ବିବାଦରେ ସଡ଼କ ସରୁକ୍ଷା ବିଜ୍ଞାପନ; ଅକ୍ଷୟ କୁମାରଙ୍କୁ ସମର୍ଥନ କରି ଫସିଗଲେ ନିତିନ ଗଡକରୀ
Advertisement
Article Detail0/zeeodisha/odisha1349321

ବିବାଦରେ ସଡ଼କ ସରୁକ୍ଷା ବିଜ୍ଞାପନ; ଅକ୍ଷୟ କୁମାରଙ୍କୁ ସମର୍ଥନ କରି ଫସିଗଲେ ନିତିନ ଗଡକରୀ

Union Minister Nitin Gadkari slammed: ଅକ୍ଷୟ କୁମାର ସବୁବେଳେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରନ୍ତି। ସେ ଅନେକ ସରକାରୀ ବିଜ୍ଞାପନରେ ମଧ୍ୟ ନଜର ଆସନ୍ତି। ନିକଟରେ ଛଅଟି ଏୟାରବ୍ୟାଗ ସହିତ ସୁରକ୍ଷିତ କାରକୁ ପ୍ରୋତ୍ସାହିତ କରିବା ପାଇଁ ଅଭିନେତା ଏକ ବିଜ୍ଞାପନ କରିଛନ୍ତି। ଯାହାକୁ ଖୋଦ କେନ୍ଦ୍ର ସରକାରଙ୍କ ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଟ୍ୱିଟ କରିଛନ୍ତି।

ବିବାଦରେ ସଡ଼କ ସରୁକ୍ଷା ବିଜ୍ଞାପନ; ଅକ୍ଷୟ କୁମାରଙ୍କୁ ସମର୍ଥନ କରି ଫସିଗଲେ ନିତିନ ଗଡକରୀ

Union Minister Nitin Gadkari slammed, ନୂଆଦିଲ୍ଲୀ: ପୁଣି ଥରେ ବିବାଦରେ ଅକ୍ଷୟ କୁମାରଙ୍କ ଅଭିନିତ ବିଜ୍ଞାପନ। ନିକଟରେ ପାନମସଲା ବ୍ରାଣ୍ଡର ପ୍ରଚାର କରି ଅଭିନେତା ହଟହଟା ହୋଇଥିଲେ। ଏଥିପାଇଁ ତାଙ୍କୁ ସ୍ପଷ୍ଟୀକରଣ ମଧ୍ୟ ଦେବାକୁ ପଡିଥିଲା। ଏବେ ସେ ସଡକ ସୁରକ୍ଷାକୁ ନେଇ ପ୍ରସ୍ତୁତ ବିଜ୍ଞାପନରେ ଅଭିନୟ କରୁଛନ୍ତି। ଯାହାର କଣ୍ଟେଣ୍ଟକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଆଉ ଅକ୍ଷୟଙ୍କ ଏହି ବିଜ୍ଞାପନକୁ ସମର୍ଥନ କରି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ମଧ୍ୟ ଫସିଯାଇଛନ୍ତି। ବିଜ୍ଞାପନରେ ସଡକ ସୁରକ୍ଷା ନୁହଁ, ଯୌତୁକକୁ ପ୍ରୋତ୍ସାହନ ଦିଆଯାଉଥିବା ଅଭିଯୋଗ ହୋଇଛି। 

ଅକ୍ଷୟ କୁମାର ସବୁବେଳେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରନ୍ତି। ସେ ଅନେକ ସରକାରୀ ବିଜ୍ଞାପନରେ ମଧ୍ୟ ନଜର ଆସନ୍ତି। ନିକଟରେ ଛଅଟି ଏୟାରବ୍ୟାଗ ସହିତ ସୁରକ୍ଷିତ କାରକୁ ପ୍ରୋତ୍ସାହିତ କରିବା ପାଇଁ ଅଭିନେତା ଏକ ବିଜ୍ଞାପନ କରିଛନ୍ତି। ଯାହାକୁ ଖୋଦ କେନ୍ଦ୍ର ସରକାରଙ୍କ ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଟ୍ୱିଟ କରିଛନ୍ତି। ମନ୍ତ୍ରୀ ସେଥିରେ ଲେଖିଛନ୍ତି, 'ଛଅଟି ଏୟାରବ୍ୟାଗ ଥିବା ଗାଡିରେ ଯାତ୍ରା କରି ଜୀବନକୁ ସୁରକ୍ଷିତ ରଖନ୍ତୁ।' ଏଥିରେ #National_Road_Safety_2022 ଲେଖିବା ସହ ଅଭିନେତା ଅକ୍ଷୟ କୁମାରଙ୍କୁ ଟ୍ୟାଗ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ନିଜ ବିଭାଗକୁ ନେଇ ଅତ୍ୟନ୍ତ ସମ୍ବେଦନଶୀଳ। ତେଣୁ ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ସଡକ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। କିନ୍ତୁ ସେ ଅକ୍ଷୟ କୁମାରଙ୍କୁ ଯେଉଁ ବିଜ୍ଞାପନକୁ ଟ୍ୱିଟ୍ କରିଛନ୍ତି ତାହା ସଡକ ସୁରକ୍ଷା ବଦଳରେ ବିବାଦ ସୃଷ୍ଟି କରିଛି।

Also Read: Road Safety Rules Lessons: ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁରୁ ମିଳିଲା ଶିକ୍ଷା, ସରକାର ନେଲେ ଏସବୁ କଠୋର ପଦକ୍ଷେପ

ଅକ୍ଷୟଙ୍କ ବିବାଦୀୟ ବିଜ୍ଞାପନରେ ଦେଖିବାକୁ ମିଳୁଛି ଯେ, ଜଣେ ପିତା ତାଙ୍କ କନ୍ୟାଙ୍କୁ ବିବାହ ପରେ ବିଦାୟ ଦେଉଛନ୍ତି। ଏହି ସମୟରେ ପୋଲିସ୍ ୟୁନିଫର୍ମ ପିନ୍ଧିଥିବା ଅଭିନେତା ଅକ୍ଷୟ କୁମାରଙ୍କ ଏଣ୍ଟ୍ରୀ ହେଉଛି। ସେ ଝିଅ ବିଦାୟୀ ହେଉଥିବା ଗାଡିରେ ଦୁଇଟି ଏୟାରବ୍ୟାଗ ଥିବା କଥା ପ୍ରକାଶ କରୁଛନ୍ତି। ଅକ୍ଷୟ କୁମାର କହୁଛନ୍ତି ଯେ, ଦୁଇଟି ଏୟାରବ୍ୟାଗ ଥିବା ଗାଡି ଦୁର୍ଘଟଣା ହେଲେ ସାମନାରେ ବସିଥିବା ଲୋକ ବଞ୍ଚିଯିବେ, କିନ୍ତୁ ପଛରେ ବସିଥିବା ଜ୍ୱାଇଁ ଓ ଝିଅ ପ୍ରାଣ ହରାଇବେ। ଏଣୁ ଝିଅକୁ ୬ଟି ଏୟାରବ୍ୟାଗ ଥିବା ଗାଡିରେ ବିଦାୟ କରନ୍ତୁ ବୋଲି କନ୍ୟା ପିତାଙ୍କୁ ବୁଝାଉଛନ୍ତି। କନ୍ୟା ବିଦାୟ ହେଉଥିବା କାରରେ ଅନେକ ବିଳାସମୟ ଫିଚର ଥିବାବେଳେ ମାତ୍ର ଦୁଇଟି ଏୟାରବ୍ୟାଗ ଥିବା କୁହାଯାଉଛି। 

 

ନିତିନ ଗଡକରୀ ଏହି ଭିଡିଓକୁ ପୋଷ୍ଟ କଲା ପରେ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଛି। ଶିବସେନା ନେତ୍ରୀ ତଥା ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ, ଏହା ଏକ ବିବାଦୀୟ ବିଜ୍ଞାପନ। ଏଭଳି କ୍ରିଏଟିଭକୁ କିଏ ଅନୁମତି ଦେଲା? ସରକାର କାରର ସୁରକ୍ଷା ପାଇଁ ଟଙ୍କା ଖର୍ଚ୍ଚ କରୁଛନ୍ତି ନା ବିଜ୍ଞାପନ ମାଧ୍ୟମରେ ଯୌତୁକ ଭଳି କଳୁଷିତ ପ୍ରଥା ଓ ଅପରାଧିକ କାର୍ଯ୍ୟର ପ୍ରଚାର ପ୍ରସାର କରୁଛନ୍ତି? ସେହିପରି ଟିଏମସି ମଧ୍ୟ ସମାନ ଅଭିଯୋଗ ଆଣିଛି। ସାକେତ ଗୋଖଲେ କହିଛନ୍ତି, ତ୍ରୁଟିପୂର୍ଣ୍ଣ ସଡକ ଡିଜାଇନ ପାଇଁ ସାଇରସ ମିସ୍ତ୍ରୀଙ୍କ ଦେହାନ୍ତ ହୋଇଛି। କିନ୍ତୁ ସରକାର ସଡକ ସୁଧାରିବା ବଦଳରେ ଦାମୀ ଗାଡିରେ ୬ଟି ଏୟାରବ୍ୟାଗ କଥା କହି ନିଜ ଦାୟୀତ୍ୱ ତୁଲାଉଛନ୍ତି।

ଅନ୍ୟଜଣେ ସୋସିଆଲ ମିଡିଆ ୟୁଜର କହିଛନ୍ତି ଯେ, ଏହା କଣ ଯୌତୁକ ପାଇଁ ବିଜ୍ଞାପନ? ଯୌତୁକକୁ ପ୍ରୋତ୍ସାହନ ଦେବା ପାଇଁ ସରକାର କରଦାତାଙ୍କ ଟଙ୍କାକୁ ଖର୍ଚ୍ଚ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଗୋଟିଏକି ଦୁଇଟି ନୁହଁ ଶହ ଶହ ଲୋକ ଅକ୍ଷୟ କୁମାରଙ୍କ ବିଜ୍ଞାପନ ଉପରେ ଆପତ୍ତି ଜଣାଇଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଉପରେ ଅଭିନେତା କିମ୍ବା ସଡକ ଓ ପରିବହନ ମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ଜଣେ ୟୁଜର କୌତୁହଳିଆ ଅନ୍ଦାଜରେ ପଚାରିଛନ୍ତି ଯେ, ବସ, ଅଟୋରେ ମଧ୍ୟ ଯାତ୍ରୀଙ୍କ ପାଇଁ ଏୟାରବ୍ୟାଗ ଓ ସିଟ୍ ବେଲ୍ଟ ଲାଗିବ କି?

Also Read: ଭାଙ୍ଗି ଗଲା Akshay Kumarଙ୍କ ହୃଦୟ, କାହିଁକି କହିଲେ- I will miss you Milano

ସୂଚନାଯୋଗ୍ୟ, ଚଳିତ ମାସ ଆରମ୍ଭରେ ମୁମ୍ବାଇ ନିକଟରେ ଏକ ଦୁର୍ଘଟଣାରେ ବ୍ୟବସାୟୀ ଟାଇକନ୍ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହା ପରଠାରୁ ସଡକ ସୁରକ୍ଷା, ବିଶେଷକରି ସିଟ୍ ବେଲ୍ଟ ଏବଂ ଏୟାରବ୍ୟାଗ ବ୍ୟବହାରକୁ ସରକାର ଗୁରୁତର ସହ ନେଇଛନ୍ତି। ମହାରାଷ୍ଟ୍ରର ପାଲଘରରେ ଏହି ଦୁର୍ଘଟଣାରେ ସାଇରସ ଏବଂ ତାଙ୍କ ବନ୍ଧୁ ଜାହାଙ୍ଗୀରଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଦୁର୍ଘଟଣାଗ୍ରସ୍ତ ଗାଡିରେ ଥିବା ଜାହାଙ୍ଗୀରଙ୍କ ଭାଇ ଏବଂ ପତ୍ନୀ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ପୋଲିସ ରିପୋର୍ଟରେ କୁହାଯାଇଛି ଯେ, ଦୁର୍ଘଟଣା ସମୟରେ ସାଇରସ ମିସ୍ତ୍ରୀ ଏବଂ ଜାହାଙ୍ଗୀର ସିଟ୍ ବେଲ୍ଟ ପିନ୍ଧି ନଥିଲେ। 

କେତେକ ସଡକ ସୁରକ୍ଷା ବିଶେଷଜ୍ଞ ଦାବି କରିଛନ୍ତି ଯେ, ଏହି ଦୁର୍ଘଟଣାର ଅନ୍ୟତମ କାରଣ ହେଉଛି- ତ୍ରୁଟିପୂର୍ଣ୍ଣ ସଡକ ଡିଜାଇନ। କାରଣ ତିନି ଲେନ ବିଶିଷ୍ଟ ରାଜପଥ ହଠାତ ଦୁଇ ଲେନ ହୋଇଛି। ତେବେ ଭାରତର ଜାତୀୟ ରାଜପଥ ପ୍ରାଧିକରଣ ରାଜପଥରେ ଡିଜାଇନ୍ ତ୍ରୁଟିକୁ ଏଡ଼ାଇ ଦେଇ କାରଟି ଦ୍ରୁତ ଗତିରେ ଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି କହିଛି। ମିସ୍ତ୍ରୀଙ୍କ ମୃତ୍ୟୁ ପରେ କେନ୍ଦ୍ର ପରିବହନ ମନ୍ତ୍ରୀ ଗଡକରୀ କହିଛନ୍ତି ଯେ, ଗାଡିର ପଛ ସିଟର ଯାତ୍ରୀ ସିଟ୍ ବେଲ୍ଟ ନ ପିନ୍ଧିଲେ ଜରିମାନା କରାଯିବ। ଭାରତରେ ଆଗ ଯାତ୍ରୀ ଏବଂ ଡ୍ରାଇଭର ପାଇଁ ଏୟାରବ୍ୟାଗ ବାଧ୍ୟତାମୂଳକ। ଜାନୁଆରୀ ୨୦୨୨ରେ, କେନ୍ଦ୍ର ସରକାର ପ୍ରତ୍ୟେକ ଯାତ୍ରୀବାହୀ କାରରେ ଛଅଟି ଏୟାରବ୍ୟାଗ ଲଗାଇବାକୁ ବାଧ୍ୟତାମୂଳକ କରିଥିଲେ।