CAA 2019 India: ୨୦୨୪ ମାର୍ଚ୍ଚ ୧୧ ତାରିଖ ସୋମବାର ଠାରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଛି ନାଗରିକତା ସଂଶୋଧନ ଆଇନ। ଗୃହ ମନ୍ତ୍ରଣାଳୟ ଏହି ଆଇନ ସମ୍ପର୍କିତ ଅଧିନିୟମ ଜାରି ହୋଇସାରିଛି।
Trending Photos
Citizenship Amendment Act 2019: ୨୦୨୪ ମାର୍ଚ୍ଚ ୧୧ ତାରିଖ ସୋମବାର ସମଗ୍ର ଦେଶରେ ଲାଗୁ ହୋଇଯାଇଛି ନାଗରିକତା ସଂଶୋଧନ ଆଇନ (ସିଏଏ)। ସୋମବାର ଗୃହ ମନ୍ତ୍ରଣାଳୟ ନାଗରିକତ୍ୱ ସଂଶୋଧନ ଆଇନ ସମ୍ପର୍କିତ ବିଜ୍ଞପ୍ତି ଜାରି କରିଛି। ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ସିଏଏ ଲାଗୁ କରି ବିରୋଧିଙ୍କୁ ଜବରଦସ୍ତ ଝଟକା ଦେଇଛନ୍ତି। ଏନେଇ ଜାରି ହୋଇଥିବା ବିଜ୍ଞପ୍ତିରେ ସରକାର ସ୍ପଷ୍ଟ ଭାବେ କହିଛନ୍ତି ଯେ ସିଏଏ ନାଗରିକତା ନେଇଯିବ ନାହିଁ ବରଂ ପ୍ରଦାନ କରିବ।
ଗତ ୨୦୧୯ ଡିସେମ୍ବର ମାସରେ ସଂସଦରେ ନାଗରିକତା ସଂଶୋଧନ ଆଇନ ଅନୁମୋଦନ ହୋଇଥିଲା। ବର୍ତ୍ତମାନ ଏହି ଆଇନ କାର୍ଯ୍ୟକାରୀ ହୋଇଯିବା ପରେ ୨୦୧୫ ପୂର୍ବରୁ ପଡୋଶୀ ବାଂଲାଦେଶ, ପାକିସ୍ଥାନ ଏବଂ ଆଫଗାନିସ୍ତାନ ଭଳି ଦେଶରୁ ଭାରତ ପଳାଇ ଆସିଥିବା ଅଣ-ମୁସଲମାନ ପ୍ରବାସୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ। ଏହି ଆଇନ ସହ ଜଡ଼ିତ ନିୟମ ସମ୍ବନ୍ଧୀୟ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। ଏନେଇ ଏକ ଅନଲାଇନ୍ ପୋର୍ଟାଲ୍ ମଧ୍ୟ କରାଯାଇଛି। ସିଏଏ ଲାଗୁ ହେବା ପରେ ଅଣ-ମୁସଲମାନ ଶରଣାର୍ଥୀ ସହଜରେ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରିପାରିବେ। ଆବେଦନ କରିବାକୁ ହେଲେ ସେମାନଙ୍କୁ ଦସ୍ତାବିଜ ବିନା କେବେ ଭାରତ ଆସିଥିଲେ ସେହି ବର୍ଷ କହିବାକୁ ହେବ। ଏହା ବ୍ୟତୀତ ଅଣ-ମୁସଲମାନ ଶରଣାର୍ଥୀଙ୍କୁ ଅନ୍ୟ କୌଣସି ଦସ୍ତାବିଜ ଆବଶ୍ୟକତା ପଡିବ ନାହିଁ।
କିଛି ଦିନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ସିଏଏ କାର୍ଯ୍ୟକାରୀ ହେବ। ଏନେଇ ଗୃହମନ୍ତ୍ରୀ କହିଥିଲେ ଯେ ସିଏଏ ହେଉଛି ଦେଶର ଏକ ଆଇନ। ଯାହାକୁ ନିଶ୍ଚିତ ଭାବେ ଲାଗୁ କରାଯିବ। ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ ଲାଗୁ ହେବ। ଏହି ଆଇନକୁ ନେଇ କେହି ଦ୍ୱନ୍ଦ୍ୱରେ ରହିବା ଆବଶ୍ୟକ ନୁହେଁ।
Ministry of Home Affairs (MHA) has notify today, the Rules under the Citizenship (Amendment) Act, 2019 (CAA-2019). These rules, called the Citizenship (Amendment) Rules, 2024 will enable the persons eligible under CAA-2019 to apply for grant of Indian citizenship. The… pic.twitter.com/pbEsEqjk1B
— DD News (@DDNewslive) March 11, 2024
ମାର୍ଚ୍ଚ ୧୧ ତାରିଖ ସୋମବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନାଗରିକତା ସଂଶୋଧନ ଆଇନ ସମ୍ପର୍କିତ ସରକାରୀ ବିଜ୍ଞପ୍ତି ଜାରି କରାଯାଇ ସାରିଛି। ଯେତେବେଳେ ଏହି ବିଲ୍ ସଂସଦରେ ଆଗତ ହୋଇଥିଲା, ସେତେବେଳେ ଏହାକୁ ନେଇ ବହୁ ବିରୋଧ କରାଯାଇଥିଲା। ଗତ ୨୦୧୯ ଡିସେମ୍ବର ୧୧ ତାରିଖରେ ସିଏଏ ସଂସଦରେ ପାରିତ ହୋଇଥିଲା। ହେଲେ ବିଜ୍ଞପ୍ତି ପ୍ରକାଶିତ ହୋଇପାରିଲା ନାହିଁ। ଯେଉଁଥିରେ ୧୯୫୫ ନାଗରିକତା ଅଧିନିୟମରେ ସଂଶୋଧନ କରାଯାଇଥିଲା। ଯାହା ଦ୍ୱାରା ୨୦୧୬ ଡିସେମ୍ବର ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନ ଆଦି ପଡୋଶୀ ଦେଶରୁ ନିର୍ଯାତିତ ଭାରତ ପଳାଇ ଆସିଥିବା ସଂଖ୍ୟାଲଘୁ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ଧର୍ମର ଲୋକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ। ମୁସଲମାନ ନାଗରିକତା ସଂଶୋଧନ ଆଇନ ନିୟମରେ ଅନ୍ତର୍ଭୁକ୍ତ ହୋଇନାହାଁନ୍ତି। ଅଣ-ମୁସଲମାନ ଶରଣାର୍ଥୀଙ୍କୁ ୬ ବର୍ଷ ମଧ୍ୟରେ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ। ଏନେଇ ନାଗରିକତା ଆଇନରେ ହୋଇଥିବା ସଂଶୋଧନ ମାଧ୍ୟମରେ ଏହି ଶରଣାର୍ଥୀଙ୍କ ଦେଶୀକରଣ ପାଇଁ ବସବାସ କରିବାର ଆବଶ୍ୟକତା ୧୧ ବର୍ଷରୁ ୫ ବର୍ଷକୁ ହ୍ରାସ କରାଯାଇଥିଲା।
ପ୍ରଥମ ଥର ପାଇଁ କେବେ ଆଗତ ହୋଇଥିଲା ବିଲ୍?
ମୋଦି ସରକାର ପ୍ରଥମେ ଗତ ୨୦୧୬ ବର୍ଷରେ ଲୋକସଭାରେ ନାଗରିକତ୍ୱ ସଂଶୋଧନ ବିଲ୍ ଆଗତ କରିଥିଲେ। ଲୋକସଭାରେ ନାଗରିକତ୍ୱ ସଂଶୋଧନ ବିଲ୍ ପାରିତ ହୋଇଥିଲା। ହେଲେ ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ଅଭାବରୁ ପାରିତ ହୋଇ ପାରନଥିଲା ନାଗରିକତ୍ୱ ସଂଶୋଧନ ବିଲ୍। ପରେ ଏହାକୁ ସଂସଦୀୟ କମିଟି ନିକଟକୁ ପଠାଯାଇଥିଲା। ସେତେବେଳକୁ ୨୦୧୯ ଲୋକସଭା ନିର୍ବାଚନ ପହଞ୍ଚି ସାରିଥିଲା। ପୂର୍ବ ଅପେକ୍ଷା ମୋଦି ସରକାର ଅଧିକ ସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଫେରିଥିଲେ। ଗତ ୨୦୧୯ ଡିସେମ୍ବର ମାସରେ ଏହା ପୁଣି ଲୋକସଭାରେ ଉପସ୍ଥାପିତ ହୋଇଥିଲା। ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ପାରିତ ହୋଇଥିଲା ନାଗରିକତ୍ୱ ସଂଶୋଧନ ବିଲ୍। ଗତ ୨୦୨୦ ଜାନୁଆରୀ ୧୦ ତାରିଖରେ ରାଷ୍ଟ୍ରପତି ମଧ୍ୟ ଏହାକୁ ଅନୁମୋଦନ କରିଥିଲେ।