Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2463716

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
1. ଆଜି ଜମ୍ମୁ ଓ କଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ। ଏଥିନେଇ ପ୍ରତିଟି ରାଜନୀତିକ ଦଳ ଭିତରେ ଉତ୍ସାହ ଦେଖା ଦେଇଛି। ଧାରା ୩୭୦ ହଟିବା ପରେ ଜମ୍ମୁ କଶ୍ମୀରରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଛି। ଗୋଟିଏ ପକ୍ଷରେ ଏହା ବିଜେପି ଏବଂ ଜମ୍ମୁ କଶ୍ମୀରର ଆଞ୍ଚଳିକ ଦଳ ଭିତରେ ଲଢ଼େଇ ହୋଇଛି। କଂଗ୍ରେସ ଏବଂ ନ୍ୟାସନାଲ୍‍ କନ୍‍ଫରେନ୍ସ ମିଳିତ ଭାବେ ନିର୍ବାଚନ ଲଢ଼ିଛନ୍ତି। ସେହିପରି ହରିୟାଣାରେ ବିଜେପି ତୃତୀୟଥର ସରକାର ଗଢ଼ିବ ନା ପରାଜୟ ସ୍ୱୀକାର କରିବ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ପୁଣି ପ୍ରାୟ ସମସ୍ତ ଏକ୍‍ଜିଟ ପୋଲ ଉଭୟ ବିଧାନସଭାରେ ବିଜେପିକୁ ପୂର୍ଣ୍ଣ ବହୁମତ ନ ମିଳିବାର ଆଶଙ୍କା କରିଛନ୍ତି। 
 
2. ଅକ୍ଟେବାର ୭ ତାରିଖ ସୁଦ୍ଧା ଓଡ଼ିଶାର ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି । ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦା ଠାରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ ।
 
 
3. କାର୍ତ୍ତିକ ବ୍ରତଧାରୀଙ୍କ ପାଇଁ ସୁବିଧା ସୁଯୋଗ କରିବା ତଥା ଏହି ପବିତ୍ର ମାସରେ ଶ୍ରୀମନ୍ଦିରର ନୀତିକାନ୍ତିକୁ ଅଧିକ ସଂଯୋଜିତ କରିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମୂଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୧୪ ତାରିଖରୁ ବାଳଭୋଗ ନୀତି ଆରମ୍ଭ କରାଯିବ। 
 
4. ରାଜ୍ୟପାଳଙ୍କ ଅନୁମୋଦନକ୍ରମେ ସୁଶାନ୍ତ କୁମାର ମହାନ୍ତିଙ୍କୁ କାର୍ଯ୍ୟକାରୀ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଗତ ୪ ତାରିଖରେ ମୁଖ୍ୟ ସୂଚନା ଆୟୁକ୍ତ ଜଳଦ କୁମାର ତ୍ରିପାଠୀ ଅବସର ଗ୍ରହଣ କରିଛନ୍ତି। ନୂତନ ମୁଖ୍ୟ ସୂଚନା ଆୟୁକ୍ତ ନିଯୁକ୍ତି ପାଇଁ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ମୁଖ୍ୟ ସୂଚନା ଆୟୁକ୍ତ ନିଯୁକ୍ତ ହେବା ପର୍ଯ୍ୟନ୍ତ ଶ୍ରୀ ମହାନ୍ତି କାର୍ଯ୍ୟକାରୀ ମୁଖ୍ୟ ସୂଚନା ଆୟୁକ୍ତ ଦାୟିତ୍ୱରେ ରହିବେ ବୋଲି ଜଣାଯାଇଛି ।
 
 
5. ରାଜ୍ୟରେ ଚାଷ ଜମିକୁ ଜଳ ସେଚନ ସାମର୍ଥ୍ୟ ବୃଦ୍ଧି ପାଇଁ ଆଉ ଏକ ନୂଆ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି।  ସମସ୍ତ ଜଳଭଣ୍ଡାରରେ ସ୍ୱୟଂଚାଳିତ ହାଇଡ୍ରୋଲିକ୍ ଗେଟ୍‌(ଫାଟକ) ଲଗାଇ ଜଳଭଣ୍ଡାରରେ ଅଧିକ ଜଳ ସଂରକ୍ଷଣ କରିବା ପାଇଁ ଜଳ ସମ୍ପଦ ବିଭାଗ ନିଷ୍ପତ୍ତି ନେଇଛି । ଫାଟକବିହୀନ ଡ୍ୟାମରେ ଫାଟକ ସଂଯୋଗୀକରଣ ଯୋଜନାରେ ଆସନ୍ତା ୩ବର୍ଷ ମଧ୍ୟରେ ରାଜ୍ୟ ସରକାର ମୋଟ ୨୩୯.୬୦କୋଟି ଟଙ୍କା ବ୍ୟୟବରାଦ କରିବାକୁ ଯାଉଛନ୍ତି ।  
 
6. ଘରେ ବସି ଅନ୍‍ଲାଇନରେ ଏନ୍‍ସିଇଆର୍‍ଟି ପାଠ୍ୟପୁସ୍ତକ କିଣିଲେ ମୂଲ୍ୟ ବଦଳିବ ନାହିଁ। ଯାହା ପାଠ୍ୟପୁସ୍ତକର ସର୍ବୋଚ୍ଚ ବିକ୍ରୟ ମୂଲ୍ୟ ( ଏମ୍‍ଆର୍‍ପି) ଲେଖା ଥିବ ସେତିକିରେ  ଡେଲିଭରୀ ଏଜେଣ୍ଟ ବହି ପହଞ୍ଚାଇବେ। ଏଥିଲାଗି ଇ-କମର୍ସ ପ୍ଲାଟଫର୍ମ ଆମାଜନ୍‍ ସହିତ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ।ଏହି ଅବସରରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦେଶର ୨୦ ହଜାର ପିନ୍‍କୋଡରେ ଏଣିକି ବିନା କୌଣସି ଝିନ୍‍ଝଟରେ ଏନ୍‍ସିଇଆର୍‍ଟି ବହି ପହଞ୍ଚିବ। ଫଳରେ କଳାବଜାରୀ ତଥା ଉଚ୍ଚ ମୂଲ୍ୟରେ ବିକ୍ରିକୁ ରୋକାଯାଇପାରିବ।
 
7. ରାଜ୍ୟରେ ଏଣିକି ସରକାରୀ କୋଠାଗୁଡ଼ିକର ରଙ୍ଗ ବଦଳିବ। ଯେତିକି ନୂଆ କୋଠା ତିଆରି ହେବ ସେଗୁଡ଼ିକର ରଙ୍ଗ ଏହି ନୂଆ ରଙ୍ଗ କୋଡ୍‍ ଅନୁସାରେ ସ୍ଥିର ହେବ। ଏହା ସହ କୌଣସି ପୁରୁଣା ସରକାରୀ କୋଠାର ମରାମତି ଓ ରକ୍ଷଣାବେକ୍ଷଣ ସମୟରେ ତାହାର ରଙ୍ଗକୁ ମଧ୍ୟ ବଦଳାଯିବ। ଏନେଇ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। 
 
8. ରାଜ୍ୟରେ ନକ୍ସଲ ପ୍ରବଣ ଜିଲ୍ଲା ସଂଖ୍ୟା ୧୦ରେ ସୀମିତ ରହିଛି। କିନ୍ତୁ ଏବେ ଛତିଶଗଡ଼ରେ ଚାଲିଥିବା ବ୍ୟାପକ ନକ୍ସଲ ବିରୋଧୀ କାର୍ଯ୍ୟକ୍ରମ ଓଡ଼ିଶା ପାଇଁ ବିପଦ ସୃଷ୍ଟି କରିଛି ବୋଲି ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକର ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହା ପ୍ରକାଶ କରିଛନ୍ତି। ବିନା କେନ୍ଦ୍ର ସରକାରଙ୍କ ସହାୟତାରେ ନକ୍ସଲ ବିରୋଧୀ କାର୍ଯ୍ୟକଳାପକୁ ସୁଚାରୁରୂପେ ପରିଚାଳନା କରିବା କଷ୍ଟକର ବୋଲି ସେ ସ୍ୱୀକାର କରିଛନ୍ତି। ଏଥିଲାଗି ୧୨ ପ୍ଲାଟୁନ୍‍ କେନ୍ଦ୍ରୀୟ ବଳ ସହ ହେଲିକପ୍ଟର ସହାୟତା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
 
9. ବିଗତ କିଛିଦିନର ତିକ୍ତତା ପରେ ଭାରତ-ମାଳଦୀପ ଭିତରେ ସମ୍ପର୍କ ସୁଧାର ହୋଇଛି। ମାଳଦୀପର ରାଷ୍ଟ୍ରପତି ଭାରତ ଆସି ଦ୍ୱିପାକ୍ଷିକ କଥାବର୍ତ୍ତା ପରେ ଭାରତ ଜଣେ ପଡ଼ୋଶୀ ଭାବେ ସମ୍ପୃକ୍ତ ଦେଶର ଆର୍ଥିକ ପରିସ୍ଥିତିକୁ ସୁଧାରିବା ଲାଗି ସହାୟତା ପ୍ରଦାନ କରିଛି। ଏହିକ୍ରମରେ ଭାରତ ପ୍ରାୟ ୬ହଜାର ୩୬୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‍ ଘୋଷଣା କରିଛି। ଏଥିରେ ୩୩୬୦ କୋଟି ଟଙ୍କା ମୁଦ୍ରା ସ୍ୱାପିଂ ସହାୟତା ହୋଇଥିବା ବେଳେ ୩ ହଜାର କୋଟି ଟଙ୍କା ହେଉଛି ସିଧାସଳଖ ଆର୍ଥିକ ସହାୟତା। ରିଜର୍ଭ ବ୍ୟାଙ୍କ ସହ ମାଳଦୀପର କେନ୍ଦ୍ରୀୟ ବ୍ୟାଙ୍କ ଏନେଇ ଏକ ଚୁକ୍ତି କରିଛନ୍ତି। 
 
10. ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏକ ନିଯୁକ୍ତି ପତ୍ର ବଣ୍ଟନ ସମାବେଶ ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୨୬୪ ଜଣ ଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ରାଜ୍ୟ ସରକାରଙ୍କ ଶକ୍ତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଓଡ଼ିଶା ଖଣି ନିଗମରେ ଏମାନେ କାର୍ଯ୍ୟ କରିବେ।