Shiv Vivah : ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ, ମନ୍ଦିର ପ୍ରଶାସନ-ସେବାୟତ ମୁହାଁମୁହିଁ
Advertisement
Article Detail0/zeeodisha/odisha1207874

Shiv Vivah : ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ, ମନ୍ଦିର ପ୍ରଶାସନ-ସେବାୟତ ମୁହାଁମୁହିଁ

ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ମଧ୍ୟ‌ରେ ବିବାଦ ଲାଗି ରହିଥିବା କାରଣରୁ ଶୀତଳ ଷଷ୍ଠୀ ଭଳି ଠାକୁରଙ୍କ ନୀତି ବନ୍ଦ ହୋଇଯାଇଛି । ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟ‌ରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । 

ସୌ- ସୋସିଆଲ ମିଡିଆ

ଭୁବନେଶ୍ୱର: ଆଜି ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ବିବାହ ଉତ୍ସବ । ପରମ୍ପରା ଅନୁସାରେ ଦେବ ଦମ୍ପତ୍ତିଙ୍କ ବିବାହ ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି । ସେପଟେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ କିନ୍ତୁ ବିଭ୍ରାଟ ଦେଖାଦେଇଛି । ମନ୍ଦିର ପ୍ରଶାସନର ଅବହେଳାକୁ ଜୋରଦାର ବିରୋଧ କରି ସେବାୟତମାନେ ଅସହଯୋଗ କରିଛନ୍ତି । ଏପରିକି ମଙ୍ଗଳକୃତ୍ୟ ବିଧି ମଧ୍ୟ ସମ୍ପନ୍ନ ହୋଇପାରିନାହିଁ । ଶୁକ୍ରବାର ସାରା ଦିନ ମନ୍ଦିର ନୀତିରେ ବିଭ୍ରାଟ ଦେଖାଦେଇଥିଲା । ଆଜି ମଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି ।

ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ମଧ୍ୟ‌ରେ ବିବାଦ ଲାଗି ରହିଥିବା କାରଣରୁ ଶୀତଳ ଷଷ୍ଠୀ ଭଳି ଠାକୁରଙ୍କ ନୀତି ବନ୍ଦ ହୋଇଯାଇଛି । ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟ‌ରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତେବେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଥିବା ବୈଠକରେ ଏହି ସମସ୍ୟାର ସମାଧାନ ବାଟ କଢ଼ାଯିବା ନେଇ ଆଶା ପ୍ରକାଶ କରାଯାଇଛି । ଶୁକ୍ରବାର ଠାରୁ ମନ୍ଦିର ପ୍ରଶାସନକୁ ଚେତାଇବାକୁ ଯାଇ ମଙ୍ଗଳ ଆଳତୀ ଠାରୁ ସେବାୟତ ନିଯୋଗ ନୀତିକାନ୍ତି ବନ୍ଦ ରଖିଛନ୍ତି । 

Also Read: କିମିଆ କଲା କାଳିଆ! ଜଗତପୁରରେ ନିର୍ମାଣ ହେବ ଭବ୍ୟ ଜଗନ୍ନାଥ ମନ୍ଦିର

ସେବାୟତଙ୍କ ଦ୍ୱାରା ପ୍ରତୀକାତ୍ମକ ଅସହଯୋଗ କରାଯାଇ ୨ ଘଣ୍ଟା ନୀତି ବନ୍ଦ କରାଯିବା ପରେ ପୁଣି ନୀତି ସ୍ୱାଭାବିକ ହୋଇଥିଲା । ତେବେ ଏସବୁ ଭିତରେ ମନ୍ଦିର ପ୍ରଶାସନ ସମାଧାନର ରାସ୍ତା ବାହାର କରିନଥିଲା । ସନ୍ଧ୍ୟାରେ ପୁଣି ସେବାୟତ ନିଯୋଗ ପକ୍ଷରୁ ନୀତିକାନ୍ତି ବନ୍ଦ ରଖାଯାଇଥିଲା । ମନ୍ଦିରର ଦୁଇ ପ୍ରମୁଖ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପୂର୍ବରୁ ଏନେଇ ଚେତାବନୀ ଦେଇଥିଲେ ମଧ୍ୟ ପ୍ରଶାସନ ପଦକ୍ଷେପ ନେଇନଥିଲା । 

ମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ବୈଠକରେ ବ୍ରାହ୍ମଣ ନିଯୋଗ ଏବଂ ପୂଜାପଣ୍ଡା ନିଯୋଗ ଶୀତଳ ଷଷ୍ଠୀ ଯାତ୍ରାରେ ସହଯୋଗ କରିବେ ନାହିଁ ବୋଲି ରୋକଠୋକ୍ କହିଥିଲେ । ହେଲେ ପ୍ରଶାସନ ସେମାନଙ୍କର ଏଭଳି ଚେତାବନୀକୁ ହାଲୁକା ଭାବେ ଗ୍ରହଣ କରିବାରୁ ସ୍ଥିତି ବିଗିଡ଼ି ଯାଇଛି । ତେଣୁ ନୀତିରେ ଅସହଯୋଗ କରାଗଲା ବୋଲି ନିଯୋଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । 

ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ କୌଣସି କଥା ଗ୍ରହଣ କରାଯାଉନି । ତେଣୁ ଏହାକୁ ବିରୋଧ କରି ଅସହଯୋଗ ଭଳି ବିଭ୍ରାଟ ଦେଖାଦେଇଛି । ଗୋଟିଏ ପରମ୍ପରା ତ ଅନ୍ୟପଟେ ବିବାଦ । ଏଭଳି ସ୍ଥିତିରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି ଯାହାକୁ ନେଇ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।