Top 10 News Today: ମାହାଙ୍ଗା ମର୍ଡର କେସରେ ୯ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଏବଂ ଅନ୍ୟ ୧୦ ଖବର
Advertisement
Article Detail0/zeeodisha/odisha2404197

Top 10 News Today: ମାହାଙ୍ଗା ମର୍ଡର କେସରେ ୯ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଏବଂ ଅନ୍ୟ ୧୦ ଖବର

Today Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ମାହାଙ୍ଗା ମର୍ଡର କେସରେ ୯ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଏବଂ ଅନ୍ୟ ୧୦ ଖବର

H1. ମାହାଙ୍ଗା ଡବଲ ମର୍ଡର: ୯ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ
ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ୯ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ସାଲେପୁର ଏସ୍‍ଡିଜେଏମ୍‍। ଏକ ସଙ୍ଗେ ଗିରଫ ହୋଇଥିବା ଅରବିନ୍ଦ ଖୁଣ୍ଟିଆଙ୍କୁ କୋର୍ଟ ଆଜି ଖଲାସ କରିଛନ୍ତି। ରାଜନୀତିକ ଶତ୍ରୁତାକୁ କେନ୍ଦ୍ରକରି  ଜାନୁୟାରୀ ୨ତାରିଖ ୨୦୨୧ ମସିହାରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ବିଜେପି ନେତା କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀଙ୍କୁ ପ୍ରତିପକ୍ଷ ରାଜନୀତିକ ବିଚାରର ଲୋକେ ହତ୍ୟ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ପୁଲିସ ଦେଇଥିବା ଚାର୍ଜଶିଟରେ ତତ୍‍କାଳୀନ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ବି ସାମିଲ୍‍ ରହିଥିଲା। 

H2. ଇ-କେଓ୍ୱାଇସି ପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟ ସୀମା ଧାର୍ଯ୍ୟ ହୋଇନି
ଭୁବନେଶ୍ଵର: ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସରଳ ଓ ସ୍ୱଚ୍ଛ କରିବା ପାଇଁ ସରକାର ଇ- କେଓ୍ୱାଇସି ବ୍ୟବସ୍ଥା ଆପଣାଇଛନ୍ତି। ଯେଉଁମାନେ ନୂଆ କାର୍ଡଧାରୀ ବା ଆବେଦନ କରିଛନ୍ତି ସେମାନଙ୍କ ପାଇଁ ଏହି ପ୍ରକ୍ରିୟା ଶେଷ ହେବା ପରେ ଯାଇ କାର୍ଡ ମିଳିବ। ଭୂତ କାର୍ଡକୁ ରଦ୍ଦ କରିବା ଲାଗି ଏପରି ବ୍ୟବସ୍ଥାକୁ ଆପଣାଯାଇଛି। ହେଲେ ଆଧାର ଭିତ୍ତିକ ଇ କେଓ୍ୱାଇସି ପ୍ୟବସ୍ଥା ପାଇଁ ଶେଷ ତାରିଖ ସ୍ଥିର କରାଯାଇ ନାହିଁ। ଏଣୁ ଏଥିଲାଗି କୌଣସି ବିଭ୍ରାନ୍ତରେ ନପଡ଼ିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। 

H3. ଖୁବ୍‌ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା
ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା । ବର୍ଷକୁ ୨ଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା । ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨,୫୦୦ ଟଙ୍କା । ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା କାଳିଆ ଯୋଜନା ନାମକୁ ପରିବର୍ତ୍ତନ କରାଯାଇ ସିଏମ୍ କିଷାନ ଯୋଜନାରେ ନାମିତ କରାଯାଇଛି। ଖୁବ୍‌ ଶୀଘ୍ର ଏହା ଲାଗୁ କରାଯିବ । ଯୋଗ୍ୟତା ଥାଇ ପିଏମ୍ କିଷାନ ଯୋଜନାରୁ ବାଦ୍‌ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ନୂଆ ସାମିଲ ପାଇଁ ସିଏମ୍ କିଷାନ ପୋର୍ଟାଲରେ ଆବେଦନ କରିହେବ ବୋଲି ଆଜି କୃଷି ମନ୍ତ୍ରୀ କେଭି ସିଂହଦେଓ ସୂଚନା ଦେଇଛନ୍ତି।

H4. ବାର୍ଡ ଫ୍ଲୁ ସନ୍ଦିଗ୍ଧ ରୋଗୀ ଚିହ୍ନଟ!
କୁକୁଡ଼ାରୁ କୁକୁଡ଼ାକୁ ବାର୍ଡ ଫ୍ଲୁ ବ୍ୟାପୁଥିବା ବେଳେ ଏବେ ମଣିଷକୁ ବାର୍ଡ ଫ୍ଲୁ ବ୍ୟାପିଥିବା ଆଶଙ୍କା ସୃଷ୍ଟି ହୋଇଛି। ପୁରୀ ଜିଲ୍ଲାରେ ଜଣେ ବାର୍ଡ ଫ୍ଲୁ ସନ୍ଦିଗ୍ଧ ରୋଗୀ ଚିହ୍ନଟ ହୋଇଥିବା ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ତେବେ ସ୍ପଷ୍ଟ କରିଛନ୍ତି, ରିପୋର୍ଟ ନଆସିବା ଯାଏଁ, ତାଙ୍କୁ ଆକ୍ରାନ୍ତ ବୋଲି କହିହେବ ନାହିଁ। । ସଂପୃକ୍ତ ବ୍ୟକ୍ତିଙ୍କ ନମୁନା, ପୁଣେସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଯାଇଛି। ରିପୋର୍ଟ ଆସିବାକୁ ପାଖାପାଖି ୭ ଦିନ ଲାଗିବ । ଏବେ ସଂପୃକ୍ତ ବ୍ୟକ୍ତିଙ୍କୁ ଅଲଗା ରଖି ଚିକିତ୍ସା କରାଯାଉଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

H5. CHSE ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ; ୩ଟି ସ୍ଥାନରେ ଚଢ଼ାଉ
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା CHSE ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପୁରେନ୍ଦ୍ରଙ୍କ ଭୁବନେଶ୍ୱରର କାନନବିହାରରେ ଥିବା ୪ ମହଲା ଘର, ସାମନ୍ତରାପୁରରେ ଥିବା ଅଫିସ୍ ଓ ଜଗତସିଂହପୁରର କେଉପଡ଼ା ଥିବା ପୈତୃକ ଘରେ ଏକକାଳୀନ ଚଢାଉ କରାଯାଇଛି। 

H6. ୭ ବର୍ଷର ମାଈ ହାତୀ ମାମାର ଅକାଳ ମୃତ୍ୟୁ
ଚନ୍ଦକା ଗୋଡ଼ିବାରିରେ ମାଈ ୭ ବର୍ଷର ହାତୀ ମାମାର ଅକାଳ ମୃତ୍ୟୁ ଘଟିଛି। ଅଚାନକ ଅସୁସ୍ଥ ହେବାରୁ ତାର ମୃତ୍ୟୁହୋଇଥିବା କୁହାଯାଉଛି। କାରଣ ଜାଣିବା ପାଇଁ ଶବବ୍ୟବଚ୍ଛେଦ କରାଯିବ। ମାମା ୫ ମାସର ହୋଇଥିବା ବେଳେ ୨୦୧୭ ମସିହା ନଭେମ୍ବର ୩ ତାରିଖରେ ଖୋର୍ଦ୍ଧା ବନ ଖଣ୍ଡ ଅଞ୍ଚଳରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିଲା।  ମା' ଠାରୁ ଅଲଗା ହୋଇ ବୁଲୁଥିବା ବେଳେ ଉଦ୍ଧାର କରି ଅଣାଯାଇ ଥିଲା। ଚଳିତ ବର୍ଷ ମାର୍ଚ୍ଚ ମାସରେ ନନ୍ଦନକାନନରୁ ତାକୁ ଚ଼ଳକା ଗୋଡ଼ିବାରିକୁ ପଠାଯାଇଥିଲା। ସେଠାର ତାଲିମ ନେଇ ଜଙ୍ଗଲ ଜଗୁଆଳ କାର୍ଯ୍ୟ କରିବାର ଥିଲା ହେଲେ ଆଜି ସବୁଦିନ ପାଇଁ ମାମା ଆଖିବୁଜିଛି।

H7. ରାଜ୍ୟରେ ଲଘୁଚାପ ବର୍ଷା ଜାରି
ଝାଡ଼ଖଣ୍ଡ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ରହିଥିବା ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଗତକାଲି କଟକ ଭୁବନେଶ୍ୱର ସମେତ ରାଜ୍ୟର ଏକାଧିକ ସ୍ଥାନରେ ବର୍ଷା ଅନୁଭୂତ ହୋଇଥିବା ବେଳେ ଏହି ସ୍ଥିତି ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି । ଅନ୍ୟପଟେ ୨୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ୨୯ ଓ ୩୦ରେ ବର୍ଷାର ପ୍ରଭାବ ଆହୁରି ବଢ଼ିବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। 

H8. ପଶ୍ଚିମବଙ୍ଗ ବନ୍ଦ ବେଳେ ଅଘଟଣ, ବିଜେପି ନେତାଙ୍କୁ ଗୁଳିମାଡ
ଆଜି ବୁଧବାର ୨୮ ଅଗଷ୍ଟ ପଶ୍ଚିମବଙ୍ଗ ବନ୍ଦ ସମୟରେ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି। ଏହି ସମୟରେ ବିଜେପି ନେତା ପ୍ରିୟଙ୍ଗୁ ପାଣ୍ଡେ ଦାବି କରିଛନ୍ତି ଯେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଭାଟପାରାଠାରେ ତୃଣମୂଳ କଂଗ୍ରେସ କର୍ମୀଙ୍କ ଦ୍ୱାରା ତାଙ୍କ ଉପରକୁ ଆକ୍ରମଣ ହୋଇଛି। ଏହି ଆକ୍ରମଣ ଏପରି ଏକ ସମୟରେ ଘଟିଛି ଯେତେବେଳେ ବିଜେପି ରାଜ୍ୟରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ସେ ପିଟିଆଇକୁ କହିଛନ୍ତି, 'ଆଜି ସକାଳେ ମୁଁ ଅର୍ଜୁନ ସିଂଙ୍କ ବାସଭବନରେ ପହଞ୍ଚିବା ପାଇଁ ପ୍ରାୟ ୮ଟା ୧୫ ମିନିଟରେ ମୋ ଘରୁ ବାହାରି ଆସିଥିଲି। ଘରୁ ବାହାରିବାର ମାତ୍ର ତିନି ମିନିଟ୍ ପରେ ଜେଟିଙ୍ଗ୍ ମେସିନ୍ ଦ୍ୱାରା ରାସ୍ତା ଅବରୋଧ କରାଯାଇଥିଲା। ପ୍ରାୟ ୫୦ ରୁ ୬୦ ଲୋକ ମୋ କାରକୁ ଟାର୍ଗେଟ କରି ବୋମା ଫିଙ୍ଗିଥିଲେ। ଏହା ପରେ ୬ ରୁ ୭ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା।

H9. ଜୟ ଶାହ ହେଲେ ଆଇସିସି ଅଧ୍ୟକ୍ଷ
ବିସିସିଆଇ ବିସିସିଆଇ ସମ୍ପାଦକ ଜୟ ଶାହ ଆଇସିସିର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆଜି ଆଇସିସି ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଥିଲା। ଏହି ମର୍ଯ୍ୟାଦାଜନକ ପଦ ପାଇଁ ଜୟ ଶାହଙ୍କ ବ୍ୟତୀତ ଆଉ କେହି ବି ନାମାଙ୍କନ ଦାଖଲ କରି ନାହାନ୍ତି। ତେଣୁ ଜୟ ଶାହ ଆଇସିସିର ସ୍ୱାଧୀନ ଅଧ୍ୟକ୍ଷ ଭାବେ ଦୁଇ ବର୍ଷ ପାଇଁ ନିର୍ବାଚିତ ହୋଇଥିବା କ୍ରିକେଟର ଏହି ସର୍ବୋଚ୍ଚ ସଂସ୍ଥା ଘୋଷଣା କରିଛି। ଆଜି ଜୟ ଶାହ ଆଇସିସିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ ଡିସେମ୍ବର ୧ରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ। ବର୍ତ୍ତମାନ ଆଇସିସି ଅଧ୍ୟକ୍ଷ ଭାବେ କାମ କରୁଥିବା ନ୍ୟୁଜିଲ୍ୟାଣ୍ଡର ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେବ। ଏହାପରେ ଜୟ ଶାହ ଏହି ପଦକ ସମ୍ଭାଳିବେ।

H10. ଆଜିଠୁ ଆରମ୍ଭ ହେବ ପାରାଲିମ୍ପିକ୍ସ
ଆଜିଠୁ ଆରମ୍ଭ ହେଉଛି ପାରାଲିମ୍ପିକ୍ସ । ସାରା ବିଶ୍ୱର ୪୪୦୦ ଭିନ୍ନକ୍ଷମ ଖେଳାଳିଙ୍କୁ ନେଇ ପ୍ୟାରିସରେ ଆରମ୍ଭ ହେବ ପାରାଲିମ୍ପିକ୍ସର ସପ୍ତଦଶ ସଂସ୍କରଣ। ୨୨ କ୍ରୀଡ଼ାର ୫୪୯ ଇଭେଣ୍ଟରେ ପ୍ରତିନ୍ଦ୍ୱନ୍ଦିତା ହେବ। ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ୧୨ ଦିନ ଧରି ଭିନ୍ନକ୍ଷମ କ୍ରୀଡ଼ାରେ ଉତ୍କର୍ଷ ଲାଭ କରିଥିବା ଖେଳାଳି କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରିବେ। ଭାରତୀୟ ଭିନ୍ନକ୍ଷମ କ୍ରୀଡ଼ା ଇତିହାସର ସର୍ବବୃହତ୍ ୮୪ ଜଣିଆ ଦଳ ଏଥିରେ ଅଂଶଗ୍ରହଣ କରିଛନ୍ତି। ଏଥର ଭାରତୀୟ ପ୍ରତିଯୋଗୀମାନେ ୩ଟି ଅଧିକ ଅର୍ଥାତ୍ ୧୨ଟି କ୍ରୀଡ଼ାରେ ଭାଗନେବେ।