Prathamastami 2024: ପ୍ରଥମାଷ୍ଟମୀ (ଅଥବା ପଢୁଆଁଷ୍ଟମୀ, ପୋଢୁଆଁଷ୍ଟମୀ) ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ । ଏହା ଓଡ଼ିଶାର ଏକ ପାରମ୍ପାରିକ ପର୍ବ ।
Prathamastami 2024: ପ୍ରଥମାଷ୍ଟମୀ (ଅଥବା ପଢୁଆଁଷ୍ଟମୀ, ପୋଢୁଆଁଷ୍ଟମୀ) ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ । ଏହା ଓଡ଼ିଶାର ଏକ ପାରମ୍ପାରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଅଛି । ଏ ଦିନ ବଂଶର ପ୍ରଥମ ଜାତ ସନ୍ତାନ (ପୁଅ ବା ଝିଅ)ଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ । ଏହା ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ଗୋଟିଏ ଯାତ୍ରା ଦିବସ ।
ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ । ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ସ୍ନାନାନ୍ତେ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା’ ମାନେ ତାଙ୍କୁ ବନ୍ଦାପନା କରନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି । ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢୁଆଁ ହେବା’ କହିଥାନ୍ତି । ‘ପଢୁଆଁ’ ଶବ୍ଦଟି ‘ପ୍ରଥମା’ର ଅପଭ୍ରଂଶ ।
ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ । ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ । ଅବଶ୍ୟ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଘରର ଜ୍ୟେଷ୍ଠପୁତ୍ର ବା ଜ୍ୟେଷ୍ଠକନ୍ୟାକୁ ନୂଆ ଲୁଗାପଟା ବାପ ମାଆମାନେ ପିନ୍ଧେଇଥାନ୍ତି ।ଏହିବିଧିରେ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ଅତିମାତ୍ରାରେ ନିହିତ ରହିଛି । ଜ୍ୟେଷ୍ଠପୁତ୍ର, ପରିବାରରେ ପିତା ସମାନ । ପିତାଙ୍କ ଅନ୍ତେ କିମ୍ବା ପିତାଙ୍କ ଅକର୍ତ୍ତବ୍ୟରେ ଘର ଚଳାଇବା ଓ ଅନ୍ୟ ସନ୍ତାନ (ଭାଇ ଭଉଣୀ) ମାନଙ୍କୁ ପ୍ରତିପୋଷଣ କରିବା ଦାୟିତ୍ୱ ଜ୍ୟେଷ୍ଠ ପୁତ୍ର ଉପରେ ପଡ଼ିଥାଏ । ତେଣୁ ତାକୁ ସମସ୍ତେ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଓ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରଥମ ସନ୍ତାନ ବା ଜ୍ୟେଷ୍ଠ ସନ୍ତାନକୁ ପୂଜା ବନ୍ଦାପନା କରିବାର ବିଧି ଆମ ସମାଜରେ ପ୍ରଚଳିତ ।
ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ I କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ହୁଏ ।
ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ :-
(ମାର୍ଗଶିର କୃଷ୍ଣ ଅଷ୍ଟମ )
ମାର୍ଗଶିର କୃଷ୍ଣଅଷ୍ଟମୀ ତିଥିଦିନ ଶ୍ରୀମନ୍ଦିରରେ ଭୋଗ ମଣ୍ତପ ସରିବା ପରେ ୩ବାଡରେ ମଇଲମ କରାଯାଇ ପୂଜାପଣ୍ତା ସେବକଙ୍କ ଦ୍ୱାରା ମହାସ୍ନାନ ନୀତି ହୋଇଥାଏ ! ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ନୂଆଲୁଗା ଲାଗି କରାଇଥାନ୍ତି ! ପୂଜାପଣ୍ତା , ପତିମହାପାତ୍ର, ମୂଦିରସ୍ତ ସେବକ ଘଟୁଆରି ଚନ୍ଦନ ଘରଠାରୁ ଚନ୍ଦନ ବିଜେ କରାଇ ଆଣି ତିନି ବାଡରେ ଲାଗି କରାଇଥାନ୍ତି ! ତତ୍ପରେ ବେଶ ଓ ଅଳଙ୍କାରରେ ବିମଣ୍ତିତ ହୋଇ କର୍ପୂର ଲାଗି ପରେ ପୁଷ୍ପାଳକ ମାନେ ସିଂହାସନରୁ ଓହ୍ଲାଇ ଆସିଥାନ୍ତି !ତତ୍ପରେ ସୁଦୁସୁଆର ପୂଜା ଠା କରିବା ପରେ ତିନିବାଡରେ ପୂଜାପଣ୍ତା, ପତିମହାପାତ୍ର ଓ ମୁଦିରସ୍ତ ସେବକ ବରୁଣ ପୂଜା କରିଥାନ୍ତି ! ଏହି ପୂଜା ସମାପନାନ୍ତେ ଭିତରେ ପାଣି ପଡି ମଧ୍ୟାହ୍ନ ଧୂପ ଉଠିସାରିବା ପରେ ତିନି ବାଡରେ ମଙ୍ଗଳାର୍ପଣ ନୀତି ହେବା ସହ ଫୁଲୁପୁରିଆ ଖାଦି ଓ ଛେଦା ପ୍ରସାଦ ଲାଗି ହୋଇ ବନ୍ଦାପନା ହୋଇଥାଏ ! ଏହିପରି ଭାବେ ପ୍ରଥମାଷ୍ଟମୀ ଶ୍ରୀମନ୍ଦିରରେ ବିଶେଷ ନୀତି ପାଳିତ ହୋଇଥାଏ !
ନିଆଳିର ମାଧବାନନ୍ଦଜୀୟ :-
ମନ୍ଦିରରୁ ଭଣଜା ପାଇଁ ଆସିଛି ନବବସ୍ତ୍ର ଓ ଅଷ୍ଟମୀ ଭାର ଆଜି ପ୍ରଥମାଷ୍ଟମୀ । ଆଜି ପଢୁଆଁ ହେବେ ବଡଠାକୁର । ଶ୍ରୀଜୀଉଙ୍କ ମାମୁଘର ନିଆଳି ମାଧବ ମନ୍ଦିରରୁ ଭଣଜା ପାଇଁ ଆସିଥିବା ନୂଆ ବସ୍ତ୍ର ପିନ୍ଧିବେ ମହାପ୍ରଭୁ । ପରମ୍ପରା ଅନୁସାରେ ଶ୍ରୀଜୀଉମାନଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର , ଅରୁଆ ଚାଉଳ , ବିରି , ନଡିଆ , ଗୁଡ , ପାଚିଲା କଦଳୀ ଆସିଛି ମାମୁଁଘରୁ । କଟକ ଜିଲ୍ଲା ନିଆଳି ବ୍ଲକ ମାଧବସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ହେଉଛି ଶ୍ରୀ ଜଗନ୍ନାଥଙ୍କ ମାମୁଁଘର । କେଉଁ ଆବାହାମାନକାଳରୁ ମାଧବ ମନ୍ଦିର ପକ୍ଷରୁ ଜଗନ୍ନାଥଙ୍କୁ ପ୍ରଥମାଷ୍ଟମୀରେ ପୋଢୁଆଁ କରାଯାଉଛି ।ସଂକୀର୍ତନ ମଣ୍ଡଳୀର ସଂକୀର୍ତନ, ଢ଼ୋଲମହୁରୀ ବାଜାର ତାଳେ ତାଳେ ପ୍ରଥମାଷ୍ଟମୀ ଭାର ନିଆଳି ମାଧବ ମନ୍ଦିରରୁ ବାହାରି ଶ୍ରୀକ୍ଷେତ୍ର ଯାଇଥିଲା । ଗତ କିଛି ବର୍ଷ ହେବ ବନ୍ଦ ରହିଥିଲା ଏହି ପ୍ରଥା । ପରମ୍ପରାକୁ ପୁନଃ ପ୍ରଚଳନ କରିବା ପାଇଁ ପୁଣି ଉଦ୍ୟମ ଆରମ୍ଭ ହୋଇଥିଲା । ପୁରାତନ ପ୍ରଥାକୁ ବଚାଂଇ ରଖିବାକୁ ଚଳିତ ବର୍ଷ ନିଆଳିର ମାଧବାନନ୍ଦଜୀଉ ମନ୍ଦିରର ଛତିଶା ସେବକ ନିଯୋଗ ସହ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ଶ୍ରୀ ବଳଭଦ୍ରଙ୍କ ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଭାର ଓ ନୁଆ ବସ୍ତ୍ର ନେଇ ପୁରୀ ଯାଇଛନ୍ତି । ତୃତୀୟ ଅନଙ୍ଗଭୀମ ଦେବଙ୍କ ଦ୍ୱାରା ୧୨ ଶହ ୨୬ ଖ୍ରୀଷ୍ଟାଦ୍ଦରୁ ମାଧବ ମନ୍ଦିରରୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ପ୍ରଥମାଷ୍ଟମୀ ଭାର ଯିବାର ପରମ୍ପରା ରହିଛି । ଆଉ ସେବେଠାରୁ ଚାଲିଆସୁଛି ଏହି ପରମ୍ପରା ।
ଅନ୍ୟ ବୈଶିଷ୍ଟ୍ୟ :-
ଓଡ଼ିଶାରେ ପ୍ରଥମାଷ୍ଟମୀ ଦିନ ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ମାମୁଁଘର ଯାତ୍ରା ହୋଇଥାଏ । ଲିଙ୍ଗରାଜ ମହାପ୍ରଭୁ ଏହିଦିନ ତାଙ୍କ ମାମୁଁଘର ରୂପେ ପରିଚିତ କପାଳିମଠ (ଲିଙ୍ଗରାଜ ମନ୍ଦିର ସଂଲଗ୍ନ)କୁ ଯାଆନ୍ତି ପଢୁଆଁ ହେବା ପାଇଁ । ଏହିମଠର ଆରାଧ୍ୟ ଦେବତା ‘ବରୁଣେଶ୍ୱର’ ଓ ‘ବନଦେବ’ । ଏ ଦୁହେଁ ଲିଙ୍ଗରାଜଙ୍କର ମାମୁଁ- ମାଇଁ ରୂପେ ପ୍ରଖ୍ୟାତ । ଏହି ମଠ ହତାରେ ଗୋଟିଏ ପୁଷ୍କରିଣୀ ରହିଛି । ତାହା ପାପନାଶିନୀ ରୂପେ ପରିଚିତ ।‘ପ୍ରଥମାଷ୍ଟମୀ ଦିନ ଏହି ପୁଷ୍କରିଣୀର ଜଳ ପାନକଲେ ପାପକ୍ଷୟ ହୁଏ ଓ ବନ୍ଧ୍ୟାନାରୀ ସନ୍ତାନବତୀ ହୁଅନ୍ତି ’ ବୋଲି ପ୍ରବାଦ ଅଛି ।
ପ୍ରଥମାଷ୍ଟମୀର ଅନ୍ୟ ନାମ ‘ସୌଭାଗିନୀ ଅଷ୍ଟମୀ’ । ପୂର୍ବେ ଏହିଦିନ ସୌଭାଗିନୀ ଦେବୀଙ୍କର ପୂଜା ସମ୍ଭବତଃ ପ୍ରଚଳିତ ଥିଲା । କୃଷକ ସନ୍ତାନ ଲାଭ କରିଛି ଏବଂ ଶସ୍ୟ ମଧ୍ୟ ପାଇଛି କିମ୍ବା ଶସ୍ୟ ରୂପକ ସନ୍ତାନ ମଧ୍ୟ ସେ ଲାଭ କରିଛି- ଏହା ଅତ୍ୟନ୍ତ ସୌଭାଗ୍ୟର କଥା । କୃଷକର ମନ ଏଥିଲାଗି ଆନନ୍ଦିତ ଓ ଉଲ୍ଲସିତ । ସେ ଅତି ଆନନ୍ଦରେ ଏହି ତିଥିକୁ ସୌଭାଗିନୀ ଅଷ୍ଟମୀ ରୂପେ ପାଳି ଆସିଛି । ଏହି ପ୍ରଥମାଷ୍ଟମୀକୁ ‘କାଳ ଭୈରବାଷ୍ଟମୀ’ ମଧ୍ୟ କୁହାଯାଏ । ଏହିଦିନ କାଳ ଭୈରବଙ୍କର ବ୍ରତ ଓ ପୂଜାର ପ୍ରଚଳନ ଥିଲା । ଏବେ ଏହିପୂଜା ଲୁପ୍ତ । ସ୍କନ୍ଧ ପୁରାଣର କୋଶୀଖଣ୍ଡରେ ଉଲ୍ଲେଖ ଅଛି, ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ କାଳଭୈରବୀଙ୍କ ନିକଟରେ ବ୍ରତ, ଉପବାସ ଓ ଜାଗରଣ ଆଦି ସମ୍ପାଦନ କଲେ ପ୍ରାଣୀମାନେ ସର୍ବପାପରୁ ମୁକ୍ତ ହୁଅନ୍ତି ।
ତନ୍ତ୍ରସାଧକମାନଙ୍କ ସାଧନା ସମୟରେ ଯେଉଁ ଉଲ୍ଲେଖ ତନ୍ତ୍ର ପରମ୍ପରାରେ ରହିଛି, ସେଥି ମଧ୍ୟରେ ଏହି ପ୍ରଥମାଷ୍ଟମୀର ରାତ୍ରି ବିଶେଷ ଉଲ୍ଲେଖନୀୟ । ତାନ୍ତ୍ରିକ ଭାଷାରେ ଏହାର ନାମ ‘ଘୋରରାତ୍ର’ । ନବଦୁର୍ଗାଙ୍କ ମଧ୍ୟରୁ କାଳରାତ୍ରି ଅନ୍ୟତମା । ଆଦ୍ୟାଶକ୍ତି କାଳରାତ୍ରି ରୂପେ ଏହିଦିନ ଅବତୀର୍ଣ୍ଣା ହୋଇଥିଲେ । ତନ୍ତ୍ର ସମ୍ବନ୍ଧୀୟ ବିଭିନ୍ନ ଶାସ୍ତ୍ରରେ ଏହି ବିଷୟରେ ଉଲ୍ଲେଖ ଅଛି । ଅତୀତରେ ବହୁ ସ୍ଥାନରେ ଭୈରବ ଓ ଭୈରବୀଙ୍କୁ ପୂଜା କରାଯାଉଥିଲା ।