ସମ୍ ହସ୍ପିଟାଲ୍‌ର ପୁଣି ଏକ ବିରଳ ସଫଳତା; ଯୁବତୀଙ୍କ ଛାତିରୁ ବାହାର କରାଗଲା ୩ କେଜିର ଟ୍ୟୁମର
Advertisement
Article Detail0/zeeodisha/odisha1202630

ସମ୍ ହସ୍ପିଟାଲ୍‌ର ପୁଣି ଏକ ବିରଳ ସଫଳତା; ଯୁବତୀଙ୍କ ଛାତିରୁ ବାହାର କରାଗଲା ୩ କେଜିର ଟ୍ୟୁମର

“ହସ୍ପିଟାଲ୍‌କୁ ଆସିବା ବେଳେ ମୁଁ ଆଉ ବଞ୍ଚିବି ବୋଲି ଭାବି ନ ଥିଲି। ଏବେ କିନ୍ତୁ ସୁସ୍ଥ ହୋଇ ଘରକୁ ଫେରୁଛି”।

ସମ୍ ହସ୍ପିଟାଲ୍‌ର ପୁଣି ଏକ ବିରଳ ସଫଳତା; ଯୁବତୀଙ୍କ ଛାତିରୁ ବାହାର କରାଗଲା ୩ କେଜିର ଟ୍ୟୁମର

ଭୁବନେଶ୍ୱର: ବୟସ ୨୩ ବର୍ଷ। ହେଲେ ଛାତିରେ ଥିଲା ତିନି କେଜି ଓଜନର ମାଂସ ପିଣ୍ଡୁଳା। ହାର୍ଟ ବା ହୃତପିଣ୍ଡ ଛାତିର ବାମ ପଟରୁ ଡାହାଣ ପଟକୁ ଚାଲି ଯାଇଥିଲା। ନିଶ୍ଵାସ ନେବାରେ ଅସହ୍ୟ ଯନ୍ତ୍ରଣା ହେଉଥିଲା।

“ହସ୍ପିଟାଲ୍‌କୁ ଆସିବା ବେଳେ ମୁଁ ଆଉ ବଞ୍ଚିବି ବୋଲି ଭାବି ନ ଥିଲି। ଏବେ କିନ୍ତୁ ସୁସ୍ଥ ହୋଇ ଘରକୁ ଫେରୁଛି”।  ଆନନ୍ଦଭରା କଣ୍ଠରେ ଏଭଳି କହିଛନ୍ତି ସମ୍ ହସ୍ପିଟାଲ୍‌ରୁ ସୋମବାର ଡିସ୍‌ଚାର୍ଜ ହୋଇ ଘରକୁ ଫେରୁଥିବା ଜଣେ ୨୩ ବର୍ଷର ଯୁବତୀ। ସମ୍ ହସ୍ପିଟାଲ୍ ଡାକ୍ତରଙ୍କ ଚିକିତ୍ସା ଏବଂ ବିରଳ ଟ୍ୟୁମର ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛନ୍ତି ସୋନାଲୀ ଦଳାଇ।

ସୋନାଲୀଙ୍କ ଉପସ୍ଥିତିରେ ଏହି ସଫଳ ଅସ୍ତ୍ରୋପଚାର ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସମ୍‌ ଡାକ୍ତରଖାନା କର୍ତ୍ତୃପକ୍ଷ। ଛାତିରେ ଟ୍ୟୁମର ଥିବା ଯୋଗୁଁ ଯନ୍ତ୍ରଣା ଏବଂ ନିଃଶ୍ୱାସ ନେବାରେ ଅସୁବିଧା ନେଇ ସୋନାଲୀ ଅନେକ ଡାକ୍ତରଖାନା ବୁଲିବା ପରେ ଶେଷରେ ସମ୍ ହସ୍ପିଟାଲ୍ ଆସିଥିଲେ। ପ୍ରଥମେ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡାକ୍ତର ସୌମ୍ୟ ସୁରଥ ପଣ୍ଡାଙ୍କ ଅଧିନରେ ଚିକିତ୍ସା ଆରମ୍ଭ କରାଯାଇ ତାଙ୍କ ଛାତିରେ ଏକ ବଡ ଟ୍ୟୁମର ଥିବାର ଜଣାପଡ଼ିଥିଲା। ଯାହାକି ହୃତ୍‌ପିଣ୍ଡ ଓ ଶ୍ୱାସନଳୀକୁ ଡାହାଣପଟକୁ ଠେଲି ରଖିଥିଲା ଓ ବାମପାଶ୍ୱର୍ ଫୁସ୍‌ଫୁସ୍ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଥିଲା। ଏହା ଫଳରେ ତାଙ୍କ ଶରୀରରେ ଅମ୍ଳଜାନ ସ୍ତର କମିଯାଉଥିଲା ଏବଂ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ବୋଲି କହିଛନ୍ତି ସମ୍ ହସ୍ପିଟାଲ୍‌ର ସିଟିଭିଏସ୍ ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ସାହୁ।

ତାଙ୍କ ଶରୀରରେ ଥିବା ଟ୍ୟୁମର କ୍ୟାନ୍‌ସରସ ନଥିଲା। ଏହାକୁ ଇନ୍‌ଟ୍ରାଥୋରାସିକ୍ ଟ୍ୟୁମର କୁହାଯାଉଥିବା ବେଳେ ଏହାର ଓଜନ ପ୍ରାୟ ୩ କେଜି ଥିଲା ବୋଲି ପରୀକ୍ଷାରୁ ଜଣାପଡ଼ିଥିଲା। ଏହା ସହିତ ତାଙ୍କ ମୁହଁ ଏବଂ ହାତରେ ଅନେକ ଗୁଡ଼ିଏ ନ୍ୟୁରୋଫାଇବ୍ରୋମା ସୃଷ୍ଟି ହୋଇଥିଲା।

ଡାକ୍ତର ସାହୁଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ଏହି ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଇଥିଲେ। ରୋଗୀର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ଏତେ ବଡ ଟ୍ୟୁମରକୁ ବାହାର କରିବା ଖୁବ୍ କଷ୍ଟକର ଥିଲା। କାର୍ଡିଆକ୍ ଆନେସ୍‌ଥେଟିଷ୍ଟ ଡାକ୍ତର ସୁଶାନ୍ତ କୁମାର ଭୋଇଙ୍କ ସହଯୋଗରେ ଏହି ଅସ୍ତ୍ରୋପଚାର ସମ୍ଭବପର ହୋଇଥିଲା। କ୍ଲାମ୍‌ସେଲ ଥୋରାକ୍ଟୋମି ଓ ମେଡିଆନ୍ ଷ୍ଟେର୍‌ନୋଟୋମି ପଦ୍ଧତିରେ ଗୋଟିଏ ପଟର କାନ୍ଧରୁ ଅନ୍ୟପଟକୁ କଟାଯାଇ ଟ୍ୟୁମରଟିକୁ କଢ଼ା ଯାଇପାରିଥିଲା ବୋଲି ଡାକ୍ତର ସାହୁ କହିଛନ୍ତି।

ଏହି ଅସ୍ତ୍ରୋପଚାର ଓ ପରବର୍ତୀ ଚିକିତ୍ସା କରିଥିବା ଟିମ୍‌ରେ ଡାକ୍ତର ସାହୁ ଓ ଡାକ୍ତର ଭୋଇଙ୍କ ସମେତ କ୍ରିଟିକାଲ୍ କେୟାର ବିଭାଗର ଡାକ୍ତର ଶକ୍ତି ବେଦାନ୍ତ ମିଶ୍ର, ଡାକ୍ତର ସାଗରିକା ପଣ୍ଡା ସାମିଲ ହୋଇ ରୋଗୀର ଯତ୍ନ ନେଇଥିଲେ।
ଅସ୍ତ୍ରୋପଚାର ପରେ ରୋଗୀଙ୍କ ସୁସ୍ଥ ହେବା ଗରୁତ୍ୱପୂର୍ଣ୍ଣ ଥିବା ବେଳେ ପ୍ରାୟ ଏକ ମାସ ଧରି ଆଇସିୟୁ ମଧ୍ୟରେ ତାଙ୍କର ଯତ୍ନ ନିଆଯାଇଥିଲା ବୋଲି ଡାକ୍ତର ପଣ୍ଡା କହିଛନ୍ତି। ସେହିପରି ଅପରେସନ୍ ପରେ ଛାତିର କସ୍‌ମେଟିକ୍ ରିପେୟାର କରିଥିଲେ ପ୍ଲାଷ୍ଟିକ୍ ସର୍ଜନ୍ ଡାକ୍ତର ବିନାୟକ ମିଶ୍ର।

ବିଏସ୍‌କେୱାଇ ଯୋଜନାରେ ଏହି ଯୁବତୀଙ୍କ ସମ୍ପୂର୍ଣ୍ଣ ଅସ୍ତ୍ରୋପଚାର ଓ ଚିକିତ୍ସା କରାଯାଇଥିଲା ବୋଲି ସମ୍‌ର ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସୂଚନା ଦେଇଥିଲେ। ଏହା ଏକ ଡାକ୍ତରୀ ଟିମ୍‌ର ସଫଳତା। ସିଟିଭିଏସ୍‌, କ୍ରିଟିକାଲ କେୟାର, ଥୋରାସିକ୍‌, ଅଙ୍କୋଲୋଜି ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ମିଳିତ ସହଯୋଗରେ ଏହି ଅସ୍ତ୍ରେପଚାର ସଫଳ ହୋଇପାରିଥିବା ମେଡିସିନ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସୌମ୍ୟ ସୁରଥ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

ଝିଅଟି ସୁସ୍ଥ ହେବା ପରେ ସମ୍ ହସ୍ପିଟାଲ ଓ ଡାକ୍ତର ସାହୁଙ୍କ ସମେତ ସମ୍ପୂର୍ଣ୍ଣ ଡାକ୍ତରୀ ଟିମ୍‌କୁ କୃତଜ୍ଞତା ଜଣାଇଛନ୍ତି ସୋନାଲୀଙ୍କ ମା ଓ ତାଙ୍କ ସମ୍ପର୍କୀୟ ଡାକ୍ତର ଏଲ୍‌.ଏନ୍ ପଣ୍ଡା। ବିଏସ୍‌କେୱାଇ ଯୋଜନାରେ ଏହି ଚିକିତ୍ସା ସମ୍ଭବପର ହୋଇପାରିଥିବାରୁ ରାଜ୍ୟ ସରକାରଙ୍କୁ ମଧ୍ୟ ଡାକ୍ତର ପଣ୍ଡା ଧନ୍ୟବାଦ ଜଣାଇଛନ୍ତି।