Khordha: ଦୂଷିତ-ଅପମିଶ୍ରିତ ଖାଦ୍ୟ ବିକ୍ରି ଅଭିଯୋଗ, ବହୁଲୋକ ରୋଗାକ୍ରାନ୍ତ!
Advertisement
Article Detail0/zeeodisha/odisha1641738

Khordha: ଦୂଷିତ-ଅପମିଶ୍ରିତ ଖାଦ୍ୟ ବିକ୍ରି ଅଭିଯୋଗ, ବହୁଲୋକ ରୋଗାକ୍ରାନ୍ତ!

Khordha News: ଖୋର୍ଦ୍ଧା ସହରରେ ଜଳଖିଆ ଦୋକାନୀଙ୍କ ଠାରୁ ଆରମ୍ଭ କରି ରାସ୍ତା କଡ଼ର ଠେଲାଗାଡ଼ି, ଏପରିକି ହୋଟେଲ ଠାରେ ଦୂଷିତ ପରିବେଶରେ ଅପମିଶ୍ରିତ ଖାଦ୍ୟପଦାର୍ଥ ବିନା ଦ୍ୱିଧାରେ ବିକ୍ରିବଟା ଚାଲିଛି। ପାଟିକୁ ସୁଆଦିଆ ଲାଗୁଥିବା ଏହି ଖାଦ୍ୟ ପଦାର୍ଥ ଖାଇ ଲୋକ ଅନେକ ରୋଗକୁ ଆମନ୍ତ୍ରଣ କରିବା ଛଡ଼ା ଅନ୍ୟ ଉପାୟ ନଥିବା ଦେଖାଯାଉଛି। 

 

Khordha: ଦୂଷିତ-ଅପମିଶ୍ରିତ ଖାଦ୍ୟ ବିକ୍ରି ଅଭିଯୋଗ, ବହୁଲୋକ ରୋଗାକ୍ରାନ୍ତ!

Contaminated Food Selling Allegations: ଖୋର୍ଦ୍ଧା ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ଦୂଷିତ ତଥା ଅପମିଶ୍ରିତ ଖାଦ୍ୟପଦାର୍ଥ ବିକ୍ରି ହେଉଥିବା କୁହାଯାଉଛି। ହେଲେ ଏହାକୁ ରୋକିବାକୁ ଜିଲ୍ଲା ପ୍ରଶାସନ କିମ୍ବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ତିଳେମାତ୍ର ଚିନ୍ତା ନାହିଁ। ଏଭଳି ଖାଦ୍ୟ ଖାଇ ବହୁଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଦେଖାଦେଇଛି। କେବଳ ସେତିକି ନୁହେଁ ଦୂଷିତ ଖାଦ୍ୟ ସହିତ ବାସୀ ଖାଦ୍ୟ, ପୋଡ଼ା ତେଲରେ ଛଣାଯାଇ ବିଭିନ୍ନ ପ୍ରକାର ଜଳଖିଆ, ମିଠା ସାମଗ୍ରୀ ସାମଗ୍ରୀ ମଧ୍ୟ ବିକ୍ରୟ ହେଉଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖିବାକୁ ମିଳୁଛି।

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଅଧିନରେ କୌଣସି ସ୍ଥାୟୀ ଫୁଡ଼ ଇନସ୍‌ପେକ୍ଟର ନାହାଁନ୍ତି। ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ଫୁଡସେଲ ଠାରେ ଥିବା ଜନୈକ କର୍ମଚାରୀକୁ ଖୋର୍ଦ୍ଧା ଜିଲ୍ଲାରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହି କର୍ମଚାରୀଙ୍କୁ ମଧ୍ୟ ବିଭିନ୍ନ ସ୍ଥାନକୁ ପଠାଯାଉଥିବାରୁ ଖୋର୍ଦ୍ଧା ଜିଲ୍ଲାରେ ବସ୍ତୁତଃ ଫୁଡ଼ ଇନିସପେକ୍ଟର ପଦବୀ ସାମୟିକ ଭାବରେ ଖାଲି ପଡ଼ିଛି। ଯାହା ଫଳରେ ଖୋର୍ଦ୍ଧା ସହରରେ ଜଳଖିଆ ଦୋକାନୀଙ୍କ ଠାରୁ ଆରମ୍ଭ କରି ରାସ୍ତା କଡ଼ର ଠେଲାଗାଡ଼ି, ଏପରିକି ହୋଟେଲ ଠାରେ ଦୂଷିତ ପରିବେଶରେ ଅପମିଶ୍ରିତ ଖାଦ୍ୟପଦାର୍ଥ ବିନା ଦ୍ୱିଧାରେ ବିକ୍ରିବଟା ଚାଲିଛି। ପାଟିକୁ ସୁଆଦିଆ ଲାଗୁଥିବା ଏହି ଖାଦ୍ୟ ପଦାର୍ଥ ଖାଇ ଲୋକ ଅନେକ ରୋଗକୁ ଆମନ୍ତ୍ରଣ କରିବା ଛଡ଼ା ଅନ୍ୟ ଉପାୟ ନଥିବା ଦେଖାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ, ଖାଦ୍ୟ ନିରୀକ୍ଷକଙ୍କୁ ଏହି ଦୂଷିତ ଏବଂ ଅପମିଶ୍ରିତ ଖାଦ୍ୟର ନମୁନା ସଂଗ୍ରହ ପାଇଁ ନିର୍ଦ୍ଧିଷ୍ଟ ଭାବରେ କୁଆଡ଼େ ମନା କରାଯାଇଥିବା ବିଶେଷଃ ସୁତ୍ରରୁ ଜଣାଯାଇଛି। 

କାରଣ ସମ୍ପର୍କରେ ଅନୁସନ୍ଧାନ କରିବାରୁ ଜଣାପଡ଼ିଛି ଯେ, ରାଜ୍ୟ ଜନସ୍ୱାସ୍ଥ୍ୟ ଗବେଷଣାଗାରରେ ପବ୍ଲିକ୍ ଆନାଲିସିଷ୍ଟ ପଦବୀରେ କିଏ ଅଛନ୍ତି, କ'ଣ କରୁଛନ୍ତି, ତାହା ଜଣାପଡ଼ୁନାହିଁ। ଯାହା ଫଳରେ ସଂଗ୍ରହ ହେଉଥିବା ନମୁନା ପରୀକ୍ଷା ହେଉଛି ନାଁ ନାହିଁ ତାହା ଜଣାପଡ଼ୁନାହିଁ। କୌଣସି ଦୋକାନରେ ଖାଦ୍ୟ ପଦାର୍ଥ ଯାଞ୍ଚ କରିବା ଦୂରର କଥା, ନମୁନା ସଂଗ୍ରହ କରିବା କଥା ପଚାରୁଛି କିଏ? ଖୋର୍ଦ୍ଧା ସହରରେ ପ୍ରଥମତଃ ରାସ୍ତା କଡ଼ର ଦୂଷିତ ପରିବେଶରେ ଠେଲାଗାଡ଼ିରେ ଖାଦ୍ୟପଦାର୍ଥ ବିକ୍ରି ବହୁଳ ଭାବେ ହେଉଛି। କିଏ ଡ୍ରେନ ଉପରେ ଠିକା କରି ଦୂଷିତ ଖାଦ୍ୟ ବିକ୍ରି କରୁଛି, ଆଉ କିଏ ଦୂଷିତ ପାଣି ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କରୁଛି। ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ତେଲ, ବେସନ, ମଇଦା ଆଦି ନିକୃଷ୍ଟ ମାନର ହୋଇଥିବା ବେଳେ, ଭଣ ଭଣ ମାଛି ବସି ଖାଦ୍ୟକୁ ଆହୁରି ଦୂଷିତ କରିପକାଉଛନ୍ତି। 

ସେହି ପ୍ରସ୍ତୁତ ଖାଦ୍ୟକୁ ଦୋକାନୀ ଲୋକଙ୍କୁ ବିକ୍ରି କରି ବେଶ ଦୁଇ ପଇସା ଅର୍ଜନ କରୁଛନ୍ତି। କେତେକ ସ୍ଥାନରେ ରାସ୍ତାର ଧୂଳି ଜଳଖିଆ ଦୋକାନୀଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟପଦାର୍ଥ ଉପରେ ଆସ୍ତର ହୋଇ ଜମିଯାଉଥିବା ବେଳେ, ଗୋଟିଏ ଗୋଟିଏ ପାଣିକୁଣ୍ଡ ରଖି ବାରମ୍ବାର ଅଁଇଠା ବାସନ ଧୂଆ ଯାଉଥିବାର ଦେଖାଯାଉଛି। ବିଶେଷ କରି ବସଷ୍ଟାଣ୍ଡ ନିକଟରେ ରହିଥିବା ଦୋକାନୀରେ ଏହା ଦେଖିବାକୁ ମିଳୁଛି। ସେହିପରି ଫାଷ୍ଟଫୁଡ଼ ଦୋକାନରେ ଅପମିଶ୍ରିତ ଖାଦ୍ୟ ବିକ୍ରି କରି ଲୋକଙ୍କୁ ରୋଗ ମୁହଁକୁ ଠେଲି ଦିଆଯାଉଛି। ଅନୁରୂପ ଭାବରେ ଜଳଖିଆ ଦୋକାନରେ ଅପମିଶ୍ରିତ ଛେନା, ନିକୃଷ୍ଟ ମାନ ବେସର ବ୍ୟବହାର ମଧ୍ୟ କିଛି କମ୍ ହେଉନାହିଁ।

ସେହିଭଲି ହୋଟେଲରେ ନିମ୍ନମାନର ପନିପରିବା, ତେଲ ମସଲା ଦ୍ୱାରା ପ୍ରସ୍ତୁତ ଖାଦ୍ୟପଦାର୍ଥ ଖୁଲମଖୁଲା ବିକ୍ରି ଚାଲିଛି। ଏପରିକି ବିଭିନ୍ନ ଖାଦ୍ୟରେ ରଙ୍ଗ ମିଶାଯାଇ ତରକାରୀକୁ ଲାଲ କରାଯାଉଛି। ବିଶେଷ କରି ବର୍ଷା ଦିନେ ଏଭଳି ଖାଦ୍ୟ ପଦାର୍ଥ ଖାଇ ବହୁ ଲୋକ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ବହୁ ମିଠା ଦୋକାନରେ ବାସି ମିଠା ବିକ୍ରି ହେଉଥିବାର ଦେଖାଯାଉଛି। ଯାହାକୁ ନେଇ ଖୋର୍ଦ୍ଧା ସହରରେ ଦିନକୁ ଦିନ ପେଟରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଜିଲ୍ଳା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାରମ୍ବାର ଏଭଳି ଖାଦ୍ୟ ପଦାର୍ଥ ବିକ୍ରି କରୁଥିବା ଦୋକାନରେ ଚଢାଉ କରାଗଲେ ଖାଦ୍ୟର ମାନ ବୃଦ୍ଧି ପାଆନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି।