ଲକ୍ଷ୍ମୀ ବସର ରଙ୍ଗ ଓ ନାମ ବଦଳିକୁ ବିରୋଧ, ରାଜରାସ୍ତାକୁ ଓହ୍ଲାଇବ କହିଲା ବିଜେଡି
Advertisement
Article Detail0/zeeodisha/odisha2324468

ଲକ୍ଷ୍ମୀ ବସର ରଙ୍ଗ ଓ ନାମ ବଦଳିକୁ ବିରୋଧ, ରାଜରାସ୍ତାକୁ ଓହ୍ଲାଇବ କହିଲା ବିଜେଡି

Bjd: ନିର୍ବାଚନ ପୂର୍ବରୁ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରୁ, କିଛି ନୂଆ ଯୋଜନା କରି ଲୋକଙ୍କ ପ୍ରଶଂସା ଭାଜନ ହୁଅନ୍ତୁ ସରକାର। ରଙ୍ଗ ବଦଳାଇ ନିଜର ପ୍ରଚାର କରନ୍ତୁ ନାହିଁ ବୋଲି କହିଛି ବିଜେଡି।

ଲକ୍ଷ୍ମୀ ବସର ରଙ୍ଗ ଓ ନାମ ବଦଳିକୁ ବିରୋଧ, ରାଜରାସ୍ତାକୁ ଓହ୍ଲାଇବ କହିଲା ବିଜେଡି

ଭୁବନେଶ୍ଵର: ନୂଆ ସରକାର ତତ୍କାଳୀନ ସରକାରର ଯୋଜନା ଗୁଡ଼ିକ ବନ୍ଦ କରିନାହାନ୍ତି। କିନ୍ତୁ କିଛି ଯୋଜନାର ନାମ ଏବଂ ରଙ୍ଗ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଏହାକୁ ବିରୋଧ କରିଛି ପୂର୍ବତନ ବିରୋଧୀ ଦଳ ବିଜେଡି। ମୋହନ ସରକାରର ଏ ନିଷ୍ପତ୍ତିକୁ ବିରୋଧ କରି ଆଗାମୀ ଦିନରେ ରାଜରାସ୍ତାକୁ ବିଜେଡି ଓହ୍ଲାଇବ। ଏ ନେଇ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଓ ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି। 

ସମ୍ମିଳନୀରେ କହିଛନ୍ତି ଯେ, ବିଜେଡି ଯୋଜନାରେ ନୂଆ ରଙ୍ଗ ଦେଇ ବିଜେପି ନାଁ ନନେଉ ବୋଲି କହିଛି ବିଜେଡି। ନିର୍ବାଚନ ପୂର୍ବରୁ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରୁ, କିଛି ନୂଆ ଯୋଜନା କରି ଲୋକଙ୍କ ପ୍ରଶଂସା ଭାଜନ ହୁଅନ୍ତୁ ସରକାର। ରଙ୍ଗ ବଦଳାଇ ନିଜର ପ୍ରଚାର କରନ୍ତୁ ନାହିଁ ବୋଲି କହିଛି ବିଜେଡି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସ ଯୋଜନା କରିଥିଲେ। ବ୍ଲକରୁ ହେଡ଼କ୍ୱାର୍ଟରରେ କମ ଦାମରେ ଲୋକଙ୍କୁ ବସ ସେବା ଯୋଗାଇ ଦିଆଯାଉଥିଲା। ଏବେ ଲକ୍ଷ୍ମୀ ବସ ଯୋଜନାର ନାଁ ଓ ରଙ୍ଗ ପରିବର୍ତ୍ତନ କରିବାରୁ ପ୍ରମାଣିତ ହେଉଛି କିଛି ନୂଆ ଯୋଜନା କି ସେବା କରୁ ନାହାନ୍ତି ନୂଆ ସରକାର। 

ବିଜେଡି ଯୋଜନାରେ ରଙ୍ଗ ଲଗାଇ କି ଛପା ଲଗାଇଲେ ସଫଳ ହେବେନି। କିଛି ନୂଆ କରି ଲୋକଙ୍କ ଆଶା ଭରସା ପୂରଣ କରନ୍ତୁ କେଉଁ ନିଷ୍ପତିରେ ନାଁ ଓ ରଙ୍ଗ ଓ ଫଟୋ ବଦଳା ଗଲା, ତା ଜବାବ ଦିଅନ୍ତୁ ବିଜେପି ସରକାର ବୋଲି ବିଜେଡି ଦାବି କରିଛି। ଯଦି ଏପରି କରିବାର ଅଛି, ତେବେ ସିଧା ସିଧା ଲୋକଙ୍କୁ ସେହି କଥା କହି ଦିଅନ୍ତୁ ବଜେଟର କଣ କରୁଛନ୍ତି ସରକାର, ତାହା ଦେଖୁବୁ ପ୍ରତିଶ୍ରୁତି ପୂରଣ ନ ହେଲେ ବିଜେଡି ରାଜରାସ୍ତାକୁ ଆସିବ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ। 

ସେହିପରି ତତ୍କାଳୀନ ସରକାରରେ କାନ୍ଥ ବାଡ଼ଠୁ ଆରମ୍ଭ କରି ସ୍କୁଲ, ବ୍ରିଜ ଏବଂ ସରକାରୀ ଯୋଜାନର ରଙ୍ଗ ସବୁଜ ହୋଇଥିଲା। ଯାହାକି ବିଜୁ ଜନତା ଦଳର ଦଳୀୟ ଚିହ୍ନର ରଙ୍ଗ। ସେତେବେଳେ ବିଜେପି ଏହାକୁ ବିରୋଧ କରିଥିଲା। ଏବେ ସରକାର ବଦଳିବା ପରେ ବିଜେପି ମଧ୍ୟ ଗେରୁଆ ରଙ୍ଗ ଆଡ଼କୁ ସରକାରୀ ଯୋଜନାର ରଙ୍ଗ ବଦଳାଇବାକୁ ଯୋଜନା କରୁଥିବା ସୂଚନା ରହିଛି।