Top 10 News: ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
ଆମେରିକାର ସମ୍ବେଦନବିହୀନ ପ୍ରତ୍ୟାର୍ପଣକୁ ନେଇ ଲୋକସଭାରେ ତୁମ୍ବିତୋଫାନ
ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱାରା ଯେଉଁଭଳି ଭାବେ ଭାରତୀୟଙ୍କୁ ପ୍ରତ୍ୟାର୍ପଣ କରାଯାଉଛି ତାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ। ଲୋକସଭାର ପ୍ରଶ୍ନୋତ୍ତର କାଳରେ ଏହାକୁ ନେଇ ସେମାନେ ଗୃହର ଧ୍ୟାନ ଆକର୍ଷଣ କରିଛନ୍ତି। ପ୍ରଶ୍ନୋତ୍ତର କାଳ ବନ୍ଦକରି ଏ ପ୍ରସଙ୍ଗରେ ଆଲୋଚନ କରିବାକୁ ବିରୋଧୀଙ୍କ ଦାବିକୁ କିନ୍ତୁ ବାଚସ୍ପତି ସ୍ୱୀକାର ନ କରିବାରୁ ଆଜି ହଟ୍ଟଗୋଳ ଦେଖିବାକୁ ମିଳିଛି। ଏହାଦ୍ୱାରା ଗୃହକାର୍ଯ୍ୟ ବାତିଲ ହେବାରୁ ବାଚସ୍ପତି ଗୋଟିଏ ପ୍ରଶ୍ନ ପରେ ଗୃହକୁ ମୁଲତବୀ କରିଛନ୍ତି।
ଗୃହରେ ଜବାବ ରଖିଲେ ବୈଦେଶିକ ମନ୍ତ୍ରୀ
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆମେରିକାରୁ ଫେରିଥିବା ଭାରତୀୟଙ୍କ ରୋଡମ୍ୟାପ୍ ଉପସ୍ଥାପନ କରିଛନ୍ତି। ସେ କହିଥିଲେ ଯେ ଏହି ଭାରତୀୟମାନେ ବହୁତ ଖରାପ ପରିସ୍ଥିତିରେ ସେଠାରେ ଫସି ରହିଥିଲେ। ଏହା ପ୍ରଥମ ଥର ନୁହେଁ ଯେତେବେଳେ ଲୋକଙ୍କୁ ଫେରାଇ ପଠାଯାଇଛି। ଏହା ପୂର୍ବରୁ ମଧ୍ୟ, ଭାରତୀୟମାନେ ଅନେକ ଥର ଫେରିଛନ୍ତି ଏବଂ ନିୟମ ଅନୁଯାୟୀ ପ୍ରବାସୀମାନଙ୍କୁ ଫେରାଇ ଦିଆଯାଇଛି। ଆମେରିକୀୟ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ନିୟମ 2012 ମସିହାରୁ ବଳବତ୍ତର ଅଛି। ଲୋକଙ୍କୁ ଫେରାଇବା ପଦ୍ଧତି ନୂଆ ନୁହେଁ।
ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା
ଓଡ଼ିଶାରେ ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୬ ଯାଏଁ ମାଟ୍ରିକ୍ ପରୀକ୍ଷା ହେବ। ଚଳିତଥର ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବଡ଼ ପଦକ୍ଷେପ ନିଆଯାଇଛି। ଏଥର ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ରହିବାର ବ୍ୟବସ୍ଥା ହୋଇଛି। ଏହା ଫଳରେ ପ୍ରଶ୍ନପତ୍ର ଲିକ୍ ହେଲେ ସିରିଏଲ୍ ନମ୍ବର ଦେଖି ଜାଣିହେବ । ଏଥିସହ ପ୍ରଶ୍ନପତ୍ରରେ ସ୍ବତନ୍ତ୍ର QR କୋଡ୍ ବି ରହିବ । ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ୪ ସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା ହେବ। ଚଳିତଥର ମୋଟ୍ ୩ ହଜାର ୧୩୩ ମୋଟ୍ ପରୀକ୍ଷା କେନ୍ଦ୍ର କରାଯାଇଛି।
ରାସ୍ତା ଦୁର୍ଘଟଣାରେ ବର୍ଷକୁ ଦେଢ ଲକ୍ଷ ଜୀବନ ହାନୀ
ସଡ଼କ ଦୁର୍ଘଟଣାରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ବେପରୁଆ ଗାଡି ଚାଳନା, ଅସ୍ତବ୍ୟସ୍ତ ରାସ୍ତା ଓ ବିଶୃଙ୍ଖଳିତ ଟ୍ରାଫିକ ପରିଚାଳନା ଏହାର ମୁଖ୍ୟ କାରଣ ହୋଇଛି। ଲୋକସଭାର ଆଜି ଉପସ୍ଥାପନ କରାଯାଇଥିବା ତଥ୍ୟ ଅନୁସାରେ ବର୍ଷକୁ ରାସ୍ତା ଦୁର୍ଘଟଣା ହେତୁ ଦେଢ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଥିବା କୁହାଯାଇଛି। ଏଥିରେ ସର୍ବାଧିକ ୨୫ ରୁ ୩୫ ବର୍ଷର ଯୁବଙ୍କ ଜୀବନ ଯାଇଛି।
ରାଜ୍ୟର ବିକାଶ ପାଇଁ ଅର୍ଥ କମିସନଙ୍କୁ ପ୍ରସ୍ତାବ: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଷୋଡ଼ଶ ଅର୍ଥ କମିସନ ଡ଼କ୍ଟର ଅରବିନ୍ଦ ପାନଗେରିୟାଙ୍କର ବୈଠକ ହୋଇଛି । ସାକ୍ଷାତ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ଯେ, ଅର୍ଥ କମିସନଙ୍କ ସହିତ ହୋଇଥିବା ବୈଠକରେ ରାଜ୍ୟର ଆର୍ଥିକ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ରାଜ୍ୟର ବିକାଶ ପାଇଁ ଅର୍ଥ କମିସନଙ୍କୁ ପ୍ରସ୍ତାବ ଦିଆଯାଇଛି। ଅର୍ଥ କମିସନଙ୍କ ନିକଟରେ ୧୨,୫୬, ୧୪୮ କୋଟିର ଦାବି କରାଯାଇଛି। ଏହା ସହିତ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଟିକସ ଭାଗ ବୃଦ୍ଧି ପାଇଁ ଅର୍ଥ କମିସନଙ୍କ ନିକଟରେ ଦାବି କରାଯାଇଛି। ଟିକସ ଭାଗକୁ ୪୧ ପ୍ରତିଶତରୁ ୫୦ ପ୍ରତିଶତ କରିବାକୁ ଦାବି ଉପସ୍ଥାପନ କରାଯାଇଛି।
୧୩ରୁ ବିଧାନସଭା ବଜେଟ୍ ଅଧିବେଶନ
ଫେବ୍ରୁଆରି ୧୩ରୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏନେଇ ଫେବ୍ରୁଆରି ୧୨ ତାରିଖରେ ବିଧାନସଭାର ସର୍ବଦଳୀୟ ବୈଠକ. ପୂର୍ବାହ୍ନ ୧୧ରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଶାନ୍ତିଶୃଙ୍ଖଳାର ସହିତ ବଜେଟ୍ ଅଧିବେଶନ ଅନୁଷ୍ଠିତ କରାଯିବା ପାଇଁ ସେନେଇ ବାଚସ୍ପତି ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ଏହି ବୈଠକ ଡକାଇଛନ୍ତି।
ଜନଶୁଣାଣି ଅଭିଯୋଗର ତୁରନ୍ତ ସମାଧାନ କର: ମୁଖ୍ୟମନ୍ତ୍ରୀ
ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜନଶୁଣାଣିରେ ଲୋକମାନେ ଆଣୁଥିବା ଅଭିଯୋଗ ଏବଂ ସମସ୍ୟାର ସମାଧାନ ନହେଲେ ଏଣିକି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କାରଣ ପୂର୍ବରୁ ଯେଉଁ ଲୋକମାନେ ସମସ୍ୟା ନେଇ ଆସୁଥିଲେ ସେମାନେ ପୁଣି ସମାନ ସମସ୍ୟା ନେଇ ଆସୁଥିବାରୁ ସେମାନଙ୍କ ସମସ୍ୟାର ସମାଧାନ ଯେପରି ଥରକରେ ହୋଇପାରିବ, ତାହା ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
୧୭ ବର୍ଷରେ ୧୫୬୮୧ ଜଣ ଭାରତୀୟଙ୍କୁ ଫେରାଇଛି ଆମେରିକା
୧୭ ବର୍ଷରେ ୧୫୬୮୧ ଜଣ ଭାରତୀୟଙ୍କୁ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିବାରୁ ପ୍ରତ୍ୟାର୍ପଣ କରିଛି ଯୁକ୍ତରାଷ୍ଟ୍ର ଆମେରିକା। ୨୦୧୨ ମସିହା ପରଠାରୁ ସେନାବାହିନୀର ବିମାନରେ ସେମାନଙ୍କୁ ପ୍ରତ୍ୟାର୍ପଣ କରାଯାଉଥିବା ଉଲ୍ଲେଖ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାରତୀୟ ନାଗରିକଙ୍କ ଉପରେ ଦୁର୍ବ୍ୟବହାର ନକରିବାକୁ ଆମେରିକା ସରକାରଙ୍କୁ ସୂଚନା ଦେଇଛନ୍ତି। ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆଜି ଏହି ସୂଚନା ରଖିଛନ୍ତି।
ବୃଦ୍ଧି ପାଉଛି ଦିନର ତାପମାତ୍ରା
ଦିନ ତାପମାତ୍ରା ଉପରମୁହାଁ ହୋଇ ଚାଲିଛି। ବୁଧବାର ଦିନ ୧୦ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଟପିଛି। ମାଲକାନଗିରି ଓ ବଲାଙ୍ଗୀରରେ ତାତି ସବୁଠୁ ଅଧିକ ୩୬ ଡିଗ୍ରୀ ରେକର୍ଡ଼ ହୋଇଛି। ଆସନ୍ତା ୪ ରୁ ୫ ଦିନ ଯାଏଁ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପ୍ରଥମ ଦିନିକିଆରୁ ଓହରିଲେ କୋହଲି
ନାଗପୁରରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ନାହାନ୍ତି । କୋହଲି ବୁଧବାରଠାରୁ ଡାହଣ ଆଣ୍ଠୁରେ ଯନ୍ତ୍ରଣା ଅନୂଭବ କରୁଥିବାରୁ ପ୍ରଥମ ଦିନିକିଆରୁ ସେ ଓହରି ଯାଇଛନ୍ତି । ଯାହାକି କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି। ଟସ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଛି। ଯଶସ୍ୱୀ ଜୈସୱାଲ ଓ ହର୍ଷିତ ରାଣା ଏହି ମ୍ୟାଚ ମାଧ୍ୟମରେ ଆନ୍ତର୍ଜାତୀୟ ଦିନିକିଆରେ ପଦାର୍ପଣ କରିଛନ୍ତି । ଅଧିନାୟକ ରୋହିତ ଶର୍ମା ଓ ଯଶସ୍ୱୀ ଭାରତ ପାଇଁ ଇନିଂସ ଓପନ କରିବେ।