Niladri Bije - Ratha Jatra : ଘୋଷଯାତ୍ରାର ଅନ୍ତିମ ପର୍ଯ୍ୟାୟ, ନୀଳକନ୍ଦରକୁ ଫେରି ରତ୍ନ ସିଂହାସନରେ ବିଜେ କରି ନୀଳାଦ୍ରିବିଜେ କରନ୍ତି ନୀଳମଣି । ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବା ପରେ ବଡ ଦେଉଳକୁ ପ୍ରବେଶ କରନ୍ତି ବଡ ଠାକୁର।
Trending Photos
Niladri Bije rituals: ଦୀର୍ଘ ୧୩ ଦିନର ଲୀଳାଖେଳା ସାରି ଘୋଷଯାତ୍ରାର ଅନ୍ତିମ ପର୍ଯ୍ୟାୟ, ନୀଳକନ୍ଦରକୁ ଫେରି ରତ୍ନ ସିଂହାସନରେ ବିଜେ କରି ନୀଳାଦ୍ରିବିଜେ କରନ୍ତି ନୀଳମଣି ।ହେଲେ ରତ୍ନ ସିଂହାସନ ପହଞ୍ଚିବା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମା ଲକ୍ଷ୍ମୀ ଠାକୁରାଣୀଙ୍କ କୋପର ଶୀକାର ହେବାକୁ ପଡ଼ିଥାଏ। ଭାଇ-ଭଉଣୀଙ୍କୁ ସାଙ୍ଗରେ ନେଇ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରାରେ ଚାଲିଗଲେ, ଅଥଚ ତାଙ୍କୁ କିଛି ଜଣାଇଲେ ନାହିଁ, ଏହାକୁ ନେଇ ଲକ୍ଷ୍ମୀ ଠାକୁରାଣୀ ଅଭିମାନ କରିଛନ୍ତି। ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବା ପରେ ବଡ ଦେଉଳକୁ ପ୍ରବେଶ କରନ୍ତି ବଡ ଠାକୁର । ଏହି ଅନନ୍ୟ ବିଚିତ୍ର ମାନବୀୟ ଦାମ୍ପତ୍ୟଲୀଳାର ସାକ୍ଷୀ ରୁହେ ସାରା ବିଶ୍ବ ।
ନିଳାଦ୍ରୀ ବିଜେରେ ପ୍ରଥମେ କୃଷ୍ଣବଳରାମ, ମଦନ ମୋହନଙ୍କୁ ଦକ୍ଷିଣ ଘରକୁ ବିଜେ କରାଯିବା ପରେ ଶ୍ରୀସୁଦର୍ଶନ, ପରେ ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁରଙ୍କୁ ରତ୍ନ ସିଂହାସନକୁ ବିଜେ କରିଥାନ୍ତି ।ସିଂହଦ୍ୱାରଠାରୁ ମହାପ୍ରଭୁ ମା’ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ପଡ଼ିଥିଲେ ମଧ୍ୟ ଭକ୍ତଙ୍କ ଗହଳିରେ ଥିବାରୁ ମା’ ସାଆନ୍ତାଣି କିଛି କହି ନଥାନ୍ତି। କେବଳ ଚାହାଣୀ ମଣ୍ଡପରେ ଟିକେ କଣେଇ ଚାହିଁ ମନ୍ଦିର ଭିତରକୁ ଚାଲି ଆସି ଜୟ-ବିଜୟ ଦ୍ୱାର ନିକଟରେ ଅପେକ୍ଷା କରିଥାନ୍ତି। ଆଉ ଯେତେବେଳେ ସୁଯୋଗ ପାଆନ୍ତି ଅଭିମାନିନୀ ମା’ ସବୁ ମାନ-ଅଭିମାନ ମହାପ୍ରଭୁଙ୍କ ଉପରେ ଅଜାଡ଼ି ପକାଇଥାନ୍ତି।
ମହାପ୍ରଭୁ ପହଣ୍ଡିରେ ଯାଇ ଜୟ-ବିଜୟ ଦ୍ୱାର ନିକଟରେ ପହଞ୍ଚିବା ବେଳକୁ ଦ୍ୱାର ବନ୍ଦ ରହିଥାଏ। ମହାଲକ୍ଷ୍ମୀ କବାଟ ଆରପାଖେ ଥାଇ ‘’ଏତେ ଦିନ ବାହାରେ ରହିଲ, ଆଉ ଏ ବିରହିଣୀ କୁଟୀରରେ କାମ କ’ଣ? ବୋଲି ପ୍ରଶ୍ନ କରିଥାନ୍ତି। ମହାପ୍ରଭୁ ଜଗତର ନାଥ, ତାଙ୍କୁ ବା ମା’ ଲକ୍ଷ୍ମୀଙ୍କ କୋପ କଥା ଅଛପା ରହିବ କିପରି! ପୂର୍ବରୁ ପ୍ରସ୍ତୁତ ଥିବା ମହାପ୍ରଭୁ କାଳ ବିଳମ୍ୱ ନ କରି କହିଥାନ୍ତି,‘କବାଟ ମୁପ୍ତାଟୟ ସିନ୍ଧୁ କନ୍ୟକେ, ସମର୍ପୟାମୀ ସୁବିଚିତ୍ରମମ୍ୱର’। ଅର୍ଥାତ୍,‘ହେ ଦେବୀ, ଅଭିମାନ କରନାହିଁ। ଭକ୍ତମାନଙ୍କୁ ଆଲିଙ୍ଗନ କରିବାକୁ ମୁଁ ପରା ଘୋଷଯାତ୍ରା କରିଥିଲି। ତୁମେ କ’ଣ ଜାଣିନାହଁ.. ରତ୍ନ ସିଂହାସନରେ ମୋତେ ମୋ ଭକ୍ତଗଣ ସ୍ପର୍ଶ କରନ୍ତି ନାହିଁ। ମୋ ଭକ୍ତମାନଙ୍କ କଥା ତୁମେ କ’ଣ ବୁଝିବନି। ତୁମେ ପରା ଉଦାର ହୃଦୟ। ତଥାପି ତୁମ କଥା ଭୁଲିନାହିଁ। ନୂଆ ପାଟ ଆଣିଛି, ଗହଣା ବି ଆଣିଛି। ଏବେ ମାନ ଭଞ୍ଜନ କର ହେ ଦେବୀ କହି ଶ୍ରୀଜଗନ୍ନାଥ ବୁଝାଇଥାନ୍ତି। ହେଲେ ଯିଏ ସକଳ ଐଶ୍ୱର୍ଯ୍ୟର ଦେବୀ ତାଙ୍କ ପାଇଁ ପୁଣି ଗହଣା ଆଉ ଶାଢ଼ୀ ! ଲକ୍ଷ୍ମୀ ଏହା ଶୁଣି ଆହୁରି ରାଗି ଯାଇଥାନ୍ତି। ମହାପ୍ରଭୁ ପୁଣି ତାଙ୍କୁ ବୁଝାଇବାକୁ ଉଦ୍ୟମ କରନ୍ତି।
ଅନେକ ସମୟ ଦ୍ବାର ବାହାରେ ମହାପ୍ରଭୁଙ୍କୁ ଛିଡ଼ା ହେବା ଦେଖି ମା’ ଲକ୍ଷ୍ମୀଙ୍କର ହୃଦୟ ତରଳିବା ସହ କ୍ରୋଧ ଶାନ୍ତ ହୋଇଥାଏ। ଆଉ ସେ ଜୟ-ବିଜୟ ଦ୍ୱାର ଖୋଲି ମହାବାହୁଙ୍କୁ ରତ୍ନବେଦି ବିଜେ କରିବାକୁ ଅନୁମତି ଦେଇଥାନ୍ତି।ପତିପତ୍ନୀଙ୍କ ମଧ୍ୟରେ ମାନ ଅଭିମାନର ଏହି ରସପୂର୍ଣ୍ଣ ନାଟକୀୟ ଲୀଳାରେ ଯୋଡ଼ି ହୋଇ ରହିଛି ‘ରସଗୋଲା’।
ବଡ଼ଖିଆ କାଳିଆ ସାଆନ୍ତଙ୍କ ପାଇଁ ଛପନ ପଉଟି ଭୋଗ ଖଞ୍ଜା। ହେଲେ ଶ୍ରୀମନ୍ଦିର ମଧ୍ୟରେ ବର୍ଷକରେ ଥରେ ମାତ୍ର ରସଗୋଲା ଭୋଗ ହେବାର ପରମ୍ପରା ରହିଛି। କୌତୁହଳର କଥା ହେଉଛି ଏହି ରସଗୋଲା ଭୋଗର ସେତିକିବେଳେ ଆବଶ୍ୟକତା ପଡେ ଯେତେବେଳେ ମହାଲକ୍ଷ୍ମୀ କୋପ କରିଥାନ୍ତି। ତେବେ ମାନବୀୟ ଲୀଳା କରୁଥିବା କୋଟି କୈବଲ୍ୟନାଥ ମହାପ୍ରଭୁଙ୍କ ଏହି ପରମ୍ପରା ୭ଶହ ବର୍ଷର ପୁରୁଣା ବୋଲି ଗବେଷକମାନେ ମତ ଦିଅନ୍ତି। ଏପରିକି ପଞ୍ଚଦଶ ଶତାବ୍ଦୀର ଶେଷ ଓ ଷୋଡ଼ଶ ଶତାବ୍ଦୀରେ ରଚିତ ଦାଣ୍ଡି ରାମାୟଣରେ ମଧ୍ୟ ରସଗୋଲା ସମ୍ପର୍କରେ ଉଲ୍ଲେଖ ରହିଛି।
ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରାର ଶେଷ ଦିନ ନୀଳାଦ୍ରି ବିଜେ। ଭାଇ ଭଉଣୀ ମାଉସୀ ମା ମନ୍ଦିରକୁ ଲକ୍ଷ୍ମୀଙ୍କୁ ନନେବାରୁ ହେରାପଞ୍ଚମୀ ଦିନ ମହାଲକ୍ଷ୍ମୀଙ୍କ ରାଗ ପଞ୍ଚମକୁ ଉଠିଯାଇଥିଲା। ରାଗରେ କୁହୁଳି ଫେରିବା ବେଳକୁ ନନ୍ଦିଘୋଷ ରଥରୁ କାଠ ଖଣ୍ଡେ ଭାଙ୍ଗି ଦେଇ ଚାଲି ଆସିଥିଲେ।ତେଣୁ ନୀଳାଦ୍ରି ବିଜେରେ ମହାପ୍ରଭୁଙ୍କୁ ସିଂହଦ୍ବାର କିଳିବାର ପରମ୍ପରା ରହିଥାଏ। ତେଣୁ ଏହି ଝଗଡ଼ା ରସଗୋଲାରେ ଶେଷ ହୋଇଥାଏ।
ଦେବତାଙ୍କ ମାନବୀୟ ଲୀଳାର ଏହି ଅନନ୍ୟ ଅବତାରଣା କେବଳ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳେ। ଶ୍ରୀଜଗନ୍ନାଥଙ୍କ ସଂସ୍କୃତିରେ କେବଳ ନୀଳାଦ୍ରି ବିଜେ ଦିନ ହିଁ ରସଗୋଲା ଭୋଗ ହେବା ପରମ୍ପରା ରହିଛି।ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ରସଗୋଲା ଦେଇ ତୋଷ କରିବାର ପରମ୍ପରା ଆଧାରରେ ନୀଳାଦ୍ରି ବିଜେ ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଇ ଆସୁଛି।