Stone Currency: ଆଜିବି ଟଙ୍କା ବଦଳରେ ଚାଲେ ପଥର ମୁଦ୍ରା, ଜାଣିଛନ୍ତି କି କେଉଁଠି ରହିଛି ଏହି ପରମ୍ପରା
Advertisement
Article Detail0/zeeodisha/odisha1545406

Stone Currency: ଆଜିବି ଟଙ୍କା ବଦଳରେ ଚାଲେ ପଥର ମୁଦ୍ରା, ଜାଣିଛନ୍ତି କି କେଉଁଠି ରହିଛି ଏହି ପରମ୍ପରା

Stone Currency: ସାଧାରଣତଃ ଆମେ ଜିନିଷ କିଣା ବିକା ପାଇଁ ଟଙ୍କା ଓ ପଇସାର ବ୍ୟବହାର କରିଥାଉ । କିନ୍ତୁ ଏବେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଟଙ୍କା ବଦଳରେ ବ୍ୟବହାର ହେଉଛି ପଥର ମୁଦ୍ରା ।

 

ସୌ(ସୋସିଆଲ ମିଡିଆ)

Stone Currency: ଟଙ୍କା ହେଉଛି ଅର୍ଥନୈତିକ ବିନିମୟର ମାଧ୍ୟମ ଭାବରେ ସାଧାରଣ ସମ୍ମତି ଦ୍ୱାରା ବ୍ୟବହାର ହେଉଥିବା ଏକ ମାଧ୍ୟମ | ଏହା ହେଉଛି ଏକ ମାଧ୍ୟମ ଯେଉଁଥିରେ ପ୍ରତ୍ୟେକ ଜିନିଷର ମୂଲ୍ୟାଙ୍କନ କରାଯାଇଥାଏ। କୌଣସି ଜିନିଷର କିଣା ବିକା କରିବାରେ କାହିଁ କେଉଁ କାଳରୁ ଟଙ୍କାର ବ୍ୟବହାର ହୋଇ ଆସୁଛି। ପୃଥିବୀର ବିଭିନ୍ନ କୋଣରେ ଟଙ୍କାର ରୂପ ଓ ମୂଲ୍ୟ ଅଲଗା ରହିଥାଏ। ଆଜିର ଦିନରେ ବିଶ୍ୱର ପ୍ରାୟ ଦେଶ ପାଖରେ ନିଜ ନିଜର ମୁଦ୍ରା ରହିଅଛି।  ଆମ ଦେଶ ଭାରତରେ ଏହା ପଇସା ବା ଭାରତୀୟ ମୁଦ୍ରା ଭାବେ ଜଣାଯାଉଥିବା ବେଳେ ଯୁକ୍ତ ରାଷ୍ଟ୍ର ଆମେରିକାରେ ଏହା ଡଲାର ଓ ବ୍ରିଟିଶ ସାମ୍ରାଜ୍ୟରେ ଏହା ପାଉଣ୍ଡ ଭାବରେ ବ୍ୟବହାର କରାଯାଏ । ତେବେ ଏକବିଂଶ ଶତାବ୍ଦୀରେ ମଧ୍ୟ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଜିନିଷ ଗୁଡିକ କିଣାବିକା ପାଇଁ କୌଣସି ମୁଦ୍ରା ବା କାଗଜ ଟଙ୍କା ଚଳେ ନାହିଁ। ବରଂ ଏଠାକାର ଲୋକେ ଟଙ୍କା ବଦଳରେ ବ୍ୟବହାର କରନ୍ତି ପଥର ମୁଦ୍ରା।

ଆଦିମ କାଳରେ ଯେବେ ମୁଦ୍ରା ପ୍ରଚଳନ ହୋଇ ନଥିଲା ସେତେବେଳେ ଜିନିଷ କିଣା ବିକା କରିବା ପାଇଁ ଲୋକେ ବାର୍ଟର ସିଷ୍ଟମ (Barter System) ବ୍ୟବହାର କରୁଥିଲେ। ବାର୍ଟର ହେଉଛି ବାଣିଜ୍ୟର ଏକ ବିକଳ୍ପ ପଦ୍ଧତି ଯେଉଁଠାରେ ମଧ୍ୟସ୍ଥି ଭାବରେ ଟଙ୍କା ବ୍ୟବହାର ନକରି ଅନ୍ୟ ସାମଗ୍ରୀ ବ୍ୟବହୃତ ହୁଏ। ଲୋକେ କୌଣସି ଜିନିଷ କିମ୍ବା ସେବା କ୍ରୟ କରିବା ପାଇଁ ଟଙ୍କା ବଦଳରେ ସମାନ ମୂଲ୍ୟର ଅନ୍ୟ ସାମଗ୍ରୀ ବ୍ୟବହାର କରୁଥିଲେ। ଯଦି କାହାକୁ ଚାଉଳ କିଣିବାକୁ ହୁଏ ତେବେ ସେ ଗହମ କିମ୍ବା ଅନ୍ୟ ଶସ୍ୟ ଦେଇ ଚାଉଳ ଆଣୁଥିଲା। 

ଆଜିର ଦିନରେ ଯେଉଁଠି ମଣିଷ ଚନ୍ଦ୍ର ପୃଷ୍ଠରେ ପାଦ ଦେଇ ସାରିଲାଣି,  କିନ୍ତୁ ଏବେ ମଧ୍ୟ ପ୍ରଶାନ୍ତ ମହାସାଗରର ୟପ୍‌ ଦ୍ୱୀପରେ ପଥରର ମୁଦ୍ରା ଚାଲେ। ଏହି ଦ୍ୱୀପ ମାଇକ୍ରୋନେସିଆ ନାମକ ଏକ ଦ୍ୱୀପପୁଞ୍ଜ ରାଷ୍ଟ୍ରର ଅଂଶ ବିଶେଷ ଅଟେ। ସୂଚନା ଅନୁସାରେ, ପ୍ରାୟ ୧୦୦ ବର୍ଗ କିଲୋମିଟର ବିଶିଷ୍ଟ ଏହି ଦ୍ୱୀପରେ ୧୨ ହଜାର ଲୋକ ବସବାସ କରନ୍ତି । ଆଶ୍ଚର୍ଯ୍ୟର ବିଷୟ ଏହା କି ଯେ ଏଠାରେ ଛୋଟରୁ ମଣିଷ ଆକାରର ବଡ ପଥର ଗୁଡିକ କରେନ୍ସି ଭାବରେ ବ୍ୟବହାର କରାଯାଏ । ଏଠାରେ ଏହି ପଥର ମୁଦ୍ରାକୁ ‘ରାୟ’ କୁହାଯାଏ। ଏହି ପଥର ମୁଦ୍ରା ରାୟର ମଝିରେ ଏକ ଛିଦ୍ର ଥାଏ ଯାହା ମୁଦ୍ରା ଭାବରେ ବିବେଚନା କରାଯାଏ ।

କୌତୁହଳର ବିଷୟ ଏହାକି ଯେ ୟପ ଦ୍ୱୀପରେ ଏହି ପଥର କରେନ୍ସି ରାୟ ଖନନ କରା ନ ଯାଇ ପଡୋଶୀ ଦ୍ୱୀପ ପାଲାଉରୁ ଏହା ସଂଗ୍ରହ କରାଯାଏ । ୟପର ଲୋକମାନେ ସେଠାକୁ ନିଜ ଡଙ୍ଗାରେ ଯାଇ ପଥର ଖନନ କରି ନିଜ ସାଥିରେ ନେଇ ଆସିଥାନ୍ତି । ପଥର ଖନନ ବଦଳରେ ପାଲାଉବାସୀଙ୍କୁ ୟପ ବାସିନ୍ଦା ନଡିଆ ନିମ୍ବା ବିଡି ଦେଇଥାନ୍ତି। ଯେଉଁ ପଥର ଆଣିବା ପାଇଁ ଅଧିକ ବିପଦ ଥାଏ ସେହି ପଥର ଗୁଡିକର ମୂଲ୍ୟ ସେତିକି ଅଧିକ ହୋଇଥାଏ । ଏହା ଛଡା ପଥରର ଆକାର ଯେତେ ବଡ ଓ ଯେତେ ପୁରୁଣା , ସେହି ପଥରର ମୂଲ୍ୟ ଅଧିକ ରହିଥାଏ । ଏହିପରି ପଥର ଥିବା ପରିବାରକୁ ଏଠାରେ ଧନୀ ଲୋକ ବୋଲି ଧରାଯାଏ ।

ଏଠାରେ ପଥର କରେନ୍ସି ବ୍ୟବହାର ହେବାର କାରଣ ବା ଇତିହାସ ଏ ପର୍ଯ୍ୟନ୍ତ ଜଣା ନ ପଡିଲେ ମଧ୍ୟ କୁହାଯାଏ ଯେ ସେଠାରେ କୌଣସି ମୂଲ୍ୟବାନ ଖଣିଜ ପଦାର୍ଥର କଞ୍ଚା ମାଲ ମିଳେ ନାହିଁ । ଯେପରିକି କୋଇଲା କିମ୍ବା ସୁନା ଏଠାରେ ମିଳେନି ତେଣୁ ଲୋକ ମାନେ ପଥର ମୁଦ୍ରା କେଉଁ କାଳରୁ ବ୍ୟବହାର କରି ଆସୁଛନ୍ତି।