୨୦୨୪ ଲୋକସଭା ନିର୍ବାଚନ ତାରିଖ ଘୋଷଣା ସରିଛି । ସବୁ ଦଳ ଭୋଟ୍ ଲଢେଇ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆଉ ଦିନ କେଇଟାରେ ଦେଶର ପାଣିପାଗ ରାଜନୀତି ଦ୍ୱାରା ଗରମ ହେବାକୁ ଯାଉଛି । ୭ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଦେଶରେ ୧୫ ଜଣ ପ୍ରଧାନମନ୍ତ୍ରୀ ହୋଇଛନ୍ତି।
Trending Photos
First Election: ୨୦୨୪ ଲୋକସଭା ନିର୍ବାଚନ ତାରିଖ ଘୋଷଣା ସରିଛି । ସବୁ ଦଳ ଭୋଟ୍ ଲଢେଇ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆଉ ଦିନ କେଇଟାରେ ଦେଶର ପାଣିପାଗ ରାଜନୀତି ଦ୍ୱାରା ଗରମ ହେବାକୁ ଯାଉଛି । ୭ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଦେଶରେ ୧୫ ଜଣ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୧୮ତମ ଲୋକସଭା ପାଇଁ ଏପ୍ରିଲ ୧୯ରୁ ଜୁନ୍ ପହିଲା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ ଆପଣ ଜାଣନ୍ତି କି ଦେଶରେ ପ୍ରଥମ ନିର୍ବାଚନ କେବେ ହୋଇଥିଲା ? ୧୯୫୦ ମସିହା ଜାନୁଆରି ୨୬ ତାରିଖରେ ଦେଶରେ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା କିନ୍ତୁ ଗଣତନ୍ତ୍ର ରେ ପରିଣତ ହେବା ପାଇଁ ସାଧାରଣ ନିର୍ବାଚନ ଜରୁରୀ ଥିଲା। ପ୍ରଥମ ନିର୍ବାଚନ ପ୍ରାୟ ୭୨ ବର୍ଷ ପୂର୍ବେ ୨୫ ଅକ୍ଟୋବର ୧୯୫୧ରୁ ୨୧ ଫେବୃଆରୀ ୧୯୫୨ ପର୍ଯ୍ୟନ୍ତ ପାଖାପାଖି ପାଞ୍ଚ ମାସ ଧରି ଚାଲିଥିଲା।
ଭାରତର ପ୍ରଥମ ସାଧାରଣ ନିର୍ବାଚନ ଅନେକ କଥା ବ୍ୟତିତ ଏକ ବିଶ୍ୱାସର ବିଷୟ ଥିଲା । ଏକ ନୂତନ ସ୍ୱାଧୀନ ଦେଶ ସିଧାସଳଖ ସାର୍ବଭୌମ ମତାଧିକାର ଦ୍ୱାରା ନିଜର ଶାସକମାନଙ୍କୁ ନିର୍ବାଚିତ କରିବାକୁ ଯାଉଥିଲା । ଏହା ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଭଳି ସେହି ରାସ୍ତା ଆପଣାଇନଥିଲା,ଯେଉଁଥିରେ ଆଗରୁ ମାତ୍ର କିଛି ଶକ୍ତିଶାଳୀ ବର୍ଗଙ୍କୁ ଭୋଟ ଦେବାର ଅଧିକାର ଦିଆଯାଇଥିଲା। ଭାରତ ଆରମ୍ଭରୁ ହିଁ ତା’ର ସବୁ ନାଗରିକଙ୍କୁ ଭୋଟ୍ ଅଧିକାର ଦେଇଥିଲା । ୧୯୪୭ରେ ଦେଶ ସ୍ୱାଧୀନ ହୋଇଥିଲା ଏବଂ ଦୁଇ ବର୍ଷ ପରେ ଏଠାରେ ନିର୍ବାଚନ ଆୟୋଗ ଗଠନ ହୋଇଥିଲା ।
ସୁକୁମାର ସେନ ଥିଲେ ପ୍ରଥମ ମୁଖ୍ୟ ନିର୍ବାଚନ କମିଶନର
ଐତିହାସିକ ରାମଚନ୍ଦ୍ର ଗୁହାଙ୍କ ପୁସ୍ତକ 'ଇଣ୍ଡିଆ: ଆଫ୍ଟର ଗାନ୍ଧି' ଅନୁଯାୟୀ, ସୁକୁମାର ସେନଙ୍କୁ ମାର୍ଚ୍ଚ ୧୯୫୦ରେ ମୁଖ୍ୟ ନିର୍ବାଚନ କମିଶନର କରାଯାଇଥିଲା । ପର ମାସରେ ସଂସଦରେ ଜନପ୍ରତିନିଧି ଆଇନ ପାରିତ ହୋଇଥିଲା । ସଂସଦରେ ଏହି ଆଇନ ଉପସ୍ଥାପନ କରିବା ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଆଶା ବ୍ୟକ୍ତ କରିଥିଲେ ଯେ ୧୯୫୧ ବସନ୍ତ ସୁଦ୍ଧା ନିର୍ବାଚନ ହେବ । ନେହେରୁଙ୍କ ବ୍ୟଗ୍ରତା ଥିଲା ଶୀଘ୍ର ନିର୍ବାଚନ କିନ୍ତୁ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ କଷ୍ଟକର କାର୍ଯ୍ୟ ହେବାକୁ ଯାଉଥିଲା ।
୧୮ କୋଟି ଭୋଟର
ନେହେରୁ ଶୀଘ୍ର ନିର୍ବାଚନ କରିବାକୁ ଚାହୁଁଥିଲେ । କିନ୍ତୁ ସେନ୍ ନେହେରୁଙ୍କୁ କିଛି ଦିନ ଅପେକ୍ଷା କରିବାକୁ କହିଥିଲେ । କାରଣ ସେ ଜାଣିଥିଲେ ତାଙ୍କ ପାଖରେ ଏତେ ଶୀଘ୍ର ନିର୍ବାଚନ କରିବା ପାଇଁ ସେଭଳି ମେସିନାରୀ ନାହିଁ । ତାଙ୍କ ପାଇଁ ବଡ଼ ସମସ୍ୟା ଥିଲେ ନିରକ୍ଷର ଭୋଟର । ସେହି ନିର୍ବାଚନରେ ମୋଟ ଭୋଟର ସଂଖ୍ୟା ୧୭ କୋଟି ୬୦ ଲକ୍ଷ ଥିଲା । ଯେଉଁମାନଙ୍କ ମଧ୍ୟରୁ ୮୫ ପ୍ରତିଶତ ଲେଖାପଢା ଜାଣିନଥିଲେ । ଏହା ସହ ଆଉ ଗୋଟିଏ ସମସ୍ୟା ଥିଲା ଭୋଟର ପଂଜିକରଣ । ଅଧିକାଂଶ ନିରକ୍ଷର ଭୋଟରଙ୍କ ପାଇଁ ଦଳୀୟ ଚିହ୍ନ, ବ୍ୟାଲଟ୍ ପେପର ଓ ବ୍ୟାଲଟ୍ ବାକ୍ସ କିପରି ତିଆରି କରାଯିବ ତାହା ବି ସମସ୍ୟା ଥିଲା।
ଭୋଟର ସଚେତନତା ଥିଲା ବଡ଼ ଚ୍ୟାଲେଞ୍ଜ
ସେତେବେଳେ ନିର୍ବାଚନ କରାଇବାରେ କମିଶନଙ୍କ ଆଗରେ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି । ପ୍ରାୟ ୧୮ କୋଟି ଭୋଟରଙ୍କୁ କିପରି ଭୋଟ୍ ଦେବେ ତାହା କହିବା ପାଇଁ ଆୟୋଗ ଯୁଦ୍ଧକାଳୀନ ଭିତ୍ତିରେ ସଚେତନତା ଅଭିଯାନ ଆରମ୍ଭ କରିଥିଲେ । ଏଥିପାଇଁ ଏକ ସ୍ୱତନ୍ତ୍ର ଚଳଚ୍ଚିତ୍ର ନିର୍ମାଣ କରାଯାଇ ଦେଶର ୩୦୦୦ରୁ ଅଧିକ ପ୍ରେକ୍ଷାଳୟରେ ସେମାନଙ୍କୁ କିପରି ଭୋଟ୍ ଦେବାକୁ ହେବ ତାହା ଦେଖାଯାଇଥିଲା । ଲୋକଙ୍କୁ ଖବରକାଗଜ ମାଧ୍ୟମରେ ସଚେତନ କରାଇବା କାମ ହୋଇଥିଲା । ଅଲ୍ ଇଣ୍ଡିଆ ରେଡିଓ ର ଅନେକ କାର୍ଯ୍ୟକ୍ରମ ଜରିଆରେ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଏହି ବାର୍ତ୍ତା ଦିଆଯାଇଥିଲା । ସମ୍ବିଧାନ, ବୟସ୍କ ମତାଧିକାରର ଉଦ୍ଦେଶ୍ୟ, ଭୋଟର ଙ୍କ ପ୍ରସ୍ତୁତି ଓ ମତଦାନ ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା।
୧୯୫୨ ପ୍ରାରମ୍ଭରେ ୨,୨୪,୦୦୦ ମତଦାନ କେନ୍ଦ୍ର ସ୍ଥାପନ
ସମୁଦାୟ ୪୫୦୦ ଆସନରେ ନିର୍ବାଚନ ହେବାର ଥିଲା । ପାଖାପାଖି ୫୦୦ ଆସନ ସଂସଦ ପାଇଁ ଥିଲା ଏବଂ ଅବଶିଷ୍ଟ ପ୍ରାଦେଶିକ ବିଧାନସଭା ପାଇଁ ଥିଲା । ଏହି ନିର୍ବାଚନରେ ୨୨୪,୦୦୦ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା ଏବଂ ସେଠାକୁ ୨୦ ଲକ୍ଷ ଲୁହା ବାଲଟ୍ ବାକ୍ସ ପଠାଯାଇଥିଲା। ଏହି ବକ୍ସ ତିଆରି ରେ ୮୨୦୦ ଟନ୍ ଇସ୍ପାତ ବ୍ୟବହୃତ ହୋଇଥିଲା।
୧୬,୫୦୦୦ କିରାଣି ଟାଇପ୍ କରିଥିଲେ ଭୋଟର ତାଲିକା
ଭୋଟର ତାଲିକା ଟାଇପ୍ କରିବାକୁ ୧୬,୫୦୦ କିରାଣିଙ୍କୁ ୬ ମାସର ଚୁକ୍ତିରେ ନିଯୁକ୍ତ କରାଯାଇଥିଲା । ଏହି ନିର୍ବାଚନରେ ମତଦାନ ପତ୍ର ଛାପିବା ପାଇଁ ପ୍ରାୟ ୩,୮୦,୦୦୦ କାଗଜ ରିମ୍ ବ୍ୟବହାର କରାଯାଇଥିଲା । ନିର୍ବାଚନ କାର୍ଯ୍ୟ ସମ୍ପାଦନ ପାଇଁ ୫୬,୦୦୦ ପ୍ରିଜାଇଡିଂ ଅଫିସରଙ୍କୁ ବଛା ଯାଇଥିଲା ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ୨,୨୪,୦୦୦ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ । ଯାହାଦ୍ୱାରା ମତଦାନ କେନ୍ଦ୍ରରେ ହିଂସା ଓ ବିଶୃଙ୍ଖଳାକୁ ରୋକାଯାଇପାରିବ ।
ପ୍ରଥମ ନିର୍ବାଚନରେ କଂଗ୍ରେସ ହୋଇଥିଲା ଏକ ନମ୍ବର
ପ୍ରଥମ ଲୋକସଭା ନିର୍ବାଚନରେ ୪୮୯ ଟି ଆସନ ପାଇଁ ମତଦାନ ହୋଇଥିଲା । ଏହି ନିର୍ବାଚନରେ କଂଗ୍ରେସ ୩୬୪ ଟି ଆସନ ଜିତି ବହୁମତ ହାସଲ କରିଥିଲା । ସିପିଆଇ ୧୬ ଟି ଆସନ ସହ ଦ୍ୱିତୀୟ ବୃହତ୍ତମ ଦଳ ଥିଲା । ଭାରତୀୟ ଜନସଂଘ (ଭାରତୀୟ ଜନତା ପାର୍ଟିର ପୁରୁଣା ନାମ ) ମାତ୍ର ୩ଟି ଆସନ ହାସଲ କରିଥିଲା ।