1. World AIDS day: ଆଜି ବିଶ୍ୱ ଏଡସ୍ ଦିବସ। ଅଶି ଦଶକରେ ପ୍ରଥମ ଥର ମଣିଷ ଦେହରେ ଏଚଆଇଭି ଭୂତାଣୁ ଚିହ୍ନଟ ହୋଇଥିଲା। ଏଚଆଇଭି ଏକ ଭୂତାଣୁ ହୋଇଥିବାବେଳେ ଏଡସ୍ ଏକାଧିକ ଅତ୍ୟନ୍ତ ମାରାତ୍ମକ ରୋଗର ସମୁହ। ଏହା ବିଶେଷ କରି ସଂକ୍ରମିତ ରକ୍ତ ଦ୍ୱାରା ବ୍ୟାପୀଥାଏ। ଏଡସ୍ ମୁକ୍ତ ପାଇଁ ବିଶ୍ୱ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି। ଲୋକ ସଚେତନ ହେଉଛନ୍ତି ତଥାପି ସଂକ୍ରମଣ ହାର ଆଶାନୁରୁପକ ହ୍ରାସ ହେଉନାହିଁ। ଓଡିଶାରେ ଏଡସର ସ୍ଥିତି ସାଙ୍ଘାତିକ ରହିଛି। କେବଳ ଗୋଟିଏ ଜିଲ୍ଲାରେ ଏକ ତୃତୀୟାଂଶ ଏଚଆଇଭି ସଂକ୍ରମିତ ଅଛନ୍ତି। ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି।
2.Weather Report: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ଫେଙ୍ଗାଲ ଯାହାର ପ୍ରଭାବରେ ଓଡ଼ିଶାର କିଛି ସ୍ଥାନରେ ଝିପିଝିପି ବର୍ଷା ଦେଖିବାକୁ ମିଳିଛି। ସେପଟେ ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଆଉ ଏହା ସାଙ୍ଗକୁ କୋହଲା ପାଗ। ତେବେ ବାତ୍ୟା ‘ଫେଙ୍ଗାଲ’ତାମିଲନାଡ଼ୁ ଓ ପୁଡୁଚେରିକୁ ଛୁହିଁଛି। ଏହାର ପ୍ରଭାବ ଦକ୍ଷିଣ ଭାରତର ଅଧିକାମଶ ଜିଲ୍ଲାରେ ରହିଛି। ମାତ୍ର ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ନାହିଁ।
3.International Sandart festival: ଡିସେମ୍ବର ୧ ଅର୍ଥାତ ଆଜି ଠାରୁ କୋଣାର୍କରେ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତୀୟ ବାଲୁକାକଳା ପ୍ରଦର୍ଶନୀ। ଏହି ପ୍ରଦର୍ଶନୀରେ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରୁ ୧୨୯ଜଣ ବାଲୁକାଶିଳ୍ପୀ ଷ୍ଟଲରେ ଅଂଶ ଗ୍ରହଣ କରିବେ। ପ୍ରାୟ ୮ଟି ଦେଶରୁ ବାଲୁକାଶିଳ୍ପୀ ମାନେ ଯୋଗ ଦେଇ ନିଜ ଭିତରେ ରହିଥିବା ଅନ୍ତର୍ନିହିତ କଳାକୁ ବାଲୁକାରେ ପ୍ରତିଫଳିତ କରିବେ।
4.Mid Day Meal: ପୁଣି ବଢ଼ିଲା ବିଦ୍ୟାଳୟ ମିଡ୍ ଡେ ମିଲ୍ ବା ମଧ୍ୟାହ୍ନ ଭୋଜନ ଦର। ଦର ବଢ଼ାଇଲେ ରାଜ୍ୟ ସରକାର। ବିଦ୍ୟାଳୟର ପ୍ରାଥମିକ ପିଲାଙ୍କ ପାଇଁ ୭ଟଙ୍କା ୬୪ପଇସା ଖର୍ଚ୍ଚ ହେବ। ଏହା ପୂର୍ବରୁ ୫ଟଙ୍କା ୯୦ ପଇସା ଥିଲା। ଅନ୍ୟପଟେ ଏହି ମୂଲ୍ୟରେ ପାଖାପାଖି ୨ ଟଙ୍କା ବୃଦ୍ଧି ହୋଇଛି। ସେହିପରି ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ ଖର୍ଚ୍ଚ ହେବ ୧୦ଟଙ୍କା ୯୪ ପଇସା। ପ୍ରଥମରୁ ଏହା ୮ଟଙ୍କା ୮୨ ପଇସା ରହିଥିଲା। ଡିସେମ୍ବର ୧ତାରିଖରୁ ଏହି ନୂଆ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ଲାଗୁ ହେବ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତେବେ କିଛି ଦିନ ପୂର୍ବେ ସରକାର ୧ ଟଙ୍କା ବୃଦ୍ଧି କରିଥିଲେ ସରକାର। ତେବେ ପୁଣି ସଂଶୋଧନ କରି ନୂଆ ଖର୍ଚ୍ଚ ଲାଗୁ କରିଛନ୍ତି।
5. Metro Project: ୨୦୨୭ ଡିସେମ୍ବର ମାସ ସୁଦ୍ଧା ସରିବ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ । ସମୀକ୍ଷା କରିବା ପରେ ସୂଚନା ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । 'ପ୍ରଥମେ ୨୬ କିମିରେ ଆରମ୍ଭ ହେବ ମେଟ୍ରୋ ଚଳାଚଳ' 'ପ୍ରଥମ ୨୦ଟି ଷ୍ଟେସନରେ ରହିବ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟର ବାର୍ତ୍ତା' । ସାଂସଦ ଏକଥା କହିଛନ୍ତି ଯେ, 'ପ୍ରଥମ ପର୍ଯ୍ୟାୟରେ ମୋଟ ୧୩ଟି ଟ୍ରେନ୍ ଚାଲିବ ଏବଂ ପ୍ରତ୍ୟେକ ଟ୍ରେନରେ ୩ଟି କୋଚ୍ ରହିବ' । ପ୍ରତ୍ୟେକ ଦିନ ୯୫ ହଜାର ଯାତ୍ରୀ ଗମନାଗମନ କରିବାର କ୍ଷମତା ରହିବ ।
6.Aravind Kejriwal: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆକ୍ରମଣ ଉଦ୍ୟମପଣ୍ଡ ହୋଇଛି । ଆଜି ସଂଧ୍ୟାରେ ପଦଯାତ୍ରା କରୁଥିବା ସମୟରେ ହଠାତ ଭିଡ଼ ଭିତରୁ ଜଣେ ଅଜ୍ଞାତ ବ୍ୟକ୍ତି କେଜ୍ରିୱାଲଙ୍କ ଉପରେ ତରଳ ପଦାର୍ଥ ଫିଙ୍ଗିବା ସମୟରେ ଧରାପଡିଛନ୍ତି । ତେବେ ଘଟଣାରେ ଆପ ମୁଖିଆଙ୍କ କୌଣସି କ୍ଷତି ହୋଇନି ।
7.Bangladesh: ବାଂଲାଦେଶରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି। ହିନ୍ଦୁ ସନ୍ଥ ତଥା ପୂର୍ବତନ ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଏବଂ ଗିରଫକୁ ବିରୋଧ କରି ବାଂଲାଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଏବଂ ହିଂସା ଜାରି ରହିଥିବା ବେଳେ ଶୁକ୍ରବାର ବାଂଲାଦେଶର ଛଟୋଗ୍ରାମରେ ୩ଟି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି।
8.Congress: ଇଭିଏମ୍ ସମେତ ସମଗ୍ର ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିବା କଂଗ୍ରେସକୁ ଆଜି ବିଜେପି କଡ଼ା ଜବାବ ଦେଇଛି। ଯଦି ଇଭିଏମ୍ରେ ଜାଲିଆତି ହୋଇଥିବା ଆଳ ଦେଖାଇ କଂଗ୍ରେସ ଅନର୍ଥ କରିବାକୁ ଚାହୁଛି, ତା’ହେଲେ ପ୍ରଥମେ ଏହାର ମୁଖ୍ୟମନ୍ତ୍ରୀଗଣ ଏବଂ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଭଳି ଅନ୍ୟ ନିର୍ବାଚିତ ପ୍ରତିନିଧିମାନେ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଆହ୍ବାନ ଦେଇଛି।
9.Odisha News: ବେଆଇନ ଭାବେ ଗୋ ଚାଲାଣ ବେଳେ ଆଜି ଭୋର ସମୟରେ ବାଲେଶ୍ୱର ସହର ଉପକଣ୍ଠ ସୁନ୍ଦରୀ ଛକ ନିକଟରେ ଏକ ପିକଅପ ଓଲଟି ସେଥିରେ ଥିବା ୫ ଷଣ୍ଢଙ୍କର ମୃତ୍ୟୁ ହୋଇଥିବା ଦେଖାଯାଇଛି। ଆଉ ୫ ଷଣ୍ଢ ଗୁରୁତର ଭାବେ ଆହତ ହୋଇଥିବା ମଧ୍ୟ ଦେଖାଯାଇଛି।
10. Odisha News: ଅଗ୍ନିକାଣ୍ଡକୁ ରୋକିବ ଏଟିଭି । କୌଣସି ଦୁର୍ଗମ ଅଞ୍ଚଳ ହେଉ ଅବା ଜଙ୍ଗଲ, ଯେକୌଣସି ଅପହଞ୍ଚ ସ୍ଥାନରେ ପହଞ୍ଚି ନିଆଁକୁ ତତକ୍ଷଣାତ୍ ଆୟତ୍ତ କରିବା ସହିତ ବନ୍ୟ ଜନ୍ତୁଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଏହି "ଏଟିଭି"କୁ ପ୍ରସ୍ତୁତ କରାଯାଇଛି । ଉନ୍ନତ ଗତିଶୀଳତା ନିଶ୍ଚିତ କରିବା ସହିତ ପ୍ରତିକ୍ରିୟା ସମୟ କମ୍ କରିବା, ପ୍ରାକୃତିକ ବିପଦକୁ କମ୍ କରିବା ଆଦି କାର୍ଯ୍ୟ ପାଇଁ ସ୍ଵତନ୍ତ୍ର ଭାବରେ ୱାଟର ଟ୍ୟାଙ୍କ ସହିତ ଏହି ଗାଡି ତିଆରି ହୋଇଛି ।