Trending Photos
Hemanta Soren: ନୂଆଦିଲ୍ଲୀ: ଝାଡ଼ଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ। ଏହା ସହିତ ସୋରେନ ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଞ୍ଚିର ମୋରହାବାଦୀ ମୈଦାନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଜ୍ୟପାଳ ସନ୍ତୋଷ ଗାଙ୍ଗୱାର ହେମନ୍ତଙ୍କୁ ଶପଥ ପାଠ କରାଇଛନ୍ତି। ଏହି ଅବସରରେ ହେମନ୍ତ ସୋରେନ୍ କହିଛନ୍ତି ଯେ ଆଜି ରାଜନୈତିକ ବିଜୟ ବିଷୟରେ ନୁହେଁ, ଆଜି ସାମାଜିକ ନ୍ୟାୟ ପାଇଁ ଆମର ସଂଗ୍ରାମ ଏବଂ ସାମାଜିକ ଏକତାକୁ ଦୃଢ କରିବା ପାଇଁ ଆମକୁ ପ୍ରତିଦିନ ସଂଗ୍ରାମ କରିବାକୁ ପଡିବ। ଏହି ଦିନ ଏହା ମଧ୍ୟ ଦର୍ଶାଉଛି ଯେ ଗଣତନ୍ତ୍ର ଉପରେ ବଢୁଥିବା ଚାପ ମଧ୍ୟରେ ଝାଡଖଣ୍ଡର ମହାନ ଲୋକମାନେ ଏକାଠି ଠିଆ ହୋଇଛନ୍ତି। ଆଜି, ପ୍ରତ୍ୟେକ ଗ୍ରାମ ଏବଂ ସହରରେ ଗୋଟିଏ ସ୍ୱର ପୁନଃ ପ୍ରତିରୂପିତ ହେଉଛି - ଅଧିକାର, ସମାନତା, ଏକତା ଅର୍ଥାତ୍ ଝଡ଼ଖଣ୍ଡିଆଙ୍କ ସ୍ୱର ବୋଲି ଆଜି କହିଥିଲେ।
ଏଠାରେ କହି ରଖୁ କି ମୁଖ୍ୟମନ୍ତ୍ରୀଙ୍କ ସହ ଆଠ ଜଣ ମନ୍ତ୍ରୀଙ୍କ ଶପଥ ନେବା ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଶପଥ ସମାରୋହରେ କୌଣସି ମନ୍ତ୍ରୀ ଶପଥ ନେଇ ନାହାନ୍ତି। ହେମନ୍ତଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆପ୍ର ରାଷ୍ଟ୍ରୀୟ ସଂଯୋଜ ଅରବିନ୍ଦ କେଜ୍ରିଓ୍ଵାଲ, ସପା ମୁଖ୍ୟ ଅଖିଳେଶ ଯାଦବ, ତାମିଲନାଡୁରୁ ଉଦୟନିଧି ଷ୍ଟାଲିନ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ବିହାରର ବିରୋଧୀ ଦଳ ନେତା ତେଜସ୍ଵୀ ଯାଦବ , କଂଗ୍ରେସ ନେତା ତାରିକ ଅନଓ୍ଵର, ସ୍ଵାଧୀନ ସାଂସଦ ପପ୍ପୁ ଯାଦବ ପ୍ରମୁଖ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ। ସମସ୍ତ ଅତିଥିଙ୍କୁ କଳ୍ପନା ସୋରେନ ସ୍ଵାଗତ କରିଥିଲେ।
ସୂଚନାଯୋଗ୍ୟ ଗତ ୨୩ ତାରିଖରେ ଝାଡ଼ଖଣ୍ଡ ବିଧାନସଭାର ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା। ଏଥିରେ ମୋଟ ୮୧ଟି ଆସନରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ୱାଧିନ ଇଣ୍ଡି ମେଣ୍ଟ ମୋଟ ୫୬ଟି ଆସନରେ ବିଜୟ ହାସଲ କରି ସରକାର ଗଠନ କରିଛି। ବିଜେପି ନେତୃତ୍ୱାଧିନ ଇଣ୍ଡି ମେଣ୍ଟ ୨୪ ଆସନରେ ବିଜୟ ହାସଲ କରିଥିଲା। ଜେଏମଏମ ଏକାକୀ ୩୪ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ୧୬, ଆରଜେଡ଼ି ୪ ଓ ବାମ ଦଳକୁ ୨ଟି ଆସନ ଯାଇଛି।