Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
ଆଜିଠୁ ଆରମ୍ଭ ବିଧାନସଭା ଅଧିବେଶନ
ଓଡ଼ିଶା ବିଧାନସଭାରେ ଆଜିଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦିନରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ବିଧାୟକମାନଙ୍କୁ ଉଦବୋଧନ ଦେବେ। ଓଡ଼ିଶାରେ ନିଯୁକ୍ତି ପରେ ଶ୍ରୀ କମ୍ଭମପାଟିଙ୍କର ଏହା ପ୍ରଥମ ଅଭିଭାଷଣ ହେବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷ ପରିପ୍ରେକ୍ଷୀରେ ତାଙ୍କ ସରକାରଙ୍କ ଦୂରଦୃଷ୍ଟି ତଥା ଜନମଙ୍ଗଳକାରୀ ପଦକ୍ଷେପ ଏବଂ ପୂର୍ବ ସଫଳତାକୁ ଏହି ଅଭିଭାଷଣରେ ସାଧାରଣତଃ ଉପସ୍ଥାପନ କରାଯାଇଥାଏ।
ଆଜି ଲୋକସଭାରେ ଆସିବ ଓ୍ୱାକଫ ସଂଶୋଧନ ରିପୋର୍ଟ ଏବଂ ନୂଆ ଆୟକର ବିଧେୟକ
ଲୋକସଭାରେ ବଜେଟ୍ ଅଧିବେଶନର ପ୍ରଥମ ଅଧ୍ୟାୟର ଆଜି ଶେଷ କାର୍ଯ୍ୟ ଦିବସ। ଏହି ଦିନଟିକୁ ଅଧିକ ସରଗରମ କରିବା ଲାଗି ଲୋକସଭାର କାର୍ଯ୍ୟପରିଚାଳନା କମିଟି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସ୍ଥିର କରିଛି। ଏହିକ୍ରମରେ ଆଜି ଅର୍ଥମନ୍ତ୍ରୀ ନୂତନ ଆୟକର ବିଧେୟକ ଆଣିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ଓ୍ୱାକଫ୍ ଆଇନ ସଂଶୋଧନ ପାଇଁ ଗଠନ କରାଯାଇଥିବା ଯୁଗ୍ମ ସଂସଦୀୟ କମିଟିର ରିପୋର୍ଟ ମଧ୍ୟ ଆଜି ଉପସ୍ଥାପନ ହୋଇପାରେ। ଏନେଇ ସଂଶୋଧିତ କାର୍ଯ୍ୟସୂଚୀରେ ସ୍ପଷ୍ଟ କରାଯାଇଛି।
ଆମେରିକାରେ ପହଞ୍ଚିଲେ ମୋଦୀ
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସକୁ ବିଦାୟ ଦେଇ ଆମେରିକାରେ ପହଞ୍ଚିଛନ୍ତି। ଆଜି ବୁଧବାର ସନ୍ଧ୍ୟା ( ଭାରତୀୟ ସମୟ ଅନୁଯାୟୀ ଗୁରୁବାର ଭୋର ସମୟରେ) ଯେଉଁଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଆଜି ଗୁରୁବାର ସକାଳେ ତାଙ୍କ ବିମାନ ଭୋର ପ୍ରାୟ ୪:୩୦ ସମୟରେ ମେରିଲ୍ୟାଣ୍ଡର ଜଏଣ୍ଟ ବେସ୍ ଆଣ୍ଡ୍ରୁଜରେ ଅବତରଣ କରିଥିଲା। ସେମାନେ ବ୍ଲେୟାର ହାଉସ୍ କୋଠାରେ ରହିବେ। ଏହି କୋଠାଟି ହ୍ୱାଇଟ୍ ହାଉସ୍ ଠାରୁ ବଡ଼। ଆଜି ରାତିରେ ପ୍ରଧାନମନ୍ତ୍ରୀ ମୋଦି ରାତ୍ରୀଭୋଜନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ଏହି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇପାରେ। ସେ ଅନେକ ବ୍ୟବସାୟ ନେତାଙ୍କୁ ମଧ୍ୟ ଭେଟିବେ। ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ଭେଟିବେ।
ଆଜି ଆସିବ ନୂଆ ଆୟକର ବୀମା
ନୂତନ ଆୟକର ବିଲ୍ ୨୦୨୫ର ଡ୍ରାଫ୍ଟରେ ଅନେକ ପରିବର୍ତ୍ତନ ଦେଖାଯାଉଛି। ଏକ ନୂତନ ଆୟକର ବିଲ୍ ଆଣିବା ପଛରେ ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ଯେ ଆଇନ ସମ୍ପୂର୍ଣ୍ଣ ସ୍ପଷ୍ଟ ଏବଂ ସହଜ ହେବା ଉଚିତ। ଏହି ଆୟକର ବିଲ୍ ପ୍ରଚଳନ ପରେ,୬୦ ବର୍ଷ ପୁରୁଣା ଆୟକର ଆଇନ ୧୯୬୧ ସମ୍ପୂର୍ଣ୍ଣ ଭାବରେ ଉଚ୍ଛେଦ ହୋଇଯିବ। ଏହି ନୂତନ ଆୟକର ବିଲ୍ ପ୍ରଚଳନ ପରେ, 'ପୂର୍ବ ବର୍ଷ' ଶବ୍ଦଟି 'କର ବର୍ଷ' ଦ୍ୱାରା ବଦଳାଯିବ। ଏହା ବ୍ୟତୀତ, 'ମୂଲ୍ୟାୟନ ବର୍ଷ' ଧାରଣାକୁ ସମ୍ପୂର୍ଣ୍ଣ ଭାବରେ ଉଚ୍ଛେଦ କରାଯିବ।
ଚିନ୍ତା ବଢାଇଲାଣି ତାତି
ଚଳିତ ବର୍ଷ ପାଇଁ ରାଜ୍ୟରେ ପ୍ରଥମ ଥର ଦିନର ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ଛୁଇଁଛି। ଝାରସୁଗୁଡାରେ ବୁଧବାର ଏହି ସର୍ବୋଚ୍ଚ ତାପମାତ୍ରା ରେକର୍ଡ଼ ହୋଇଛି। ତେବେ, ଆସନ୍ତା ୪ ଦିନ ରାତିରେ ପାରଦ୫ ଡିଗ୍ରୀ ତଳକୁ ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାଫଳରେ କିଛି ସ୍ଥାନରେ ସାମାନ୍ୟ ଶୀତ ଅନୁଭବ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ସେହିଭଳି ଫେବୃଆରୀ ପ୍ରଥମ ସପ୍ତାହ ପରେ ଆଜି ଦ୍ବୀତିୟ ସପ୍ତାହରେ ରାଜଧାନୀ ତାତି ପୁଣି ୩୪ ଡିଗ୍ରୀ ପାର୍ କରିସାରିଛି।
ଦୁର୍ନୀତିରେ ଭାରତ ଉପରମୁହାଁ
ଦୁର୍ନୀତି ତାଲିକାରେ ଭାରତର ସ୍ଥାନ ତଳକୁ ଖସି ଚାଲିଛି। ଅର୍ଥାତ ଦୁର୍ନୀତି ବଢ଼ୁଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ୩ଟି ସ୍ଥାନ ତଳକୁ ଖସିଛି ଭାରତ। ଗତବର୍ଷ ସାମ୍ନାକୁ ଆସିଥିବା ରିପୋର୍ଟରେ ୯୩ତମ ସ୍ଥାନରେ ରହିଥିଲା ଭାରତ। ଚଳିତ ବର୍ଷ ୩ଟି ସ୍ଥାନ ତଳକୁ ଖସି ଏ ବର୍ଷ ୯୬ରେ ପହଞ୍ଚିଛି। ୨୦୧୮ରେ ଭାରତ ୮୦ତମ ସ୍ଥାନରେ ଥିଲା। ଗତ ୧୦ ବର୍ଷରେ ଏହା ଭାରତର ସବୁଠୁ ଖରାପ ରାଙ୍କିଙ୍ଗ। ତାଲିକାର ପ୍ରଥମ ରାଙ୍କରେ ରହିଛି ଡେନମାର୍କ। ଅର୍ଥାତ୍ ଡେନମାର୍କରେ ଦୁର୍ନୀତି ସବୁଠାରୁ କମ୍। ସ୍ବଚ୍ଛତା ପାଇଁ ୧୦୦ରୁ ୯୦ ମାର୍କ ପାଇଛି ଦେଶ। ଭାରତର ସ୍କୋର ମାତ୍ର ୩୮୯ ରାଙ୍କ ବଢ଼ିବା ଅର୍ଥ କମ୍ ସ୍ବଛ, ଅଧିକ ଦୁର୍ନୀତି। ଦୁର୍ନୀତି ବିରୋଧରେ କାମ କରୁଥିବା ଅନ୍ତର୍ଜାତୀୟ ସଙ୍ଗଠନ ‘ଟ୍ରାନ୍ସପରେନ୍ତି ଇଣ୍ଟରନ୍ୟାସନାଲ ଏହାର କରପ୍ସନ ପର୍ସେପ୍ସନ ଇଣ୍ଡେକ୍ସ (ସିପିଆଇ)-୨୦୨୪ ଜାରି କରିଥିବା ତାଲିକାରେ ୧୮୦ ଦେଶର ତାଲିକାର ଦୁର୍ନୀତି ରାଙ୍କ ପ୍ରକାଶ ପାଇଛି। ଭାରତ ସହ ସମାନ ସ୍ଥାନ (୯୬)ରେ ଗାୟିଆ ଏବଂ ମାଳଦ୍ୱୀପ ରହିଛି।
ସୀମାନ୍ତରେ ଯୁଦ୍ଧ ବିରତି ଉଲ୍ଲଂଘନ, ପାକ୍ ସେନାର ଅନେକ ମୃତ
ଭାରତ ସହିତ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପରୁ ନିବୃତ୍ତ ହେଉନାହିଁ। ସେ ଅସ୍ତ୍ରବିରତି ଉଲ୍ଲଂଘନ କରି ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖା ଉପରେ ଗୁଳି ଚଳାଇଥିଲେ। ଭାରତୀୟ ସେନା ବିନା ଉତକ୍ଷିପ୍ତରେ ଗୁଳିଚାଳନା କରିବାର ଉପଯୁକ୍ତ ଜବାବ ଦେଇଥିଲା, ଯେଉଁଥିରେ ବହୁ ସଂଖ୍ୟକ ପାକିସ୍ତାନୀ ସୈନିକ ନିହତ ହୋଇଥିଲେ। ସୁରକ୍ଷା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।
ଜାନୁୟାରୀରେ ମୂଦ୍ରାସ୍ଫୀତି କମିଲା
ଜାନୁଆରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇଛି। ଏହା ୪.୩୧ ପ୍ରତିଶତକୁ ହ୍ରାସ ପାଇଛି, ଯାହା ୫ ମାସ ମଧ୍ୟରେ ସର୍ବନିମ୍ନ ସ୍ତର। ଏହି ହ୍ରାସ ମୁଖ୍ୟତଃ ପନିପରିବା, ଅଣ୍ଡା ଏବଂ ଡାଲିର ମୂଲ୍ୟ ହ୍ରାସ ଯୋଗୁଁ ହୋଇଛି। ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଉପରେ ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଡିସେମ୍ବର, ୨୦୨୪ରେ ୫.୨୨ ପ୍ରତିଶତ ଏବଂ ଜାନୁଆରୀ ୨୦୨୪ରେ ୫.୧ ପ୍ରତିଶତ ଥିଲା।ପୂର୍ବରୁ, ଅଗଷ୍ଟ ୨୦୨୪ରେ ସର୍ବନିମ୍ନ ମୁଦ୍ରାସ୍ଫୀତି ୩.୬୫ ପ୍ରତିଶତ ଥିଲା। ଅକ୍ଟୋବର ମାସରୁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ହ୍ରାସ ପାଇବାରେ ଲାଗିଛି। ଜାନୁଆରୀରେ ଖାଦ୍ୟ ମୁଦ୍ରାସ୍ଫୀତି ୬.୦୨ ପ୍ରତିଶତ ଥିଲା, ଯାହା ଅଗଷ୍ଟ ୨୦୨୪ ରେ ୫.୬୬ ପ୍ରତିଶତ ପରେ ସର୍ବନିମ୍ନ।
କୋଚିଂ ସେଣ୍ଟର ପାଇଁ ଆସିବ ନୂଆ ନୀତି
କୋଚିଂ ସେଣ୍ଟର ପାଇଁ ସରକାର ନୂଆ ନୀତି ଆଣିବାକୁ ଯାଉଛନ୍ତି। ମନଇଚ୍ଛା କୋଚିଂ ସେଣ୍ଟର ଖୋଲିବା ଉପରେ ରୋକ୍ ଲାଗିବ। ବିନା ପଞ୍ଜିକରଣରେ କେହି କୋଟିଂ ସେଣ୍ଟର ଖୋଲି ପାରିବେ ନାହିଁ । କୋଚିଂ ସେଣ୍ଟର ଖୋଲିବାକୁ ହେଲେ ଏଣିକି ନୂଆ ନୀତି ମାନିବାକୁ ହେବ। ଆଡମିଶନ ବଢ଼ାଇବା ପାଇଁ ମିଛ ଓ ଲୋଭନୀୟ ପ୍ରତିଶ୍ରୁତିଭରା ବିଜ୍ଞାପନ ଜାରି କରିପାରିବେନି। ମନମାନି କଲେ ଜରିମାନା ସହ ମାମଲା ବି ହେବ। କୋଚିଂ ସେଣ୍ଟର ମନମାନି ରୋକିବାକୁ ଉଚ୍ଚଶିକ୍ଷା ବିଭାଗ ବର୍ତ୍ତମାନ ଚିଠା ନୀତି ପ୍ରସ୍ତୁତ କରିଛି। ଏହା ଉପରେ ମତାମତ ଆହ୍ୱାନ କରାଯାଇଛି। ସବୁ ମତାମତକୁ ଅନୁଧ୍ୟାନ ପରେ ଚୂଡ଼ାନ୍ତ ନୀତି ଆଣିବେ ସରକାର। କୌଣସି ବ୍ୟକ୍ତି ବା ଅନୁଷ୍ଠାନ କୋଟିଂ ସେଣ୍ଟର ଖୋଲିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ପଞ୍ଜିକରଣ କରାଇବାକୁ ହେବ। ଏଥିପାଇଁ ପ୍ରତି ଜିଲ୍ଲାରେ ଏକ କମିଟି କାର୍ଯ୍ୟ କରିବ । ଏହି କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷ ରହିବେ।
ଦିନିକିଆ ସିରିଜ ଜିତିଲା ଭାରତ
ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମୁକାବିଲାରେ ଭାରତ ଦମଦାର ପ୍ରଦର୍ଶନ କରିଛି। ଅହମଦାବାଦ୍ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ଭାରତୀୟ ବ୍ୟାଟର ଓ ବୋଲରମାନେ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି। ଭାରତ ଏହି ମ୍ୟାଚ୍ରେ ବିଶାଳ ବିଜୟ ହାସଲ କରିଛି। ୩୫୭ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟଟିଂ କରିଥିବା ବିଦେଶୀ ଟିମ୍ ୧୪୨ ରନ୍ରେ ପରାସ୍ତ ହୋଇଛନ୍ତି। ଇଂଲଣ୍ଡ ଟିମ୍ ୩୪.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୪ ରନ୍ କରିପାରିଛି। ଏଥି ସହିତ ଭାରତୀୟ ଟମ୍ ଇଂଲଣ୍ଡକୁ ୧୩ ବର୍ଷ ପରେ ମୂଳପୋଛ କରିଛି।