khordha news: ବିଗତ ୨୨ ବର୍ଷ ଧରି ସୋଲଫୁଲ ଯୋଗାଇ ଆସୁଥିବା ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହିର ରାଜ କିଶୋରଙ୍କ ପରିବାର । ଚଳିତ ବର୍ଷ ମଧ୍ୟ ଏହି ପରିବାର ସୋଲଫୁଲ ଯୋଗାଇବା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । ରଥଯାତ୍ରାକୁ ଦୃଷ୍ଟିରେ ରଥି ପରିବାରର ସମସ୍ତ ସଦସ୍ୟ ଲାଗି ପଡିଛନ୍ତି ଫୁଲ ତିଆରିରେ ।
Trending Photos
khordha news: ମାତ୍ର ଏକ ମାସ ପରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା (Rath yatra 2023) । ସେଥିପାଇଁ ତ ରଥଠାରୁ ଆରମ୍ଭ କରି ପଥ ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ସେବାୟତ। କାରଣ ବର୍ଷକ ପରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ତରେ ବିଜେ କରିବେ ବଡ଼ ଠାକୁର । ତେବେ ଏନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ସେପଟେ ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ମଧ୍ୟ ଘନଘନ ବୈଠକ କରି ରଥଯାତ୍ରା ନେଇ ସମସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରୁଛନ୍ତି । ତେବେ ଘୋଷଯାତ୍ରା ଅବସରରେ ତିନି ରଥକୁ ଅଧିକ ସୁନ୍ଦର କରିବା ପାଇଁ ବିଗତ ୨୨ ବର୍ଷ ଧରି ସୋଲଫୁଲ ଯୋଗାଇ ଆସୁଥିବା ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହିର ରାଜ କିଶୋରଙ୍କ ପରିବାର । ଚଳିତ ବର୍ଷ ମଧ୍ୟ ଏହି ପରିବାର ସୋଲଫୁଲ ଯୋଗାଇବା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । ରଥଯାତ୍ରାକୁ ଦୃଷ୍ଟିରେ ରଥି ପରିବାରର ସମସ୍ତ ସଦସ୍ୟ ଲାଗି ପଡିଛନ୍ତି ଫୁଲ ତିଆରିରେ । ଦାସିଆ ବାଉରୀ ଠାରୁ ନଡିଆ ଗ୍ରହଣ କରିଥିବା ଏହି ଭୋଇ ପରିବାରଠାରୁ ସୋଲଫୁଲ ଗ୍ରହଣ କରି ପ୍ରଭୁ ଜଗନ୍ନାଥ ଜାତିପ୍ରଥା ଠାରୁ ବହୁ ଉର୍ଦ୍ଧରେ ବୋଲି ପ୍ରମାଣିତ କରିଛନ୍ତି ।
ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହିର ରାଜ କିଶୋର ଓ ବୀର କିଶେୋରଙ୍କ ପରିବାର ଏବେ ଲାଗି ପଡ଼ିଛନ୍ତି ଭଳିକି ଭଳି ସେବତୀ, କଦମ୍ବ ଓ ସୂର୍ଯ୍ୟମୁଖୀ ଫୁଲ ତିଆରି କରିବାରେ । ମନରେ ଉତ୍କଣ୍ଠା ଓ ଭକ୍ତି ନେଇ ପରିବାରର ସମସ୍ତ ସଦସ୍ୟ ଏହି କାମ କରିଥାଆନ୍ତି । ଆଉ ଅପେକ୍ଷା ଥାଏ କେତେବେଳେ ଆସିବ ନେତ୍ରୋତ୍ସବ ଆଉ ସେମାନଙ୍କ ହାତ ତିଆରି ସୋଲଫୁଲ ଲାଗି ହେବ ମହାପ୍ରଭୁଙ୍କ ରଥରେ । ୨୦୦୧ ମସିହାରେ ହାତ ତିଆରି ସୋଲଫୁଲ ରଥରେ ଲାଗି କରିବା ନେଇ ମନ୍ଦିର ପ୍ରଶାସନର ଅନୁମତି ଲୋଡିଥିଲା ଏହି ପରିବାର । ମନ୍ଦିର ପ୍ରଶାସନର ଅନୁମତି ମିଳିବା ପରଠାରୁ ପ୍ରତିବର୍ଷ ତିନି ରଥ ପାଇଁ ନିରବଛିନ୍ନ ସୋଲ ଫୁଲ ଯୋଗାଇ ଆସୁଛନ୍ତି ଏହି ପରିବାର । ଅକ୍ଷୟତୃତୀୟା ଠାରୁ ପରିବାରର ପିଲାଠୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ସଭିଁଏ ନିଷ୍ଠା ଓ ଭକ୍ତିର ସହ ଫୁଲ ତିଆରିରେ ଲାଗିପଡିଥାନ୍ତି । ଫୁଲ ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା ସୋଲକୁ ପୁରୀ, ନିମାପଡ଼ା, କାକଟପୁର, ବାଙ୍କୀ, ପିପିଲି, ଗୋପ ଓ କଣାସ ଆଦି ଅଂଚଳରୁ ସଂଗ୍ରହ କରିଥାନ୍ତି । ସେଗୁଡ଼ିକ ଶୁଖାଇ ଆବଶ୍ୟକ ଅନୁସାରେ କାଟି ସେଥିରୁ ଜୀବନ୍ତ ଭାବେ ଫୁଟାଇଥାନ୍ତି ସୁନ୍ଦର ସୁନ୍ଦର ସେବତୀ, କଦମ୍ବ ଓ ସୂର୍ଯ୍ୟମୁଖୀ ଫୁଲ । ପରିବାରର ସଦସ୍ୟମାନେ ନୂଆ ଲୁଗା ପିନ୍ଧି ଅତି ପବିତ୍ର ଓ ନିଷ୍ଠାର ସହ ଏହି କାମ କରିଥାନ୍ତି । କୌଣସି ରାସାୟନିକ ରଙ୍ଗ ବିନା କେବଳ ଚୁମୁକି ଓ ମୀନା ବ୍ୟବହାର କରି ଏହି ଫୁଲ ଗୁଡିକୁ ଅଧିକ ଆକର୍ଷଣୀୟ କରିଥାନ୍ତି ଏହି କାରିଗର । ଆଉ ଏହି ପରିବାରକୁ କାର୍ଯ୍ୟରେ ସହଯୋଗ କରିଥାନ୍ତି ପାଖ ପଡ଼ୋଶୀ । ସେମାନେ ମଧ୍ୟ ଏହି ପରିବାର ମାଧ୍ୟମରେ ଜଗନ୍ନାଥ ସେବା କରିବାର ସୁଯୋଗ ପାଉଥିବାରୁ ବେଶ ଖୁସି ଥିବା କହିଛନ୍ତି ।
Also Read-Odisha News: ଝାରପଡ଼ା ଜେଲରେ ଜଗବନ୍ଧୁଙ୍କ ଲାଗି ସାବିତ୍ରୀ ପାଳିଲେ ଅର୍ଚ୍ଚନା ନାଗ
ଜଗତର ନାଥ ଜଗନ୍ନାଥଙ୍କ ସେବାର ସୁଯୋଗ ସମସ୍ତଙ୍କୁ ମିଳିନଥାଏ । ତେବେ ଗୁରୁଜଙ୍ଗର (Gurujanga) ଏହି ଭୋଇ ପରିବାର ବିନା ପାରିଶ୍ରମିକରେ ମହାପ୍ରଭୁଙ୍କୁ ସେବା କରିବାର ସୁଯୋଗ ପାଇ ବେଶ ଆନନ୍ଦିତ ଥିବା କହିଛନ୍ତି । ରଥଯାତ୍ରା ଦିନ ପୁରୀ ଯାଇ ମନ୍ଦିର ପ୍ରଶାସନର ଅନୁମତି କ୍ରମେ ନିଜେ ପ୍ରସ୍ତୁତ କରି ଥିବା ସୋଲ ଫୁଲକୁ ତିନି ରଥରେ ଲାଗି କରିବା ଆଶାରେ ଦିନ କାଟୁଛି ପୂରା ପରିବାର ।