Punjab: କାଶ୍ମୀର ପରେ ପଞ୍ଜାବରେ ଟାର୍ଗେଟ କିଲିଂ, ଗୁଳି ମାଡ଼ରେ ଟଳି ପଡ଼ିଲେ ଶିବସେନା ନେତା ସୁଧୀର ସୁରୀ
Advertisement
Article Detail0/zeeodisha/odisha1425431

Punjab: କାଶ୍ମୀର ପରେ ପଞ୍ଜାବରେ ଟାର୍ଗେଟ କିଲିଂ, ଗୁଳି ମାଡ଼ରେ ଟଳି ପଡ଼ିଲେ ଶିବସେନା ନେତା ସୁଧୀର ସୁରୀ

Justice League India: ଶିବସେନା ନେତା ସୁଧୀର ସୁରୀଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାରେ ନିଜକୁ ଦାୟୀ କରିଛି ଜଷ୍ଟିସ୍ ଲିଗ୍ ଇଣ୍ଡିଆ ନାମକ ଏକ ଅଜ୍ଞାତ ସଙ୍ଗଠନ। 

Punjab: କାଶ୍ମୀର ପରେ ପଞ୍ଜାବରେ ଟାର୍ଗେଟ କିଲିଂ, ଗୁଳି ମାଡ଼ରେ ଟଳି ପଡ଼ିଲେ ଶିବସେନା ନେତା ସୁଧୀର ସୁରୀ

Shiv Sena Leader Sudhir Suri Murder: କାଶ୍ମୀର ଘାଟିରେ ଚାଲିଥିବା ଟାର୍ଗେଟ କିଲିଂ ଘଟଣା ବର୍ତ୍ତମାନ ପର୍ଯ୍ୟନ୍ତ ଶାନ୍ତ ହୋଇନାହିଁ। ହେଲେ ସଦ୍ୟ ପଞ୍ଜାବର ଅମୃତସର ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ପୁନରାବୃତ୍ତି। ମନ୍ଦିରର ମୂର୍ତ୍ତି ସହ ହୋଇଥିବା ଅପମାନ ଘଟଣାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଶିବସେନା ନେତା ସୁଧୀର ସୁରୀଙ୍କୁ ହତ୍ୟା କରାଯାଇଛି। ମନ୍ଦିର ବାହାରେ ଧାରଣା ଦେଉଥିବା ବେଳେ ଅଜଣା ଆକ୍ରମଣକାରୀ ତାଙ୍କୁ ସର୍ବସାଧାରଣରେ ଗୁଳି ମାରି ହତ୍ୟା କରିଛନ୍ତି। ଶିବସେନା ନେତାଙ୍କ ସୁରକ୍ଷା କର୍ମୀ ମଧ୍ୟ ପାଲଟା ଗୁଳି ଚଳାଇଥିଲେ। ହେଲେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଥିଲେ। ପରେ ଜଣେ ଅଭିଯୁକ୍ତକୁ ଲାଇସେନ୍ସପ୍ରାପ୍ତ ହତିଆର ସହ ଧରି ନିଆଯାଇଥିଲା। ବର୍ତ୍ତମାନ ପୋଲିସ ଏହି ଘଟଣାର ଅନୁସନ୍ଧାନ କରୁଛି।

ରାଜ୍ୟର ଅମୃତସର ଜିଲ୍ଲାରେ (Amritsar District) ହୋଇଥିବା ଗୁଳିମାଡ଼ ଘଟଣାରେ ପ୍ରତିକ୍ରିୟା ରହିଛି ପଞ୍ଜାବ ପୋଲିସ (Punjab Police)। ଏନେଇ କୁହାଯାଇଛି ଶିବସେନା ନେତା ସୁଧୀର ସୁରୀ (Shiv Sena Leader Sudhir Suri) ଶୁକ୍ରବାର ସନ୍ଧ୍ୟାରେ ଅମୃତସରସ୍ଥିତ ମଜିଠା ରୋଡ ଠାରେ ଥିବା ଗୋପାଳ ମନ୍ଦିର ନିକଟରେ ପ୍ରତିବାଦ କରୁଥିଲା। ଏହି ସମୟରେ ଅଜ୍ଞାତ ଆକ୍ରମଣକାରୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ତାଙ୍କୁ ପାଞ୍ଚଟି ଗୁଳି ମରାଯାଇଛି। ଗୁଳିମାଡ଼ ପରେ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସୁରକ୍ଷା କର୍ମୀ ମଧ୍ୟ ପାଲଟା ଗୁଳି ମାଡ଼ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳିମାଡ଼ ହେବା ପରେ ଘଟଣାସ୍ଥଳରେ ଲୋକେ ଏଣେ ତେଣେ ଦୌଡାଦୌଡି କରିଥିଲେ। ଗୁଳିମାଡର ଶୀକାର ହୋଇଥିବା ଶିବସେନା ନେତାଙ୍କୁ ଗୁରୁତର ଅବସ୍ଥାରେ ଫୋର୍ଟିସ୍ ଏସ୍କର୍ଟ ହସ୍ପିଟାଲ ଠାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସୁଧୀର ସୁରୀଙ୍କ ମୃତ୍ୟୁ ସମ୍ପର୍କରେ ଖବର ପାଇବା ମାତ୍ରେ ତାଙ୍କ ସମର୍ଥକ ତାତି ଉଠିଥିଲେ। ସେମାନେ ମନ୍ଦିର ଚାରିପାଖରେ ପାର୍କିଂ ହୋଇଥିବା ଅନେକ ଗାଡିକୁ ଭଙ୍ଗାରୁଜା କରି ପୋଲିସ ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ମନାଇବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ପୋଲିସ ଶିବେସେନା ନେତା ସମର୍ଥକଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଆଶ୍ୱାସନା ଦେଇ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛି। ଘଟଣାର ତତ୍ପରତାକୁ ଦେଖି ପୋଲିସ ଘଟଣାସ୍ଥଳରେ ଲଗା ଯାଇଥିବା ସିସିଟିଭି କ୍ୟାମେରା ସ୍କାନ କରିବା ଆରମ୍ଭ କରିଦେଇଛି।

ଏହି ଘଟଣାରେ ପ୍ରତିକ୍ରିୟା ରଖି ପୋଲିସ କମିଶନର ଅରୁଣ ପାଲ ସିଂହ କହିଛନ୍ତି ସୁଧୀର ସୁରୀ ଆକ୍ରମଣ ଘଟଣାରେ ଜଡିତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ସନ୍ଦୀପ ସିଂହ ବୋଲି ଜଣାପଡିଛି। ଗୁଳିମାଡ଼ ଘଟଣାରେ ବ୍ୟବହୃତ ଲାଇସେନ୍ସପ୍ରାପ୍ତ ଅସ୍ତ୍ର ଅଭିଯୁକ୍ତ ପାଖରୁ ଜବତ କରାଯାଇଛି। ଅନ୍ୟ ଜଣେ ଆକ୍ରମଣକାରୀ ବର୍ତ୍ତମାନ ଫେରାର ଅଛି। ତାକୁ ଧରିବା ପାଇଁ ପ୍ରୟାସ ଜାରି ରହିଛି। ଏହି ଘଟଣା ପରେ ଜଷ୍ଟିସ୍ ଲିଗ୍ ଇଣ୍ଡିଆ (Justice League India) ନାମକ ଏକ ଅଜ୍ଞାତ ସଙ୍ଗଠନ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି। ପଞ୍ଜାବରେ ଆରଏସଏସ ଏବଂ ଏହାର ସହଯୋଗୀଙ୍କୁ ହଟାଇବା ଜାରି ରହିବ ବୋଲି ଏହି ସଙ୍ଗଠନ କହିଛି।

ମୃତକ ଶିବସେନା ସୁଧୀର ସୁରୀ ବୃତ୍ତିରେ ଜଣେ ଟ୍ରାନ୍ସପୋର୍ଟର ଥିଲେ। ସେ ପଞ୍ଜାବରେ ଖାଲିସ୍ତାନୀ ଆତଙ୍କବାଦ ଏବଂ ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପ ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ।  ଦୀର୍ଘ ଦିନ ଧରି ପାକିସ୍ତାନ ସମର୍ଥକ ଖାଲିସ୍ତାନୀ ଆତଙ୍କବାଦୀ ତାଙ୍କୁ ଟାର୍ଗେଟ କରିଥିଲେ। ଯେଉଁଥିପାଇଁ ସରକାର ୮ ଜଣ ପଞ୍ଜାବ ପୋଲିସ କର୍ମଚାରୀଙ୍କୁ ତାଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରିଥିଲେ। ହେଲେ ସେହି ପୋଲିସ ଯବାନ ଶିବସେନା ନେତାଙ୍କ ହତ୍ୟା ରୋକିବାରେ ବିଫଳ ହୋଇଥିଲେ। ଗୁଳିମାଡ଼ର ଜବାବ ଦେବା ପରିବର୍ତ୍ତେ ଫାଙ୍କାରେ ଗୁଳି ଚାଳନା କରିଥିଲେ। 

ଏହି ହତ୍ୟାକାଣ୍ଡକୁ ନେଇ ପ୍ରତିକ୍ରିୟାଶୀଳ ହୋଇଉଠିଛି ବିଜେପି। ଏନେଇ ଦଳର ପଞ୍ଜାବ ଶାଖା ସଭାପତି ଅଶ୍ୱିନୀ ଶର୍ମା ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଖରାପ ହୋଇଛି। ପଞ୍ଜାବକୁ ପରିଚାଳନା କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ବାଚନ ଏଜେଣ୍ଟ ଭାବରେ ଅନ୍ୟ ରାଜ୍ୟ ଗସ୍ତରେ ବ୍ୟସ୍ତ ଅଛନ୍ତି। ସୁଧୀର ସୁରୀଙ୍କ ବ୍ୟତୀତ ଅନେକ ବିଜେପି-ଶିବସେନା ନେତାଙ୍କୁ ଆତଙ୍କବାଦୀ ଟାର୍ଗେଟ କରିଛନ୍ତି। ସୁଧୀର ସୁରୀଙ୍କ ପୂର୍ବରୁ ଗତ ଗୁରୁବାର ବାଇକ୍ ଯୋଗେ ଆସିଥିବା ଆକ୍ରମଣକାରୀ ଅମୃତସର ତିବ୍ବା ରୋଡସ୍ଥିତ ଗ୍ରେବାଲ କଲୋନୀ ଅଞ୍ଚଳରେ ରହୁଥିବା ଶିବସେନା ପଞ୍ଜାବ ଶାଖା ନେତା ଅଶ୍ୱିନୀ ଚୋପ୍ରାଙ୍କ ଘର ନିକଟରେ ଗୁଳି ଚଳାଇଥିଲେ।