Odisha News: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଏକୀକୃତ ପେନସନ ଜିଜ୍ଞ ଲାଗୁ ହେବ। ଏ ନେଇ ରାଜ୍ୟ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏପ୍ରିଲ ପହିଲାରୁ ଏହି ନୂଆ ନୀତି କାର୍ଯ୍ୟକାରୀ ହେବବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କେନ୍ଦ୍ର କ୍ୟାବିନେଟ୍ ୨୦୨୪ ଅଗଷ୍ଟ ୨୪ ତାରିଖରେ ଏକୀକୃତ ପେନସନ୍ ଯୋଜନାକୁ ମଞ୍ଜୁରି ପ୍ରଦାନ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁନିଶ୍ଚିତ ପେନ୍ସନ୍, ପାରିବାରିକ ପେନ୍ସନ୍, ମୁଦ୍ରାସ୍ଫିତି ଆଦି ବିଭିନ୍ନ କାରଣକୁ ଦୃଷ୍ଟିରେ ରଖି ଅନୁରୂପ ପେନ୍ସନ୍ ନିର୍ଦ୍ଧାରଣ କରିବା ପାଇଁ ବିଭିନ୍ନ ସେବା ସଂଗଠନ ମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବର୍ତ୍ତମାନ ପ୍ରଚଳିତ ଜାତୀୟ ପେନସନ୍ ବ୍ୟବସ୍ଥାରେ ଆହୁରି ସୁଧାର ଆଣି, ଏହି ଏକୀକୃତ ପେନସନ୍ ଯୋଜନା କାର୍ଯ୍ୟକାରୀ କରାଜାଇଛି. । ଏହା ୨୦୨୫ ଏପ୍ରିଲ ପହିଲା ଠାରୁ କାର୍ଯ୍ୟକ୍ଷମ ହେବ.
ଯେଉଁ କର୍ମଚାରୀ ମାନେ NPS ବ୍ୟବସ୍ଥାରେ ପେନସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରିବା ନିମନ୍ତେ ରାଜ୍ୟ କ୍ୟାବିନେଟ ସ୍ଥିର କରିଛନ୍ତି ।
ଏକୀକୃତ ପେନ୍ସନ ଯୋଜନା ଦ୍ୱାରା ୨୫ ବର୍ଷର ସର୍ବନିମ୍ନ ଯୋଗ୍ୟତା ଅର୍ଜନକାରୀ ସେବା ଅବଧି ପାଇଁ, ଅବସର ପୂର୍ବର ୧୨ ମାସରେ ମିଳିଥିବା ହାରାହାରି ମୂଳ ଦରମା ବା ବେସିକ୍ ପେ’ର, ୫୦ ପ୍ରତିଶତ ହାରରେ ପେନ୍ସନ ମିଳିବ । ସର୍ବନିମ୍ନ ୧୦ ବର୍ଷର ଚାକିରି ଅବଧି ଠାରୁ ଆରମ୍ଭ କରି ୨୫ ବର୍ଷ ପର୍ଯ୍ୟନ୍ତ ଚାକିରି ଅବଧି କ୍ଷେତ୍ରରେ ପେନ୍ସନ୍ ଆନୁପାତିକ ଭାବେ ମିଳିବ ।
ସୁନିଶ୍ଚିତ ପାରିବାରିକ ପେନ୍ସନ୍ : ମୃତ୍ୟୁ ପୂର୍ବରୁ କର୍ମଚାରୀ ପାଉଥିବା ପେନ୍ସନ୍ର ୬୦ ପ୍ରତିଶତ ହାରରେ ପାରିବାରିକ ପେନସନ୍ ମିଳିବ ।
ସୁନିଶ୍ଚିତ ସର୍ବନିମ୍ନ ପେନସନ୍ : ସର୍ବନିମ୍ନ ୧୦ ବର୍ଷ ଚାକିରି ଅବଧି ସାରି ଅବସର ନେବା ପରେ ମାସିକ ୧୦,୦୦୦ ଟଙ୍କା ପେନ୍ସନ୍ ମିଳିବ ।
ମୁଦ୍ରାସ୍ଫିତି ଅନୁରୂପ ପେନ୍ସନ୍ ନିର୍ଦ୍ଧାରଣ : ସୁନିଶ୍ଚିତ ପେନ୍ସନ୍, ସୁନିଶ୍ଚିତ ପାରିବାରିକ ପେନସନ୍ ଓ ସୁନିଶ୍ଚିତ ସର୍ବନିମ୍ନ ପେନ୍ସନ୍ ଉପରେ, ସେବା କର୍ମଚାରୀଙ୍କ କ୍ଷେତ୍ରରେ ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ବା Consumer Price Index ଆଧାରରେ ମହଙ୍ଗା ସହାୟତା ବା Dearness Relief ମିଳିବ ।
ଅବସର ପରେ ଗ୍ରାଚ୍ୟୁଟି ବ୍ୟତୀତ ଏକକାଳୀନ ରାଶି: ପ୍ରତ୍ୟେକ ସମ୍ପୂର୍ଣ୍ଣ ୬ ମାସ ସେବା ପାଇଁ ଅବସର ତାରିଖରେ ମିଳୁଥିବା ମାସିକ ପାରିଶ୍ରମିକର ଏକ ଦଶମାଂଶ ଏକକାଳୀନ ରାଶି ଭାବେ ମିଳିବ । ଏହି ରାଶି କାରଣରୁ ସୁନିଶ୍ଚିତ ପେନ୍ସନ୍ ର ପରିମାଣ କମ୍ ହେବ ନାହିଁ ।
NPS ଅଧୀନରେ ଥିବା କର୍ମଚାରୀମାନେ UPS ଚୟନ କରିବାକୁ କିମ୍ବା NPS ସହିତ ଜଡ଼ିତ ରହିବା ପାଇଁ ନିଷ୍ପତ୍ତି ନେଇପାରିବେ ।
UPS ରେ, ଅବସର ନେବା ପରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ନିଶ୍ଚିତ ପରିବାର ପେନ୍ସନ୍ ସୁବିଧା ଉପଲବ୍ଧ ହେବ, ଯାହାକି NPSରେ ନଥିଲା ।