ଭୁବନେଶ୍ୱର: ଓଡିଶା ସୀମାନ୍ତ ଛତିଶଗଡ଼ର କୁଲାରିଘାଟ ଜଙ୍ଗଲରେ ନକ୍ସଲ ବିରୋଧୀ ଅପରେସନ୍ରେ ୧୦ ଜଣ ନକ୍ସଲଙ୍କ ଆଜି ସକାଳୁ ମୃତ୍ୟୁ ହୋଇଥିବା ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପୂର୍ବରୁ ଦୁଇ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଅପରେସନ୍ରେ ବିପୁଳ ଗୋଳାବାରୁଦ, ଅସ୍ତ୍ରଶସ୍ତ୍ର ଜବତ କରାଯଇଥିବା ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଜାନୁୟାରୀ ୧୯ ତାରିଖରେ ଗୁଇନ୍ଦା ସୂଚନାକୁ ନଜରରେ ରଖି ପୁଲିସ ଓ ସିଆର୍ପିଏଫ୍ ପକ୍ଷରୁ ଏକ ଅଭିଯାନ ଆରମ୍ଭ ହୋଇଥିଲା। ଓଡ଼ିଶା ପୁଲିସ ଓ ଛତିଶଗଡ଼ ପୁଲିସ ଏଥିରେ ଯୋଗ ଦେଇଥିଲେ। ଓଡ଼ିଶାର ନୂଆପଡ଼ା ଜିଲ୍ଲା ଓ ପଡ଼ୋଶୀ ଛତିଶଗଡ଼ର ଗହ଼ିଆବନ୍ଧ ଜିଲ୍ଲାରେ ଥିବା କୁଲାରିଘାଟରେ ନକ୍ସଲ ନେତା, କର୍ମୀଙ୍କ କ୍ୟାମ୍ପ ତଥା ବିପୁଳ ଅସ୍ତଶସ୍ତ୍ର ଥିବା ନେଇ ଖବର ପହଞ୍ଚିଥିଲା। ଏହି ମେଳିକୁ ଜବାବ ଦେବା ଲାଗି ଦୁଇ ରାଜ୍ୟର ପୁଲିସ ଓ ସିଆର୍ପିଏଫ୍ ପକ୍ଷରୁ ମିଳିତ ଅପରେସନ୍ ସେହିଦିନ ରାତିରେ ଆରମ୍ଭ କରାଯାଇଥିଲା। ୨୦ ତାରିଖ ଦିନ ଦୁଇଜଣ ମହିଳା ମାଓବାଦୀଙ୍କୁ ନିପାତ କରାଯାଇଥିବା ନେଇ ପୁଲିସ ମହାନିର୍ଦ୍ଦେଶକ ସୂଚନା ଦେଇଥିଲେ। ଏହାସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ନେଇ ସୂଚନା ଦେଇଥିଲେ। ଏହାପରେ ନିରନ୍ତର ଭାବେ ଅପରେସନ୍ ଜାରି ରହିଥିଲା। ,ଏସ୍ଓଜିଙ୍କ ସହାୟତାରେ ଗତ ରାତି ଓ ସକାଳେ ପୁଲିସ ଓ ମାଓବାଦୀଙ୍କ ଭିତରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏଥିରେ ୧୦ ମାଓବାଦୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏହି ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପୁଲିସ କହିଛି।
୨୦୨୪ ବର୍ଷ ଏହି ଅଞ୍ଚଳରେ ପୁଲିସ ସହ ଗୁଳି ବିନିମୟ ହେତୁ ୬ ମହାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣଙ୍କୁ ଗିରଫ କରାଯାଇଥିଲା। ୨୪ ଜଣ ଆତ୍ମ ସମର୍ପଣ କରିଥିଲେ। ୨୦୨୫ ଆରମ୍ଭରୁ ଏହି ଅପରେସନ୍ ସମେତ ୧୩ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ଏହାସହ ଆଗକୁ ମାଓ ବିରୋଧୀ କାର୍ଯ୍ୟକଳାପ ଆହୁରି ବୃଦ୍ଧି ପାଇବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।