ପାଣିକୋଇଲି ଥାନା ଅନ୍ତର୍ଗତ ଚାନ୍ଦପୁର ଛକ ରାସ୍ତାରେ ଥିବା କୃପାଳୁ ରାଇସ ମିଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରଂଗ୍ ରୁଟରେ ଟ୍ରକ ଆସି ଏକ କାରକୁ ଧକ୍କା ଦେବା କାରଣରୁ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି ।
Trending Photos
Accident News: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଚାନ୍ଦପୁର ଛକ ରାସ୍ତାରେ ଥିବା କୃପାଳୁ ରାଇସ ମିଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରଂଗ୍ ରୁଟରେ ଟ୍ରକ ଆସି ଏକ କାରକୁ ଧକ୍କା ଦେବା କାରଣରୁ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି । ଟ୍ରକଟି ଭାରସ୍ୟାମ ହରାଇ ଦୁର୍ଘଟଣା ଘଟାଇଥିବା କୁହାଯାଉଛି ।
ସୂଚନା ମୁତାବକ, ଦୁଇ ମୃତକଙ୍କ ମଧ୍ୟରେ ରହିଛନ୍ତି ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ଡିଏସ୍ପି ବଳରାମ ନାୟକ ଏବଂ ତାଙ୍କର ଜଣେ ସମ୍ପର୍କୀୟ କୃଷ୍ଣଚନ୍ଦ୍ର ନାୟକ। ଡିଏସପି ବଳରାମଙ୍କର ଜଗତସିଂହପୁର ବଦଳି ହୋଇଯାଇଥିଲା । ତେଣୁ ତାଙ୍କ ପାଇଁ ଆଜି ବିଦାୟକାଳୀନ ସମ୍ୱର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା । ଡିଏସ୍ପି ଉକ୍ତ ଉତ୍ସବରେ ଯୋଗଦେବା ପାଇଁ ଯିବା ସମୟରେ ଦୁର୍ଘଟଣା ଘଟିଥିଲା । ଡିଏସ୍ପି ବଳରାମ ନାୟକ କେନ୍ଦୁଝର ଜିଲ୍ଲା ଘଟଗାଁସ୍ଥିତ ନିଜ ଘରୁ ଯାଜପୁରକୁ ଆସିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ବଳରାମ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ଡାକ୍ତର ଡିଏସପି ବଳରାମଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଉକ୍ତ ଟ୍ରକ୍ ଏବଂ କାରକୁ ଜବତ କରିଥିଲା । ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ ଚାଲିଛି । ଆପଣଙ୍କୁ କହିରଖୁଛୁ ଯେ, ଯାଜପୁର ପୂର୍ବରୁ ବଳରାମ ନାୟକ ଦୀର୍ଘଦିନ ଧରି ବାଲେଶ୍ୱର ଜିଲ୍ଲାରେ ମଧ୍ୟ କାର୍ଯ୍ୟ କରିଥିଲେ । ଜଣେ ସଚ୍ଚୋଟ ପୋଲିସ ଅଫିସର ଭାବେ ତାଙ୍କର ଖ୍ୟାତି ରହିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।
ହଠାତ୍ ଏହି ଦୁର୍ଘଟଣା ଖବର ଶୁଣି ଡିଏସପିଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ପରିବାର ସଦସ୍ୟ ଏବଂ ସମ୍ପର୍କୀୟମାନେ ହସ୍ପିଟାଲରେ ପହଞ୍ଚିଛନ୍ତି । ଶବ ବ୍ୟବଚ୍ଛେଦ ଏବଂ ପୋଲିସ ବିଭାଗ ପକ୍ଷରୁ ସମ୍ମାନ ପରେ ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ବୋଲି କୁହାଯାଉଛି ।
ଅନ୍ୟପଟେ, ଏପରି ଦୁର୍ଘଟଣା ବାରମ୍ୱାର ଘଟୁଥିବା କାରଣରୁ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରୁଛନ୍ତି । ପାଣିକୋଇଲି - ଯାଜପୁର ଟାଉନ, କୁଆଖିଆ - ଯାଜପୁର ଟାଉନ, ବିରଜା ମନ୍ଦିର - ସିଂହପୁର ଇତ୍ୟାଦି ରାସ୍ତାରେ ଅନେକ ସମୟରେ ବାରମ୍ୱାର ଦୁର୍ଘଟଣା ଜନିତ ଖବର ସାମ୍ନାକୁ ଆସୁଛି । କେବଳ ସେତିକି ନୁହେଁ, ଯାଜପୁର ଟାଉନର ବିଭିନ୍ନ ବଙ୍କାଣି ସ୍ଥାନରେ ମଧ୍ୟ ଦୁର୍ଘଟଣା ଘଟୁଥିବା ନଜିର ରହିଛି । ପୂର୍ବରୁ ଯାଜପୁର ଟାଉନ ରକ୍ଷାକାଳୀ ମନ୍ଦିର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ସରକାରୀ ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା ଏବଂ ପ୍ରଧାନଶିକ୍ଷକ ଗୁରତର ଆହତ ହୋଇଥିଲେ । ଦୁଇଜଣ ଶିକ୍ଷକ ଏକ ବାଇକରେ ପାଣିକୋଇଲିରୁ ସୟଦପୁର ସ୍ଥିତ ବିଦ୍ୟାଳୟକୁ ଫେରିବା ସମୟରେ ଏକ ଡମ୍ପର ବାଇକକୁ ଧକ୍କା ଦେଇଥିଲା । ଅଧିକାଂଶ ସମୟରେ ଦୃତଗତିରେ ଯାଉଥିବା ଟ୍ରକ, ଡମ୍ପର ହିଁ ଅମାନିଆ ଭାବରେ ଦୁର୍ଘଟଣା ଘଟାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏଥିସହ ବୁଲା କୁକୁର, ଷଣ୍ଢ, ଛେଳି ଏବଂ ମେଣ୍ଢା ରାସ୍ତାକୁ ହଠାତ ଆସିଯିବା କାରଣରୁ ମଧ୍ୟ ଦୁର୍ଘଟଣା ବଢୁଛି । ଏହାକୁ କିପରି ନିୟନ୍ତ୍ରଣ କରାଯିବ ଏବଂ ରାସ୍ତାରେ ପୋଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା କରାଯିବା ପ୍ରତି ଧ୍ୟାନ ଦିଆଯିବା ଉଚିତ ବୋଲି ଲୋକେ ଦାବି କରିଛନ୍ତି ।
Also read- Venus Transit 2025: ଗୁରୁଙ୍କ ନକ୍ଷତ୍ରରେ ଶୁକ୍ରଙ୍କ ଚଳନ, ୩ ରାଶିର ବ୍ୟକ୍ତି ହେବେ ଲାଭବାନ
Also read- କନ୍ଦମୂଳ ଖାଇବା ପୂର୍ବରୁ ଛେଲି ଦେଉଛନ୍ତି କି ଚୋପା? ତେବେ ୫ଟି ଲାଭରୁ ହେଉଛନ୍ତି ବଞ୍ଚିତ