Trending Photos
Odisha News: ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆସନ୍ତା ୨୯ ତାରିଖରେ ଆୟୋଜିତ ହେବାକୁ ଯାଉଛି ଡିଜିପି ସମ୍ମିଳନୀ। ଏହି ହାଇଭୋଟେଜ ବୈଠକ ୨୯ରୁ ଆରମ୍ଭ ହୋଇ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏଥିରେ ଯୋଗଦେବା ପାଇଁ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବୈଠକରେ ରାଜ୍ୟଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ। ମାଓ ଦମନ, ଅପରାଧ ନିୟନ୍ତ୍ରଣ, ଭିତ୍ତିଭୂମି ବିକାଶ, ମାନବସମ୍ବଳ, ନୂଆ ଜ୍ଞାନକୌଶଳର ଉପଯୋଗକୁ ଗୁରୁତ୍ବ ଦିଆଯିବ । ଏହି ସମୟରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କର ରହଣି କାର୍ଯ୍ୟକ୍ରମ ରହିଛି। କେଉଁ ସ୍ଥାନରେ କାର୍ଯ୍ୟକ୍ରମ ହେବ ସେନେଇ ପ୍ରାଥମିକ ପର୍ଯ୍ୟାୟରେ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ହେଁ ଆପାତତଃ ଲୋକସେବା ଭବନ କନ୍ଭେନସନ୍ ସେଣ୍ଟର୍ରେ କାର୍ଯ୍ୟକ୍ରମ ହେବା ନେଇ ଯୋଜନା ଚାଲିଛି।
ଏହି ବୈଠକରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ଡିଜିଙ୍କ ସମେତ ବିଏସ୍ଏଫ୍ ଡିଜି, ସିଆର୍ପିଏଫ୍ ଓ ସିଆଇଏସ୍ଏଫ୍ ଡିଜି, ଏନ୍ଆଇଏ ମୁଖ୍ୟ, ର’ ମୁଖ୍ୟ, ଆଇବି, ଏନ୍ଏସ୍ଜି, ଏସ୍ପିଜି, ବିପିଆର୍ଡି, ଆଇଟିବିପି, ଏନ୍ସିବି ଡିଜିଙ୍କ ସହ ଗୃହ ମନ୍ତ୍ରାଳୟ ଅଧୀନରେ ଥିବା ସମସ୍ତ ଏଜେନ୍ସିର ମୁଖିଆମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏଥିସହ ସମସ୍ତ ରାଜ୍ୟର ଆଇଜି ମାନେ ଭର୍ଚୁଆଲ୍ରେ ଯୋଗଦେବେ।
ସେପଟେ ପ୍ରଥମଥର ପାଇଁ ବୈଠକ ହେଉଥିବାରୁ ସବୁ ଦିଗକୁ ଗୁରୁତ୍ୱ ଦେଇଛି ଓଡିଶା ପୋଲିସ। ଭୁବନେଶ୍ୱରରେ ଏହି ସମ୍ମିଳନୀ ହେବାକୁ ଯାଉଥିବାରୁ ସୁରକ୍ଷାଦୃଷ୍ଟି କୋଣରୁ ପର୍ଯ୍ୟାପ୍ତ ପରିମାଣ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ରାଜଧାନୀକୁ ହାଇଆଲର୍ଟ ରଖାଯିବା ସହ ସୁରୁଖୁରରେ ଏହି ସମ୍ମିଳନୀ ଶେଷ କରିବା ଲାଗି ଡିଜି ୱାଇ.ବି ଖୁରାନିଆ ଆଶା ବ୍ୟକ୍ତ କରିଛନ୍ତି। ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୋଲିସ କମିସନର ଉମାଶଙ୍କର ଦାଶ ଓ ଡିସିପି ପିନାକ ମିଶ୍ର ପାଟ୍ରୋଲିଂରେ ସାମିଲ୍ ହୋଇ ସହରର ଗଳିକନ୍ଦି ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି। ସେହିପରି ହୋଟେଲ୍, ରେଳଷ୍ଟେସନ, ବିମାନବନ୍ଦର ଓ ବସ୍ଷ୍ଟାଣ୍ଡ ଆଦି ଉପରେ ନଜର ରଖାଯାଇଛି। ସରାଇ ଆପ୍ରେ ପ୍ରତିଦିନ ଗ୍ରାହକଙ୍କ ତଥ୍ୟ ଅପ୍ଡେଟ୍ କରିବାକୁ ପୁଲିସ ପକ୍ଷରୁ ହୋଟେଲଗୁଡ଼ିକୁ କୁହାଯାଇଛି। ଏଥି ସହ ଅପରାଧୀଙ୍କୁ ସାବାଡ଼ ପାଇଁ ଏନ୍ବିଡବ୍ଲ୍ୟୁ, ପେସାଦାର ଓ ଦାଗୀ ଅପରାଧୀଙ୍କ ତାଲିକା କାରାଯାଇଛି। କିଛି କୁଖ୍ୟାତ ଅପରାଧୀଙ୍କୁ ତଡ଼ିପାର୍ ପାଇଁ ମଧ୍ୟ ଯୋଜନା କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଏହି ସମ୍ମିଳନୀରେ ଦେଶ ସୁରକ୍ଷା ସମ୍ପର୍କିତ ୨୫ରୁ ୩୦ଟି ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ଆତଙ୍କବାଦ, ଅନୁପ୍ରବେଶ, ସାଇବର ସିକ୍ୟୁରିଟି, ଆଇନଶୃଙ୍ଖଳା, ମାଓ ମୁକାବିଲା, ପୁଲିସିଂ ଟେକ୍ନୋଲୋଜି, ଜେଲ୍ ସଂସ୍କାର, ନିଶା କାରବାର ଓ ଆଭ୍ୟନ୍ତରୀଣ ନିରାପତ୍ତା ପ୍ରସଙ୍ଗରେ ବିଚାରବିମର୍ଶ ହେବ। ଏହା ବ୍ୟତୀତ ଏହି ସମ୍ମିଳନୀରେ ପୁଲିସ ଓ ନିରାପତ୍ତା କ୍ଷେତ୍ରରେ ଏଆଇ ଓ ଡିପ୍ଫେକ ସହ ନୂତନ ଜ୍ଞାନକୌଶଳ ଦ୍ୱାରା ସୃଷ୍ଟି ହେଉଥିବା ଆହ୍ୱାନ ଓ ଏହାର ମୁକାବିଲା ଉପରେ ବିସ୍ତୁତ ଆଲୋଚନା କରାଯିବ। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଗୁରୁମନ୍ତ୍ର ଦେବେ। ସମସ୍ତ ରାଜ୍ୟର ଡିଜିପିମାନେ ରାଜ୍ୟଗୁଡିକର ସମସ୍ୟା ଓ ସମାଧାନ ଦିଗରେ ନିଆଯିବାକୁ ଥିବା ପଦକ୍ଷେପ ବିଷୟରେ ମତ ଦେବେ ବୋଲି ସୂଚନା ମିଳିଛି।