ଚାଲିଛି ଶୀତଳ ଯୁଦ୍ଧ, ବିଶ୍ୱୀକରଣର ସ୍ଥାନ ନେଉଛି ଭୂ- ଅର୍ଥନୀତି
Advertisement
Article Detail0/zeeodisha/odisha2625932

ଚାଲିଛି ଶୀତଳ ଯୁଦ୍ଧ, ବିଶ୍ୱୀକରଣର ସ୍ଥାନ ନେଉଛି ଭୂ- ଅର୍ଥନୀତି

ଏକ ନୂତନ ଅର୍ଥନୀତିକ ବ୍ୟବସ୍ଥା ଆଡ଼କୁ ବିଶ୍ୱ ଢଳୁଛି, ତାହା ହେଲା ଭୂ-ଅର୍ଥନୀତି। ଏହା ବିଗତ ୯୦ ଦଶକର ବିଶ୍ୱିକରଣ ଅର୍ଥନୀତିର ସ୍ଥାନ ନେବାକୁ ଯାଉଛି ବୋଲି ଭାରତୀୟ ସଂସଦରେ ଉସ୍ଥାପନ ହୋଇଥିବା ଅର୍ଥନୀତିକ ସର୍ବେକ୍ଷଣ ରିପୋର୍ଟରେ ସ୍ପଷ୍ଟ କରାଯାଇଛି। 

ଚାଲିଛି ଶୀତଳ ଯୁଦ୍ଧ, ବିଶ୍ୱୀକରଣର ସ୍ଥାନ ନେଉଛି ଭୂ- ଅର୍ଥନୀତି

ନୂଆଦିଲ୍ଲୀ: ଏକ ନୂତନ ଅର୍ଥନୀତିକ ବ୍ୟବସ୍ଥା ଆଡ଼କୁ ବିଶ୍ୱ ଢଳୁଛି, ତାହା ହେଲା ଭୂ-ଅର୍ଥନୀତି। ଏହା ବିଗତ ୯୦ ଦଶକର ବିଶ୍ୱିକରଣ ଅର୍ଥନୀତିର ସ୍ଥାନ ନେବାକୁ ଯାଉଛି ବୋଲି ଭାରତୀୟ ସଂସଦରେ ଉସ୍ଥାପନ ହୋଇଥିବା ଅର୍ଥନୀତିକ ସର୍ବେକ୍ଷଣ ରିପୋର୍ଟରେ ସ୍ପଷ୍ଟ କରାଯାଇଛି। 

ଭାରତର ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରସ୍ତୁତ ଏହି ରିପୋର୍ଟ ଅର୍ଥନୀତିର ଅବସ୍ଥା ଓ ଅଗ୍ରଗତିକୁ ନେଇ ଉଭୟ ସରକାର ଏବଂ ଦେଶବାସୀଙ୍କୁ ସଚେତନ କରାଇଥାଏ। ଏହି ରିପୋର୍ଟରେ ଦର୍ଶାଯାଇଥିବା ଅର୍ଥନୀତିର ନୂତନ ଟ୍ରେଣ୍ଡ ଏହା ସ୍ପଷ୍ଟ କରୁଛି ଯେ ଭାରତର ଅର୍ଥନୀତି ଆଉ ବିଶ୍ୱୀକରଣ ନୁହେଁ ବରଂ ଭୂ-ଅର୍ଥନୀତି ଉପରେ ନିର୍ଭର କରିବାକୁ ଯାଉଛି। ଏହାର ପୂଳ କାରଣ ହେଉଛି ଶୀତଳ ଯୁଦ୍ଧ ଏବଂ ବନ୍ଧୁ ରାଷ୍ଟ୍ରକୁ ଯେକୌଣସି ପ୍ରକାରେ ସହାୟକ ହେବାର ଢାଞ୍ଚା।

ରିପୋର୍ଟରେ କୁହାଯାଇଛି, ‘ଆମେ ଦେଖୁଛୁ ସାରା ବିଶ୍ୱରେ ଏକୀକୃତ ଅର୍ଥନୀତିକ ଅବସ୍ଥାର ପଶ୍ଚାତ୍‍ଗତିଦ୍ୱାରା ଭୂ-ଅର୍ଥନୈତିକ ବିଖଣ୍ଡନ (GEF) ବିଶ୍ୱୀକରଣର  ସ୍ଥାନ ନେଉଛି।।  ଏଣୁ ଅର୍ଥନୈତିକ ପୁନର୍ବିନ୍ୟାସ ଏବଂ ପୁନଃ ବ୍ୟବସ୍ଥାପନ ଅନିବାର୍ଯ୍ୟ।’ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ-2024-25  ଉପସ୍ଥାପନ କରିବା ସମୟରେ ଏହା କହିଛନ୍ତି। ଏହି ରିପୋର୍ଟରେ 'ଭୌଗୋଳିକ ଅର୍ଥନୈତିକ ବିଖଣ୍ଡନ'କୁ ବିଶ୍ୱର ଏକୀକୃତ ଅର୍ଥନୈତିକ ବ୍ୟବସ୍ଥାରେ ନୀତି-ପ୍ରେରିତ ପରିବର୍ତ୍ତନ ଭାବରେ ପରିଭାଷିତ କରାଯାଇଛି,।

ଏହି ରିପୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଶୀତଳ ଯୁଦ୍ଧ ଯୁଗର ପୁନରାବୃତ୍ତି ହେତୁ, ଦେଶଗୁଡ଼ିକ ପୁଣି ଥରେ ନିଜକୁ ଦୁଇଟି ବ୍ଲକରେ ବିଭକ୍ତ କରିବା ଆରମ୍ଭ କରିଛନ୍ତି। ଏହାଦ୍ୱାରା ‘ଫ୍ରେଣ୍ଡ ଶୋରିଂ’ ବା ‘ବନ୍ଧୁକୁ ଡେରି ହେବା’ ଭଳି  ଉକ୍ତି ବିଶ୍ୱରେ ନୀତି ନିର୍ଦ୍ଧାରଣର କେନ୍ଦ୍ରବିନ୍ଦୁ ପାଲଟିଛି। ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ମାନଦଣ୍ଡ ଏବଂ ସୁରକ୍ଷାକୁ ନେଇ ବର୍ଷ ବର୍ଷ ଧରି ଉତ୍ତେଜନା ବୃଦ୍ଧି ପାଉଛି, ଯାହା ବର୍ତ୍ତମାନର ବିଶ୍ୱ-ଆର୍ଥିକ ବ୍ୟବସ୍ଥାରେ ଅଭିବୃଦ୍ଧି ଏବଂ ବିଶ୍ୱାସକୁ ଦୁର୍ବଳ କରୁଛି। ଏହା ବିକାଶ ଧାରାକୁ ମଧ୍ୟ ପ୍ରଭାବିତ କରିବାକୁ ଯାଉଛି ବୋଲି ରିପୋର୍ଟରେ ସତର୍କ କରାଯାଇଛି। 

ବିଶ୍ୱ ବାଣିଜ୍ୟ ସଂଗଠନ (WTO) ଦ୍ୱାରା ଏହାର ମହାନିର୍ଦ୍ଦେଶକଙ୍କ ବାର୍ଷିକ ସମୀକ୍ଷାରୁ ପ୍ରକାଶିତ ତଥ୍ୟ ଅନୁଯାୟୀ,  ଅକ୍ଟୋବର 2023 ଏବଂ ଅକ୍ଟୋବର 2024 ମଧ୍ୟରେ ପ୍ରଚଳିତ 169ଟି ନୂତନ ବିକାଶ ପ୍ରତିବନ୍ଧକ ପଦକ୍ଷେପ ଅଧୀନସ୍ଥ   ବାଣିଜ୍ୟର ମୂଲ୍ୟ ୮୮୭.୭ ବିଲିୟନ ଡଲାର ରହିଛି।  ଯାହା ଗତ ବର୍ଷ ପ୍ରଚଳିତ ପ୍ରତିବନ୍ଧକ ଅଧୀନସ୍ଥ ବାଣିଜ୍ୟର ମୂଲ୍ୟ ତୁଳନାରେ ୩୩୭.୧ ବିଲିୟନ ଡଲାର ରୁ ଅଧିକ।

ବାଣିଜ୍ୟ ଓ ନିବେଶ ସମ୍ବନ୍ଧୀୟ ପ୍ରତିବନ୍ଧକ ବଢ଼ିବା କାରଣରୁ ବିଶ୍ୱ ଅର୍ଥନୀତିରେ ମୌଳିକ ପରିବର୍ତ୍ତନ ଘଟୁଛି। ୨୦୨୦ରୁ ୨୦୨୪ ମଧ୍ୟରେ ବିଶ୍ୱ ସ୍ତରରେ ୨୪,୦୦୦ ରୁ ଅଧିକ ନୂତନ ବାଣିଜ୍ୟ ଏବଂ ନିବେଶ କଟକଣା କାର୍ଯ୍ୟକାରୀ ହୋଇଛି। ବିଶ୍ୱସ୍ତରୀୟ ସାଂରଚନାତ୍ମକ ଶକ୍ତିରେ ଏହି ପରିବର୍ତ୍ତନର ପ୍ରଭାବ ବିଶ୍ୱ ବାଣିଜ୍ୟ ଅଭିବୃଦ୍ଧିରେ ପ୍ରତିଫଳିତ ହେଉଛି। ଏହାଦ୍ୱାରା ବିଶ୍ୱ ଅର୍ଥନୀତି ଦୀର୍ଘକାଳୀନ ସ୍ଥିରତା ଦେଇ ଗତିକରିବା ସଙ୍କେତ ଦେଖାଇବା ଆରମ୍ଭ କରିଛି।

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଜାଣିପାରିଛି ଯେ ଶୀତଳ ଯୁଦ୍ଧ ଆରମ୍ଭରେ ବସ୍ତୁ ବ୍ୟାପାର GDPର ୧୬ ପ୍ରତିଶତ ଥିଲା। ବାଣିଜ୍ୟ ବିଭାଜନ ଏବେ ଅନେକ ବଢ଼ିଛି ଆଉ ଏହି ହେତୁ ଏହାର ଅନୁପା ୪୫ ପ୍ରତିଶତକୁ ବୃଦ୍ଧି ପାଇଛି। ବାଣିଜ୍ୟ ହ୍ରାସର ଅର୍ଥ ଜ୍ଞାନର କମ୍ ପ୍ରସାର, ଯାହାକୁ ସୀମାପାର ପ୍ରତ୍ୟକ୍ଷ ନିବେଶର ବିଭାଜନ ଦ୍ୱାରା ମଧ୍ୟ ହ୍ରାସ କରାଯାଇପାରିବ।

ଜିଇଏଫ୍‍ର ପ୍ରଭାବ ବିଶ୍ୱସ୍ତରୀୟ ଏଫ୍‍ଡିଆଇ ପ୍ରବାହରେ ସ୍ପଷ୍ଟ ହୁଏ, ଯାହା ଭୂରାଜନୈତିକ ଦୃଷ୍ଟିକୋଣରୁ ସମନ୍ୱିତ ଦେଶଗୁଡ଼ିକରେ, ବିଶେଷକରି ରଣନୈତିକ କ୍ଷେତ୍ରଗୁଡ଼ିକରେ କେନ୍ଦ୍ରିତ ହେଉଛି। ଏହି ଏଫଡିଆଇ ପ୍ରବାହ ଅନେକ ଉଦୀୟମାନ ବଜାର ଏବଂ ବିକାଶଶୀଳ ଅର୍ଥନୀତିର ଦୁର୍ବଳତାକୁ ବୃଦ୍ଧି କରୁଛି। ବ୍ୟାକସୋରିଂ ଏବଂ ପୁନଃଶୋରିଂରୁ ସୃଷ୍ଟି ହୋଇଥିବା ଏହି ଏଫ୍‍ଡିଆଇ ପରିବର୍ତ୍ତନ ଜନିତ କ୍ଷତି ଉଦୀୟମାନ ବଜାର ଏବଂ ବିକାଶଶୀଳ ଅର୍ଥନୀତି ପାଇଁ ବିଶେଷ ଭାବରେ ଗୁରୁତର। ସେମାନେ ଉନ୍ନତ ଅର୍ଥନୀତି ଦ୍ୱାରା ଲାଗୁ ହୋଇଥିବା କଠୋର କଟକଣାର ସମ୍ମୁଖୀନ ହେଉଛନ୍ତି, ଯାହା ସେମାନଙ୍କର ଏଫ୍‍ଡିଆଇର ପ୍ରମୁଖ ଉତ୍ସ।

ଅନ୍ୟ ଏକ କାରଣ ହେଉଛି ବିଶ୍ୱ ଉତ୍ପାଦନ ଏବଂ ଶକ୍ତି ପରିବହନ ବ୍ୟବସ୍ଥାରେ  ଏକ ପ୍ରମୁଖ ଶକ୍ତି ଭାବରେ ଚୀନର ଭୂମିକା।  ୨୦୦୦ ମସିହାରେ, ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ଏସିଆ, ୟୁରୋପ ଏବଂ ଲାଟିନ୍ ଆମେରିକାରେ ବିଶ୍ୱ ଶିଳ୍ପ ଉତ୍ପାଦନରେ ସର୍ବାଧିକ ଅଂଶୀଦାର ଥିଲେ, ସେତେବେଳେ ଚୀନର ମାତ୍ର ୬ ପ୍ରତିଶତ ଅଂଶୀଦାର  ରହିଥିଲା।  ୟୁଏନଆଇଡିଓ ଆକଳନ କରୁଛି ଯେ କେବଳ ଚୀନ୍ ମାତ୍ର ୩୦ ବର୍ଷ ମଧ୍ୟରେ ବିଶ୍ୱ ଉତ୍ପାଦନର ୪୫ ପ୍ରତିଶତ ଅଂଶ ହାସଲ କରିବ, ଯାହା ଆମେରିକା ଏବଂ ଏହାର ସହଯୋଗୀଙ୍କ ସହ ସମକକ୍ଷ ହେବ କିମ୍ବା ସେମାନଙ୍କୁ ପଛରେ ପକାଇବ। 

ସୌର ପ୍ୟାନେଲ ଉତ୍ପାଦନର ସମସ୍ତ ପର୍ଯ୍ୟାୟ (ପଲିସିଲିକନ୍, ଇନଗଟ୍ସ, ୱେଫର୍ସ, ସେଲ୍ ଏବଂ ମଡ୍ୟୁଲ୍ସ) ରେ ଚୀନର ଭାଗିଦାରୀ ୮୦ ପ୍ରତିଶତରୁ ଅଧିକ ରହିଛି। ବିଶ୍ୱର ବ୍ୟାଟେରୀ ଉତ୍ପାଦନ କ୍ଷମତାର ପ୍ରାୟ ୮୦ ପ୍ରତିଶତ ଚୀନ୍ ବହନ କରେ। ଏହା ଶକ୍ତି ପରିବହନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱର ସ୍ଥାପିତ ପବନ ଶକ୍ତି କ୍ଷମତାର ପ୍ରାୟ  ୬୦ ପ୍ରତିଶତ ଚୀନରୁ ଆସିଥାଏ। ଏ ଦିଗରେ ଧ୍ୟାନ ଦେଲା ଭାରତୀୟ ଅର୍ଥନୀତିର ପ୍ରଗତୀ ନିରନ୍ତର ରହିବ ବୋଲି ରିପୋର୍ଟ ସଚେତନ କରିଛି।

Also Read- Sahara Refund: ସାହାରାରେ ଅଟକିଥିବା ଟଙ୍କା ପାଇବାକୁ ଚାହୁଁଛନ୍ତି କି ? କରନ୍ତୁ ଏହି କାମ

Also Read- Basant Panchami 2025: ବସନ୍ତ ପଞ୍ଚମୀରେ କରନ୍ତୁ ଏହି କାମ, ବଦଳିଯିବ ଭାଗ୍ୟ !