Vande Bharat Train: ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ଭାରତ-ଋଷିଆ ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ। ଏହି ସେମି ହାଇସ୍ପୀଡ଼ ଟ୍ରେନ ପାଇଁ ଦୁଇ ପାରମ୍ପରିକ ସହଯୋଗୀଙ୍କ ମଧ୍ୟରେ ଉପୁଜିଛି ବିବାଦ।
Trending Photos
Vande Bharat Express: ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ସେମି ହାଇସ୍ପୀଡ଼ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ ସମ୍ପର୍କରେ ଆସିଛି ବଡ଼ ଖବର। ବନ୍ଦେ ଭାରତ ଉତ୍ପାଦନ ସହ ଜଡିତ ମିଳିତ ଉଦ୍ୟୋଗରେ ଅଂଶଧନକୁ ନେଇ ଦୁଇ ପାରମ୍ପରିକ ସହଯୋଗୀ ଭାରତ-ଋଷିଆ ମଧ୍ୟରେ ଦେଖାଦେଇଛି ବିବାଦ। ଏହି ମିଳିତ ଉଦ୍ୟୋଗ ସହ ଜଡ଼ିତ ଭାରତୀୟ କମ୍ପାନୀ ଚାହୁଁଛି ଯେ ସେମାନଙ୍କ ଅଂଶ ଅଧିକ ହେଉ। ହେଲେ ଏପରି ପ୍ରସ୍ତାବକୁ ଗ୍ରହଣ ପାଇଁ ରାଜି ହୋଇନାହିଁ ଋଷୀୟ କମ୍ପାନୀ। ଯାହାକୁ ନେଇ ଦୁଇ ପାରମ୍ପରିକ ସହଯୋଗୀଙ୍କ ମଧ୍ୟରେ ଉପୁଜିଛି ବିବାଦ।
ଆସନ୍ତା ୩୫ ବର୍ଷ ପାଇଁ ୧୨୦ ନୂତନ ବନ୍ଦେ ଭାରତ ଟ୍ରେନ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଉଭୟ ଭାରତ-ଋଷିଆ କମ୍ପାନୀ ଅଛନ୍ତି। ଏହି ପ୍ରକଳ୍ପ ପାଇଁ ଏକ ମିଳିତ ଉଦ୍ୟୋଗ ଗଠନ କରାଯାଇଛି। ଯେଉଁଥିପାଇଁ ମୋଟ ୩୦ ହଜାର କୋଟି ଟଙ୍କା ମୂଲ୍ୟର ଚୁକ୍ତି ହୋଇଛି।
ଟ୍ରାନ୍ସମାଶୋଲଡିଂ (Transmashholding) ହେଉଛି ଋଷିଆର ସବୁଠାରୁ ବଡ ପରିବହନ ଇଞ୍ଜିନିୟରିଂ କମ୍ପାନୀ। ମେଟ୍ରୋୱାଗନମାଶ୍ (Metrowagonmash) ହେଉଛି ଏହାର ଏକ ଅଂଶ। ଏହି କମ୍ପାନୀ ରେଳବାଇ ପାଇଁ ରୋଲିଂ ଷ୍ଟକ୍ ବିକଶିତ, ଉତ୍ପାଦନ ଏବଂ ଡିଜାଇନ୍ କରିଥାଏ। ଯିଏ ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ରେଳ ବିକାଶ ନିଗମ ଲିମିଟେଡ୍ ସହିତ ଏହା ୧୨୦ ବନ୍ଦେ ଭାରତ ଏକ୍ସପ୍ରେସ ଉତ୍ପାଦନ ପାଇଁ ଚୁକ୍ତି କରିଛି।
Also Read: ବନ୍ଦେ ଭାରତ ଟ୍ରେନ ଉପରେ ବ୍ରେକ ଲଗାଇଲା ୟୁକ୍ରେନ
କ'ଣ ରହିଛି ରେଳ ବିକାଶ ନିଗମ ଦାବି
ମିଡିଆ ରିପୋର୍ଟ ଅନୁଯାୟୀ, ଏହି ମିଳିତ ଉଦ୍ୟୋଗରେ ରେଳ ବିକାଶ ନିଗମର ୨୬ ଏବଂ ମେଟ୍ରୋୱାଗନମାଶ୍ ସଂସ୍ଥାର ୮୦ ପ୍ରତିଶତ ଅଂଶଧନ ରହିଛି। ରେଳ ବିକାଶ ନିଗମ ଦାବି କରିଛି ଯେ ଏହି ମିଳିତ ଉଦ୍ୟୋଗରେ ସଂସ୍ଥାକୁ ୬୯ ପ୍ରତିଶତ ଅଂଶଧନ ଦିଆଯାଉ। ଅନ୍ୟପଟେ ମେଟ୍ରୋୱାଗନମାଶ୍ ଅଂଶଧନ ୨୬ ପ୍ରତିଶତକୁ ହ୍ରାସ କରାଯାଉ। ଅନ୍ୟପକ୍ଷରେ ଲୋକୋମୋଟିଭ୍ ଇଲେକ୍ଟ୍ରୋନିକ୍ ସିଷ୍ଟମ୍ () ସଂସ୍ଥାକୁ ୫ ପ୍ରତିଶତ ଅଂଶ ପ୍ରଦାନ କରାଯିବା ଆବଶ୍ୟକ।
ରେଳ ବିକାଶ ନିଗମ ଗତ ୨୫ ଅପ୍ରେଲରେ ଋଷୀୟ କମ୍ପାନୀ ପାଖକୁ ଏକ ଚିଠି ଲେଖିଥିଲା। ଯେଉଁଥିରେ କୁହାଯାଇଥିଲା ଯେ କିନେଟ ରେଳ ସଲ୍ୟୁସନ୍ ଲିମିଟେଡ୍ (Kinet Railway Solutions Limited) ନାମକ ଏକ ସଂସ୍ଥାକୁ ନିଜର ଅଂଶଧନ କରିଛି। ଚିଠିରେ ଋଷୀ କମ୍ପାନୀ ଉଦ୍ଦେଶ୍ୟରେ କୁହାଯାଇଥିଲା ଯେ କମ୍ପାନୀ ଏକ ସ୍ୱତନ୍ତ୍ର ସଂସ୍ଥା ଭାବରେ କାମ କରିବ। ଯାହା ରେଳ ମନ୍ତ୍ରଣାଳୟ ସହ ଉତ୍ପାଦନ ସହିତ ରକ୍ଷଣାବେକ୍ଷଣ ଚୁକ୍ତି ପ୍ରକଳ୍ପ ଉପରେ କାର୍ଯ୍ୟ କରିବ।
ରେଳ ବିକାଶ ନିଗମ ହେଉଛି ଏକ ସରକାରୀ କମ୍ପାନୀ। ଯେଉଁଥିପାଇଁ ଏହାକୁ ଶୀଘ୍ର ସରକାରୀ କ୍ଲିୟରାନ୍ସ ମିଳିଯିବ। ଏହା ବ୍ୟତୀତ ଏହି କମ୍ପାନୀ ରେଳ ନିର୍ମାଣ ପ୍ରକଳ୍ପରେ ଶ୍ରମିକ ନିଯୁକ୍ତି ଭଳି ସମସ୍ୟାର ମଧ୍ୟ ମୁକାବିଲା କରିପାରିବ। ଚିଠିରେ ଏହା ମଧ୍ୟ କୁହାଯାଇଛି ଯେ ସରକାରୀ ଆର୍ଥିକ ପ୍ରତିଷ୍ଠାନ ସହିତ ରେଳ ବିକାଶ ନିଗମର ଭଲ ସମ୍ପର୍କ ଅଛି। ଯାହା ଫଳରେ କମ୍ପାନୀ ସ୍ଥାନୀୟ ବଜାରରେ ସ୍ୱଳ୍ପ ହାରରେ ପାଣ୍ଠି ସଂଗ୍ରହ କରିପାରିବ।
ରେଳ ବିକାଶ ନିଗମ ଅଂଶଧନ ବୃଦ୍ଧିକୁ ବିରୋଧ କରୁଛି ଋଷୀୟ କମ୍ପାନୀ
ରେଳ ବିକାଶ ନିଗମ ପକ୍ଷରୁ ଅଂଶଧନ ବୃଦ୍ଧି କରିବାକୁ ନେଇ ଦିଆଯାଇଥିବା ପ୍ରସ୍ତାବକୁ ବିରୋଧ କରୁଛି ଟ୍ରାନ୍ସମାଶୋଲଡିଂ। ଏପରିକି ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ହସ୍ତକ୍ଷେପ ଦାବି କରିଥିଲା ଋଷୀୟ କମ୍ପାନୀ। ଏନେଇ ଗତ ମେ ୮ ତାରିଖରେ ଋଷୀୟ ବାଣିଜ୍ୟ ପ୍ରତିନିଧି ଭାରତ ସରକାରଙ୍କୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ରେଳ ବିକାଶ ନିଗମକୁ ଏହାର ମୂଳ ଚୁକ୍ତିନାମାକୁ ପାଳନ କରିବାକୁ ନିର୍ଦ୍ଦେଶ ଦେବାକୁ କୁହାଯାଇଥିଲା। ବର୍ତ୍ତମାନ ଉଭୟ ପାରମ୍ପରିକ ସହଯୋଗୀ ଋଷିଆ-ଭାରତ ଏହି ସମସ୍ୟାର ସମାଧାନ କରିବା ନେଇ ଆଶା କରାଯାଉଛି।