Less Rain Effect: ସ୍ବଳ୍ପ ବୃଷ୍ଟିପାତ ଓ ପାଗ ପ୍ରତିକୂଳ ଯୋଗୁ ଚଳିତବର୍ଷ କମିପାରେ ଧାନ ଅମଳ
Advertisement
Article Detail0/zeeodisha/odisha1853722

Less Rain Effect: ସ୍ବଳ୍ପ ବୃଷ୍ଟିପାତ ଓ ପାଗ ପ୍ରତିକୂଳ ଯୋଗୁ ଚଳିତବର୍ଷ କମିପାରେ ଧାନ ଅମଳ

ଭୁବନେଶ୍ୱର: ବୃଷ୍ଟିପାତରେ ଅନିୟମିତତା ସହ ତାପମାତ୍ରାରେ ବିଭ୍ରାଟ ଯୋଗୁ ଚଳିତବର୍ଷ ଓଡ଼ିଶାରେ ଧାନ ଉତ୍ପାଦନ କମିବା ଆଶଙ୍କା ରହିଛି । କେବଳ ଧାନ ନୁହେଁ ଡାଲି , ତୈଳବୀଜ ସମେତ ଅନ୍ୟାନ୍ୟ ପନିପରିବା ଉତ୍ପାଦନ ମଧ୍ୟ କମିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ଓଡ଼ିଶାରେ ୨୦୨୦ - ୨୧ ବର୍ଷରେ ୧୬୬ ଲକ୍ଷ ମେଟ୍ରିକ୍ ଟନ୍‌ରୁ ଅଧିକ ଧାନ ଉତ୍ପାଦନ ହୋଇଥିଲା । 

Less Rain Effect: ସ୍ବଳ୍ପ ବୃଷ୍ଟିପାତ ଓ ପାଗ ପ୍ରତିକୂଳ ଯୋଗୁ ଚଳିତବର୍ଷ କମିପାରେ ଧାନ ଅମଳ

ଭୁବନେଶ୍ୱର: ବୃଷ୍ଟିପାତରେ ଅନିୟମିତତା ସହ ତାପମାତ୍ରାରେ ବିଭ୍ରାଟ ଯୋଗୁ ଚଳିତବର୍ଷ ଓଡ଼ିଶାରେ ଧାନ ଉତ୍ପାଦନ କମିବା ଆଶଙ୍କା ରହିଛି । କେବଳ ଧାନ ନୁହେଁ ଡାଲି , ତୈଳବୀଜ ସମେତ ଅନ୍ୟାନ୍ୟ ପନିପରିବା ଉତ୍ପାଦନ ମଧ୍ୟ କମିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ଓଡ଼ିଶାରେ ୨୦୨୦ - ୨୧ ବର୍ଷରେ ୧୬୬ ଲକ୍ଷ ମେଟ୍ରିକ୍ ଟନ୍‌ରୁ ଅଧିକ ଧାନ ଉତ୍ପାଦନ ହୋଇଥିଲା । ଚାଉଳ କ୍ଷେତ୍ରରେ ଓଡ଼ିଶା ବଳକା ପରିଣତ ହେବା ସହ ଅନ୍ୟ ରାଜ୍ୟକୁ ଚାଉଳ ଯୋଗାଉଛି । ୨୦୨୨-୨୩ର ଖରିଫ ଋତୁରେ ଫେବୃୟାରୀ ସୁଦ୍ଧା ଚାଷୀମାନଙ୍କ ଠାରୁ ପ୍ରାୟ ୬୦ ଲକ୍ଷ ମେଟ୍ରି ଧାନ ସଂଗୃହୀତ ହୋଇଥିବାବେଳେ ବର୍ତ୍ତମାନର ଧାନ ଫସଲ ପାଇଁ କେଉଁ ଚାଷୀ କେତେ ଧାନ ମଣ୍ଡିରେ ଦେବେ ସେଥିପାଇଁ ପଞ୍ଜୀକରଣ ଚାଲିଛି । ସାଧାରଣତଃ କାଳବୈଶାଖୀ ପ୍ରଭାବରେ ଚୈତ୍ର , ବୈଶାଖ ଓ ଜ୍ୟେଷ୍ଠ ମାସରେ ବିକ୍ଷୀପ୍ତ ଭାବେ ବର୍ଷା ହୋଇଥାଏ ଏବଂ ଆଷାଢ ମାସରୁ ମୌସୁମୀ ବର୍ଷା ସହିତ ଲଘୁଚାପଜନିତ ବୃଷ୍ଟିପାତ ବି ହୋଇଥାଏ ।

ଶ୍ରାବଣ ମାସରେ ସର୍ବାଧିକ ବର୍ଷା ହୋଇଥାଏ । ଚାଷୀମାନେ ଶ୍ରାବଣ ଓ ଭାଦ୍ରବ ମାସରେ ରୁଆ ବେଉଷଣ କାମ ସାରିଥାନ୍ତି । ବର୍ଷାପରେ ନଦୀମାନଙ୍କରେ ଜଳସ୍ତର ବଢିବା ଯୋଗୁ ଜଳଭଣ୍ଡାର ସମୃଦ୍ଧ ହୋଇଥାଏ ଓ ନିଅଣ୍ଟିଆ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକସ୍ଥଳେ କେନାଲରେ ପାଣି ଛଡାଯାଇଥାଏ । ହେଲେ ଏବେ ଶ୍ରାବଣମାସ ଶେଷ ହେବାକୁ ଯାଉଛି । ଆଷାଢ ଓ ଶ୍ରାବଣ ମାସରେ ଯେତିକି ବର୍ଷା ହେବା କଥା ତାହା ହୋଇନାହିଁ । ଅନେକ ଅଞ୍ଚଳରେ ଏବେବି କାଦୁଅ କରିବା ପାଇଁ ବିଲରେ ପାଣିନାହିଁ । ଏହାଛଡା ବେଳେବେଳେ ବର୍ଷା ସାଙ୍ଗକୁ ପ୍ରଚଣ୍ଡ ଖରା , ଗୁଳୁଗୁଳି ଓ ଉଷ୍ମ ତାପମାତ୍ରା ରହୁଥିବାରୁ ଚାଷବାସ କାମ ଠିକ୍ ଭାବେ ହୋଇପାରୁନାହିଁ । ସେହିପରି କେତେକ ଅଞ୍ଚଳରେ ଅତ୍ୟଧିକ ବର୍ଷାଯୋଗୁ ଧାନତଳି ବି ନଷ୍ଟ ହୋଇଯାଇଛି । ବିଭିନ୍ନ ଜିଲ୍ଲାର କୃଷି ଅଧିକାରୀମାନେ ପାଣି ପାଗର ଅନିୟମିତତା ଘେନି ଉଦ୍‌ବେଗ ପ୍ରକାଶ କରୁଛନ୍ତି । ଏପରିକି ଅନେକ ଚାଷୀ ପରିସ୍ଥିତି ଦେଖି ଏବର୍ଷ ଚାଷ କରିବାକୁ ରାଜି ନଥିବା ଖବର ବିଭିନ୍ନ ଜିଲ୍ଲାରୁ ଆସୁଛି । ଫଳରେ ବିଗତ ବର୍ଷମାନଙ୍କ ତୁଳନାରେ ଚଳିତବର୍ଷ ପଡିଆ ପଡୁଥିବା ଚାଷ ଜମିର ପରିମାଣ ଅଧିକ ହୋଇପାରେ ।

ତେବେ ଭାଦ୍ରବ ମାସରେ ଯଦି ବର୍ଷା ହୁଏ ତା’ହେଲେ ପରିସ୍ଥିତି କିଛିଟା ସୁଧାର ଆସିପାରିବ ବୋଲି ବିଭିନ୍ନ ଜିଲ୍ଲାର ଚାଷୀମାନେ ଆଶାବାଦୀ ଅଛନ୍ତି । ପନିପରିବା ଚାଷକୁ ବେଉଷାଭାବେ ଗ୍ରହଣ କରିଥିବା ଆଉ କେତେକ ଚାଷୀ କହୁଛନ୍ତି ଯେ , ତାପମାତ୍ରା ଓ ପାଣିପାଗର ଅନିୟମିତତା ଯୋଗୁ ବାଇଗଣ , ଜହ୍ନି , ଭେଣ୍ଡି , କାକୁଡ଼ି , ଟମାଟୋ ଆଦି ପନିପରିବା ଚାଷ ଭଲ ହେଉନାହିଁ । ଏଥିଯୋଗୁ ବ୍ୟାପକ ପୋକ ଲାଗି ପରିବା ଗଛ ନଷ୍ଟ ହେଉଥିବାରୁ ବହୁସ୍ଥଳରେ ଅତ୍ୟଧିକ ପରିମାଣର କୀଟନାଶକ ପ୍ରୟୋଗ କରିବାକୁ ଚାଷୀମାନେ ବାଧ୍ୟ ହେଉଛନ୍ତି । ଏଭଳି ସ୍ଥିତି ଲାଗିରହିଲେ ଆଗାମୀ ଦିନରେ ପରିବା ଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇପାରେ । ପାଣିପାଗ ଓ ତାପମାତ୍ରାର ଲଗାତର ଅନିୟମିତତା ଯୋଗୁ ଗରମ ବଢ଼ୁଥିବାବେଳେ ଏବର୍ଷ ରାଜ୍ୟରେ ଶୀତର ପ୍ରକୋପ କିଭଳି ରହିବ ସେନେଇ ପାଣିପାଗ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ଶୀତ ଦିନରେ ଶୀତର ପ୍ରକୋପ ନରହିଲେ ତାହାବି ପନିପରିବା ସହିତ ଡାଲି ଓ ତୈଳବୀଜ ଚାଷ ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ଜିଲ୍ଲା ଓ ବ୍ଲକସ୍ତରରେ କୃଷି ଅଧିକାରୀମାନେ ଚାଷୀମାନଙ୍କୁ ଅଧିକ ପରିମାଣର ମାଣ୍ଡିଆ ଜାତୀୟ ଶସ୍ୟ ଚାଷ ଲାଗି ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦେଉଛନ୍ତି । ପାଣିପାଗ ଓ ତାପମାତ୍ରା ସ୍ଥିତିରେ ପରିବର୍ତ୍ତନ ନ ଆସିଲେ ଆଗାମୀ ଦିନରେ ତାହା କେବଳ ଓଡ଼ିଶା କାହିଁକି ଦେଶର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମତ ପୋଷଣ କରୁଛନ୍ତି ।