International Mother Language Day: ମାତୃଭାଷା ଦିବସରେ ଓଡ଼ିଆ ଭାଷାର ଅସ୍ତିତ୍ୱ ଚିନ୍ତା
Advertisement
Article Detail0/zeeodisha/odisha2654907

International Mother Language Day: ମାତୃଭାଷା ଦିବସରେ ଓଡ଼ିଆ ଭାଷାର ଅସ୍ତିତ୍ୱ ଚିନ୍ତା

International Mother Language Day: ରାଜ୍ୟରେ ଜନସଂଖ୍ୟା ବଢ଼ୁଛି, କିନ୍ତୁ ଓଡ଼ିଆ କହିବା, ଲେଖିବା ବା ପଢ଼ୁଥିବା ଲୋକଙ୍କ ସଂଖ୍ୟା ବଢ଼ୁଛି କି?  ରାଜ୍ୟର ପ୍ରତି ସ୍କୁଲରେ ଅଷ୍ଟମ ଯାଏ ଓଡ଼ିଆ ଶିକ୍ଷା ବାଧ୍ୟତାମୂଳକ, କିନ୍ତୁ ଓଡ଼ିଆ ଉପନ୍ୟାସଟିଏ ପଢ଼ିବା ପାଇଁ କେତେ ଜଣ ଅଷ୍ଟମଶ୍ରେଣୀ ଛାତ୍ରଛାତ୍ରୀ ସମର୍ଥ ହେଉଛନ୍ତି? ରାଜ୍ୟ ସରକାର ଓଡ଼ିଆରେ ଶାସନ କାର୍ଯ୍ୟ ଚଳାଇବା ଲାଗି ଆଇନ କରିଛନ୍ତି, ହେଲେ ଆଜି କେତେଜଣ ବଡ଼ବାବୁ ଓଡ଼ିଆରେ ଫାଇଲ୍‍ ଲେଖୁଛନ୍ତି?

International Mother Language Day: ମାତୃଭାଷା ଦିବସରେ ଓଡ଼ିଆ ଭାଷାର ଅସ୍ତିତ୍ୱ ଚିନ୍ତା

International Mother Language Day: ରାଜ୍ୟରେ ଜନସଂଖ୍ୟା ବଢ଼ୁଛି, କିନ୍ତୁ ଓଡ଼ିଆ କହିବା, ଲେଖିବା ବା ପଢ଼ୁଥିବା ଲୋକଙ୍କ ସଂଖ୍ୟା ବଢ଼ୁଛି କି?  ରାଜ୍ୟର ପ୍ରତି ସ୍କୁଲରେ ଅଷ୍ଟମ ଯାଏ ଓଡ଼ିଆ ଶିକ୍ଷା ବାଧ୍ୟତାମୂଳକ, କିନ୍ତୁ ଓଡ଼ିଆ ଉପନ୍ୟାସଟିଏ ପଢ଼ିବା ପାଇଁ କେତେ ଜଣ ଅଷ୍ଟମଶ୍ରେଣୀ ଛାତ୍ରଛାତ୍ରୀ ସମର୍ଥ ହେଉଛନ୍ତି? ରାଜ୍ୟ ସରକାର ଓଡ଼ିଆରେ ଶାସନ କାର୍ଯ୍ୟ ଚଳାଇବା ଲାଗି ଆଇନ କରିଛନ୍ତି, ହେଲେ ଆଜି କେତେଜଣ ବଡ଼ବାବୁ ଓଡ଼ିଆରେ ଫାଇଲ୍‍ ଲେଖୁଛନ୍ତି?

ଏମିତି ଅନେକ ପ୍ରଶ୍ନ ମନରେ ପ୍ରତିଟିଥର ଉଙ୍କିମାରେ, ଯେତେବେଳେ ଓଡ଼ିଆ ଭାଷା ବାବଦରେ ଚର୍ଚ୍ଚା ହୁଏ। ହେଲେ  ବାସ୍ତବରେ ଦିନକୁ ଦିନ ଆଦର କମିଲେ ଭାଷା ଯେତେ ପ୍ରାଚୀନ ହେଲେ ବି ସୀମିତ ହୋଇଯାଏ କିଛି ଲୋକଙ୍କ ପାଖରେ। ପୁଣି ସେହି ଭାଷାରେ ଲେଖାଥିବା ପୁସ୍ତକଟିଏ ବି ପଢ଼ିବାକୁ ଲୋକ ମିଳନ୍ତିନି। ଏମିତି ବିଶ୍ୱର ୨୫୦ରୁ ଅଧିକ ଭାଷାର ଅବସ୍ଥା ହୋଇଛି। ଆଉ ୪୦ଟି ଭାଷା ଉଭେଇଯିବାର ଭୟ ବି ସୃଷ୍ଟି ହୋଇଛି। ଆମ ଦେଶରେ ପ୍ରତିଟି ପ୍ରାଚୀନ ଭାଷା ଏବେ ଅସ୍ତିତ୍ୱ ସଙ୍କଟରେ ପଡ଼ିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ ଭିତରେ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଭାଷା ବି ଅନ୍ତର୍ଭୁକ୍ତ। କିନ୍ତୁ କାହିଁକି? 

 ଏଥିପାଇଁ ଅନେକ କାରଣ ରହିଛି। ଏ କାରଣଗୁଡ଼ିକ ଭିତରେ ସବୁଠାରେ ଆଗୁଆ ହେଉଛି ହିନ୍ଦି ଭାଷାର ପରିବ୍ୟାପ୍ତି। ଉତ୍ତର ଭାରତର କିଛି ଅଞ୍ଚଳରେ ଏକଦା ସୀମିତ ଥିବା ଏହି ଭାଷା ଭାରତର ଅନ୍ୟ ଭାଷାଗୁଡ଼ିକଠାରୁ ଯଥେଷ୍ଟ କ୍ଷୀପ୍ର ଗତିରେ ଆଗକୁ ବଢ଼ୁଛି। ଏହା ଆମର ରାଷ୍ଟ୍ରୀୟ ଭାଷା ନୁହେଁ, କିନ୍ତୁ ପ୍ରଶାସନିକ ଭାଷାର ମାନ୍ୟତା  ହିନ୍ଦିକୁ ଅନ୍ୟ ଭାଷାକୁ ଠେଲି ଭିନ୍ନ ଭିନ୍ନ ଅଞ୍ଚଳରେ ପ୍ରବେଶ ପାଇଁ ବାଧ୍ୟ କରୁଛି। 

ଆମ ରାଜ୍ୟକୁ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ। ଏଠାର ପ୍ରମୁଖ ଭାଷା ହେଉଛି ଓଡ଼ିଆ। କେବଳ ଓଡ଼ିଶାରେ ନୁହେଁ ଏକଦା ଓଡ଼ିଶାର ଅଂଶ ହୋଇ ରହିଥିବା ଛତିଶଗଡ଼, ଆନ୍ଧ୍ର, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର କିଛି ଅଞ୍ଚଳରେ ଓଡ଼ିଆ ବଂଶଜ ଅର୍ଥାତ୍‍ ଭାଷା କହୁଥିବା ଲୋକ ବାସ କରନ୍ତି। କିନ୍ତୁ ସେମାନେ ଧିରେ ଧିରେ ଓଡ଼ିଆ ଭାଷାକୁ ଭୁଲିବାରେ ଲାଗିଲେଣି। ପରିସ୍ଥିତି ଏପରି ଯେ  ଆମ ରାଜ୍ୟର ଜନସଂଖ୍ୟା ସାଢ଼େ ୪ କୋଟିରୁ ଅଧିକ ହୋଇଥିଲେ ବି ସାରା ପୃଥିବୀରେ ଏତିକି ଓଡ଼ିଆ କହୁଥିବା ଲୋକ ନାହାନ୍ତି। ୨୦୧୧ ଜନଗଣନାକୁ ମାପଦଣ୍ଡ ଭାବେ ଗ୍ରହଣ କଲେ ଆମ ଦେଶରେ ସମୁଦାୟ ୩ କୋଟି ୯୦ ଲକ୍ଷ  ଓଡ଼ିଆ କହୁଥିବା ଲୋକ ରହୁଛନ୍ତି। ୧୯୭୧ ଜନଗଣନା ଅନୁସାରେ ଏହା ୦.୫ ପ୍ରତିଶତ କମ୍‍। ଏବେ ଏକ ଦଶନ୍ଧିରୁ ଅଧିକ ସମୟ ହେଲାଣି ଜନଗଣନା ହୋଇ ନାହିଁ। ୨୦୨୬ ଜନଗଣନାରେ ଏହି ସଂଖ୍ୟା କେତେ ରହିବ ତାହା ଆକଳନ କରିବା ବି ଅତ୍ୟନ୍ତ ଜଟିଳ ହେବ। ଆମ ରାଜ୍ୟର ଆର୍ଥିକ ସ୍ଥିତି ଏବଂ ବ୍ୟବସାୟିକ ମେନାବୃତ୍ତିର ଅଭାବକୁ ଏଥିଲାଗି କେହି କେହି ଦାୟୀ କରିପାରନ୍ତି। କିନ୍ତୁ ଆର୍ଥିକ ପ୍ରଗତି କ୍ଷୀପ୍ର ଥିବା ତଥା ଧନୀ ରାଜ୍ୟଗୁଡ଼ିରେ ଯେ ସେଠାର ଆଞ୍ଚଳିକ ଭାଷା ପ୍ରଗତି କରୁଛି ତାହା ଠିକ୍‍ ନୁହେଁ। 

 ଦେଶର ଜିଡିପିକୁ   ସର୍ବାଧିକ ୧୩.୫୩% ଅବଦାନ ରକ୍ଷା କରୁଥିବା ମହାରାଷ୍ଟ୍ରରେ ମରାଠି ଭାଷା ଯେଉଁସ୍ଥିତିରେ ଗତି କରୁଛି ତାହା ଏହାକୁ ସ୍ପଷ୍ଟ କରେ। ମହାରାଷ୍ଟ୍ରରେ ପ୍ରତି ୧୦ ହଜାର ଲେକ ସଂଖ୍ୟାରେ ୧୨୮୯ ଜଣ ହିନ୍ଦି କହନ୍ତି, ସେମାନେ ମରାଠି ଜାଣନ୍ତି ନାହିଁ। ପୁଣି ମହାରାଷ୍ଟ୍ରର ସମୁଦାୟ ଲୋକସଂଖ୍ୟାର ୧୧.୫% ଲୋକ ହିନ୍ଦି କହିପାରନ୍ତି। ୨୦୧୧ ଜନଗଣନା ଅନୁସାରେ ଦେଶରେ ସମୁଦାୟ ୮ କୋଟି ୩୦ ଲକ୍ଷ ଲୋକ ମରାଠି କହିପାରନ୍ତି। ଏହା ସମୁଦାୟ ଦେଶ ଜନଗଣନାର ୬.୯ ପ୍ରତିଶତ। ୧୯୭୧ ମସିହାରେ ଏହି ପରିମାଣ ୭.୬ ପ୍ରତିଶତ ଥିଲା। ଅର୍ଥାତ୍‍ ଅର୍ଥନୀତି ବଢ଼ିଛି କିନ୍ତୁ ଭାଷା ପ୍ରାଧାନ୍ୟ କମିଛି। 

ମହାରାଷ୍ଟ୍ର ତଳକୁ ତାମିଲନାଡ଼ୁ ଦେଶର ଅର୍ଥନୀତିକ ବିକାଶରେ ସର୍ବାଧିକ ଅବଦାନ ରକ୍ଷା କରେ। ଜିଡିପିରେ ୮.୮% ଅବଦାନ ରଖୁଥିବା ତାମିଲନାଡ଼ୁ ପ୍ରତିଦିନ ଭାଷା ପାଇଁ ସଂଗ୍ରାମ କରି ଆସୁଛି। ୨୦୧୧ ଜନଗଣନା ଅନୁସାରେ ଭାରତରେ ୬କୋଟି ୯ ଲକ୍ଷ ବ୍ୟକ୍ତି ତାମିଲ କହୁଛନ୍ତି। ୧୯୭୧ ତୁଳନାରେ ୨୦୧୧ ଜନଗଣନା ଅନୁସାରେ ଏହି ଭାଷାଭାଷୀ ଲୋକଙ୍କ ସଂଖ୍ୟା ୧.୨% କମିଛି। 

ସମାନ ଅବସ୍ଥା ଅନ୍ୟ ଭାଷାଭାଷୀଙ୍କ କ୍ଷେତ୍ରରେ ମଧ୍ୟ ଦେଖାଯାଏ। ବିଗତ ଦୁଇ ଦଶନ୍ଧି ଭିତରେ କେବଳ ହିନ୍ଦି ଭାଷାର ପରିବ୍ୟାପ୍ତି ଭାରତ ବର୍ଷରେ ଗତ୍ ୨୫ ପ୍ରତିଶତ  ବଢ଼ିଛି । ଜନଗଣନା ରିପୋର୍ଟକୁ ଆଧାର କଲେ ଦେଶର ମାତ୍ର ୩୭ ପ୍ରତିଶତ ଲୋକ ୧୯୭୧ ମସିହାରେ ହିନ୍ଦିଭାଷୀ ଥିବା ବେଳେ ୨୦୧୧ ମସିହାରେ ଏହି ସଂଖ୍ୟା ୪୩.୬ ପ୍ରତିଶତ ବଢ଼ିଛି। ଏବେ ଏହା ୬୦ ପ୍ରତିଶତ ଉପରକୁ ଯାଇଥିବା ଅନୁମାନ କରାଯାଏ। 

ବଙ୍ଗଳା ଭାଷା ଭାରତର ଦ୍ୱିତୀୟ ସର୍ବ ବୃହତ ପରିବ୍ୟାପ୍ତ ଭାଷା। ୨୦୧୧ ଜନଗଣନା ଅନୁସାରେ ଏହି ଭାଷାଭାଷୀ ସମୁଦାୟ ୯କୋଟି ୭ ଲକ୍ଷ ଲୋକ ରହିଛନ୍ତି। ୧୯୭୧ରୁ ୨୦୧୧ ଭିତରେ ୦.୨ ପ୍ରତିଶତ ହ୍ରାସ ହୋଇଛି ବଙ୍ଗଭାଷୀଙ୍କ ସଂଖ୍ୟା। ସେହିପରି ତେଲୁଗୁ ଭାଷୀଙ୍କ ସଂଖ୍ୟାରେ ୨.୫%, ଗୁଜରାଟିରେ ୦.୧%, ମଲାୟାଲାମରେ ୧.୯%, ଉର୍ଦ୍ଦୁରେ ୧%, କନ୍ନଡ଼ ଭାଷୀଙ୍କ ସଂଖ୍ୟାରେ ୦.୬ ପ୍ରତିଶତ ହ୍ରାସ ହୋଇଥିଲା। ଏହି ୧୫ ବର୍ଷ ଭିତରେ ଭାଷାର ଅବସ୍ଥା କେଉଁଠି ପହଞ୍ଚିଥିବ ତାହା ସମସ୍ତେ ଅନୁମାନ କରିପାରୁଥିବେ। 
ଭାଷା ଆମର ପରିଚୟ ତଥା ଭାରତୀୟତା ସୌନ୍ଦର୍ଯ୍ୟର ପ୍ରତୀକ। କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ ଭାଷାକୁ ପ୍ରୋତ୍ସାହନ ଦେଇ  ଶିକ୍ଷା, ବାଣିଜ୍ୟ, ଯୋଗାଯୋଗ କ୍ଷେତ୍ରରେ ସେହି ଅଞ୍ଚଳର ଭାଷାଗୁଡ଼ିକୁ ଗୌଣ କରିବାର ମାନସିକତା କେବେ ଭାରତକୁ ଗୌରବାନ୍ୱିତ କରିବ ନାହିଁ। ତାହା ଗଣତନ୍ତ୍ରରେ ବି ପରିସ୍ଫୁଟିତ ହୋଇଛି। ନିକଟରେ ଓଡ଼ିଶାରେ ‘ଅସ୍ମିତା’ ରକ୍ଷା ନାଁରେ ବିଜେପି ଶାସନକୁ ଆସିବା ଏହି ପ୍ରମାଣିତ କରିଛି। ପ୍ରଶ୍ନ ଉଠୁଛି ଓଡ଼ିଆ ସମେତ ଭାରତର ପ୍ରତିଟି ଭାଷା କର୍ମ ନିଯୁକ୍ତି, ବାଣିଜ୍ୟ ଓ ପ୍ରଶାସନର ଭାଷା ହୋଇପାରିବ ତ? ଯଦି ଏଥିଲାଗି ଭାରତ ସରକାରଙ୍କ ସହ ସମ୍ପୃକ୍ତ ରାଜ୍ୟସରକାରଗୁଡ଼ିକ ପ୍ରୟାସ ନକରିବେ ତେବେ ଭାଷା କେବଳ ଘରେ କିଛି ଲୋକଙ୍କ ଭିତରେ ସୀମିତ ରହି ଦିନେ ଇତିହାସ ହୋଇଯିବ।