ବକୁଳ ବନ, ସତ୍ୟବାଦୀ ବନ ବିଦ୍ୟାଳୟର ପୁନରୁଦ୍ଧାର ହେବ- ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2648941

ବକୁଳ ବନ, ସତ୍ୟବାଦୀ ବନ ବିଦ୍ୟାଳୟର ପୁନରୁଦ୍ଧାର ହେବ- ମୁଖ୍ୟମନ୍ତ୍ରୀ

ସତ୍ୟବାଦୀର ଗୌରବକୁ ଆଧାର କରି ଅଞ୍ଚଳର ଭିତ୍ତିଭୂମି, ମୌଳିକ ସୁବିଧାର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବକୁଳ ବନ, ସତ୍ୟବାଦୀ ବନ ବିଦ୍ୟାଳୟର ପୁନରୁଦ୍ଧାର ହେବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ନବଜାଗରଣର ପୀଠ ହେଉଛି ସତ୍ୟବାଦୀ ଏବଂ ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା ଓଡ଼ିଆ ଜାତୀୟ ଚେତନାର କେନ୍ଦ୍ର । ସତ୍ୟବାଦୀର ପଞ୍ଚସଖା ଥିଲେ ସମାଜର ଆଇନା ସଦୃଶ । ସେମାନେ ଶିକ୍ଷା ଦ୍ୱାରା ମାନବ ଜୀବନର ନୀତି ଆଦର୍ଶକୁ ପ୍ରତିଫଳନ କରାଇବା ସହିତ ଓଡ଼ିଶାର ବୌଦ୍ଧିକ ସ୍ୱତନ୍ତ୍ରତାର ବାର୍ତ୍ତାବହକ ଥିଲେ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାକ୍ଷୀଗୋପାଳ ଠାରେ ସତ୍ୟବାଦୀ ମହୋତ୍ସବ ୨୦୨୫ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ।

ସତ୍ୟବାଦୀର ଅସ୍ମିତା ଓ ଗୌରବକୁ ଆଧାର କରି ଏ ଅଞ୍ଚଳର ଆବଶ୍ୟକୀୟ ଭିତ୍ତିଭୂମି ଏବଂ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମଗ୍ର ଓଡ଼ିଶାକୁ ଶିକ୍ଷାର ଜ୍ୟୋତିରେ ଆଲୋକିତ କରୁଥିବା ଐତିହ୍ୟ ସମ୍ପନ୍ନ ସତ୍ୟବାଦୀ ବନ ବିଦ୍ୟାଳୟର ପୁନରୁଦ୍ଧାର ପାଇଁ ଆମ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ବିଦ୍ୟାଳୟର ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ବର୍ତ୍ତମାନର ପିଢ଼ିକୁ ଅବଗତ କରାଇବା ପାଇଁ ବକୁଳ ବନରେ ଏହାର ମୌଳିକ ଢାଞ୍ଚା ଅନୁରୂପ ଶିକ୍ଷା ପରିବେଶ ବିକଶିତ କରାଯିବ । ବକୁଳ ବନ ଓ ସତ୍ୟବାଦୀ ବନ ବିଦ୍ୟାଳୟର ପୁନରୁଦ୍ଧାର ଓ ବିକାଶ କରାଯାଇ ଏହାକୁ ଏକ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଯିବ ବୋଲି ସେ କହିଥିଲେ ।
ସେ ପୁଣି କହିଥିଲେ, ଏଥିସହିତ ସାକ୍ଷୀଗୋପାଳ ମନ୍ଦିର ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ମଧ୍ୟ ବିକାଶ କରାଯିବ । 

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା ସେ ସମୟରେ ଓଡ଼ିଶାର ଏକ ମଣିଷ ତିଆରି କାରଖାନା । ପଣ୍ଡିତ ଗୋପବନ୍ଧୁଙ୍କ ତତ୍ତ୍ୱାବଧାନରେ ଗୁରୁମାନଙ୍କ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା ଫଳରେ ଏହି ବନ ବିଦ୍ୟାଳୟ ସମଗ୍ର ରାଜ୍ୟରେ ଏକ ଆଦର୍ଶ ଶିକ୍ଷାକେନ୍ଦ୍ର ଭାବରେ ପରିଗଣିତ ହେଉଥିଲା ।  ଏହି ବିଦ୍ୟାଳୟ ଛାତ୍ରମାନଙ୍କୁ ଚରିତ୍ରବାନ୍‍, ସେବା ପରାୟଣ ଓ ସ୍ୱାର୍ଥତ୍ୟାଗୀ କରି ଗଢ଼ି ତୋଳୁଥିଲା ଫଳରେ ସେମାନେ ମାନବ ସେବାକୁ ପ୍ରକୃତ ସେବା ଭାବେ ଗ୍ରହଣ କରୁଥିଲେ ।
 
ସତ୍ୟବାଦୀ ମହୋତ୍ସବରେ ଯୋଗ ଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ପରିଦର୍ଶନ କରି ଏହାର ଭିତ୍ତିଭୂମି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ବିଶ୍ୱ ବିଦ୍ୟାଳୟର କୁଳପତି, ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । 

ମହୋତ୍ସବରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟର ଉନ୍ନତି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ସତ୍ୟବାଦୀ ଠାରେ ପ୍ରତିଷ୍ଠିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ତ୍ୱରାନିତ କରାଯିବ ।  ଏହାକୁ ଓଡ଼ିଆ ଭାଷା ସାହିତ୍ୟର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ । ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର ପାଇଁ ଏହା ଏକ ପ୍ରମୁଖ କେନ୍ଦ୍ର ଭାବେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସତ୍ୟବାଦୀର ଇତିହାସକୁ ଅବତାରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦେଶ ସ୍ୱାଧୀନତାର ଘଡ଼ିସନ୍ଧି ମୁହୂର୍ତ୍ତରେ ଏହି ପଞ୍ଚସଖା ସତ୍ୟବାଦୀ ବନ ବିଦ୍ୟାଳୟ ପରିଚାଳନା କରିବା ସହିତ ନିଜ ନିଜ ଲେଖନୀ ଚାଳନା ବଳରେ ସ୍ୱାଧୀନତା ସଂଗ୍ରାମକୁ ମଧ୍ୟ ଏଠାରୁ ଇନ୍ଧନ ଯୋଗାଉଥିଲେ । ପ୍ରାଚୀନ ଗୁରୁକୁଳ ଆଦର୍ଶରେ ଯୁଗୋପଯୋଗୀ ଶିକ୍ଷା ପ୍ରଦାନ ଆଭିମୁଖ୍ୟ ରଖିଥିବା ଏହି ବନ ବିଦ୍ୟାଳୟରେ ପଣ୍ଡିତ ଗୋପବନ୍ଧୁଙ୍କ ଅଟଳ ମନୋବୃତ୍ତି, ନୀଳକଣ୍ଠଙ୍କ ସାଙ୍ଗଠନିକ ଶକ୍ତି, ଗୋଦାବରୀଶଙ୍କ ଶିକ୍ଷାଦାନର ଆଦର୍ଶ, କୃପାସିନ୍ଧୁଙ୍କ ଐତିହ୍ୟ ଓ ପରମ୍ପରା ପ୍ରତି ଅଗାଧ ବିଶ୍ୱାସ ଏବଂ ଆଚାର୍ଯ୍ୟ ହରିହରଙ୍କ ଋଷିପ୍ରାଣତା ଓ ପିତୃସୁଲଭ ବାତ୍ସଲ୍ୟ ମନୋଭାବ ଶିଷ୍ୟମାନଙ୍କୁ ବାନ୍ଧି ରଖିଥିଲା ଓ ଅନୁପ୍ରାଣିତ କରୁଥିଲା । ଓଡ଼ିଆ ଭାଷା ସାହିତ୍ୟକୁ ମଧ୍ୟ ସତ୍ୟବାଦୀର ଅବଦାନ ଅତୁଳନୀୟ । ସତ୍ୟବାଦୀ ସାହିତ୍ୟ ଥିଲା ଓଡ଼ିଆ ଜାତି ଗଠନର ପ୍ରେରଣା ଓ ପ୍ରୋତ୍ସାହନ ।
 
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ୮ ମାସ ମଧ୍ୟରେ ଆମ ସରକାର ରାଜ୍ୟବାସୀଙ୍କ ପାଇଁ ଅନେକ କଲ୍ୟାଣକାରୀ ପଦକ୍ଷେପ ନେଇଛନ୍ତି । ସୁଭଦ୍ରା ଯୋଜନାରେ ୯୮ ଲକ୍ଷ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେଇଥିବା ୭୦ ରୁ ଉର୍ଦ୍ଧ୍ୱ ଦେଶରୁ ଆସିଥିବା ପ୍ରବାସୀ ଭାରତୀୟମାନଙ୍କୁ ପୁରୀର ସୌନ୍ଦର୍ଯ୍ୟ  ବିମୋହିତ  କରିଛି ।  ବିକଶିତ ଓ ସମୃଦ୍ଧ ଓଡ଼ିଶାର ଏକ ପ୍ରମୁଖ ଅଂଶ ପୁରୀ ଜିଲ୍ଲାର ବିକାଶରେ ସତ୍ୟବାଦୀର ପ୍ରମୁଖ ଭୂମିକା ରହିବ । ସତ୍ୟବାଦୀର ଅସ୍ମିତା ଓ ଗୌରବକୁ ଆଧାର କରି ଏ ଅଞ୍ଚଳର ଆବଶ୍ୟକୀୟ ଭିତ୍ତିଭୂମି ଓ ମୌଳିକ ସୁବିଧା ସୁଯୋଗର ବିକାଶ କରାଯାଇ ସତ୍ୟବାଦୀକୁ ବିକଶିତ ଓଡ଼ିଶା ଗଠନର ମୁଖ୍ୟ ସ୍ରୋତରେ ସାମିଲ କରାଯିବ ।

କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡକ୍ଟର ସମ୍ୱିତ ପାତ୍ର, ସତ୍ୟବାଦୀ ବିଧାୟକ ଓମ୍‍ ପ୍ରକାଶ ମିଶ୍ର ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ସତ୍ୟବାଦୀର ବିକାଶ ସହିତ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ପୁରଣ ଦିଗରେ ସମସ୍ତେ ମିଳିମିଶି କାମ କରିବା ପାଇଁ ଆହ୍ୱାନ ଦେଇଥିଲେ ।

Also Read- Top 10 News: ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିପାରେ ମୋହର ଏବଂ ଅନ୍ୟାନ୍ୟ ଅପଡେଟ୍

Also Read- Weather News: ଆଜି ଉତ୍ତପ୍ତ ସହର ପାଲଟିଲା ପାରଳାଖେମୁଣ୍ଡି, ରାଜଧାନୀରେ ପାରଦ ୩୫ ପାର୍