KIIT Controversy: କିଟ୍‍ ପ୍ରସଙ୍ଗରୁ ଧ୍ୟାନ ହଟାଇପାରିବ କି ବିଜେଡି
Advertisement
Article Detail0/zeeodisha/odisha2652244

KIIT Controversy: କିଟ୍‍ ପ୍ରସଙ୍ଗରୁ ଧ୍ୟାନ ହଟାଇପାରିବ କି ବିଜେଡି

ଏ ଆଶଙ୍କା ଆସିବା ପଛରେ ଅନେକ କାରଣ ରହିଛି। ପ୍ରଥମ କାରଣ ହେଉଛି ଏହା କିଟ୍‍ ବିଶ୍ୱବିଦ୍ୟାଳୟରେ ଘଟିଥିବା ଏପରି ପ୍ରଥମ ଅଘଟଣ ନୁହେଁ। ପୂର୍ବ ବର୍ଷ ଦୁଇଜଣ ଛାତ୍ରୀ ମଧ୍ୟ ଆତ୍ମହତ୍ୟା କରିଥିଲେ।  ତା’ ପୂର୍ବରୁ ୨୦୨୨ରେ ମଧ୍ୟ ଜଣେ ଛାତ୍ର ଆତ୍ମହତ୍ୟା କରିଥିଲେ।

KIIT Controversy: କିଟ୍‍ ପ୍ରସଙ୍ଗରୁ ଧ୍ୟାନ ହଟାଇପାରିବ କି ବିଜେଡି

KIIT Controversy:ଭୁବନେଶ୍ୱର: ଆଜି ବିଧାନସଭାରେ ହଠାତ୍‍ ମିଶନଶକ୍ତି ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ଚିହିଁକି ଉଠିଛନ୍ତି। ଯଦିଓ ତିନିଦିନ ପୂର୍ବରୁ ବିରୋଧୀ ଦଳ ନେତା ବଜେଟ୍‍ ବାବଦରେ ପ୍ରତିକ୍ରିୟା ରଖିବା ସମୟରେ ମିଶନ ଶକ୍ତିରେ ମହିଳାଙ୍କ ନିଯୁକ୍ତି ପ୍ରସଙ୍ଗକୁ ଉଠାଇଥିଲେ କିନ୍ତୁ ତାହା ସେତେବେଳେ ଏତେ ଗୁରୁତ୍ୱ ନେଇ ନଥିଲା। ହେଲେ ଯେତେବେଳେ କିଟ୍‍ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବିଧାନସଭା ପଡ଼ୁଛି ଉଠୁଛି ସେହି ସମୟରେ ଉଠିଛି ମିଶନ ଶକ୍ତିର ‘ଗୈରିକରଣ‘ ପ୍ରସଙ୍ଗ।  ଏହା କିଟ୍ଛା୍ତ୍ରୀ ଆତ୍ମହତ୍ୟାରେ କିଛି ବଡ଼ ଗୁମରକୁ ଚପାଇଦେବାକୁ ଉଦ୍ୟମ କରୁନି ତ? 

ଏ ଆଶଙ୍କା ଆସିବା ପଛରେ ଅନେକ କାରଣ ରହିଛି। ପ୍ରଥମ କାରଣ ହେଉଛି ଏହା କିଟ୍‍ ବିଶ୍ୱବିଦ୍ୟାଳୟରେ ଘଟିଥିବା ଏପରି ପ୍ରଥମ ଅଘଟଣ ନୁହେଁ। ପୂର୍ବ ବର୍ଷ ଦୁଇଜଣ ଛାତ୍ରୀ ମଧ୍ୟ ଆତ୍ମହତ୍ୟା କରିଥିଲେ।  ତା’ ପୂର୍ବରୁ ୨୦୨୨ରେ ମଧ୍ୟ ଜଣେ ଛାତ୍ର ଆତ୍ମହତ୍ୟା କରିଥିଲେ।  ସେତେବେଳେ ମଧ୍ୟ କର୍ତ୍ତୃପକ୍ଷଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବାହୁବଳ ଆଗରେ ସେସବୁ ନିଷ୍ପ୍ରଭ ହୋଇଯାଇଥିବା ବି ଚର୍ଚ୍ଚା ହୋଇଛି ।

ଦ୍ୱିତୀୟ କାରଣ ହେଉଛି  କିଟ୍‍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପତିଆରା ଓ ରାଜନୀତିକ ସମ୍ପର୍କ। ଶ୍ରୀ ସାମନ୍ତ ବିଜେଡିର ସଦସ୍ୟ ଭାବେ ଉଭୟ ରାଜ୍ୟସଭା ଓ ଲୋକସଭାର ପୂର୍ବରୁ ସଦସ୍ୟ ରହିଛନ୍ତି। ସକ୍ରିୟ ରାଜନେତା ଭାବେ ସେ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳରେ ନିଜର ପତିଆରା ରକ୍ଷା କରିଛନ୍ତି। ଏହି ପତିଆରା ତାଙ୍କ ବିଶ୍ୱବିଦ୍ୟାଳୟରେ ଯେ କୌଣସି ବେଆଇନ ବା ଅନୀତିକୁ ଘୋଡ଼ାଇବାରେ ସକ୍ଷମ ହୋଇଥିବା କୁହାଯାଏ। ଏପରିକି ଅନେକଥର ଘରୋଇ ଓ ସରକାରୀ ଜମି ହାତେଇବାରେ ଶ୍ରୀ ସାମନ୍ତଙ୍କ ପ୍ରଚ୍ଛନ୍ନ ଭୂମିକାକୁ ନେଇ ପୂର୍ବରୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 ପୁଣି ତାଙ୍କର ଏହି ପତିଆରା ଅନ୍ୟ ଘରୋଇ ବିଶ୍ୱବିଦ୍ୟାଳୟ ସହିତ ବି ରହିପାରିଥିବାରୁ ବିନା କୌଣସି ଗବେଷଣା ତଥା ଗବେଷଣା କ୍ଷେତ୍ରକୁ ପ୍ରତ୍ୟକ୍ଷ ଅବଦାନରେ ତାଙ୍କୁ ଗୋଟିକ ପରେ ଗୋଟିଏ ପିଏଚ୍ଡିବ, ଡିଲିଟ୍‍ ଉପାଧି ପ୍ରଦାନ କରୁଛି। ଏମିତି ଉପାଧି ସଂଗ୍ରହରେ ଶ୍ରୀ ସାମନ୍ତ ସାରା ବିଶ୍ୱରେ କିଛି ହାତଗଣତି ଶିକ୍ଷା ବ୍ୟବସାୟୀଙ୍କ ଭିତରେ ମଧ୍ୟ ଗଣାଯାଆନ୍ତି। ଅର୍ଥାତ୍‍ ଉପାଧି ଗ୍ରହଣ କରିବାରେ ସେ ଜଣେ ବିରଳ ବ୍ୟକ୍ତିତ୍ୱ।

ଚତୁର୍ଥ ପ୍ରମୁଖ କାରଣ ହେଉଛି ଏ  ବିଶ୍ୱବିଦ୍ୟାଳୟ ସହ ଅମଲାତନ୍ତ୍ରୀ ଓ ରାଜନେତାଙ୍କ ସିଧାସଳଖ ସମ୍ପର୍କ। ଏହି ସମ୍ପର୍କରେ କୌଣସି ଦଳ ଗୁରୁତ୍ୱ ରଖେ ନାହିଁ ବରଂ ଏଥିରେ ଗୁରୁତ୍ୱ ରଖେ କେଉଁ ନେତା ବା ଅଧିକାରୀ କେତେ ସମର୍ଥ। ଅର୍ଥାତ୍‍ ଅନେକ ଅମଲାତନ୍ତ୍ରୀଙ୍କ ସାମର୍ଥ୍ୟକୁ ନଜରରେ ରଖି ତାଙ୍କ ପତ୍ନୀ, ପତି, ଭାଇ, ଭଉଣୀ, ସମ୍ପର୍କୀୟଙ୍କୁ ଏଠାରେ ନିଯୁକ୍ତି ମିଳିଛି। ଖାଲି ସେତିକି ନୁହେଁ ସେମାନଙ୍କୁ ମୋଟା ଅଙ୍କର ଅର୍ଥ ଦରମା ଦିଆଯାଉଛି। ଅର୍ଥାତ୍‍ ପରୋକ୍ଷ ଭାବେ ମାସିକ ଅନେକ ଅର୍ଥ ସଂଗ୍ରହ କରୁଥିବା କୌଣସି କର୍ମଚାରୀ  କେବେ ତାଙ୍କ ଅନ୍ନଦାତାଙ୍କୁ ଅସୁବିଧାରେ ପଡ଼ିବାକୁ ଦେବ ନାହିଁ। ଏହି ତାଲିକାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଚିବସ୍ତରର ଅଧିକାରୀ ବି ସାମିଲ ରହିଛନ୍ତି। 

ଆହୁରି ଗୁରୁତ୍ୱପୂର୍ଣ୍ଣ ହେଉଛି ସରକାରୀ ଚାକିରି ସରିବା ପରେ କିଟରେ ଚାକିରି। ଏହାକୁ ଆପଣ ପଞ୍ଚମ କାରଣ ଭାବେ ଗ୍ରହଣ କରିପାରିବେ। ଯଦି ଆପଣ ସରକାରଙ୍କ ସେବା କରୁଛନ୍ତି ଏବଂ କୌଣସି ଦୁର୍ବଳ ସମୟରେ  ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କିଟ୍‍ ପାଇଁ ସହାୟକ ହୋଇଛନ୍ତି ତେବେ ଅବସର ପରେ ଆପଣଙ୍କ ପାଇଁ ଚାକିରି ଥୁଆ। ଏମିତି ଅନେକ କର୍ମଚାରୀ ଅବସର ପରେ ଏଠାରେ ରୋଜଗାରର ଉତ୍ସ ଭାବେ କିଟ୍କୁପ ଗ୍ରହଣ କରିଛନ୍ତି। କିଛି ଅଧିକାରୀ ତ ବିନା କୌଣସି କାମରେ ଲକ୍ଷ ଲକ୍ଷ ଟଙ୍କାର ଦରମା ପରାମର୍ଶଦାତା ଭାବେ ପାଉଛନ୍ତି।

ଏହି ପାଞ୍ଚଟି କାରଣ ଗୋଟିଏ ଭାତ ହାଣ୍ଡିର ୫ଟି ଦାନା ଭଳି। ଏହି ଦାନା ଭିତରେ ଆପଣ ମିଶନ ଶକ୍ତିର ଗୈରିକରଣ ପ୍ରସଙ୍ଗକୁ ବି ଯୋଡ଼ି ପାରିବେ। କାରଣ ମିଶନ ଶକ୍ତିର ଗୈରିକରଣ ଆଜିର ନୁହେଁ। ଏହି ମିଶନ ଶକ୍ତିକୁ ବିଜେଡି ତାହାର ଭୋଟ ବ୍ୟାଙ୍କ ଭାବେ ଅତୀତରେ ବ୍ୟବହାର କରୁଥିବା ନେଇ ଯଥେଷ୍ଟ ଚର୍ଚ୍ଚା ହୋଇଛି। ଏଣୁ ଯିଏ କ୍ଷମତାକୁ ଆସିବ ସିଏ ତା’ ଅନୁସାରେ ଏହି ବ୍ୟାଙ୍କରୁ ନିଜ ଫାଇଦା ଉଠାଇବା ସ୍ୱଭାବିକ। ଆଜି ଏ ପ୍ରସଙ୍ଗ ଉଠିବା ଏବଂ ବିଧାନସଭା ମୁଲତବୀ ହେବା ସ୍ପଷ୍ଟ କରୁଛି ଯେ, ବିଜେଡି ରାଜ୍ୟବାସୀଙ୍କ ନଜରକୁ କିଟ୍‍ ପ୍ରସଙ୍ଗରୁ ଦୂରେଇବାକୁ ଚାହୁଁଛି। ପ୍ରଶ୍ନ ଉଠୁଛି ଶାସକ ଦଳ ଏହି ପ୍ରସଙ୍ଗକୁ କେମିତି ଗ୍ରହଣ କରିବ? କିଛି ଅଫିସର, ନେତା ଓ ପ୍ରଭାବଶାଳୀ ବ୍ୟବସାୟୀଙ୍କ ଚକ୍ରବ୍ୟୁହରେ ଫଶିଯିବେ ନି ତ! ଏହା ହେଲେ ନିରୀହ ପିତାମାତାଙ୍କ ଦୁଃଖ ବୁଝିବ କିଏ?