ଗୁଜୁରାଟରୁ ୨୫, ପଶ୍ଚିମବଙ୍ଗରୁ ୧୦, ଆନ୍ଧ୍ରପ୍ରଦେଶରୁ ୫, ତାମିଲନାଡ଼ୁରୁ ୪ ଏବଂ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ତେଲେଙ୍ଗାନାରୁ ଜଣେ ଲେଖାଏଁ ଫେରନ୍ତା କୋରୋନା ପଜିଟିଭ ବୋଲି ସ୍ପଷ୍ଟ ହୋଇଛି ।
Trending Photos
ଭୁବନେଶ୍ୱର: ଚିନ୍ତା ବଢ଼ାଉଛନ୍ତି ସୁରତ ଫେରନ୍ତା । ରାଜ୍ୟରେ ଚିହ୍ନଟ ହେଉଥିବା କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅନେକ ଗୁଜୁରାଟ ଫେରନ୍ତା ରହୁଛନ୍ତି । ଆଜି ଯେଉଁ ୪୮ ନୂଆ ମାମଲା ସାମ୍ନାକୁ ଆସିଛି, ସେମାନଙ୍କ ମଧ୍ୟରୁ ୨୫ ଜଣ ଗୁଜୁରାଟ ଫେରନ୍ତା । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ଜଣାପଡ଼ିଛି ।
ନଜର ପକାନ୍ତୁ ଆଜି ଚିହ୍ନଟ ହୋଇଥିବା ନୂଆ ମାମଲା ଉପରେ । ଗୁଜୁରାଟରୁ ୨୫, ପଶ୍ଚିମବଙ୍ଗରୁ ୧୦, ଆନ୍ଧ୍ରପ୍ରଦେଶରୁ ୫, ତାମିଲନାଡ଼ୁରୁ ୪ ଏବଂ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ତେଲେଙ୍ଗାନାରୁ ଜଣେ ଲେଖାଏଁ ଫେରନ୍ତା କୋରୋନା ପଜିଟିଭ ବୋଲି ସ୍ପଷ୍ଟ ହୋଇଛି । ସେହିପରି ଅନ୍ୟ ଜଣେ ଲୋକାଲ କଣ୍ଟ୍ରାକ୍ଟରେ ଆସିଥିବା କୁହାଯାଇଛି ।
ଆଜି ଯାଜପୁରରୁ ସର୍ବାଧିକ ୧୬ଟି ନୂଆ ମାମଲା ସାମ୍ନାକୁ ଆସିଛି । ତେବେ ଏମାନଙ୍କ ମଧ୍ୟରୁ ୭ ଜଣ ପଶ୍ଚିମବଙ୍ଗ ଫେରନ୍ତା । ସେହିପରି ଅନ୍ଧ୍ରପ୍ରଦେଶରୁ ୪ ଜଣ, ଗୁଜୁରାଟର ଅଦମ୍ମଦାବାଦରୁ ୪ ଜଣ ଏବଂ ତେଲେଙ୍ଗାନାରୁ ଜଣେ ଆକ୍ରାନ୍ତ ଓଡ଼ିଶା ଫେରିଥିଲେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏମାନେ ସମସ୍ତେ କ୍ୱାରେଣ୍ଟାଇନ ସେଣ୍ଟରରେ ହିଁ ରହିଥିଲେ ।
ଏବେ ନଜର ପକାଇବା ପୁରୀର ୪ ନୂଆ ମାମଲା ଉପରେ । ଏମାନଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟାଇନ ସେଣ୍ଚରରୁ ଚିହ୍ନଟ ହୋଇଛନ୍ତି । ଦୁଇ ଜଣ ତାମିଲନାଡ଼ୁ ଏବଂ ଜଣେ ଆନ୍ଧ୍ରପ୍ରଦେଶ ଫେରନ୍ତା । ତେବେ ଅନ୍ୟ ଜଣେ ଲୋକଲ କଣ୍ଟ୍ରାକ୍ଟରେ ଆସି ସଂକ୍ରମଣର ଶିକାର ହୋଇଛନ୍ତି ।
ସେହିପରି କନ୍ଧମାଳରୁ ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ ତାମିଲନାଡ଼ୁ ଫେରନ୍ତା । ନୟାଗଡ଼ରୁ ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ଅହମ୍ମଦାବାଦ ଫେରନ୍ତା । ବଲାଙ୍ଗୀରରୁ ଚିହ୍ନଟ ହୋଇଥିବା ୨ ଜଣ ଆକ୍ରାନ୍ତ ସୁରତ ଫେରନ୍ତା । ବୌଦ୍ଧରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟ ସୁରତ ଫେରନ୍ତା । କଟକରୁ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତ ମହାରାଷ୍ଟ୍ର ଫେରନ୍ତା । କେନ୍ଦ୍ରାପଡ଼ାରୁ ଚିହ୍ନଟ ହୋଇଥିବା ୩ଜଣ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା । ଗଞ୍ଜାମରୁ ଚିହ୍ନଟ ହୋଇଥିବା ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ସୁରତ ଫେରନ୍ତା । ଜଣେ ବେଙ୍ଗାଲୁରୁ ଫେରନ୍ତା । ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ସୁରତ ଫେରନ୍ତା । ତେବେ ସମସ୍ତ ୪୮ ନୂଆ ମାମଲା ମଧ୍ୟରୁ ୪୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ପୁରୀ ଓ ଗଞ୍ଜାମରୁ ଜଣେ ଲେଖାଏଁ ଆକ୍ରାନ୍ତ ବାହାରୁ ଚିହ୍ନଟ ହୋଇଛନ୍ତି । ତେଣୁ ଉଭୟ ଆକ୍ରାନ୍ତ କାହା କାହା କଣ୍ଟ୍ରାକ୍ଟରେ ଆସିଛନ୍ତି, ତାହା ଚିନ୍ତାଜନକ ।
ନଜର ପକାନ୍ତୁ ରାଜ୍ୟ ଡ୍ୟାସବୋର୍ଡ ଉପରେ । ରାଜ୍ୟରେ ସର୍ବାଧିକ ପ୍ରଭାବିତ ହୋଇଛି ଗଞ୍ଜାମ । ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୭ ରହିଛି । ଏମାନଙ୍କ ମଧ୍ୟରୁ ୪୯ ଜଣ ସୁସ୍ଥ ହୋଇସାରିଛନ୍ତି । ସେହିପରି ୨ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ଅନ୍ୟ ୨୫୬ ଜଣଙ୍କ ଚିକିତ୍ସା ଚାଲିଛି । ଅନ୍ୟପଟେ ବାଲେଶ୍ୱରରେ ୧୧୯, ଯାଜପୁରରେ ୧୩୭, ଖୋର୍ଦ୍ଧାରେ ୬୦, ଭଦ୍ରକରେ ୭୪, ସୁନ୍ଦରଗଡ଼ରେ ୨୭, ଅନୁଗୋଳରେ ୧୫, କେନ୍ଦ୍ରାପଡ଼ାରେ ୩୦, ପୁରୀରେ ୨୯ ଓ ମୟୂରଭଞ୍ଜରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ଅନ୍ୟପଟେ ନୟାଗଡ଼(୯), ଜଗତସିଂହପୁର(୫), ବୌଦ୍ଧ(୫), କେନ୍ଦୁଝର(୮), କଟକ(୨୩), କଳାହାଣ୍ଡି(୨), ବଲାଙ୍ଗୀର(୬), ଝାରସୁଗୁଡ଼ା(୨), କନ୍ଧମାଳ(୨), ଦେବଗଡ଼(୨), କୋରାପୁଟ(୧), ଢେଙ୍କାନାଳ(୧) ଓ ସମ୍ବଲପୁର(୧)ରୁ ମଧ୍ୟ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।