Odisha Budget Session 2025 ରାଜ୍ୟପାଳଙ୍କ ଅଭିଭାଷଣ, ଆରମ୍ଭ ହେଲା ବଜେଟ ଅଧିବେଶନ
Advertisement
Article Detail0/zeeodisha/odisha2644480

Odisha Budget Session 2025 ରାଜ୍ୟପାଳଙ୍କ ଅଭିଭାଷଣ, ଆରମ୍ଭ ହେଲା ବଜେଟ ଅଧିବେଶନ

ଭୁବନେଶ୍ଵର: ଆଜିଠାରୁ ସପ୍ତଦଶ ବିଧାନସଭାର ତୃତୀୟ ତଥା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ଡ.

Odisha Budget Session 2025 ରାଜ୍ୟପାଳଙ୍କ ଅଭିଭାଷଣ, ଆରମ୍ଭ ହେଲା ବଜେଟ ଅଧିବେଶନ

Odisha Budget Session 2025: ଭୁବନେଶ୍ଵର: ଆଜିଠାରୁ ସପ୍ତଦଶ ବିଧାନସଭାର ତୃତୀୟ ତଥା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ଡ. ହାରିବାବୁ କମ୍ଭମପାଟି ନିଜର ଅଭିଭାଷଣ ରଖିଛନ୍ତି । ୨୦୨୪ ବର୍ଷ ଓଡ଼ିଶା ପାଇଁ ଏକ ଐତିହାସିକ ବର୍ଷ ହୋଇଛି, ଯାହା ଶାସନ ବିକାଶ ଓ ବିଶ୍ବସ୍ତରୀୟ ସ୍ଵୀକୃତିରେ ପରିବର୍ତ୍ତନକାରୀ ପଦକ୍ଷେପ ହୋଇଛି । ଆମର ପ୍ରତ୍ୟେକ ଆଭିମୁଖ୍ୟରେ ଲୋକ ହିଁ ପ୍ରଥମ ଅଟନ୍ତି । ମୋ ସରକାର ପ୍ରଗତି ଓ ସମୃଦ୍ଧି ଦିଗରେ ଆମର ଯାତ୍ରାରେ କାହାକୁ ପଛରେ ନପକାଇ ଓଡ଼ିଶାର ସାମଗ୍ରିକ ବିକାଶ ଏବଂ ଏହାର ସମସ୍ତ ବର୍ଗର ଲୋକଙ୍କ ସଶକ୍ତିକରଣ ପାଇଁ ଦୃଢ଼ ଭାବରେ ସମର୍ପିତ ହେବେ ବୋଲି ରାଜ୍ୟପାଳ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
   
ନିଜ ଅଭିଭାଷଣରେ ରାଜ୍ୟପାଳ ବିଦାୟୀ ବର୍ଷରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଶାସନ ଏବଂ ନିଷ୍ପତ୍ତି ସମ୍ପର୍କରେ ବିଶଦ ଭାବରେ ତଥ୍ୟ ରଖିଛନ୍ତି । ବିଶେଷକରି ସରକାରଙ୍କୁ ମାତ୍ର ୮ ମାସ ପୁରିଥିବା ବେଳେ ସୁଭଦ୍ରା, ସମୃଦ୍ଧ କୃଷକ ଯୋଜନା କାର୍ଯ୍ୟକାରିତା ସହ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନିଷ୍ପତ୍ତି, ସର୍ବ ଭାରତୀୟ ଡିଜିପି/ଆଇଜିପି ସମ୍ମିଳନୀ, ୧୮ତମ ପ୍ରବାସୀ ଭାରତୀୟ ଦିବସ, ଉତ୍କର୍ଷ ଓଡ଼ିଶା; ମେକ୍ ଇନ୍ ଓଡ଼ିଶା କନକ୍ଲେଭର ସଫଳ ଆୟୋଜନକୁ ରାଜ୍ୟପାଳ ଉଚ୍ଚ ପ୍ରଶଂସା କରିଛନ୍ତି।  ରାଜ୍ୟପାଳ କହିଛନ୍ତି ଯେ ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଅର୍ଥନୀତି ସହ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ମୋ ସରକାର ଲକ୍ଷ୍ୟ ରଖିଛନ୍ତି । 

ଏଥିପାଇଁ ସବୁ ଦିଗକୁ ଗୁରୁତ୍ୱାରୋପ କରାଯାଉଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧିନରେ ଋଣ ପ୍ରଦାନକୁ ସୁଗମ କରି ମୋ ସରକାର କୃଷି ଉଦ୍ୟୋଗ ଗୁଡ଼ିକୁ ପ୍ରୋତ୍ସାହିତ କରୁଛନ୍ତି।  ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମୋ ସରକାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରିଛନ୍ତି।  ମୋ ସରକାର ସମସ୍ତ ୬୬ଟି ନିୟନ୍ତ୍ରିତ ବଜାର କମିଟିକୁ ଜାତୀୟ କୃଷି ବଜାର ସହିତ ସଂଯୁକ୍ତ କରିଛନ୍ତି।  ଗତ ଡ଼ିସେମ୍ବର ସୁଦ୍ଧା ଏଥିରେ ୪୫୧୨ କୋଟି ଟଙ୍କାର ଇ - ଟ୍ରେଡିଂ ହାସଲ କରିପାରିଛି।  ଜଳ ସଂରକ୍ଷଣ ବୃଦ୍ଧି ଏବଂ ଦକ୍ଷ ଉପଯୋଗ ନିଶ୍ଚିତ କରିବା ପାଇଁ ମୋ ସରକାର ଏକାଧିକ ପଦକ୍ଷେପ କାର୍ଯ୍ୟକାରୀ କରୁଛନ୍ତି । ଇନଷ୍ଟ୍ରୀମ ଷ୍ଟୋରେଜ ଷ୍ଟ୍ରକଚର୍ ଯୋଜନାରେ ୭୨ଟି ପ୍ରକଳ୍ପ ମଧ୍ୟରୁ ୬ଟିର ନିର୍ମାଣ ଶେଷ ହୋଇଥିବା ବେଳେ ୨୦୨୫-୨୬ ସୁଦ୍ଧା ଆଉ ୨୩ଟି ପ୍ରକଳ୍ପର ନିର୍ମାଣ ଶେଷ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାରେ ୨୦୯ଟି ଚେକଡ୍ୟାମର ନିର୍ମାଣ କାର୍ଯ୍ୟ ଜାରି ରହିଛି।  ଜଳବାୟୁ ନିୟନ୍ତ୍ରଣ ଓ ସ୍ଥିରତାକୁ ଦୃଷ୍ଟିରେ ରଖି ମୋ ସରକାର ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ସହନଶୀଳ ଲୁଣାବନ୍ଧ ପ୍ରକଳ୍ପ ହାତକୁ ନେଇଛନ୍ତି ।

 ରାଜ୍ୟପାଳ କହିଛନ୍ତି ଯେ ସମୃଦ୍ଧ ଓଡିଶା ଲକ୍ଷ୍ୟ ହାସଲ କରିବାରେ ନାରୀ ଶକ୍ତିର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ସ୍ବୀକାର କରି ମହିଳା ସଶକ୍ତିକରଣକୁ ପ୍ରାଥମିକତା ଦେଇଛନ୍ତି।  ସୁଭଦ୍ରା ଯୋଜନାରେ ୨୧ରୁ ୬୦ ବର୍ଷ ବର୍ଷୀୟ ଏକ କୋଟି ମହିଳାଙ୍କୁ ୫ ବର୍ଷରେ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ସାମାଜିକ ସୁରକ୍ଷା ସମ୍ପର୍କରେ ମଧ୍ୟ ରାଜ୍ୟପାଳ ନିଜ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି।  ଗତ ଜାନୁଆରୀ ମାସରୁ ୮୦ ବର୍ଷ ଓ ଏହାଠାରୁ ଅଧିକ ବୟସର ହିତାଧିକାରୀ ଏବଂ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ହିତାଧିକାରୀଙ୍କ ପାଇଁ ସାମାଜିକ ସୁରକ୍ଷା ଭତ୍ତାର ପରିମାଣ ମାସିକ ୩୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି।  ରାଜ୍ୟପାଳ ଆହୁରି ମଧ୍ୟ କହିଛନ୍ତି ଯେ ଅନୁସୂଚିତ ଜନଜାତିଙ୍କ କଲ୍ୟାଣ ପାଇଁ କେନ୍ଦ୍ରୀୟ ଯୋଜନା ଧରତୀ ଆବା ଜନଜାତି ଗ୍ରାମ ଉନ୍ନତ ଅଭିଯାନକୁ ରାଜ୍ୟ ସରକାର କାର୍ଯ୍ୟକାରି କରୁଛନ୍ତି । ଏହାଦ୍ବାରା ୨୭ଟି ଜିଲ୍ଲାର ୭୬୬୭ଟି ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ଭିତ୍ତିଭୂମି, ସ୍ଵାସ୍ଥ୍ୟ ସେବା, ଶିକ୍ଷା ଓ ଜୀବିକା ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି।  ଯୋଗ ଏବଂ ସୁସ୍ଥତାକୁ ଅଗ୍ରାଧିକାର ଦେଇ ମୋ ସରକାର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପଦକ୍ଷେପ ଅଧିନରେ ୭୩୫୮ ଟି ସ୍ୱାସ୍ଥ୍ୟ ଓ ସୁସ୍ଥତା କେନ୍ଦ୍ରକୁ ସୁଦୃଢ କରିଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି । 

ରାଜ୍ୟରେ ଡାକ୍ତରୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ତାଳଚେର ଓ ଫୁଲବାଣୀରେ ୨ଟି ନୂଆ ମେଡିକାଲ କଲେଜ୍ ନିର୍ମାଣ ଶେଷ ହୋଇଛି । ୨୦୨୫-୨୬ରେ ଏମବିବିଏସ ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ଆରମ୍ଭ ହେବ । ଚଳିତ ବର୍ଷ ୫୦ ଜଣ ଏମବିବିଏସ ଛାତ୍ରଛାତ୍ରୀଙ୍କ ପ୍ରଥମ ବ୍ୟାଚ ନାମଲେଖା ସହ ଯାଜପୁରର ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଦର୍ଶାଇବାକୁ ଯାଇ ରାଜ୍ୟପାଳ କହିଛନ୍ତି ଯେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ କରି ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମିକୁ ସୁଦୃଢ କରାଯାଉଛି।  ଚଳିତ ଶିକ୍ଷାବର୍ଷ ରେ ୧୯୯ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯାଇଛି । ମୋ ସରକାର ନବମ ଓ ଏକାଦଶ ଶ୍ରେଣୀର ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ପ୍ରାୟ ୧.୬୨ ଲକ୍ଷ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ୫୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି ବୋଲି ରାଜ୍ୟପାଳ କହିଛନ୍ତି । 

ରାଜ୍ୟପାଳ କହିଛନ୍ତି ଯେ ପରିମଳ ହେଉଛି ବିକଶିତ ଭାରତ ଦୃଷ୍ଟିକୋଣର ଏକ ମୂଳଦୁଆ । ଏହିକ୍ରମରେ ଗତ ଡିସେମ୍ବର ସୁଦ୍ଧା ପ୍ରାୟ ୪.୨୦ ଲକ୍ଷ ବ୍ୟକ୍ତିଗତ ଘରୋଇ ଶୌଚାଳୟ ନିର୍ମାଣ କରାଯାଇଛି । ସୁଦୃଢ଼ ଗମନାଗମନ ପାଇଁ ଭୁବନେଶ୍ୱରରେ ୧୫୦ଟି ଇ - ବସ ଏବଂ ୮ଟି ଅତିରିକ୍ତ ସହରକୁ ମୋ ବସ ସେବା ବିସ୍ତାର କରାଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ଇ - ବସ ସେବା ଯୋଜନା ଅଧିନରେ ରାଜ୍ୟର ବିଭିନ୍ନ ସହରରେ ୪୦୦ ଇ ବସ ନିୟୋଜିତ କରାଯିବ। ଗ୍ରାମାଞ୍ଚଳରେ ଉତ୍ତମ ସଡକ ଭିତ୍ତିଭୂମି ପାଇଁ ୨୦୨୪-୨୫ ରେ ୧୪୩୯ କିଲୋମିଟର ରାସ୍ତା ନିର୍ମାଣ ସରିଛି। ରାଜ୍ୟପାଳ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ ଗୁଣାତ୍ମକ ବିଜୁଳି ସେବା ଯୋଗାଇଦେବାକୁ ମୋ ସରକାର ପ୍ରତିଶ୍ରୁତିବଦ୍ଧ। ଓଡ଼ିଶା ଏବେ ବିଜୁଳି ବଳକା ରହିଛି।  ୨୦୨୪-୨୫ ରେ ୪୦୦ରୁ ଅଧିକ ଷ୍ଟାର୍ଟ ଅପକୁ ଆର୍ଥିକ ଓ ଅଣ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଆସନ୍ତା ୨ ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ୫୦ ହଜାର ନିଯୁକ୍ତି ଏବଂ ଆସନ୍ତା ୫ ବର୍ଷ ମଧ୍ୟରେ ଆଇଟି/ଆଈଟିଇଏସରେ ୫୦ ହଜାର ନିଯୁକ୍ତି ସୃଷ୍ଟି ପାଇଁ ମୋ ସରକାର ପଦକ୍ଷେପ ନେଉଛନ୍ତି । ଏଥିସହିତ ଆସନ୍ତା ୫ ବର୍ଷରେ ମଧ୍ୟରେ ୧.୫ ଲକ୍ଷ ଏବଂ ପ୍ରଥମ ଦୁଇ ବର୍ଷରେ ୬୫ ହଜାର ସରକାରୀ ପଦବୀ ପୂରଣ କରାଯିବ।  

ରାଜ୍ୟପାଳ କହିଛନ୍ତି ଯେ ଓଡ଼ିଆ ଅସ୍ମିତାର ପୁନରୁଦ୍ଧାର, ରାଜ୍ୟର କଳା , ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ପରମ୍ପରାର ସୁରକ୍ଷା ଓ ଉନ୍ନତି ପାଇଁ ମୋ ସରକାରର ସର୍ବୋଚ୍ଚ ପ୍ରାଥମିକତା।  ଓଡ଼ିଆ ଅସ୍ମିତା କ୍ଷେତ୍ରରେ ନିର୍ଦ୍ଦିଷ୍ଟ ହସ୍ତକ୍ଷେପ ପାଇଁ ମୋ ସରକାର ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିଛନ୍ତି। ବାଲିଯାତ୍ରା ଓ ଧନୁଯାତ୍ରାକୁ ବିଶ୍ଵ ଐତିହ୍ୟ ପର୍ବ ଭାବେ ଘୋଷଣା କରାଯାଇଛି  । ଆମେ ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣକୁ ପ୍ରାଥମିକତା ଦେଉଛୁ ବୋଲି ରାଜ୍ୟପାଳ କହିଛନ୍ତି।