RBI ପକ୍ଷରୁ ବଡ଼ ଘୋଷଣା: UPI ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, କ୍ରେଡିଟ କାର୍ଡ ସାହାଯ୍ୟରେ ହେବ ପେମେଣ୍ଟ
Advertisement
Article Detail0/zeeodisha/odisha1213026

RBI ପକ୍ଷରୁ ବଡ଼ ଘୋଷଣା: UPI ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, କ୍ରେଡିଟ କାର୍ଡ ସାହାଯ୍ୟରେ ହେବ ପେମେଣ୍ଟ

UPI ସହିତ କ୍ରେଡିଟ୍ କାର୍ଡ ଲିଙ୍କ ସମ୍ଭବପର ଯୋଗୁ କ୍ରେଡିଟ୍ କାର୍ଡର ବ୍ୟବହାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । 

RBI ପକ୍ଷରୁ ବଡ଼ ଘୋଷଣା: UPI ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, କ୍ରେଡିଟ କାର୍ଡ ସାହାଯ୍ୟରେ ହେବ ପେମେଣ୍ଟ

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି । ଏଣିକି କ୍ରେଡିଟ କାର୍ଡ ବ୍ୟବହାରକାରୀମାନେ UPI ପେମେଣ୍ଟ ସମୟରେ ନିଜ କ୍ରେଡିଟ କାର୍ଡକୁ ଲିଙ୍କ କରିପାରିବେ । ଏଥିପାଇଁ ଆପଣଙ୍କୁ ଆପଣଙ୍କର UPI ଆକାଉଣ୍ଟ ସହିତ କ୍ରେଡିଟ୍ କାର୍ଡ ଲିଙ୍କ କରିବାକୁ ପଡ଼ିବ ।

ପୂର୍ବରୁ, ଉପଭୋକ୍ତାମାନେ କେବଳ ସେମାନଙ୍କର UPI ଆକାଉଣ୍ଟରେ ଡେବିଟ୍ କାର୍ଡ ଲିଙ୍କ କରିପାରୁଥିଲେ । ଯାହା ସାହାଯ୍ୟରେ ସେଭିଂ କିମ୍ବା କରେଣ୍ଟ ଆକାଉଣ୍ଟରୁ ପେମେଣ୍ଟ ସମ୍ଭବ ହେଉଥିଲା । ନୂତନ ନୀତି ଅନୁଯାୟୀ, ବର୍ତ୍ତମାନ UPI ବ୍ୟବହାରକାରୀମାନେ ମଧ୍ୟ କ୍ରେଡିଟ୍ କାର୍ଡ ସାହାଯ୍ୟରେ ଦେୟ ଦେବାକୁ ସକ୍ଷମ ହେବେ । ଆରବିଆଇ ବର୍ତ୍ତମାନ କ୍ରେଡିଟ କାର୍ଡରେ ଏହି ସୁବିଧା ଆରମ୍ଭ କରିଛି ।

ଏବେ UPIରେ କାମ କରିବ କ୍ରେଡିଟ କାର୍ଡ- RBI

ବିକାଶ ଏବଂ ନିୟାମକ ନୀତି (Developmental and Regulatory Policies) ଉପରେ RBI ବିବୃତ୍ତି ଜାରି କରିଛି। ଯେଉଁଥିରେ ୟୁପିଆଇ ପେମେଣ୍ଟ ସିଷ୍ଟମ (UPI payment system)ରେ କ୍ରେଡିଟ କାର୍ଡର ଲିଙ୍କ୍ ନେଇ ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ କେବଳ ରୁପେ କ୍ରେଡିଟ କାର୍ଡ (RuPay Credit Cards) ଗୁଡ଼ିକ ୟୁପିଆଇ ପେମେଣ୍ଟ ପାଇଁ ଯୋଗ୍ୟ ହୋଇ ପାରିବ । ଆଶା କରାଯାଉଛି ଯେ ଖୁବଶୀଘ୍ର VISA ଏବଂ ମାଷ୍ଟରକାର୍ଡ କ୍ରେଡିଟ୍ କାର୍ଡ ମଧ୍ୟ UPI ସଂଯୋଗ ହୋଇପାରିବ ।

RBIର ନୂଆ ଗାଇଡଲାଇନ ଅନୁସାରେ ଉପଭୋକ୍ତାମାନେ ଅଧିକ ପେମେଣ୍ଟ ବିକଳ୍ପ ପାଇବେ ଏବଂ UPI ପ୍ଲାଟଫର୍ମ ବ୍ୟବହାର କରିବା ସହଜ ହେବ ।  ବ୍ୟାଙ୍କ ଏହା ମଧ୍ୟ କହିଛି ଯେ UPI-Credit Cardsରେ ହୋଇଥିବା ସମସ୍ତ ଟ୍ରାନଜାକସନ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (National Payments Corporation of India)କୁ ପଠାଇ ଦିଆଯିବ ।

UPI ସହିତ କ୍ରେଡିଟ୍ କାର୍ଡ ଲିଙ୍କ ସମ୍ଭବପର ଯୋଗୁ କ୍ରେଡିଟ୍ କାର୍ଡର ବ୍ୟବହାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । UPIରେ ବର୍ତ୍ତମାନ ୨୬ କୋଟିରୁ ଅଧିକ ୟୁନିକ ଉପଭୋକ୍ତା ଅଛନ୍ତି । ପ୍ଲାଟଫର୍ମରେ ଏବେ ୫ କୋଟିରୁ ଅଧିକ ବ୍ୟବସାୟୀ ଅଛନ୍ତି ।  କେବଳ ମେ ୨୦୨୨ରେ, ଏହି ସେବା ମାଧ୍ୟମରେ ୫୯୪.୬୩ କୋଟି ଟ୍ରାନଜାକସନ ହୋଇଛି । ଯାହା ମାଧ୍ୟମରେ ୧୦.୪୦ ଲକ୍ଷ କୋଟି ଟଙ୍କାର ନେଣଦେଣ ହୋଇଛି ।

ଭାରତରେ ଏବେ ଅନେକ ଥାର୍ଡ ପାର୍ଟି UPI ଆପ୍ ଉପଲବ୍ଧ ରହିଛି ।  ଏବେ ଭାରତୀୟ ବଜାରରେ PhonePe ଓ ଓ Google Pay ପ୍ରାଧାନ୍ୟ ବିସ୍ତାର କରିଛି ।  ଚଳିତ ବର୍ଷ ଏପ୍ରିଲ୍ ସୁଦ୍ଧା, ଫୋନ୍ ପେ ୟୁପିଆଇ ଭାରତୀୟ ବଜାରର ୪୭ ପ୍ରତିଶତ ଏବଂ ଗୁଗୁଲ୍ ପେ’ର ୩୪ ପ୍ରତିଶତ ଅଂଶ ରହିଛି ।

କେନ୍ଦ୍ର ସରକାର UPI ଆପ୍ସର ମାର୍କେଟ ସେୟାର ଉପରେ ୩୦ ପ୍ରତିଶତ କ୍ୟାପ୍ ଲଗାଇଛନ୍ତି । ଏହି ନିୟମ ପାଳନ ପାଇଁ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ସମୟ ଦିଆଯାଇଛି । କିନ୍ତୁ ନୂଆ ଖବର ଅନୁଯାୟୀ, NCPI ଭାରତରେ UPI ବଜାର କ୍ୟାପ୍ ନିୟମ ଲାଗୁ ହେବା ତାରିଖକୁ ବୃଦ୍ଧି କରିବା ସମ୍ଭାବନା ରହିଛି ।