Trending Photos
Pakistan violated ceasefire: ନୂଆଦିଲ୍ଲୀ: ଭାରତ ସହିତ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପରୁ ନିବୃତ୍ତ ହେଉନାହିଁ। ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଘନ ଘନ ଗୁଳିମାଡ଼ କରିଥିଲେ। ଫଳରେ ଭାରତୀୟ ସେନା ଏହାର ଜବାବ ମଧ୍ୟ ଦେଇଛି। ଯେଉଁଥିରେ ବହୁ ସଂଖ୍ୟକ ପାକିସ୍ତାନୀ ସୈନିକ ନିହତ ହୋଇଥିଲେ। ସୁରକ୍ଷା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।
ପାକିସ୍ତାନ ପକ୍ଷରୁ କେତେ କ୍ଷତି ହୋଇଛି ତାହା ତୁରନ୍ତ ଜଣାପଡିନାହିଁ। କିନ୍ତୁ ଅଧିକାରୀମାନେ କହିଛନ୍ତି ଯେ ଶତ୍ରୁପକ୍ଷର ବହୁ ପରିମାଣରେ କ୍ଷତି ହୋଇଛି। ଭାରତୀୟ ସେନା ଏହି ସୂଚନାକୁ ସ୍ପଷ୍ଟ କରିନଥିଲେ ମଧ୍ୟ ଅସ୍ୱୀକାର କରିନାହିଁ। ଅଧିକାରୀମାନେ କହିଛନ୍ତି ଯେ ଜମ୍ମୁ ଜିଲ୍ଲାର ଅଖନୁର ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଆଇଇଡି ବିସ୍ଫୋରଣରେ ଜଣେ କ୍ୟାପଟେନଙ୍କ ସମେତ ଦୁଇ ଜଣ ଭାରତୀୟ ସେନା କର୍ମଚାରୀଙ୍କ ମୃତ୍ୟୁ ହେବାର ଗୋଟିଏ ଦିନ ପରେ କୃଷ୍ଣା ଘାଟି ସେକ୍ଟରରେ ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି।
ସେହିପରି ପୁଞ୍ଛ ଅନ୍ତର୍ଗତ ତାରଖୁଣ୍ଡି ଅଞ୍ଚଳରେ ମଧ୍ୟ ପାକିସ୍ତାନ ଗୁଳିମାଡ କରିଥିବା ନେଇ ସୂଚନା ରହିଛି। ୨୫ ଫେବୃଆରୀ, ୨୦୨୧ରେ ଭାରତ ଏବଂ ପାକିସ୍ତାନ ଯୁଦ୍ଧବିରତି ଚୁକ୍ତିନାମା ନବୀକରଣ କରିବା ପରଠାରୁ ନିୟନ୍ତ୍ରଣ ରେଖାରେ ଯୁଦ୍ଧବିରତି ଉଲ୍ଲଂଘନର ବହୁତ କମ୍ ଘଟଣା ରେକର୍ଡ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ପାକିସ୍ତାନୀ ସୈନିକମାନେ ନିୟନ୍ତ୍ରଣ ରେଖାର ତାରକୁଣ୍ଡି ସେକ୍ଟରର ଆଗୁଆ ପୋଷ୍ଟ ଉପରେ ଗୁଳିମାଡ଼ କରି ଅସ୍ତ୍ରବିରତି ଚୁକ୍ତିନାମାକୁ ଉଲ୍ଲଂଘନ କରିଛନ୍ତି, ଯାହାର ଭାରତୀୟ ସେନା ମଧ୍ୟ ଉଚିତ ଜବାବ ଦେଇଛି।
ଏହାରି ମଧ୍ୟରେ ଜଣେ ପାକିସ୍ତାନୀ ସେନା ଅଧିକାରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି। ଯେଉଁଥିରେ ସେ ସହିଦ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବାର ଦେଖାଯାଉଛି। ଏହି ଭିଡିଓରେ ତାରିଖ ଉଲ୍ଲେଖ କରାଯାଇ ନାହିଁ। ଅନ୍ୟପକ୍ଷରେ, ଆଜି ସନ୍ଧ୍ୟାରେ ଭାରତୀୟ ସେନାର ଜଣେ ଜୁନିଅର କମିଶନଡ୍ ଅଫିସର (ଜେସିଓ) ଭୁଲବଶତଃ ଏକ ଲ୍ୟାଣ୍ଡମାଇନ୍ ଉପରେ ପାଦ ଦେବାରୁ ସେ ସାମାନ୍ୟ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ସେ କହିଛନ୍ତି ଯେ ମେଣ୍ଢାରର ବାସିନ୍ଦା ଜେସିଓ ଏକ ପାଟ୍ରୋଲିଂ ଦଳର ଅଂଶ ଥିଲେ ଯେଉଁମାନେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ନିୟନ୍ତ୍ରଣ ରେଖାରେ କଡ଼ା ନଜର ରଖୁଥିଲେ। ଆହତ ଅଧିକାରୀଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ, ଗତ ସପ୍ତାହରେ ସୀମା ଆରପାରିରେ ଶତ୍ରୁଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି, ଯାହା ଫଳରେ ନିୟନ୍ତ୍ରଣ ରେଖାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।