Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ଦିଲ୍ଲୀର ପୂର୍ବତନ ମୁକ୍ୟମନ୍ତ୍ରୀ ତଥା ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଅଡ଼ୁଆ ବଢିଛି। ତଥାକଥିତ 'ଶୀଶମହଲ'ର ତଦନ୍ତ କରାଯିବ । ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ୬ ଫ୍ଲାଗଷ୍ଟାଫ୍ ବଙ୍ଗଲୋ ନବୀକରଣର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସେଣ୍ଟ୍ରାଲ୍ ଭିଜିଲାନ୍ସ କମିଶନ। ଏହାକୁ ନେଇ ଆପ୍ ରାଜନେତାଙ୍କ ମନରେ ଛନକା ପସିଥିବା କୁହାଯାଉଛି ।
Headlines 02- ୩୧ ମାର୍ଚ୍ଚ ଯାଏଁ ବଢ଼ିଛି e-KYC ଅପ୍ ଡେଟ୍ ଅବଧି। ୫ମ ଥର ପାଇଁ e-KYC ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର। ଏ ସମ୍ପର୍କରେ ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି ଯେ, ୯୦% e-KYC ଅପଡେଟ୍ କଲେଣି କିନ୍ତୁ ଆହୁରି ୩୩ ଲକ୍ଷ ବାକି ଅଛନ୍ତି । ନେଟୱର୍କ ସମସ୍ୟା ସହ ବିଭିନ୍ନ କାରଣରୁ ଲୋକ e-KYC କରିନାହାନ୍ତି । ୨ କୋଟି ୯୯ ଲକ୍ଷ ୮ ହଜାର ୪୫୭ ଜଣ e-KYC କରିସାରିଛନ୍ତି । କୌଣସି ସମସ୍ୟା ଥିଲେ ଟୋଲ୍ ଫ୍ରି ନଂ '୧୯୬୭'କୁ କଲ୍ କରି ବୁଝିପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।
Headlines 03- ରତ୍ନଭଣ୍ଡାରରେ କେତେ ଅଳଙ୍କାର ଅଛି ତାହାକୁ ସାର୍ବଜନୀନ କରିବେ ସରକାର। ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଗଣତି ମଣତି ଶେଷ ହେବା ପରେ ଅଳଙ୍କାର ନେଇ ତଥ୍ୟ ପ୍ରଦାନ କରାଯିବ । ମରାମତି କାର୍ଯ୍ୟ ଚାଲୁ ରହିଛି, ଶେଷ ହେବା ପରେ ଗଣତି ମଣତି ହେବ । ଶେଷ ଥର ୧୯୭୮ରେ ରତ୍ନଭଣ୍ଡାର ଗଣତି ମଣତି ହୋଇଥିଲା ବୋଲି କୁହାଯାଇଛି ।
Headlines 04- ବିଧାନସଭାରେ ବିସ୍ଫୋରକ ତଥ୍ୟ ରଖିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଗୃହକୁ କ’ଣ ପାଣ୍ଡିଆନ ଚଳାଇବେ ବୋଲି ପ୍ରଶ୍ନ କରିଥିଲେ ଜୟନାରାୟଣ। ପଏଣ୍ଟ ଅଫ୍ ଅର୍ଡର ଉଠାଇ ବିରୋଧୀଙ୍କୁ କଲେ ଟାର୍ଗେଟ୍ କରିଛନ୍ତି ଜୟନାରାୟଣ । ଚାଷୀ ପ୍ରସଙ୍ଗରେ ମୁଲତବି ଆଣିଥିଲେ ବିରୋଧୀ, ଆଲୋଚନା ଚାହୁଁଥିଲୁ କିନ୍ତୁ କଣ ପାଇଁ ଗୃହକୁ କାଲିଠାରୁ ମୁଲତବି କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ, ଜୟନାରାୟଣଙ୍କ ବିବୃତିକୁ ବାଦ ଦେବାକୁ ଦାବି କରିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବରିଷ୍ଠ ସଦସ୍ୟ ଗୃହରେ ମନ ଗଢ଼ା କାହାଣୀ କହୁଛନ୍ତି ଏବଂ ଗୃହର ସଦସ୍ୟ ନଥିବା ଲୋକଙ୍କ ନାମ ବିବରଣୀରୁ ବାଦ ଦିଆଯାଉ ବୋଲି ପ୍ରମିଳା କହିଥିଲେ ।
Headlines 05- ପୁଣିଥରେ ମୋବସ୍ ଦୁର୍ଘଟଣା ସାମ୍ନାକୁ ଆସିଛି । ଅନୁମତି ନଥାଇ ପାତ୍ରପଡ଼ା ଯାଇଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ମୋ ବସ୍ ଘଟାଇଥିବା ଦୁର୍ଘଟଣାର ତଦନ୍ତ ପାଇଁ କ୍ରୁଟ ଗଠନ କରିଛି କମିଟି। ଆଜି କ୍ରୁଟର ଏକ ଟିମ୍ ପହଞ୍ଚି ମୋ ବସରେ ଲାଗିଥିବା ସିସିଟିଭିରେ କଏଦ୍ ହୋଇଥିବା ଫୁଟେଜ ସଂଗ୍ରହ କରିଛନ୍ତି। ମୋ ବସଟି ରୁଟ୍ ନମ୍ଵର୍ ୩୩ରେ ଯିବା ପାଇଁ ଅନୁମତି ରହିଛି। ରୁଟ ନମ୍ଵର୍ ୩୩ ହେଉଛି ଭୁବନେଶ୍ବର ରେଳ ଷ୍ଟେସନଠାରୁ ପିପିଲି। ହେଲେ ବସଟି ପାତ୍ରପଡା ରୁଟରେ ଯାଇ ତମାଣ୍ଡୋରେ ଦୁର୍ଘଟଣା ଘଟାଇଛି। ବସ୍ଟି ରେଳଷ୍ଟେସନ ଡିପୋରେ ରହୁଥିବା ବେଳେ, କାଲି ତମାଣ୍ଡୋ କାହିଁକି ଯାଇଥିଲା ବୋଲି ପ୍ରଶ୍ନ ଉଠିଛି।
Headlines 06- କଂଗ୍ରେସକୁ ଫେରିବା ନେଇ ପରୋକ୍ଷ ଇସାରା ଦେଇଛନ୍ତି ଡା. ପ୍ରଫୁଲ୍ଲ ମାଝୀ । ସେ କହିଛନ୍ତି ଯେ, ଅନେକ ପ୍ରତିଶ୍ରୁତି ଦେଇ ବିଜେଡି ମୋତେ ଦଳରେ ସାମିଲ କରିଥିଲା ହେଲେ କୌଣସି ପ୍ରତିଶ୍ରୁତି ବିଜେଡି ରଖିଲା ନାହିଁ । ଲୋକଙ୍କ ପାଇଁ କାମ କରିବାକୁ କଂଗ୍ରେସ ଛାଡ଼ି ବିଜେଡି ଆସିଥିଲି ମାତ୍ର ତାହା ଯଦି ହୋଇ ନ ପାରିଲା ଏହି ଦଳରେ କାହିଁକି ରହିବା । ବିଜେଡିକୁ ନେତା ନ ଚଳାଇ ଆଉ ଜଣେ ଚଳାଇଲେ ତାହା ଧ୍ବଂସ ହୋଇଯିବ । ଏହି ଦଳର ଭବିଷ୍ୟତ କିଛି ନାହିଁ, ଫୋନ୍ କଲେ ଉଠାନ୍ତି ନାହିଁ । ଭକ୍ତ ଦାସଙ୍କ ପାଖରେ ଦକ୍ଷତା ଅଛି ଦଳକୁ ପୁର୍ନଜୀବିତ କରିପାରିବେ ବୋଲି ପ୍ରଫୁଲ୍ଲ କହିଛନ୍ତି ।
Headlines 07- ପୁଣି କଂଗ୍ରେସ ଦଳକୁ ଫେରିଛନ୍ତି ବରିଷ୍ଠ ନେତା ସୁରେଶ ରାଉତରାୟ । ସେ ଆଜି କଂଗ୍ରେସ ଭବନ ଆସି ଭାବବିହ୍ୟୁଳ ହୋଇ କାନ୍ଦି ପକାଇଥିଲେ । ଏଥିସହ ସେ କହିଥିଲେ ଯେ, କଂଗ୍ରେସ ମୋ ଜୀବନ। କିଛି କୁଚକ୍ରୀ ଗୋଷ୍ଠୀ ମୋତେ ଦଳରୁ କାଢିଥିଲେ। ସବୁ ନେତା ଓ କର୍ମୀ ଏକାଠି ହେଲେ କଂଗ୍ରେସ ଜିତିବ ବୋଲି ସୁର କହିଛନ୍ତି । ସମସ୍ତଙ୍କ ଉପରୁ ନିଲମ୍ବନ ଉଠିବା ପରେ ଆଜି କଂଗ୍ରେସ ଭବନ ଆସିଥିଲେ ବରିଷ୍ଠ ନେତା ସୁରେଶ ରାଉତରାୟ ।
Headlines 08- ଜଗତସିଂହପୁର ବାଲିକୁଦା ମାଛଗାଁ ଧାନମଣ୍ଡିର ୨ ଅଧିକାରୀଙ୍କ ଉପରେ ଆକ୍ସନ ନିଆଯାଇ ତାଙ୍କୁ ସସ୍ପେଣ୍ଡ୍ କରାଯାଇଛି । ଧାନମଣ୍ଡିରେ ଅନିୟମିତତା ଅଭିଯୋଗରେ ସସ୍ପେଣ୍ଡ୍ କରିଛନ୍ତି ଜିଲ୍ଲାପାଳ । ମଣ୍ଡି ନୋଡାଲ ଅଫିସର ମୋହନ ଚରଣ ଜେନା ଏବଂ ଭାରାପ୍ରାପ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଶିଶିର ପଣ୍ଡା ସସ୍ପେଣ୍ଡ ହୋଇଛନ୍ତି ।
Headlines 09- ଶୁକ୍ରବାର ବିଳମ୍ବିତ ରାତିରେ ଛତିଶଗଡ କୋରବା ଜିଲ୍ଲାର ୧୦ ଜଣ ଶ୍ରଦ୍ଧାଳୁ ଏକ ବୋଲେରୋରେ ମହାକୁମ୍ଭରେ ବୁଡ ପକାଇବାକୁ ପ୍ରୟାଗରାଜ ଆସୁଥିଲେ। ହେଲେ ସେହି ସମୟରେ ହଠାତ୍ ଏକ ବସ୍ ସହ ପ୍ରୟାଗରାଜ-ମିର୍ଜାପୁର ହାଇଓ୍ବେରେ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଫଳରେ ବୋଲେରୋରେ ଥିବା ୧୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ଏବଂ ବସରେ ଥିବା ଯାତ୍ରୀ ଗୁରୁତର ହୋଇଥିଲେ। ଦୁର୍ଘଟଣାର ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।
Headlines 10- ଆଜିଠୁ ଆରମ୍ଭ ହୋଇଛି ସିବିଏସ୍ଇର ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା । ସକାଳ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ଦଶମର ଇଂରାଜୀ ପରୀକ୍ଷା ଏବଂ ଦ୍ବାଦଶରେ ଶ୍ରେଣୀର ଏଣ୍ଟରପ୍ରାଇଜେସ୍ ରହିଥିଲା। ଛାତ୍ରଛାତ୍ରୀଙ୍କୁ କଡ଼ା ଚେକିଂ କରି ପରୀକ୍ଷାକେନ୍ଦ୍ର ଭିତରକୁ ଛଡ଼ାଯାଉଛି।
Also Read- Dwadash Rajyog: ୩ ରାଶି ପାଇଁ ଆସିଛି ସୁବର୍ଣ୍ଣ ସମୟ, ଶନିଙ୍କ ପ୍ରଭାବରୁ ମିଳିବ ଲାଭ