Odisha News: ରାଜ୍ୟରେ ବାର୍ଷିକ ୩୦ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ପରିବାର ମଧ୍ୟରୁ ୧୪୬୧ଜଣ ଜେଲରେ ଥିବାବେଳେ ୩୦ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ପରିବାରର ୧୫୯୦ଜଣ, ୧ଲକ୍ଷରୁ ୧୦ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ପରିବାରର ୩୪୧ଜଣ ଓ ୧୦ଲକ୍ଷରୁ ଅଧିକ ଆୟ କରୁଥିବା ପରିବାରର ୬ଜଣ ବିଚାରଧିନ ବନ୍ଦୀ ରାଜ୍ୟରେ ଥିବା କ୍ଷମତାସମ୍ପନ୍ନ କମିଟି ବୈଠକରୁ ଜଣାପଡ଼ିଛି।
Trending Photos
ଭୁବନେଶ୍ୱର: ଆମ ପାଇଁ ଆମେ ସମ୍ବିଧାନ ଆପଣାଇବାକୁ ଆଜି ୭୫ ବର୍ଷ ପୂରିଛି। ସାରା ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରତିଟି ନାଗରିକ ଲାଗି ଏହା ଏକ ଗୌରବର ବିଷୟ। ଏ ସମ୍ବିଧାନ ଆମକୁ ମର୍ଯ୍ୟାଦାର ସହ ବଞ୍ଚିବାଲାଗି କ୍ଷମତା ଦେଇଛି ହେଲେ ଆଇନ ଆମକୁ ଏମିତି ଛନ୍ଦିଛି ଯେ ଆଜି ଦେଶର ଗରିବ ବନ୍ଦୀଙ୍କୁ ମୁକୁଳାଇବା ସମ୍ଭବ ହେଉନି। ଏନେଇ ରାଷ୍ଟ୍ରପତି ବି ଉଦ୍ବେଗ ପ୍ରକାଶ କରିଛନ୍ତି ତଥାପି ଦେଶର ଅନେକ ଜାମିନ ଲାଗି ଟଙ୍କା ଯୋଗାଡ଼ କରିପାରୁ ନଥଇବାରୁ କାରାଗାରରେ ଜୀବନ ଅତିବାହିତ କରୁଛନ୍ତି।
ଓଡ଼ିଶାରେ ଏପରି ୧୭୭୯ ମାମଲା ରହିଛି। ଏମାନଙ୍କ ଭିତରୁ ୧୨୩୫ଙ୍କୁ ତୁରନ୍ତ ଜାମିନ ଦେବା ଲାଗି ଉଚ୍ଚ କ୍ଷମତାପନ୍ନ କମିଟି ସୁପାରିସି ବି କରିଛି, ହେଲେ ତାହା କାର୍ଯ୍ୟକାରୀ ହୋଇ ନାହିଁ। ଏନେଇ ୮୪ଥର ବୈଠକ ହୋଇଛି କିନ୍ତୁ ସମାଧାନର ରାସ୍ତା ବାହାରିପାରୁ ନାହିଁ।
୨୦୨୩ ନଭେମ୍ବର ୨୬ ତାରଖରେ ନୂଆଦିଲ୍ଲୀରେ ସମ୍ବିଧାନ ଦିବସ ପାଳନର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏ ବିଷୟରେ ଉଦ୍ବେଗ ପ୍ରକାଶ କରିଥିଲେ। ତାଙ୍କ ଅଭିଭାଷଣରେ ଦେଶର ବିଭିନ୍ନ କୋର୍ଟରୁ ଜାମିନ ପାଇବା ପରେ ମଧ୍ୟ ଜାମିନଦାର ଓ ଅର୍ଥ ଅଭାବରୁ ଗରିବ ବନ୍ଦୀମାନେ କିପରି ଜେଲର ଚାରିକାନ୍ଥ ଭିତରେ ସଢ଼ୁଛନ୍ତି ସେହି ମସସ୍ୟାକୁ ଉପସ୍ଥାପିତ କରିଥିଲେ। ଏହି ସମସ୍ୟାର ସମାଧାନ ରାସ୍ତା ବହାର କରିବାକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସୁପ୍ରିମକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଏହାପରେ ବିଭିନ୍ନ ରାଜ୍ୟର ଜେଲରେ ଥିବା ଏଭଳି ବନ୍ଦୀମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ଏବଂ କିପରି ସେମାନଙ୍କୁ ଜେଲରୁ ମୁକ୍ତି ମିଳିବ ସେ ସମ୍ପର୍କରେ ତର୍ଜମା କରାଯାଇଥିଲା। ଏହି କ୍ରମରେ ଓଡ଼ିଶାରେ ଗରିବ ବନ୍ଦୀମାନେ କିପରି ଜାମିନ ପାଇପାରିବେ ସେ ନେଇ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ କ୍ଷମତାସମ୍ପନ୍ନ କମିଟି ଗଠନ କରାଯାଇ ୮୪ଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହାର ତଦାରଖ କମିଟି ଥରେ ବୈଠକ ବସିଥିଲା। ବିଭିନ୍ନ କୋର୍ଟରୁ ଜାମିନ ପାଇବା ପରେ ଜାମିନଦାର ଓ ଅର୍ଥ ଅଭାବରୁ ରାଜ୍ୟରେ ୧୨୧୪ଜଣ ମୁକୁଳି ପାରୁନଥିବା କ୍ଷମତାସମ୍ପନ୍ନ କମିଟି ବୈଠକରୁ ଜଣାପଡ଼ିଛି। ଓଡ଼ିଶାରେ ଥିବା ୧୮୧୬୪ଜଣ ବିଚାରଧିନ ବନ୍ଦୀମାନଙ୍କ ମଧ୍ୟରୁ ୧୭୭୯ ଜଣଙ୍କୁ ଜାମିନ ଦିଆଯାଇପାରିବ ବୋଲି ଏହି ଆଲୋଚନା କାଳରେ ସ୍ଥିର ହୋଇଥିଲା। ୧୭୭୯ଜଣଙ୍କ ମଧ୍ୟରୁ ୧୨୩୫ଜଣଙ୍କୁ ଜାମିନ ଦେବା ପାଇଁ କ୍ଷମତାସମ୍ପନ୍ନ କମିଟି ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ଏଯାଏ କେହି ବି ମୁକୁଳିବାରେ ସମର୍ଥ ହୋଇ ନାହାନ୍ତି।
ରାଜ୍ୟ ସରକାର ଜଣେ ବିଚାରାଧୀନ କଏଦୀଙ୍କୁ ଚିହ୍ନଟ କରିଛନ୍ତି, ଯାହାଙ୍କ ଜାମିନ ରାଶି ୪୦ ହଜାର ଟଙ୍କାରୁ ଅଧିକ, କିନ୍ତୁ ତଦାରଖ କମିଟି ଏହି ମାମଲାକୁ ଖାରଜ କରିଦେଇଥିଲା। ଅନ୍ୟ ଦୁଇ ଦୋଷୀଙ୍କ ଜାମିନ ରାଶି ୨୫ ହଜାର ଟଙ୍କାରୁ ଅଧିକ ଥିବାବେଳେ ୩୧ଜୁଲାଇ ସୁଦ୍ଧା ସେମାନଙ୍କ ମାମଲା ବିଚାରାଧୀନ ରହିଛି।
ରାଜ୍ୟରେ ବାର୍ଷିକ ୩୦ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ପରିବାର ମଧ୍ୟରୁ ୧୪୬୧ଜଣ ଜେଲରେ ଥିବାବେଳେ ୩୦ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ପରିବାରର ୧୫୯୦ଜଣ, ୧ଲକ୍ଷରୁ ୧୦ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ପରିବାରର ୩୪୧ଜଣ ଓ ୧୦ଲକ୍ଷରୁ ଅଧିକ ଆୟ କରୁଥିବା ପରିବାରର ୬ଜଣ ବିଚାରଧିନ ବନ୍ଦୀ ରାଜ୍ୟରେ ଥିବା କ୍ଷମତାସମ୍ପନ୍ନ କମିଟି ବୈଠକରୁ ଜଣାପଡ଼ିଛି।
ଜେଲରେ ରହିବା କାରଣରୁ ୨୦୨୨ରେ ୫୦ଜଣ ବନ୍ଦୀ ମୃତ୍ୟୁବରଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୪୭ଜଣ ବିଭିନ୍ନ ରୋଗରେ ପଡ଼ି ମୃତ୍ୟୁବରଣ କରିଥିବାବେଳେ ୩ଜଣ ଆତ୍ମହତ୍ୟା କରିଛନ୍ତି। ୯୧୨ଜଣ ପାଗଳ ହୋଇଯାଇଛନ୍ତି। ଏପରିକି ୧୦୪୭ ଜଣ ନିଶାଗ୍ରସ୍ତ ହୋଇଥିବା କ୍ଷମତାସମ୍ପନ୍ନ କମିଟି ବୈଠକରୁ ଜଣାପଡ଼ିଛି।
ରାଷ୍ଟ୍ରପତିଙ୍କ ନିଜ ରାଜ୍ୟରେ ଯଦି ଏଭଳି ଅବସ୍ଥା ତେବେ ଦେଶର ଅନ୍ୟାନ୍ୟ ରାଜ୍ୟରେ ବନ୍ଦୀମାନଙ୍କ ଅବସ୍ଥା କିଭଳି ଥିବା ତାହା ସହଜରେ ଅନୁମାନ କରାଯାଇପାରେ।