Top 10 News Today:ଆଜିଠାରୁ ମାଟ୍ରିକ୍ ପରୀକ୍ଷା, ୩ ଦିନ ବର୍ଷା, ହାଜର ହେବେ ଅଚ୍ୟୁତ ଓ ସକାଳର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2654727

Top 10 News Today:ଆଜିଠାରୁ ମାଟ୍ରିକ୍ ପରୀକ୍ଷା, ୩ ଦିନ ବର୍ଷା, ହାଜର ହେବେ ଅଚ୍ୟୁତ ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

 

Top 10 News Today:ଆଜିଠାରୁ ମାଟ୍ରିକ୍ ପରୀକ୍ଷା,  ୩ ଦିନ ବର୍ଷା, ହାଜର ହେବେ ଅଚ୍ୟୁତ ଓ ସକାଳର ୧୦ ବଡ଼ ଖବର

ଆଜିଠାରୁ ମାଟ୍ରିକ୍ ପରୀକ୍ଷା
ଆଜିଠାରୁ ଠାରୁ ଆରମ୍ଭ ହେବାକୁ ଯାଉଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ (ମାଟ୍ରିକ୍) ପରୀକ୍ଷା। ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫେବ୍ରୁଆରି ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ରେ ଶେଷ ହେବ। ପ୍ରତିଦିନ ସିଙ୍ଗିଲ ସିଟିଂରେ ବା ଗୋଟିଏ ଦିନରେ ଗୋଟିଏ ପରୀକ୍ଷା ହେବ। ସକାଳ ସାଢ଼େ ୭ଟାରେ ପରୀକ୍ଷା କେନ୍ଦ୍ର ଗେଟ୍ ଖୋଲାଯିବ, ସକାଳ ୯ଟା‌ରୁ ପରୀକ୍ଷା ଆରମ୍ଭ ହେବ। ତେବେ ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ମିଳିବ। ନୋଡା‌ଲ‌୍‌ ସେଣ୍ଟରରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ସ୍ଥାନାନ୍ତର କରାଯାଇ ସକାଳ ୮ଟା ମଧ୍ୟରେ କେନ୍ଦ୍ରରେ ପହଞ୍ଚିବ। ମାଟ୍ରିକ୍ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋ‌ଇ ୧୧ଟା ୩୦ମିନିଟରେ ସରିବ। କେବଳ ଗଣିତ ପାଇଁ ଅତିରିକ୍ତ ୧୫ମିନିଟ୍ ମିଳିବ ଓ ଗଣିତ ପରୀକ୍ଷା ୧୧ଟା ୪୫ ମିନିଟରେ ସରିବ। 

ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା
ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। କେତେକ ସ୍ଥାନରେ ପବନ ଓ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଗାମୀ ୨୪ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ୨୫ ତାରିଖ ଠାରୁ ପାଗରେ ପରିବର୍ତ୍ତନ ଆସିବ। ଗତକାଲି ସକାଳଠାରୁ ଆଜି ସନ୍ଧ୍ୟା ମଧ୍ୟରେ କେନ୍ଦ୍ରାପଡ଼ା ସହରରେ ୩୦.୫ ମିମି ବର୍ଷା ହୋଇଥିବା ବେଳେ ଖୋର୍ଦ୍ଧାରେ ୨୧ମିମି, ଯାଜପୁରରେ ୧୩.୪ମିମି, ଭଦ୍ରକରେ ୧୩.୨,  ଚାନ୍ଦବାଲିରେ ୧୨ ମିମି, ଅନୁଗୁଳରେ ୧୧, କଟକରେ ୮.୪, ଜଗତ୍‌ସିଂହପୁରରେ ୫.୧, ଭୁବନେଶ୍ବରରେ ୨.୮, ଢେଙ୍କାନାଳରେ ୨.୨ ମିମି ବର୍ଷା ହୋଇଛି। 

କିଟ୍ ଛାତ୍ରୀ ମୃତ୍ୟୁ ଘଟଣା; ଆଉ ୫ ଜଣଙ୍କୁ ଗିରଫ
କିଟ୍‌ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଆଉ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ୪ ବାଉନସରଙ୍କ ସହ ଜଣେ ଆସିଷ୍ଟାଣ୍ଟ ଫିଲ୍ଡ ଅଫିସର ଗିରଫ ହୋଇଛନ୍ତି । ଗିରଫ ମାନେ ହେଲେ ଆସିଷ୍ଟାଣ୍ଟ ଫିଲ୍ଡ ଅଫିସର ରମାକାନ୍ତ ସେଠୀ, ବାଉନସର ଅଜୟ ସ୍ବାଇଁ, ସରୋଜ ରାଉତରାୟ, ଚନ୍ଦନ ସ୍ବାଇଁ ଓ ସୁଧାଂଶୁ ଶେଖର ବେହେରା । ମୃତ ସହପାଠୀଙ୍କୁ ନ୍ୟାୟ ଦେବା ଦାବିରେ ଛାତ୍ରଛାତ୍ରୀମାନେ, ବିଶେଷ କରି ନେପାଳୀ ଛାତ୍ରଛାତ୍ରୀମାନେ ଯେତେବେଳେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ, ସେତେବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ପରେ ଏ ସମ୍ପର୍କିତ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଭାଇରାଲ ଭିଡିଓ ଆଧାରରେ ଇନଫୋସିଟି ପୋଲିସ ଗିରଫ କରିଛି ।

କିଟ ବିବାଦ: ଅଚ୍ୟୁତ୍ ସାମନ୍ତଙ୍କୁ ହାଜର ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ 
ଭୁବନେଶ୍ବର କିଟ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ବିବାଦ ଥମୁନାହିଁ । ବିଧାନସଭାରେ ହଙ୍ଗାମା ଭିତରେ କିଟ୍ ମାଲିକ ଅଚ୍ୟୁତ ସାମନ୍ତଙ୍କୁ ହାଜର ପାଇଁ ନୋଟିସ୍ ଜାରି କରିଛି ଉଚ୍ଚଶଶିକ୍ଷା ବିଭାଗ । ଆଜି ସନ୍ଧ୍ୟା ସାଢ଼େ ୬ଟାରେ ହାଇଲେବୁଲ କମିଟିରେ ହାଜର ହେବେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ହାଜର ହୋଇ ନିଜ ପକ୍ଷ ରଖିବେ। ଏତେ ବଡ଼ ବିଶ୍ବବିଦ୍ୟାଳୟରେ, କେମିତି ଏହି ଅଘଟଣ ଘଟିଲା, ସେ ନେଇ କିଟ୍ ପ୍ରତିଷ୍ଠାତା ଉତ୍ତର ରଖିବେ । ସେପଟେ କିଟ୍ ଘଟଣାକୁ ନେଇ ପ୍ରତିବାଦ ଜାରି ରହିଛି । ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଉଛି । 

ଡାକ୍ତରଖାନାରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ
ଗୁରୁବାର କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସ୍ଥିର ଅଛି ଏବଂ ତାଙ୍କୁ ଶୁକ୍ରବାର ଦିନ ଡିସଚାର୍ଜ କରାଯାଇପାରେ ବୋଲି ସୂଚନା ମିଳିଛି । ସାର୍ ଗଙ୍ଗାରାମ ହସ୍ପିଟାଲର ପରିଚାଳନା ବୋର୍ଡର ଅଧ୍ୟକ୍ଷ ଡାକ୍ତର ଅଜୟ ସ୍ୱରୂପଙ୍କ ଅନୁଯାୟୀ, ପେଟ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ତାଙ୍କୁ ଆଜି ଭର୍ତ୍ତି କରାଯାଇଥିଲା । ତଥାପି, ଚିନ୍ତା କରିବାର କିଛି ନାହିଁ ଏବଂ ତାଙ୍କୁ ଆସନ୍ତାକାଲି ସକାଳ ସୁଦ୍ଧା ଡିସଚାର୍ଜ କରାଯିବ ବୋଲି ଜଣାପଡ଼ିଛି । ସେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଶେଷଜ୍ଞ ଡାକ୍ତର ସମିରନ ନନ୍ଦୀଙ୍କ ତତ୍ତ୍ୱାବଧାନରେ ଅଛନ୍ତି ।

ଦକ୍ଷିଣ ଆଫ୍ରିକା ଗସ୍ତରେ ବୈଦେଶିକ ମନ୍ତ୍ରୀ
ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଚାଲିଥିବା G-20 ଶିଖର ସମ୍ମିଳନୀ ସମୟରେ ଗୁରୁବାର ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବ୍ରାଜିଲ, ସିଙ୍ଗାପୁର ଏବଂ ଅନ୍ୟାନ୍ୟ ଦେଶର ତାଙ୍କ ପ୍ରତିପକ୍ଷଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ବିଶ୍ୱ ବିକାଶ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ ନେତାମାନଙ୍କ ସହିତ ଆଲୋଚନା କରିଥିଲେ। ଜୟଶଙ୍କର G-20 ଦେଶର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବା ପାଇଁ ଦକ୍ଷିଣ ଆଫ୍ରିକାର ଦୁଇ ଦିନିଆ ଗସ୍ତରେ ଜୋହାନ୍ସବର୍ଗରେ ଅଛନ୍ତି।

ଟ୍ରମ୍ପଙ୍କ ବିସ୍ଫୋରକ ବୟାନ: ଭାରତ ନିର୍ବାଚନରେ ଆମେରିକା ହସ୍ତକ୍ଷେପ କରିଥିଲା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପୂର୍ବବର୍ତ୍ତୀ ଜୋ ବାଇଡେନଙ୍କ ପ୍ରଶାସନ ବିରୋଧରେ ଭାରତରେ ନିର୍ବାଚନୀ ହସ୍ତକ୍ଷେପ ନେଇ ଅଭିଯୋଗ ଆଣିଛନ୍ତି। ଭାରତରେ କ୍ଷମତାରେ ଥିବା ସରକାରକୁ ହଟାଇବା ଉଦ୍ଦେଶ୍ୟରେ ଆମେରିକାର ଅନୁଦାନ ବ୍ୟବହାର ହୋଇଥିଲା ବୋଲି ଟ୍ରମ୍ପ ବିସ୍ଫୋରକ ବୟାନ ଦେଇଥିବାରୁ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି।   ‘ମତଦାନ’ ବୃଦ୍ଧି ଉଦ୍ଦେଶ୍ୟରେ ଭାରତକୁ ୨୧ ନିୟୁତ ଡଲାର ଅନୁଦାନ ବନ୍ଦ କରିବାକୁ ଏଲନ୍ ମସ୍କଙ୍କ ନେତୃତ୍ୱାଧୀନ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ)ର ନିଷ୍ପତ୍ତିକୁ ଟ୍ରମ୍ପ ପୁନଃ ସମର୍ଥନ କରିଛନ୍ତି। ଟ୍ରମ୍ପ ତାଙ୍କ ବୟାନରେ ସ୍ପଷ୍ଟ  ସଙ୍କେତ  ଦେଇଛନ୍ତି ଯେ ଭାରତରେ ନରେନ୍ଦ୍ର ମୋଦୀ ଓ ତାଙ୍କ ଦଳକୁ ହରାଇବା ପାଇଁ ବାଇଡେନ ପ୍ରଶାସନ ବିପୁଳ ପାଣ୍ଠି ମତଦାନ ହାର ବୃଦ୍ଧି ନାଁରେ ଯୋଗାଉଥିଲା। 

FBI ନୂଆ ନିର୍ଦ୍ଦେଶକ କାଶ୍ ପଟେଲ୍
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସବୁଠୁ ଭରସାଯୋଗ୍ୟ ତଥା ଭାରତୀୟ ବଂଶୋଦ୍ଭବ କାଶ୍ ପଟେଲଙ୍କୁ ଗୁରୁ ଦାୟିତ୍ବ । ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫବିଆଇ)ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି କାଶ୍ । ଆମେରିକା ସିନେଟରେ ଏହି ଅନୁମୋଦନ ମିଳିଛି ।  କାଶଙ୍କର ଏହି ନିଯୁକ୍ତି ଆମେରିକାର ଶୀର୍ଷ ତଦନ୍ତ ଏଜେନ୍ସିଂର ନେତୃତ୍ବରେ ବଡ ପରିବର୍ତ୍ତନ ରୂପେ ଦେଖିବାକୁ ମିଳିବ । ଟ୍ରମ୍ପଙ୍କର ଜଣେ ଦୃଢ଼ ସମର୍ଥକ କାଶ୍ ପଟେଲଙ୍କ ନିଯୁକ୍ତି ପାଇଁ ଆମେରିକା ସିନେଟ୍ ୫୧-୪୯ ଭୋଟରେ ମଞ୍ଜୁରୀ ପ୍ରଦାନ କରିଛି । ଏଫବିଆଇ ନିଯୁକ୍ତି ସହ ଟ୍ରମ୍ପ ପ୍ରଶାସନର ନ୍ୟାୟ ବିଭାଗର ନବକଳେବର ହୋଇଛି । ରିପୋଟର୍ସ ଅନୁସାରେ ଟ୍ରମ୍ପ ପ୍ରାଶାସନ ପ୍ରଥମ ମାସରେ ୭୫ ସିନିୟର ଆଡଭୋକେଟ୍ ଓ ଏଫବିଆଇ ଅଧିକାରୀ ଇସ୍ତଫା ଦେଇଥିବା କୁହାଯାଉଛି ।

ଅଗରକରଙ୍କୁ ପଛରେ ପକାଇଲେ ଶାମି
ଗୁରୁବାର ଦିନ (୨୦ ଫେବୃଆରୀ) ବାଂଲାଦେଶ ବିପକ୍ଷରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍‌ରେ ଭାରତ ପାଇଁ ଷ୍ଟାର ବୋଲର ମହମ୍ମଦ ଶାମି ୫୩ ରନ୍ ଦେଇ ପାଞ୍ଚଟି ୱିକେଟ୍ ନେଇଥିଲେ। ଏହା ସହିତ ସେ ସବୁଠାରୁ କମ୍ ମ୍ୟାଚ୍‌ରେ ୨୦୦ ୱିକେଟ୍ ନେଇଥିବା ଭାରତୀୟ ବୋଲର ହୋଇସାରିଛନ୍ତି। ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅଜିତ ଅଗରକରଙ୍କୁ ପଛରେ ପକାଇ ଇତିହାସ ରଚିଛନ୍ତି ଶାମି।

ଚାମ୍ପିୟନ୍ସ ଟ୍ରଫିରେ ଭାରତର ବିଜୟ ଅଭିଯାନ ଆରମ୍ଭ
ICC ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ବିଜୟ ସହିତ ଧମାକାଦାର ଆରମ୍ଭ କରିଛି । ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ମ୍ୟାଚ୍ ଗୁରୁବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ଖେଳିଥିଲା । ଏହି ମ୍ୟାଚ୍‌ରେ ଭାରତୀୟ ଦଳ ୬ ୱିକେଟ୍‌ରେ ବିଜୟୀ ହୋଇଛି । ମ୍ୟାଚ୍‌ର ହିରୋ ଥିଲେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ ଷ୍ଟାର ଓପନର ଶୁଭମନ ଗିଲ୍ । ପ୍ରଥମେ ଶାମି ବୋଲିଂ ଧାର ଦେଖାଇ ୫ ୱିକେଟ୍ ନେଇଥିଲେ । ଏହାପରେ ଗିଲ୍ ଆକ୍ରାମକ ବ୍ୟାଟିଂ କରି ଦ୍ରୁତ ଶତକ ହାସଲ କରିଥିଲେ ।