ଜ୍ବରରେ ପୀଡ଼ିତ ମହାପ୍ରଭୁ: ଆଜି ହେବ ଫୁଲୁରି ତେଲ ନୀତି, ଜାଣନ୍ତୁ କେମିତି ପ୍ରସ୍ତୁତ ହୋଇଥାଏ ଏହି ଔଷଧୀୟ ତେଲ
Advertisement
Article Detail0/zeeodisha/odisha1730472

ଜ୍ବରରେ ପୀଡ଼ିତ ମହାପ୍ରଭୁ: ଆଜି ହେବ ଫୁଲୁରି ତେଲ ନୀତି, ଜାଣନ୍ତୁ କେମିତି ପ୍ରସ୍ତୁତ ହୋଇଥାଏ ଏହି ଔଷଧୀୟ ତେଲ

Rath Yatra: ବିଶ୍ବାବସୁ ତଥା ବିଦ୍ୟାପତିଙ୍କ ବଂଶଧରମାନେ ଶ୍ରୀଅଙ୍ଗରୁ ଲେପ ଛଡ଼ାଇବା ପୂର୍ବରୁ ମହାପ୍ରଭୁଙ୍କୁ ଔଷଧଯୁକ୍ତ ତୈଳ ମର୍ଦ୍ଦନ କରିଥାଆନ୍ତି । ଏହାରୁ ଆଧାର କରି ଆଜି ଅଣସର ଘରେ ଥିବା ମହାବାହୁଙ୍କ ଅଙ୍ଗରେ ଲାଗି ହେବ ଜଟିବୁଟି ଯୁକ୍ତ ଔଷଧୀୟ ଫୁଲୁରି ତେଲ ।

ସୌ(ସୋସିଆଲ ମିଡିଆ)

Rath Yatra 2023: ପବିତ୍ର ସ୍ନାନଯାତ୍ରା (Snana yatra 2023) ଦିନ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରେ ପଡ଼ିଛନ୍ତି ମହାପ୍ରଭୁ । ଅଣସର ପିଣ୍ତିରେ ବିଜେ ମହାପ୍ରଭୁଙ୍କ ଜ୍ବର ଭଲ କରିବା ଲାଗି ଚାଲିଛି ଗୁପ୍ତ ନୀତି । ଦିନ ରାତି ନିଷ୍ଠାର ସହ ସେବାରେ ଲାଗିଛନ୍ତି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବାୟତ ଦଇତାପତି । ଅଣସର ପିଣ୍ଡିରେ କେବଳ ଦୀପ ଆଲୁଅ ଜଳୁଥିବା ବେଳେ ଠାକୁରଙ୍କ ନିକଟରେ ଖାଲି ପଥିଭୋଗ ବ୍ଯତୀତ ଆଉ କିଛି ଲାଗି ହେଉନାହିଁ। ଶୁକ୍ଳ ବସ୍ତ୍ର ପରିଧାନ କରୁଛନ୍ତି ଠାକୁର। ଶାସ୍ତ୍ର ଅନୁଯାୟୀ, ବିଶ୍ବାବସୁ ତଥା ବିଦ୍ୟାପତିଙ୍କ ବଂଶଧରମାନେ ଶ୍ରୀଅଙ୍ଗରୁ ଲେପ ଛଡ଼ାଇବା ପୂର୍ବରୁ ମହାପ୍ରଭୁଙ୍କୁ ଔଷଧଯୁକ୍ତ ତୈଳ ମର୍ଦ୍ଦନ କରିଥାଆନ୍ତି । ଏହାରୁ ଆଧାର କରି ଆଜି ଅଣସର ଘରେ ଥିବା ମହାବାହୁଙ୍କ ଅଙ୍ଗରେ ଲାଗି ହେବ ଜଟିବୁଟି ଯୁକ୍ତ ଔଷଧୀୟ ଫୁଲୁରି ତେଲ । ଏହାପରେ ନବଯୌବନ ପ୍ରାପ୍ତି ହେବେ ଶ୍ରୀଜିଉ । ଏନେଇ ବଡ଼ ଓଡ଼ିଆ ମଠ ପକ୍ଷରୁ ଫୁଲୁରି ତେଲ ପ୍ରସ୍ତୁତ ହୋଇଛି । ବଡ଼ ଓଡ଼ିଆ ମଠ ମହନ୍ତ ଓ ସାଧୁସନ୍ଥ ମାନେ ଶୋଭାଯାତ୍ରାରେ ଆସି ଏହି ମହୌଷଧୀଯୁକ୍ତ ଫୁଲୁରି ତେଲକୁ ଶ୍ରୀମନ୍ଦିରରେ ବିଜେ କରିବେ । ଶ୍ରୀବିଗ୍ରହମାନଙ୍କ ଲାଗି ତିନିଟି ସେରିକିଆ ମାଟି ଘଡ଼ିରେ ଏହି ଫୁଲୁରି ତେଲକୁ ରଖାଯିବ । ଜ୍ବରରେ ପୀଡ଼ିତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଦରଜ ଭାଙ୍ଗିବା ପାଇଁ ଏହି ତେଲ ମର୍ଦ୍ଦନର ଅନନ୍ୟ ପରମ୍ପରା କାହଁ କେଉଁ କାଳରୁ ଚାଲି ଆସିଛି ।

କେମିତି ପ୍ରସ୍ତୁତ ହୁଏ ଏହି ଫୁଲୁରି ତେଲ

ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଏହି ଫୁଲୁରି ତେଲ ସ୍ବତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଏ। ଏହାକୁ ପ୍ରସ୍ତୁତ କରିବା ଲାଗି ତିନିଟି ତିନି ସେରିଆ ମାଟି ଘଡ଼ି ବ୍ୟବହାର କରାଯାଏ । ତିନି ଘଡ଼ିରେ ଘଣା ପେଡ଼ା ରାଶି ତେଲ ସହିତ କୃଷଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ଜୁଉ, ଜାଇ ଓ ମଲ୍ଲୀ ଆଦି ଫୁଲକୁ ମିଶ୍ରଣ କରାଯାଏ । ପରେ ଓଡ଼ିଆ ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥମାନେ ଏକ ସ୍ବତନ୍ତ୍ର ଶୈଳୀରେ ଏହି ତେଲକୁ ପ୍ରସ୍ତୁତ କରିଥାଆନ୍ତି ଯାହାକୁ ଗୋପନ ରଖାଯାଇଥାଏ । ପରେ ହେରା ପଞ୍ଚମୀ ଦିନ ଏହି ମିଶ୍ରଣକୁ ମାଟି ତଳେ ପୋତାଯାଏ । ପ୍ରାୟ ୧ ବର୍ଷ ମାଟି ତଳେ ରହିବା ପରେ ଏହାକୁ ବାହାର କରାଯାଇଥାଏ । ଏହାପରେ କପଡ଼ା ସାହାଯ୍ୟରେ ଏହି ତେଲକୁ ଛଣାଯାଇ ମାଟି ପାତ୍ରରେ ସାହାଯ୍ୟରେ ଶ୍ରୀମନ୍ଦିରକୁ ନିଆଯାଏ ।

ସେପଟେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାକୁ (Rath Yatra 2023) ଆଉ ଦିନ କେଇଟା ରହିଥିବାବେଳେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଏହିକ୍ରମରେ ପୋଲିସ ଏଡ଼ିଜି ଅମିତାଭ ଠାକୁର ଗୁରୁବାର ଦିନ ପୁରୀରେ ପହଁଞ୍ଚି ରଥଯାତ୍ରା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସହ ଟ୍ରାଫିକ୍ ବ୍ୟବସ୍ଥା ନେଇ ଏସପିଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ । ଏଥିରେ ରଥଯାତ୍ରା ସମୟରେ ସହରରେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବା ନେଇ ପୋଲିସ ଏଡ଼ିଜି ସୂଚନା ଦେଇଛନ୍ତି । ଏହାସହ ଗହଳି ନୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନା ଲାଗି ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସେପଟେ ଶୃଙ୍ଖଳିତ ଭାବେ ଘୋଷଯାତ୍ରା ପରିଚାଳନ କରିବା ଲାଗି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ଯକ୍ଷତାରେ ମଧ୍ଯ ଏକ ବୈଠକ ବସିଥିଲା । ପରିଚାଳନ କମିଟି ସଦସ୍ୟ ଓ ସେବାୟତଙ୍କ ଉପସ୍ଥିତିରେ ଭକ୍ତଙ୍କ ସୁବିଧା ଲାଗି ପର୍ଯ୍ୟାପ୍ତ ଜଳ, ବିଶ୍ରାମସ୍ଥଳୀ ଓ ଆଶୁ ଚିକିତ୍ସ କେନ୍ଦ୍ର ସହ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଛି ।

Also Read- Nirmala Sitharaman's Daughter Ties : ବିନା ଅତିଥିରେ କେନ୍ଦ୍ରମନ୍ତ୍ରୀଙ୍କ ଘରେ ବାଜିଲା ସାହାନାଇ, ସରିଲା ସୀତାରମଣଙ୍କ ଝିଅଙ୍କ ବିବାହ