା କରିବା ପରେ ଚନ୍ଦନେଶ୍ୱରଙ୍କ ପୀଠରେ ଭକ୍ତମାନେ ନିର୍ଜଳା ଉପବାସ ରହି ଇଂରେଜ ମାନଙ୍କ ବିରୁଦ୍ଧରେ ପ୍ରତୀକାତ୍ମକ ଆନ୍ଦୋଳନ କରିବା ହେତୁ ଉକ୍ତ ଦିବସକୁ ସ୍ୱରଣୀୟ ରଖିବା ପାଇଁ ଉକ୍ତ ଉତ୍ସବର ନାମ ନୀଳ ଉତ୍ସବ ବୋଲି କୁହାଯାଏ। ନୀଳ ଉତ୍ସବ ଦିନ ନୀଳ ପୋଖରୀରୁ ପାଟ ଭକ୍ତଙ୍କର ନିର୍ଦେଶ ପାଇବା ପରେ ଚନ୍ଦନେଶ୍ୱରଙ୍କର ଚଳନ୍ତି ବିଗ୍ରହ କୁହାଯାଉଥିବା ଦୁଇଟି ଥମ୍ବୀ କାଠକୁ ନୀଳ ପୋଖରୀରୁ ଭକ୍ତମାନେ ଉତ୍ତଳୋନ କରି ଦକ୍ଷିଣ ଦ୍ୱାର ନିକଟରେ ରଖନ୍ତି। ୨୦ଫୁଟ ଲମ୍ବ ଓ ୬ଫୁଟ ଗୋଳାଇ ବିଶିଷ୍ଟ ଏହି ସ୍ତମ୍ଭି କାଷ୍ଠରେ ମହାଦେବଙ୍କ ନାଗ, ପାଶା, ଘଣ୍ଟା, ଡମ୍ବୁରୁ, ତ୍ରିଶୁଳ, ଅଙ୍କୁଶ, ପିନାକ, ବଜ୍ର ଆଦି ୯ଟି ଚିହ୍ନ ଦେଖିବାକୁ ମିଳେ। ପ୍ରତ୍ୟେକ ମହାମାରୀ ଅନ୍ତେ ଏହି ସ୍ତମ୍ଭି କାଷ୍ଠ ପରିବର୍ତ୍ତନ ହେଉଥିବା ପ୍ରଥା ରହିଥିବା ବେଳେ ଗତ ବର୍ଷ ୧୦୨ ବର୍ଷ ପରେ କରୋନା ମହାମାରୀରେ ସ୍ତମ୍ଭି କାଷ୍ଠ ଦ୍ଵୟର ପରିବର୍ତ୍ତନ ହୋଇଥିଲା।

ସେହିପରି ପାଟ ପର୍ବରେ ମନ୍ଦିର ଠାରୁ ୨କିମି ଦୂରରେ ଥିବା ହାକାଣ୍ଡ ପୋଖରୀରୁ ଭକ୍ତ ମାନେ ନିଜ ଜିଭ ଓ ଦେହରେ ହଜାର ହଜାର କଣ୍ଟା ବିଦ୍ଧ କରିବା ସହିତ ନିଆଁ ପାଟୁଆ, ଦଣ୍ଡ ପାଟୁଆଙ୍କ ଗହଣରେ ଏକ ବିଶାଳ ଶୋଭାଯାତ୍ରାରେ ମନ୍ଦିରକୁ ଆସନ୍ତି ଯାହା ଅନ୍ୟ ମନ୍ଦିର ଠାରୁ ନିଆରା ହୋଇଥାଏ। ଭକ୍ତ ଓ ଭଗବାନ ମିଳନ, ସମର୍ପଣ ଓ ଭାଇଚାରାର ଅପୂର୍ବ ସଂଯୋଗ ଏଠାରେ ଦେଖିବାକୁ ମିଳିଥାଏ। ଅନ୍ୟାନ୍ୟ ଶୈବପୀଠରେ ଲିଙ୍ଗ ବା ପ୍ରତିମା ପୂଜା ହେଉଥିବା ବେଳେ ଏହି ପୀଠରେ ଲିଙ୍ଗ ଅଦୃଶ୍ୟ ଭାବରେ ଜଳ ଯନ୍ତ୍ର ମଧ୍ୟରେ ରହିଥିବାରୁ ଏହା ବିଶ୍ବର ଅନନ୍ୟ ଓ ଅଦ୍ଵିତୀୟ ଶୈବପୀଠ ଭାବରେ ଭକ୍ତଙ୍କ ବିଶ୍ୱାସ ଓ ଭାବାବେଗକୁ ବହନ କରି ଚାଲିଛି।